ଯଦି ଦୁହେଁ କର୍ମଜୀବୀ


ପରିବାରର ଆର୍ଥିକ ଚାପକୁ ହାଲ୍‌କା କରିବା ପାଇଁ ଆଜିକାଲି ଅଧିକାଂଶ ପୁରୁଷ କର୍ମଜୀବୀ ମହିଳାଙ୍କୁ ଜୀବନସାଥୀ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତେବେ ଉଭୟ କାର୍ଯ୍ୟବ୍ୟସ୍ତ ରହିବା କାରଣରୁ ପରସ୍ପରକୁ ସମୟ ଦେବା କଷ୍ଟକର ହୋଇପଡେ। ତେବେ ପତିପତ୍ନୀ କର୍ମଜୀବୀ ହୋଇଥିଲେ ଛୋଟ ଛୋଟ କଥାକୁ ଧ୍ୟାନ ନ ଦେଇ ପରସ୍ପର ପ୍ରତି ବିଶ୍ୱାସ ରଖି କିପରି ପାରିବାରିକ ଜୀବନକୁ ସୁଖଦ କରିପାରିବେ ସେ ସମ୍ପର୍କରେ ...

ସହଯୋଗ ଓ ଉତ୍ତମ ବୁଝାମଣା ଜରୁରୀ-  ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ଓ ଉତ୍ତମ ବୁଝାମଣା ନିହାତି ଜରୁରୀ। କର୍ମଜୀବୀ ମହିଳାଙ୍କୁ ଉଭୟ ଘର ଓ ଅଫିସ୍‌ କାମ ସମ୍ଭାଳିବାକୁ ପଡିଥାଏ। ଘରେ ପିଲାକୁ ପାଠ ପଢାଇବା, ତା’ର ଡେଲି ରୁଟିନ୍‌ରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ରୋଷେଇ ଓ ଅନ୍ୟାନ୍ୟ କାମ କରିବାକୁ ପଡେ। ଯଦି ଏସବୁ କାମରେ ସ୍ବାମୀଙ୍କ ସହଯୋଗ ରହେ ତେବେ କୌଣସି କାମ ବୋଝ ସଦୃଶ ଲାଗିବ ନାହିଁ।

କାର୍ଯ୍ୟର ବିଭାଜନ-  ଘର ଏବଂ ବାହାରର ଅନେକ କାମ ରହିଛି। ଏହି ପରିସ୍ଥିତିରେ ପରସ୍ପର ପରସ୍ପର ଉପରେ କାମ ଲଦିଦେଲେ ଚଳିବନି। ବରଂ ଯିଏ ଯେଉଁ କାର୍ଯ୍ୟରେ ଦକ୍ଷ ସେ ସେହି କାର୍ଯ୍ୟ ସମ୍ଭାଳିବାଟା ଠିକ୍‌ ହେବ। ଏଥିପାଇଁ ଉଭୟଙ୍କ ସହମତିରେ କାମର ବିଭାଜନ କରନ୍ତୁ। ଏଥିରେ ଆପଣଙ୍କ ପିଲାକୁ ବି ସାମିଲ କରନ୍ତୁ। ପିଲାର ବୟସ ଓ ରୁଚି ଅନୁଯାୟୀ ତାକୁ କାମ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ଶୀଘ୍ର ଶେଷ ହୋଇପାରିବ ଏବଂ ସମୟ ମଧ୍ୟ ବଞ୍ଚିବ। ଏପରି କରି ବଳକା ସମୟ ପିଲା ସହ ଆପଣ ବିତାନ୍ତୁ।

ଅଫିସ୍‌ କାମ ଘରକୁ ଆଣନ୍ତୁ ନାହିଁ - ଅଫିସ୍‌ କାମ ଅଫିସ୍‌ରେ ହିଁ ଶେଷ କରିବାକୁ ଉଭୟ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ପରିବାର ପ୍ରତି କିଛି ସମୟ ଦେଇପାରିବେ। ଏହାକୁ ନେଇ ଯେପରି ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ନ ହୁଏ ସେଥିପ୍ରତି ସଚେତନ ରୁହନ୍ତୁ।

ଟେକ୍‌ନିକ୍‌ର ସଦୁପଯୋଗ କରନ୍ତୁ-  ବର୍ତ୍ତମାନ ଟେକ୍‌ନିକ୍‌ର ଯୁଗ। ଇଲେକ୍ଟ୍ରି ବିଲ୍‌, ଟେଲିଫୋନ୍‌ ବିଲ୍‌ ଦେବା ଭଳି ଛୋଟ ବଡ଼ କାମ ଆଜିକାଲି ଅନ୍‌ଲାଇନ୍‌ରେ କରିବା ଖୁବ୍‌ ସହଜ। ଏଥିପାଇଁ ଆପଣ ଘରେ ବସି ଅନ୍‌ଲାଇନ୍‌ରେ ପେମେଣ୍ଟ କରି ସମୟ ବଞ୍ଚାଇପାରିବେ। ସୋସିଆଲ ସାଇଟ୍‌ରେ ଉଭୟ ଅଧିକ ସମୟ ନଷ୍ଟ ନ କରି ଏଥିପାଇଁ ଏକ ସମୟ ଧାର୍ଯ୍ୟ କରନ୍ତୁ।

ବିଶ୍ୱାସ-  ପତିପତ୍ନୀ ସମ୍ପର୍କ ବିଶ୍ୱାସରେ ହିଁ ତିଷ୍ଠିଥାଏ। ବେଳେବେଳେ କୌଣସି ଅଫିସ୍‌ କାମରେ ପତ୍ନୀ କୌଣସି ପୁରୁଷ ସହଯୋଗୀଙ୍କ ସହ କଥା ହେଲେ ପତିଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ ବା ସ୍ବାମୀ କୌଣସି ମହିଳା ସହଯୋଗୀଙ୍କ ସହ କଥା ହେଲେ ସ୍ତ୍ରୀଙ୍କ ମନରେ ସନ୍ଦେହ ଜାତ ହୁଏ। ଏପରି ପରିସ୍ଥିତିରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିଶ୍ୱାସ ମଜଭୁତ୍‌ ରହିବାଟା ନିହାତି ଜରୁରୀ। ଯଦି ସନ୍ଦେହ ହୁଏ, ତେବେ ଯଥାଶୀଘ୍ର ଏହାର ସମାଧାନ କରନ୍ତୁ।

ଗର୍ବ କରନ୍ତୁ ନାହିଁ-  ପତିପତ୍ନୀଙ୍କ ମଧ୍ୟରେ ଅହଂ ଭାବ ରହିବା ଆଦୌ ଠିକ୍‌ ନୁହେଁ। ପରିସ୍ଥିତି ଯେପରି ବି ହେଉ ଆପଣ କୌଣସି କାରଣରୁ ଯେତେ ବି ରାଗିଥାଆନ୍ତୁନା କାହିଁକି ପରସ୍ପର ପ୍ରତି ସମ୍ମାନ ଦେବାରେ କେବେ ଊଣା କରନ୍ତୁ ନାହିଁ। ଆପଣ ପରିବାର ଲୋକଙ୍କ ସାମ୍ନାରେ ମଧ୍ୟ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ। ଯେପରି କି ଆପଣଙ୍କ କୌଣସି ବ୍ୟବହାର ବା କଥାବାର୍ତ୍ତା ଯେପରି ସ୍ବାମୀଙ୍କ ମନରେ ଆଘାତ ନ ପହଞ୍ଚାଏ। କୌଣସି କଥାକୁ ନେଇ ଯଦି ଉଭୟଙ୍କ ମଧ୍ୟରେ ମତଭେଦ ବା ଯୁକ୍ତିତର୍କ ହୁଏ ତେବେ ଦୀର୍ଘ ସମୟ ରାଗିକରି ନ ରହି ବରଂ ରାତିରେ ଶୋଇବା ପୂର୍ବରୁ ଏହାର ଆପୋସ ବୁଝାମଣା କରି ସମାଧାନ କରନ୍ତୁ।

ହଲିଡେ ଫନ୍‌-  ଛୁଟିଦିନରେ ପରସ୍ପର ଉପରେ କାମର ବୋଝ ନ ଲଦି ବରଂ ମିଶିକରି ଘର କାମ କରନ୍ତୁ। ଏହାଦ୍ୱାରା କାମ ଶୀଘ୍ର ଶେଷ ହୋଇଯିବ ଏବଂ ଆପଣଙ୍କ ପାଖରେ ଢେର୍‌ ସମୟ ବଳିବ। ଏହି ସମୟରେ ଆପଣ ପରିବାର ସହ ବାହାରକୁ ବୁଲିବାକୁ ଯାଇ ରିଲାକ୍ସ ପାଇପାରିବେ।

