ଆଜି ବିଶ୍ୱ ହୃଦ୍‌ ଦିବସ: ଆଧୁନିକ ଔଷଧ ବଢ଼ାଉଛି ହୃଦ୍‌ଘାତ ସମସ୍ୟା


ନୂଆଦିଲ୍ଲୀ: ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ବିଶ୍ୱ ହୃଦ୍‌ ଦିବସପାଳିତ ହୋଇଥାଏ। ହୃଦ୍‌ଘାତ ତଥା ହୃଦ୍‌ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ମୂଳ ଲକ୍ଷ୍ୟ। ଏବେକାର ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ ପ୍ରଦୂଷଣ, ମାନସିକ ଚାପ ଆଦି ଯୋଗୁ ହୃଦ୍‌ଘାତ ସମସ୍ୟା ଉପୁଜୁଥିବା ଚିକିତ୍ସା ବିଜ୍ଞାନୀମାନେ ବାରମ୍ବାର ସୂଚିତ କରୁଛନ୍ତି। ନିରୋଗ ରହିବା ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଔଷଧ ରକ୍ତର ତରଳତା ହ୍ରାସ କରି ଏହାକୁ କଠିନ କରୁଛି। ଫଳରେ ରକ୍ତବାହୀ ନଳୀରେ ରକ୍ତଜମାଟ ବାନ୍ଧିଥାଏ ବୋଲି ଚିକିତ୍ସକ ମତପୋଷଣ କରିଛନ୍ତି। ପେନ୍‌ କିଲର, ହରମୋନାଲ୍‌ ଓ ଗର୍ଭନିରୋଧ ବଟିକା ରକ୍ତପ୍ରବାହ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁଯାୟୀ ୪୦-୫୦ ବର୍ଷ ବୟସ୍କଙ୍କ ମଧ୍ୟରେ ୪୦ ପ୍ରତିଶତ ପୁରୁଷ ଓ ୩୮ ପ୍ରତିଶତ ମହିଳାଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଅଧିକ । ସେହିପରି ମଧୁମେହ ରୋଗ ଥିବା ୨୦ ପ୍ରତିଶତ ପୁରୁଷ ଓ ୨୨ ପ୍ରତିଶତ ମହିଳାଙ୍କଠାରେ ହୃଦ୍‌ଘାତ ଦେଖାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ମେଟ୍ରୋ ସହରରେ ୨୫ରୁ ୩୫ ବର୍ଷ ମହିଳାଙ୍କ କ୍ଷେତ୍ରରେ ଇଷ୍ଟ୍ରୋଜେନ୍‌ର ଅଭାବ ଯୋଗୁ ରକ୍ତ ସହଜରେ ଜମାଟ ବାନ୍ଧିଯାଇଥାଏ ବୋଲି ଡାକ୍ତର ଅମଲ ନିକାଓ୍ବାଡି କହିଛନ୍ତି। ସାଧାରଣତଃ ଏହି ବୟସର କର୍ମଜୀବୀ ମହିଳାମାନେ ଅଧିକ ଗର୍ଭନିରୋଧ ବଟିକା ବ୍ୟବହାର କରିଥାନ୍ତି। ଏହାଦ୍ୱାରା ଇଷ୍ଟ୍ରୋଜେନ୍‌ ହରମୋନର ହ୍ରାସ ପାଇଥାଏ। ଫଳରେ ଉଚ୍ଚରକ୍ତଚାପ, ଚିଡିଚିଡାପଣ, ମାନସିକ ଚାପ ବୃଦ୍ଧି ପାଇଥାଏ। ପରବର୍ତ୍ତୀ ସମୟରେ ଏହା ମଧୁମେହ ସମେତ ହୃଦ୍‌ଘାତ ସମସ୍ୟା ସୃଷ୍ଟି କରିଥାଏ। ସହରରେ ବାସ କରୁଥିବା ୩୫-୫୫ ବୟସ ବର୍ଗର ୭୦ ପ୍ରତିଶତ ଲୋକଙ୍କଠାରେ ହୃଦ୍‌ଘାତ ସମସ୍ୟା ଦେଖାଯାଉଥିବାବେଳେ ଗ୍ରାମାଞ୍ଚଳରେ ଏହା ୬୯ ପ୍ରତିଶତ ରହିଛି। ଖାଦ୍ୟ ପାନୀୟରେ ଅନିୟମିତତା ଯୋଗୁ ମେଦବହୁଳତା ଦେଖାଯାଉଛି। ଏହାଦ୍ୱାରା ଉଚ୍ଚରକ୍ତଚାପ ଓ ମଧୁମେହ ରୋଗର ଆଶଙ୍କା ସୃଷ୍ଟି ହେଉଛି। ହୃଦ୍‌ଘାତ ସମ୍ପର୍କରେ ସଚେତନ ହୋଇ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଲେ ଏହି ରୋଗଠାରୁ ମୁକ୍ତି ମିଳିପାରିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri