ମିସ୍‌ ୟୁନିଭର୍ସ ନେଲ-ପିଟର୍ସ


ନୂଆଦିଲ୍ଲୀ,୨୭।୧୧(ପି.ଟି.)-ମିସ୍‌ ୟୁନିଭର୍ସ ୨୦୧୭ ମୁକୁଟ ପିନ୍ଧିଛନ୍ତି ଦକ୍ଷିଣ ଆଫ୍ରିକାର ୨୨ ବର୍ଷୀୟା ଡେମୀ-ଲେଗ୍‌ ନେଲ୍‌-ପିଟର୍ସ। ବିଶ୍ୱବ୍ୟାପୀ ୯୨ ପ୍ରତିଯୋଗୀଙ୍କୁ ପରାଜିତ କରି ବ୍ରହ୍ମାଣ୍ଡ ସୁନ୍ଦରୀ କ୍ରାଉନ୍‌ ହାସଲ କରିଛନ୍ତି ମିସ୍‌ ଦକ୍ଷିଣ ଆଫ୍ରିକା ନେଲ୍‌-ପିଟର୍ସ। ଆମେରିକାର ଲାସ୍‌ ଭେଗସ୍‌ସ୍ଥିତ ପ୍ଲାନେଟ୍‌ ହଲିଉଡ୍‌ କସିନୋ ରିସର୍ଟଠାରେ ରବିବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ଆୟୋଜିତ ଭବ୍ୟ ସମାରୋହରେ ଏହି ପ୍ରତିଯୋଗିତା ଶେଷ ହୋଇଛି। ବିଜୟିନୀଙ୍କ ନାମ ଘୋଷଣା ପରେ ନେଲ୍‌-ପିଟର୍ସଙ୍କୁ ମିସ୍‌ ୟୁନିଭର୍ସ ୨୦୧୬ ଫ୍ରାନ୍ସର ଇରିସ୍‌ ମିତ୍ତେନାଇରି ବିଜୟ ମୁକୁଟ ପିନ୍ଧାଇଥିଲେ। ଏହି ସୁନ୍ଦରୀ ପ୍ରତିଯୋଗିତାରେ କଲମ୍ବିଆର ଲୌରା ଗଞ୍ଜାରଲେଜ୍‌ ପ୍ରଥର୍ମ ରନର୍ସ ଅପ୍‌ ହୋଇଥିବାବେଳେ ଦ୍ୱିତୀୟ ରନର୍ସ ଅପ୍‌ ବିବେଚିତ ହୋଇଛନ୍ତି ଜାମାଇକା ସୁନ୍ଦରୀ ଡାଭିନା ବେନ୍ନେଟି। ଏହି ତିନି ସୁନ୍ଦରୀଙ୍କ ବ୍ୟତୀତ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମିସ୍‌ ଭେନେଜୁଏଲା ଏବଂ ମିସ୍‌ ଥାଇଲାଣ୍ଡ। ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ଶ୍ରଦ୍ଧା ଶଶିଧରନ୍‌ କିଛି ଖାସ୍‌ ଚମକ ଦେଖାଇ ପାରି ନ ଥିଲେ। ଶ୍ରେଷ୍ଠ ୧୬ ଜଣଙ୍କ ମଧ୍ୟରେ ବି ସେ ସ୍ଥାନ ପାଇପାରି ନ ଥିଲେ। ହରିୟାଣାର ମାନୁଷୀ ଛିଲ୍ଲର ମିସ୍‌ ଓ୍ବାଲର୍‌ଡ ୨୦୧୭ ମୁକୁଟ ଭାରତ ଘେନି ଆସିବା ପରେ ବିଶ୍ୱର ଆଉ ଏକ ପ୍ରମୁଖ ସୁନ୍ଦରୀ ପ୍ରତିଯୋଗିତା ଉପରେ ଦେଶବାସୀଙ୍କ ନଜର ରହିଥିଲା। କିନ୍ତୁ ନିରାଶ ହେବାକୁ ପଡ଼ିଛି। ନିଜ ଭିତରେ ଥିବା କେଉଁ ଦକ୍ଷତାକୁ ନେଇ ଆପଣ ଗର୍ବ ଅନୁଭବ କରନ୍ତି ଏବଂ ମିସ୍‌ ୟୁନିଭର୍ସ ବିଜୟୀ ଅବଧି ସମୟରେ ଏହାର କିଭଳି ଭାବେ ବ୍ୟବହାର କରିବାକୁ ଚାହାନ୍ତି ବୋଲି ନେଲ୍‌-ପିଟର୍ସଙ୍କୁ ବିଚାରକମଣ୍ଡଳୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ, ମିସ୍‌ ୟୁନିଭର୍ସ ହେଲେ ମଧ୍ୟ ଜଣେ ନିଜ ଉପରେ ପ୍ରଥମେ ବିଶ୍ୱାସ ରଖିବା ଉଚିତ। ବ୍ୟକ୍ତିଗତ ଭାବେ ସେ କ’ଣ ତାହା ଅନୁଭବ କରିବା ଉଚିତ। ମିସ୍‌ ୟୁନିଭର୍ସ ହେଉଛନ୍ତି ଜଣେ ମହିଳା ଏବଂ ଜୀବନରେ ସବୁକିଛି ଭୟରୁ ସେ ବାହାରି ଆଜି ଏଠାରେ ପହଞ୍ଚିଛନ୍ତି। ଏଣୁ ଏହି ଦକ୍ଷତା ବଳରେ ସେ ଅନ୍ୟ ମହିଳାମାନଙ୍କୁ ସେମାନଙ୍କ ଭୟରୁ ମୁକ୍ତି ପାଇବାରୁ ସାହାଯ୍ୟ କରିବାକୁ ଚାହାନ୍ତି। ସୂଚନାଯୋଗ୍ୟ ଯେ, ନେଲ୍‌-ପିଟର୍ସ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଡିଗ୍ରୀ ହାସଲ କରିବା ସହ ମହିଳାଙ୍କୁ ଆତ୍ମରକ୍ଷା ଲାଗି ପ୍ରଶିକ୍ଷଣ ଦେଇଥାନ୍ତି। ମିସ୍‌ ଦକ୍ଷିଣ ଆଫ୍ରିକା କ୍ରାଉନ୍‌ ହାସଲ କରିବାର କିଛିଦିନ ପୂର୍ବେ ଜୋହାନ୍ସବର୍ଗଠାରେ ତାଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖାଯାଇଥିଲା। ଏହାର ମାସକ ପରେ ମିସ୍‌ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri