ଡାଇବେଟିସ୍‌ର ଆୟୁର୍ବେଦୀୟ ଉପଚାର


ସମୟ ଥିଲା ଯେତେବେଳେ ଲୋକମାନେ ଡାଇବେଟିସ୍‌ ବା ମଧୁମେହ ଆଭିଯାତ୍ୟ ସମ୍ପନ୍ନ ବ୍ୟକ୍ତି ବା ଯେଉଁମାନେ ଶାରୀରିକ ପରିଶ୍ରମ କମ୍‌ କରନ୍ତି ସେମାନଙ୍କୁ ଆକ୍ରାନ୍ତ କରିବାର ଭାବୁଥିଲେ। ମାତ୍ର ଏବେ ସମୟ ବଦଳି ଯାଇଛି। ମଧୁମେହ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ମଧ୍ୟ ଗ୍ରାସ କରିଚାଲିଛି। ଏହା ଏକବିଂଶ ଶତାବ୍ଦୀର ଜୀବନଶୈଳୀ ପରିବର୍ତ୍ତନର ପରିଣାମ। କେବଳ ଯେ ମଧୁମେହ ତା’ ନୁହେଁ ଅନ୍ୟ ରୋଗ ଯଥା- ରକ୍ତଚାପ, ହୃଦ୍‌ରୋଗ, ଅସ୍ଥିସନ୍ଧି ରୋଗ ଏହି ଜୀବନ ଶୈଳୀ ପରିବର୍ତ୍ତନ ଯୋଗୁ ବ୍ୟାପିଚାଲିଛି। ମନୁଷ୍ୟର ତିନି ଏଷଣା ଯଥା - ପ୍ରାଣୈଷଣା, ଅନୈଷଣା, ପରରୋଲକଏଷଣା ମଧ୍ୟରୁ ବର୍ତ୍ତମାନ ଆଧୁନିକ ସଭ୍ୟମାନବ କେବଳ ଧନୈଷଣାରେ ବ୍ୟସ୍ତ। ତେଣୁ ଧନ ଉପାର୍ଜନ ପାଇଁ ଦିନଚର୍ଯ୍ୟା, ରାତ୍ରିଚର୍ଯ୍ୟା ଓ ଋତୁଚର୍ଯ୍ୟାର ନିୟମାନୁସାରେ ପାଳନ ନ କରିବା ଯୋଗୁ ଏପରି ରୋଗ ଚିକିତ୍ସା ବିଜ୍ଞାନ ପାଇଁ ଚିନ୍ତାର କାରଣ ହୋଇଛି। ଆଶା କରାଯାଉଛି ୨୦୩୦ ସୁଦ୍ଧା ପୃଥିବୀର ମୋଟ ଜନସଂଖ୍ୟାର ୩୬ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ ହେବେ ଏବଂ ଆସନ୍ତା ଶତାବ୍ଦୀରେ ପ୍ରତି ୨୦ ଜଣରେ ଜଣେ ଏହି ରୋଗଗ୍ରସ୍ତ ହୋଇପାରନ୍ତି। ଏହି ରୋଗ ଯେ ଏବେ ଦେଖାଯାଇଛି ତାହା ନୁହେଁ। ଏହାର ଆରମ୍ଭ କେବେ କହିବା ଅସମ୍ଭବ। ଏପରି କି ପୌରାଣିକ କଥା ଅନୁସାରେ ଭଗବାନ ଲମ୍ବୋଦର (Pot belly syndrome ଗ୍ରସ୍ତ) ଅତ୍ୟଧିକ ମୋଦକ ଖାଇବା ଏବଂ ପ୍ରାୟ ବସି ରହିବା କାରଣରୁ ମଧୁମେହରେ ଆକ୍ରାନ୍ତ ହୋଇଥିଲେ ଏବଂ ଭଗବାନ ଶିବ ତାଙ୍କ ପାଇଁ ଔଷଧ ଯୋଜନା କରିଥିଲେ (ଶିବା ଗୁଟିକା) ଏବଂ ତାଙ୍କ ରୋଗ ଲାଘବ କରିଥିଲେ। ଔଷଧ ସେବନ ସହ ସେ ତାଙ୍କର ପ୍ରିୟ ଖାଦ୍ୟ ମୋଦକରୁ ଜାମୁ, କଇଥ ପରି ଦ୍ରବ୍ୟ ଖାଇବାରେ ରୁଚି ରଖିଲେ। ଚରକ ସଂହିତା (୧୦୦୦ ବିସି), ସୁଶ୍ରୁତ ସଂହିତା (୧୦୦୦-୬୦୦ ବିସି)ରେ ମଧୁମେହର ବର୍ଣ୍ଣନା ସହ ଏହା ଅଷ୍ଟ ମହାଗଦ ମଧ୍ୟରେ ଅନ୍ୟତମ ବୋଲି କଥିତ ଅଛି। ଏଥିରୁ ଏହା କେତେ ପୁରାତନ ଅନୁମେୟ। ଡାଇବେଟିସ୍‌ ବିଷୟରେ ଅଧିକା ଲେଖିବା ଅନାବଶ୍ୟକ କାରଣ ଏ ରୋଗ ବିଷୟରେ ସମସ୍ତେ ଅଳ୍ପେବହୁତେ ଜାଣିଛନ୍ତି । ଆୟୁର୍ବେଦ ଶାସ୍ତ୍ରରେ ନିମ୍ନ ଲକ୍ଷଣରୁ ଏହା ଭବିଷ୍ୟତରେ ଆକ୍ରମଣ କରିବା ଜାଣି ହେବ। (ପୂର୍ବରୂପ) -ଶରୀର ଅଠାଳିଆ ଲାଗିବା -ହାତ ପାଦରେ ଜ୍ୱଳନ ଅନୁଭୂତ ହେବା -ମୁଖ ଦୁର୍ଗନ୍ଧ ସହ ଅଧିକ ମଳ ବାହାରିବା ଲକ୍ଷଣ - ଅତ୍ୟଧିକ ପରିସ୍ରା ଲାଗିବା -ଅତ୍ୟଧିକ ଶୋଷ ଏବଂ ଭୋକ ଲାଗିବା -ଅଧିକ ଝାଳ ବାହାରିବା -ବିନା କାରଣରେ ଥକା ଲାଗିବା -ଆଖି ଜାଲୁଜାଲୁଆ ଦେଖାଯିବା -ଓଜନ ହ୍ରାସ ପାଇବା ଆୟୁର୍ବେଦ ମତାନୁସାରେ ଏହି ରୋଗ ୨ ପ୍ରକାର ଯଥା- ସହଜ (type - I), ଅର୍ଜିତ (type - II) ବା ସ୍ଥଳ ପ୍ରମେହୀ ଏବଂ କୃଷ ପ୍ରମେହୀ। ଅତ୍ୟଧିକ କଫ କାରକ ଆହାର ଯଥା ମଧୁର ରସଯୁକ୍ତ ଖାଦ୍ୟ ଏବଂ ବିହାର ଯେପରି ଶାରିରୀକ କର୍ମ କରିବା ଓ ଅଧିକ ସମୟ ବସିବା ବା ଶୋଇ ରହିବା କାରଣରୁ କଫ ଜଠରାଗ୍ନିକୁ ମନ୍ଦ କରିଥାଏ (ଯାହାକି ଅଗ୍ନ୍ୟାଶୟରୁ ଉତ୍ପନ୍ନ କରିଥାଏ) ଫଳତଃ ଏହି ରୋଗ ଦେଖାଯାଇଥାଏ। କେଉଁମାନଙ୍କୁଠାରେ ହେବାର ଅଶଙ୍କା ଥାଏ- ୪୫ ବର୍ଷରୁ ତଦୂର୍ଦ୍ଧ୍ୱ ବ୍ୟକ୍ତି, ମେଦ ବହୁଳ ରୋଗୀ, ପରିବାରରେ ଯଦି କାହାକୁ ହୋଇଥାଏ, ଯଦି ଗର୍ଭାଧାରଣ ସମୟରେ ଆକ୍ରାନ୍ତ ହୋଇଥାନ୍ତି, ଅଧିକ triglyceride ଏବଂ କମ୍‌ HDL କୋଲେଷ୍ଟରଲଯୁକ୍ତ ବ୍ୟକ୍ତି, ଗର୍ଭାଶୟରେ ଅଙ୍ଗୁରୀୟମାଳ ରୋଗୀ, ଯଦି କେବେ ଅତୀତରେ ରକ୍ତ ଶର୍କରା ଅସାମଞ୍ଜସ୍ୟ ଦେଖାଦେଇଥାଏ, ଯଦି ହୃଦୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ରୋଗ ହେବା ପୂର୍ବରୁ ଏହାକୁ ରୋକାଯାଇପାରେ। ତେଣୁ ନିମ୍ନୋକ୍ତ ପ୍ରକ୍ରିୟା ବା କର୍ମ ଆପଣେଇବା ଉଚିତ। ଯଥା-ଅଧିକ ଶାରୀରିକ ପରିଶ୍ରମ କରିବା, ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଇବା, ଚୋପାଲଗା ବା ସମ୍ପୂର୍ଣ୍ଣ ଶସ୍ୟ ବା ମଞ୍ଜି ଖାଇବା, ଅତ୍ୟଧିକ ଓଜନ କମାଇଦେବା, ଅଧିକ ତୈଳଜାତୀୟ ଖାଦ୍ୟ ବା ପୂର୍ବ ପ୍ରସ୍ତୁତି ଖାଦ୍ୟ ନ ଖାଇବା, ଅତିକମ୍‌ରେ ୩୦ ମିନିଟ ପ୍ରତ୍ୟହ ଏବଂ ସପ୍ତାହକୁ ୫ ଦିନ ବ୍ୟାୟାମ। ଚିକିତ୍ସା-ଯେହେତୁ ଆରମ୍ଭରୁ କୁହାଯାଇଛି ଯେ ଡାଇବେଟିସ୍‌ ମୁଖ୍ୟତଃ ଜୀବନଶୈଳୀ ପରିବର୍ତ୍ତନଜନିତ ବ୍ୟାଧି, ତେଣୁ ପ୍ରଥମେ ନିଜର ଜୀବନଶୈଳୀ ପରିବର୍ତ୍ତନ ବାଞ୍ଛନୀୟ। ଯେପରି ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟା ତ୍ୟାଗକରି ଅତିକମ୍‌ରେ ୫ କିମି ପ୍ରାତଃ ଭ୍ରମଣ କରିବା, ଭ୍ରମଣ ପରେ କିଛି ସମୟ ଶବାସନରେ ରହିବା ପରେ ଗୋମୁଖାସନ, ମକରାସନ, ନୌକାସନ ବା ମତ୍ସ୍ୟାସନ ମଧ୍ୟରୁ ଯାହା କରିପାରିବାକୁ ସକ୍ଷମ ହେବେ କରିପାରିବେ। ଅଧିକ ରାତ୍ର ଜାଗରଣ ଅନୁଚିତ ଏବଂ ରାତିରେ ଚିନ୍ତାମୁକ୍ତ ହୋଇ ଶୋଇବା ଆବଶ୍ୟକ। ଆୟୁର୍ବେଦରେ ଏହାର ଚିକିତ୍ସା ସଂଗଠିତ ଜୀବନଚର୍ଯ୍ୟା ସହ ଔଷଧ ସେବନର ବର୍ଣ୍ଣନା ମିଳେ। ଯେହେତୁ ଏଥିରେ ଦୀର୍ଘଦିନ ଧରି ଔଷଧ ସେବନ କରିବାକୁ ପଡେ ତେଣୁ ଆୟୁର୍ବେଦ ଔଷଧ ସେବନ ଦ୍ୱାରା ରୋଗୀ ଯେ କେବଳ ସୁସ୍ଥ ହୋଇ ନ ଥାଏ ରୋଗର ବିକାର ପ୍ରତିହତ ହେବା ସହ ରୋଗୀ ଦୀର୍ଘଜୀବନ ଲାଭ କରିଥାଏ। ସେଥିପାଇଁ WHO ମଧ୍ୟ ଆୟୁର୍ବେଦ ଔଷଧ ଅନୁସନ୍ଧାନକୁ ଅନୁମୋଦନ କରିଛି। -ଡା. ତୀର୍ଥପ୍ରସାଦ ବରାଳ -ଆୟୁର୍ବେଦିକ ମେଡିକାଲ ଅଫିସର, ଆମଣ,ସାଶୋଳ,କଟକ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri