ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ ସଭାପତି ତନ୍ତ୍ର ଧରୁଆଙ୍କ ସହ ଗ୍ରାମବାସୀ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି l
ସୂଚନାନୁସାରେ, ମାଲପଡ଼ା ଏକ ଆଦିବାସୀ ଦଳିତ ବହୁଳ ଗ୍ରାମ। ଗ୍ରାମର ଅଧିକାଂଶ ପରିବାର ଦାଦନ ଖଟି ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୪ ଦିନ ହେବ ମିଥିଲା ଏଜେନ୍ସି ନାମକ ଏକ ଠିକାସଂସ୍ଥା ଗ୍ରାମର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଘରୁ ପୁରୁଣା ମିଟର ହଟାଇ ନୂଆ ବିଦ୍ୟୁତ୍ ମିଟର ଲଗାଇବା କାମ କରୁଛି। ସଂସ୍ଥାର କର୍ମଚାରୀମାନେ ଟଙ୍କା ନ ଦେଲେ ମିଟର ଲଗାଯିବ ନାହିଁ ବୋଲି କହୁଥିବା ହେତୁ ଲୋକ ବାଧ୍ୟ ହୋଇ ଧାର କରଜ କରି ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମର ଗୋପବନ୍ଧୁ ପାଥର ୩୫୦୦ ଶହ ଟଙ୍କା, ବଳରାମ ମାଝୀ ୩୫୦୦ ଶହ ଟଙ୍କା, ଲୋଚନ ରଣା ୩୫୦୦ ଶହ ଟଙ୍କା, ଗର୍ଜନ ମାଝୀ ୩୫୦୦ ଶହ ଟଙ୍କା, ମଦନ ମାଝୀ ୩୫୦୦ ଶହ ଟଙ୍କା, ଲମ୍ବୋଧର ମାଝୀ ୩୫୦୦ ଶହ ଟଙ୍କା,ବିଦ୍ୟାଧର ଧରୁଆ ୩୦୦୦ ହଜାର ଟଙ୍କା, ଶାନ୍ତିରାମ ମାଝୀ ୩୦୦୦ ହଜାର ଟଙ୍କା, ମଦନ ମାଝୀ ୩୦୦୦ ହଜାର ଟଙ୍କା, ମଧୁ ନିଆଲ ୩୫୦୦ ଶହ ଟଙ୍କା, ଦୁର୍ଯ୍ୟ ମାଝୀ ୩୫୦୦ ଶହ ଟଙ୍କା,ବାଦଲ ସିଂ ଧରୁଆ ୪୦୦୦ ଟଙ୍କା,ଆକଲୁ ବେହେରା ୩୫୦୦ ଶହ ଟଙ୍କା,ବାଲମତି ଛତ୍ରିଆ ୧୦୦୦ ଟଙ୍କା ଦେଇଥିବା ଅଭଯୋଗ କରିଛନ୍ତି। ଆହୁରି ମଧ୍ୟ ଅନେକ ବିଦ୍ୟୁତ ଉପଭୋକ୍ତାମାନଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଥିବା କୁହାଯାଉଛି। ଏନେଇ ବିଦ୍ୟୁତ୍ ଯୋଗାଣ ସଂସ୍ଥା ଖପ୍ରାଖୋଲ ସେକ୍ସସନ ଅଫିସର ଅମିତ କୁମାର ମିଶ୍ରଙ୍କୁ ପଚାରିବାରୁ ଠିକାସଂସ୍ଥା ଏପରି କାମ କରିବା କଥା ନୁହେଁ। ଘଟଣାର ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରିବୁ ବୋଲି କହୁଛନ୍ତି। ତେବେ କେତେ ଜଣ ଉପଭୋକ୍ତାଙ୍କଠାରୁ ଟଙ୍କା ନିଆଯାଇଛି ତାର ତଦନ୍ତ କରି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି। ଅନ୍ୟଥା ଜୋରଦାର ଆନ୍ଦୋଳନ ହେବ ବୋଲି କଡ଼ା ଚେତାବନୀ ଦିଆଯାଇଛି।


