ଜଗତ୍ସିଂହପୁର, ୩୧ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲା ବିରିଡ଼ି ତହସିଲ ଅନ୍ତର୍ଗତ ଉତ୍ତରଶାସନ ମୌଜାର ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ଅର୍ଥ ବିନିମୟରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ , ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଗଲେ ମିଳୁ ନ ଥିବା କୁହାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଜମି ମାଲିକ ତଥା ବିରିଡି ଥାନା ମଧ୍ୟଶାସନ ତରଡ଼ାପାରୀ ଗ୍ରାମର ନୀଳମଣି ସାହୁ ଓ ସନାତନ ସାହୁ ଦୁଃଖ ପ୍ରକାଶ କରିବା ସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସ୍ପି, ବିରିଡି ଆଇଆଇସି, ଜଗତ୍ସିଂହପୁର ଏମ୍ପି ଓ ବିରିଡି ବିଡିଓଙ୍କୁ ଅବଗତ କରି ନ୍ୟାୟ ଭିକ୍ଷା କରିଥିବା କହିଛନ୍ତି।
ନୀଳମଣି ଓ ସନାତନ କରିଥିବା ଅଭିଯୋଗ ଅନୁଯାୟୀ, ସେମାନଙ୍କ ଉତ୍ତରଶାସନ ମହାଜନ ସାହିରେ ଖାତା ସଂଖ୍ୟା ୧୦୨୩ ଅନ୍ତର୍ଗତ ଚକ ସଂଖ୍ୟା ୩୩୩ ତଥା ପ୍ଲଟ୍ ସଂଖ୍ୟା ୧୬୭୬ରେ ୬୫ ଡିସିମିଲ ଜମି ରହିଛି। ସେହିପରି ଖାତା ସଂଖ୍ୟା ୧୦୨୪ ଅନ୍ତର୍ଗତ ଚକ ସଂଖ୍ୟା ୩୩୪ ଓ ପ୍ଲଟ୍ ସଂଖ୍ୟା ୧୬୭୭ରେ ୨୨ ଡିସିମିଲ ଜମି ରହିଛି। ଖାତା ସଂଖ୍ୟା ୪୮୯ ଅନ୍ତର୍ଗତ ଚକ ସଂଖ୍ୟା ୩୩୨ ଓ ପ୍ଲଟ୍ ସଂଖ୍ୟା ୧୬୭୫ରେ ୬୪ ଡିସିମିଲ ଜମି ଅଛି। ଦୁଃଖର କଥା ହେଲା ସେମାନଙ୍କ ଏହି ଜମିରେ ବିରଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଏକ ଢଳେଇ ରାସ୍ତା ନିର୍ମାଣ କରାଯାଇଛି। ଏହା ଉକ୍ତ ଚକ ଜମିକୁ ଦୁଇଫାଳ କରି ଦେଇଛି। ରାସ୍ତା ନିର୍ମାଣ ପୂର୍ବରୁ ସେମାନଙ୍କୁ ସୂଚନା ଦିଆଯିବା ସହ ଅନୁମତି ନିଆଯିବାର ଥିଲା। ଯାହା କରାଯାଇ ନ ଥିଲା। ଏହାଦ୍ୱାରା ଚାଷ କରିବାରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ପରିସ୍ଥିତିରେ ସେମାନେ କ’ଣ କରିବେ କିଛି ଭାବିପାରୁନାହାନ୍ତି। ତେଣୁ ରାସ୍ତାଟିକୁ ତୁରନ୍ତ ଉଠାଇ ଦିଆଗଲେ ସେମାନେ ଉପକୃତ ହେବେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ଅଛି। ଏଥିରେ ଏକଥା ସ୍ପଷ୍ଟ ଅଛି ଚକଭୁକ୍ତ ଧାନ ଜମିରେ ବିନା ଅନୁମତିରେ ଚଞ୍ଚକତା ପୂର୍ବକ ସଲାସୁତୁରାରେ ସରକାରୀ ରାସ୍ତା କରାଯାଇଛି। ଏହା ସରକାରୀ ଅର୍ଥର ତୋଷରପାତ ଉଦ୍ଦେଶ୍ୟରେ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏ ସମ୍ପର୍କରେ ବିରିଡି ବ୍ଲକ କନିଷ୍ଠଯନ୍ତ୍ରୀ ଶାଶ୍ୱତି ଦାଶଙ୍କୁ ପଚାରିବାରେ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହି ପ୍ରସଙ୍ଗକୁ ଏଡାଇଯାଇଥିଲେ। ବିରିଡି ବିଡିଓ ଆୟୁଷୀ ପତି ଓ ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ରାୟଙ୍କ ସହ ସେମାନଙ୍କ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେମାନେ ଫୋନ୍ ଉଠାଇ ନ ଥିଲେ।