ପରିବାର ସଦସ୍ୟଙ୍କୁ ସମ୍ମାନ ଦିଅନ୍ତୁ-  ପରସ୍ପରର ପରିବାର ଲୋକଙ୍କ ପ୍ରତି ସମ୍ମାନ ଦେବାକୁ ଭୁଲନ୍ତୁ ନାହିଁ। ପତିପତ୍ନୀଙ୍କ ମଧ୍ୟରୁ ଜଣେ ଅନ୍ୟଜଣଙ୍କ ପରିବାର ଲୋକଙ୍କୁ ଅସମ୍ମାନ କଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ।

ଆର୍ଥିକ ସଚେତନତା-  ଆପଣଙ୍କ ଖର୍ଚ୍ଚ, ବେତନ ଆଦିର ସମ୍ପୂୂର୍ଣ୍ଣ ହିସାବ ରଖନ୍ତୁ। ଦରମାର କମ୍‌ ବେଶି ନେଇ ପରସ୍ପର ମଧ୍ୟରେ ତାନା ମାରନ୍ତୁ ନାହିଁ। ଘରଖର୍ଚ୍ଚ ଓ ସେଭିଂସ୍‌ ବିଷୟରେ ଉଭୟ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ନିଷ୍ପତ୍ତି ନିଅନ୍ତୁ।

ଏମାନେ କ’ଣ କରନ୍ତି...

ବର୍ତ୍ତମାନର ଦରଦାମ୍‌ ଅନୁଯାୟୀ ଖର୍ଚ୍ଚ ଯେପରି ବଢୁଛି ସେହି ଅନୁସାରେ ରୋଜଗାର ମଧ୍ୟ ଜରୁରୀ। ମୋ ଜବ୍‌କୁ ନେଇ ଆମ ମଧ୍ୟରେ କେବେ ବି ଝଗଡା ହୁଏନାହିଁ। ପରିବାର ଲୋକଙ୍କର ସପୋର୍ଟ ଏବଂ ସହଯୋଗ ପାଇଁ ଘରକାମରେ କୌଣସି ଅସୁବିଧା ହୁଏନାହିଁ। ପ୍ରତ୍ୟେକ କାମ ପ୍ଲାନିଂ କରି କଲେ ଖୁବ୍‌ କମ୍‌ ସମୟରେ ଆଉ ଠିକ୍‌ ଭାବେ ଶେଷ ହୋଇଥାଏ। ଏହାଦ୍ୱାରା ମାଇଣ୍ଡ୍‌ ଫ୍ରେସ୍‌ ଏବଂ ରିଲାକ୍ସ ରହେ। - ଲୋପାମୁଦ୍ରା ସାହୁ, କର୍ମଜୀବୀ, ଭୁବନେଶ୍ୱର

କର୍ମଜୀବୀ ମହିଳାଙ୍କୁ ଉଭୟ ଅଫିସ୍‌ ଓ ଘରକାମ ସମ୍ଭାଳିବାକୁ ପଡିଥାଏ। ଉଭୟ କାମକୁ ସମାନ ଗୁରୁତ୍ୱ ଦେବା ମଧ୍ୟ ନିହାତି ଜରୁରୀ। ଏଥିପାଇଁ ମୁଁ ଅଫିସ୍‌ କାମ ଅଫିସ୍‌ରେ ହିଁ ଶେଷ କରିଥାଏ। ସେହିପରି ଘରକାମ ମଧ୍ୟ ଘରେ ଠିକ୍‌ ସମୟରେ ଶେଷ କରିଥାଏ। ଏହାଦ୍ୱାରା ଅଫିସ୍‌ରେ ଘରର ଟେନ୍‌ସନ୍‌ କି ଘରେ ଅଫିସ୍‌ର ଟେନ୍‌ସନ୍‌ ନ ଥାଏ। - ସୁଚିସ୍ମିତା ବେହେରା, କର୍ମଜୀବୀ, ଜଗତ୍‌ସିଂହପୁର



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri