ବିନା ମୋଜାରେ ଜୋତା ପିନ୍ଧିବା କ୍ଷତିକାରକ


ଲଣ୍ଡନ ବିନା ମୋଜା (ସକ୍‌ସ)ରେ ଜୋତା ପିନ୍ଧିବା ସଂକ୍ରମଣର କାରଣ ହୋଇପାରେ। ବୈଜ୍ଞାନିକମାନେ ଏ ଦିଗରେ ଗବେଷଣା କରି ସତର୍କ କରାଇ ଦେଇଛନ୍ତି। ବିନା ମୋଜାରେ ଜୋତା ପିନ୍ଧିବା ହଲିଉଡ୍‌ରେ ଏକ ଫ୍ୟାଶନ ଧାରାରେ ପରିଣତ ହୋଇଛି। ହଲିଉଡ୍‌ର କେତେକ ସୁନାମଧନ୍ୟ ତାରକା ଯଥା ବ୍ରାଡ୍‌ଲେ କୋପର, ର଼୍ୟାନ୍‌ ଗୋସଲିଙ୍ଗ, ଓର୍ଲାଣ୍ଡୋ ବ୍ଲୁମ୍‌ ଏବଂ ଜୁଡ୍‌ ଲ’ ବିନା ମୋଜାରେ ଜୋତା ପିନ୍ଧିବାର ଧାରା ଆରମ୍ଭ କରିଛନ୍ତି, ଯାହାର ପ୍ରଭାବ ଯୁବବର୍ଗ ଉପରେ ପଡୁଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏଭଳି ସତର୍କ କରାଇଛନ୍ତି। ସେମାନେ କହିଛନ୍ତି ଯେ, ଯେଉଁମାନେ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି ସେମାନେ ଏହାର ପରିଣତି ସମ୍ପର୍କରେ ଅବଗତ ନୁହନ୍ତି। ଏ ନେଇ ଗବେଷଣା କରୁଥିବା ଗବେଷକମାନେ ଦର୍ଶାଇଛନ୍ତି ଯେ, ପାଦରୁ ଦିନତମାମ୍‌ ଖୁବ୍‌ ଅଳ୍ପ ପରିମାଣର ଝାଳ ନିର୍ଗତ ହୋଇଥାଏ। ତାହା ପାଦକୁ ଆଦ୍ର ରଖେ। ମୋଜା ପିନ୍ଧିଥିଲେ ସେହି ଆଦର୍‌ରତା ସେଥିରେ ଶୁଷ୍କ ହୋଇଥାଏ। ମାତ୍ର ବିନା ମୋଜାରେ ଜୋତା ପିନ୍ଧିଲେ ସେହି ଆର୍ଦ୍ରତା ପାଦରେ ରହି ସଂକ୍ରମଣ କରାଇଥାଏ। କାରଣ ଚମଡ଼ା କିମ୍ବା ଅନ୍ୟ ସିନ୍ଥେଟିକ୍‌ ସାମଗ୍ରୀରେ ତିଆରି ଜୋତା ସେହି ଆଦ୍ରତାକୁ ଶୋଷି ନେଇ ପାରି ନ ଥାଏ। ତେବେ ଏହା ପାଦରୁ ବାହାରୁଥିବା ଝାଳ ଉପରେ ନିର୍ଭର କରେ। କେତେକ ବ୍ୟକ୍ତିଙ୍କ ପାଦରୁ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ବିଶେଷକରି ଖେଳାଳିମାନଙ୍କ ନିକଟରେ ପାଦର ଆର୍ଦ୍ରତା ଅଧିକ ଦେଖିବାକୁ ମିଳେ। ସେମାନେ ଯଦି ବିନା ମୋଜାରେ ଜୋତା ପିନ୍ଧନ୍ତି ତେବେ ଫଙ୍ଗାଲ ଇନ୍‌ଫେକ୍‌ସନ୍‌ ବା କବକ (ଫିମ୍ପି) ଜନିତ ସଂକ୍ରମଣର ଆଶଙ୍କା ଅଧିକ ଥାଏ ବୋଲି କହିଛନ୍ତି ବ୍ରିଟେନ୍‌ ପୋଡିଆକ୍ରି କଲେଜର ଅଧ୍ୟାପକ ତଥା ଗବେଷକ ଏମ୍ମା ଷ୍ଟିଭେନସନ୍‌। ଆଜିକାଲି ବଜାରରେ ଉପଲବ୍‌ଧ ଜୋତାର ଉପର ଭାଗ ପ୍ରାୟତଃ ଚମଡାରେ ତିଆରି। କିନ୍ତୁ ଭିତରେ ରହୁଛି ସିନ୍ଥେଟିକ୍‌ ଆବରଣ। ଏହି ସିନ୍ଥେଟିକ୍‌ ମଧ୍ୟ ଦେଇ ବାୟୁ ଚଳାଚଳ ସମ୍ଭବ ହୋଇ ନ ଥାଏ। ପାଦର ଆର୍ଦ୍ରତା, ଉତ୍ତାପ ଜୋତା ଭିତରେ ରହିଯାଇଥାଏ। ଫଳରେ ଏଥିରୁ ସୃଷ୍ଟି ହେଉଥିବା ବ୍ୟାକ୍‌ଟେରିଆ (ବୀଜାଣୁ) ପାଦ ପାଇଁ କ୍ଷତିକାରକ ହୋଇଥାଏ। ବେଳେବେଳେ ଏହା ପାଦ ଯନ୍ତ୍ରଣାର ମଧ୍ୟ କାରଣ ହୁଏ। ଗବେଷକମାନେ ମଧ୍ୟ ପାଦକୁ ଉପଯୁକ୍ତ (ଫିଟ୍‌) ହେଉ ନ ଥିବା ଜୋତା ପିନ୍ଧିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି। ଏହିଭଳି ଜୋତା ବିନା ମୋଜାରେ ପିନ୍ଧିବା ମଧ୍ୟ ଅଧିକ କ୍ଷତିକାରକ। ଏହା ପାଦରେ ଯନ୍ତ୍ରଣା ସୃଷ୍ଟି କରିବା ସହ ଆଙ୍ଗୁଠି ନଖ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri