ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)-
ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ ଭାବେ ଖୋଲିବା ଲାଗି ଯୋଜନା କରାଯାଇଛି। ବର୍ଷା ଯଦି ନ ହୁଏ ତେବେ ପ୍ରଥମେ ଦୁଇ ଚକିଆ ଏବଂ ୪ ଚକିଆ ଯାନକୁ ଛାଡ଼ିବା ଯୋଜନା ଅଛି। ବର୍ତ୍ତମାନ ପାଇଁ ଭାରିଯାନ ଛାଡ଼ିବା କୌଣସି ଯୋଜନା ନାହିଁ। ସୋମବାର ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଉପ ଜିଲାପାଳ ଉମା ଶଙ୍କର ବେହେରା ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ରାସ୍ତା କାମ ତୁରନ୍ତ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆସନ୍ତା ୧୭ ତାରିଖରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଥିବା ଯୋଜନାକୁ ବିଧାୟକଙ୍କ ନେତୃତ୍ୱରେ ଏକ କମିଟି ପରିଦର୍ଶନରେ ଯିବେ। ପରେ ସେଠାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କିଭଳି ହେବ ସେନେଇ ଆଲୋଚନା କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବାକୁ ଯୋଜନା ରହିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତମାସ ୧୬ ତାରିଖରେ ଭୂସ୍ଖଳନ ଯୋଗୁ ଯାତାୟତ ବନ୍ଦ ହୋଇଯାଇଛି। ବର୍ଷା ପୁନରୁଦ୍ଧାର କାର୍ଯ୍ୟରେ ବାଧକ ସାଜିଛି। ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇ ପାରୁ ନ ଥିବାରୁ ଉଭୟ ଜିଲା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଗୁରୁତ୍ୱ ଦେଇ ଜାତୀୟ ରାଜପଥ ବିଭାଗ, ବିଭିନ୍ନ ବିଭାଗର ଅଧିକାରୀ ଓ ସୀମାନ୍ତ ଅଞ୍ଚଳର କେତେ ଜଣ ବ୍ୟକ୍ତିଙ୍କୁ ନେଇ ସୋମବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବେଠକ ହୋଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜାତୀୟ ରାଜପଥ ସମ୍ବଲପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଶାନ୍ତୁନୁ ସାହୁ ଯୋଗଦେଇ ଚାଲିଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଗାପସାଦରୁ କଳିଙ୍ଗା ଘାଟିର ଭାଲିଆପଟାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ଏକ ବାଇପାସ୍ ରାସ୍ତା ସଂର୍ପକରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଗ୍ରାମ୍ୟ ରାସ୍ତା,ଜଙ୍ଗଲ ଜମି ଆଦିର କେତେ ଅଂଶ ରହିଛି ଏବଂ କିଭଳି ଏହାକୁ ଗମନା ଗମନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ସେନେଇ ସରଜମିନ ସ୍ଥିତି ଅନୁଧ୍ୟାନ ପାଇଁ ବିଧାୟକ ଓ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଆସନ୍ତା ୧୭ ତାରିଖରେ ଉକ୍ତ ଅଞ୍ଚଳ ଗସ୍ତ କରିବାକୁ ସ୍ଥିର ହୋଇଥିଲା। ବେଠକରେ ବିଧାୟକ, ଉପ ଜିଲାପାଳଙ୍କ ସମେତ ଭଞ୍ଜନଗର ଏସ୍ଡିପିଓ ଡ.ଦିପକ ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଜାତୀୟ ରାଜପଥ ଏସଇ, ଫୁଲବାଣୀ ଡିଭିଜନର ନିର୍ବାହହୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ ସାହୁ, ଅତିରିକ୍ତ ଉପଜିଲାପାଳ, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,ପୂର୍ତ୍ତ ବିଭାଗ ଏସଇ ସତ୍ୟ ରଞ୍ଜନ ପରିଡା, କଳିଙ୍ଗା ଅଞ୍ଚଳର ଅମାନଚନ୍ଦ୍ର ନାୟକ,ସହାୟକ ଜିଲାପାଳ ରାମଚନ୍ଦ୍ର ମିଶ୍ର,ସୁମନ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।


