ଜାଣିହେବ ଅତ୍ୟଧିକ ନିଶାସେବନ


ନୂଆଦିଲ୍ଲୀ:ଭାରତୀୟ ବୈଜ୍ଞାନିକମାନେ ଏଭଳି ଏକ କାଗଜ ଆଧାରିତ ସେନ୍‌ସର ବା ସମ୍ବେଦୀ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି, ଯାହା ଅତି ସହଜରେ ଅତ୍ୟଧିକ ନିଶା ସେବନକୁ ଠାବ କରିପାରିବ। ବିଶେଷକରି ଯୌନ ନିର୍ଯାତନା, ଚୋରି, ଲୁଟ୍‌ପାଟ କିମ୍ବା ଆମୋଦ ପାଇବା ଲାଗି ବ୍ୟବହାର ହେଉଥିବା ମାତ୍ରାଧିକ ନିଶା ଗ୍ରହଣ ଉପରେ ନଜର ଦେଇପାରିବ। ଏହି ଉପକରଣ ଅପରାଧ ଘଟଣାର ତୁରନ୍ତ ସମାଧାନ କରିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ‘ଆନାଲିଟିକା କିମିକା ଆକ୍ଟା ଜର୍ନାଲ’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ମୁତାବକ ମାନସିକ ରୋଗ, ଚିନ୍ତାରୁ ମୁକ୍ତି ଲାଗି ‘ଡିଆଜ୍‌ପାମ୍‌’ ନାମକ ଏକ ଔଷଧ ବିଶେଷ ଭାବେ ବ୍ୟବହୃତ ହୋଇଥାଏ। କିନ୍ତୁ ଏହାକୁ ହତ୍ୟା ଏବଂ ଆତ୍ମହତ୍ୟା ବେଳେ ଲୋକେ ଏହାର ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। କିଛି ଲୋକ ମଜା ନେବା ପାଇଁ ଏହାର ସେବନ କରୁଥିବା ବେଳେ ଆଉ କେତେକ ଯୌନ ନିର୍ଯାତନା ଏବଂ ନାନାଦି ଅପରାଧ ଘଟାଇବା ଲାଗି ଏହାର ଅପବ୍ୟବହାର କରୁଛନ୍ତି। ତେବେ ଜଟିଳ ଟେକ୍ନୋଲୋଜି ଯୋଗୁ ଏହି ଔଷଧର ବିପଦ ସମ୍ପର୍କରେ ବିଶ୍ଳେଷଣ କରିବା ଅତ୍ୟନ୍ତ ଜଟିଳ ଏବଂ ଖର୍ଚ୍ଚସାପେକ୍ଷ। ଏଣୁ ଏହାର ବିଶ୍ଳେଷଣ କରିବା ଲାଗି ଗବେଷକମାନେ ଏକ କାଗଜ ଆଧାରିତ ସେନ୍‌ସର୍‌ ପଦ୍ଧତିର ଉଦ୍ଭାବନ କରିଥିଲେ। ଏହି ସେନ୍‌ସରକୁ କାର୍ଯ୍ୟରେ ବିନିଯୋଗ କରାଗଲେ ତାହା ବିଶେଷଜ୍ଞଙ୍କୁ ଲାବୋରେଟୋରିରେ ଅତ୍ୟଧିକ ନିଶାସେବନ ଜନିତ ମୃତ୍ୟୁର କାରଣ ବିଷୟରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବ ବୋଲି ନୋଏଡାର ଏମିଟି ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଜାଗୃତି ନାରଙ୍ଗ ସୂଚନା ଦେଇଛନ୍ତି। ଉକ୍ତ ପେପର୍‌ ବେସ୍‌ଡ ସେନ୍‌ସର ଗବେଷଣାରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ହରିୟାଣାର ରୋହତକ୍‌ସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ସାମିଲ ଥିଲେ। ଏହି କାଗଜ ଆଧାରିତ ସମ୍ବେଦୀ ପ୍ରସ୍ତୁତ କରିବା ଲାଗି ସେମାନେ କାଗଜ ଉପରେ ସିଲିକା ଆବରଣ ପ୍ରସ୍ତୁତ କରି ସୁନାର ନାନୋ ରଡ୍‌ ଖଞ୍ଜିଥିଲେ। ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ କରିବା ଲାଗି ସେମାନେ ନିଶାଯୁକ୍ତ ପରିସ୍ରା ନମୁନାରେ ପରୀକ୍ଷଣ କରିଥିଲେ। ଉକ୍ତ ପେପର୍‌ ଚିପ୍‌ଟି ବୈଦ୍ୟୁତିକ ସଙ୍କେତ ପ୍ରଦାନ କରୁଥିବା ଏକ ଉପକରଣ ସହ ସଂଯୋଗ କରିଥିଲେ। ଏହି ସଙ୍କେତ ମାଧ୍ୟମରେ ନିଶା ସେବନର ମାତ୍ରା ସ୍ପଷ୍ଟ ହୋଇପାରିବ ବୋଲି ନାରଙ୍ଗ ସୂଚନା ଦେଇଛନ୍ତି। ଏହାପୂର୍ବରୁ ନିଶା ସେବନ ସମ୍ପର୍କରେ ଜାଣିବା ଲାଗି ଗ୍ୟାସ୍‌ କ୍ରେମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋଫୋଟୋପିଟର୍‌ ପଦ୍ଧତି ବ୍ୟବହାର କରାଯାଉଥିଲା। କିନ୍ତୁ ଏହା ଖର୍ଚ୍ଚ ସାପେକ୍ଷ ଏକ ଜଟିଳ ପଦ୍ଧତି। ଏଣୁ ଏହି ନୂଆ ପେପର୍‌ ଆଧାରିତ ସମ୍ବେଦୀ ପୂର୍ବର ସମସ୍ତ ପଦ୍ଧତିର ବିକଳ୍ପ ଭାବେ ବ୍ୟବହୃତ ହେବ। କାରଣ ଏହା ଗ୍ୟାସ୍‌ କ୍ରେମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋଫୋଟୋପିଟର୍‌ ପଦ୍ଧତି ଭଳି ଅଧିକ ଖର୍ଚ୍ଚସାପେକ୍ଷ ନୁହେଁ। ଅତି ସ୍ବଳ୍ପ ଅର୍ଥରେ ଏହାକୁ କାର୍ଯ୍ୟରେ ଲଗାଯାଇ ପାରିବ। ବର୍ତ୍ତମାନ ପରସ୍ଥିତିରେ ଗବେଷକଙ୍କୁ ଏବଂ ଅନୁସନ୍ଧାନାକରୀ ଦଳ ପାଇଁ ଏହା ବିଶେଷ ଭାବେ ଉପଯୋଗୀ ହେବ ବୋଲି ନାରଙ୍ଗ ପ୍ରକାଶ କରିଛନ୍ତି। ଫରେନ୍‌ସିକ୍‌ ଲାବୋରେଟୋରି ଲାଗି ଏହା ବିଶେଷ ଭାବେ ସହାୟକ ହେବ ବୋଲି ଗବେଷକମାନେ ଆଶାପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri