ବ୍ରିଟିଶ୍‌ ଲେଖକଙ୍କୁ ସାହିତ୍ୟରେ ନୋବେଲ


ଷ୍ଟକ୍‌ହୋମ୍‌, ୬।୧୦: ଜାପାନ ବଂଶୋଦ୍ଭବ ବ୍ରିଟିଶ୍‌ ଲେଖକ କାଜୁଓ ଇଶିଗୁରୋ ପାଇବେ ଚଳିତବର୍ଷର ନୋବେଲ ସାହିତ୍ୟ ପୁରସ୍କାର। ‘ଦି ରିମେନ୍ସ ଅଫ୍‌ ଦି ଡେ’ ପୁସ୍ତକ ଲାଗି ୬୨ ବର୍ଷୀୟ ଇଶିଗୁରୋ ଏହି ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଥିବା ସ୍ବିଡିଶ୍‌ ଏକାଡେମୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଇଶିଗୁରୋ ୮ଟି ପୁସ୍ତକ ରଚନା କରିବା ସହ ଏକାଧିକ ଫିଲ୍ମ ଏବଂ ଟେଲିଭିଜନ ଲାଗି ମଧ୍ୟ କାହାଣୀ ରଚନା କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ୧୯୮୯ରେ ସେ ମ୍ୟାନ୍‌ ବୁକର୍‌ ପ୍ରାଇଜ୍‌ ବିଜୟୀ ହୋଇଥିଲେ। ‘ଦି ରିମେନ୍ସ ଅଫ୍‌ ଦି ଡେ’ ପୁସ୍ତକ ଲାଗି ସେ ଏହି ସମ୍ମାନ ହାସଲ କରିଥିଲେ। ଜାପାନର ନାଗାସାକି ସହରରେ ଜନ୍ମିତ ଇଶିଗୁରୋ ପାଞ୍ଚବର୍ଷ ବୟସରେ ପରିବାର ସହ ବ୍ରିଟେନ୍‌କୁ ସ୍ଥାନାନ୍ତର ହୋଇଥିଲେ। ଏହାସତ୍ତ୍ୱେ ତାଙ୍କର ପ୍ରଥମ ଦୁଇ ପୁସ୍ତକ ‘ଏ ପେଲ୍‌ ଭିଉ ଅଫ୍‌ ହିଲ୍ସ’(୧୯୮୨) ଏବଂ ‘ଏନ୍‌ ଆର୍ଟିଷ୍ଟ ଅଫ୍‌ ଦି ଫ୍ଲୋଟିଂ ଓ୍ବାଲର୍‌ଡ’ (୧୯୮୬) ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ନାଗାସାକିର ଘଟଣାବଳୀ ଉପରେ ପର୍ଯ୍ୟବେଷିତ। ଇଶିଗୁରୋଙ୍କ ରଚନାର ପ୍ରମୁଖ ବିଷୟବସ୍ତୁଗୁଡ଼ିକ ହେଉଛି ସ୍ମୃତି, ସମୟ ଏବଂ ଆତ୍ମପ୍ରତାରଣା। ଏହି ସବୁ ବିଷୟ ପୂର୍ବରୁ କାହାକୁ ଅଜଣା ନୁହେଁ। କିନ୍ତୁ ତାଙ୍କର ରଚନାଶୈଳୀ ଉକ୍ତ ବିଷୟବସ୍ତୁକୁ ଭିନ୍ନ ଧରଣରେ ପରିପ୍ରକାଶ କରିଥାଏ। ଏହିସବୁ ବିଷୟବସ୍ତୁ ତାଙ୍କ ଲୋକପ୍ରିୟ ପୁସ୍ତକ ‘ଦି ରିମେନ୍ସ ଅଫ୍‌ ଦି ଡେ’ରେ ଦେଖିବାକୁ ମିଳିଛି। ତାଙ୍କ ଲେଖାଗୁଡ଼ିକ ଅଭିବ୍ୟକ୍ତିର ଏକ ନିୟନ୍ତ୍ରିତ ମାଧ୍ୟମ ଦର୍ଶାଇଥାଏ, ଯାହା ଘଟଣାକ୍ରମ ଦ୍ୱାରା ପ୍ରଭାବିତ ହୋଇ ନ ଥାଏ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। ୨୦୧୫ରେ ପ୍ରକାଶିତ ତାଙ୍କର ସଦ୍ୟ ପୁସ୍ତକ ‘ଦି ବରିଡ୍‌ ଜ୍ୟାଣ୍ଟ୍‌’ ସ୍ମୃତି ସହ ବିସ୍ମୃତି, ଇତିହାସର ବର୍ତ୍ତମାନ ଏବଂ କଳ୍ପନା ସହ ବାସ୍ତବିକତା କିଭଳି ଭାବେ ସମ୍ପର୍କ ରହିଥାଏ ତାହା ଦର୍ଶାଇଛି। ଇଶିଗୁରୋଙ୍କୁ ନୋବେଲ ଫଳକ ସହ ୯ ନିୟୁତ ସ୍ବିଡିଶ୍‌ କ୍ରୋନର (୧୧ଲକ୍ଷ ଆମେରିକୀୟ ଡଲାର) ପୁରସ୍କାର ଭାବେ ପ୍ରଦାନ କରାଯିବ। ଡିସେମ୍ବର ୧୦ରେ ଏକ ସମ୍ମାନ ସମାରୋହରେ ବିଧିବଦ୍ଧ ଭାବେ ତାଙ୍କୁ ପୁରସ୍କୃତ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri