‘ପରବର୍ତ୍ତୀ ଲକ୍ଷ୍ୟ ମିସ୍‌ ୟୁନିଭର୍ସ’


ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ): ଓଡ଼ିଶା ମାଟିର ଝିଅ ସୋନିକା ରୟ। ନିଜର ଦକ୍ଷତା ଏବଂ ପ୍ରଚେଷ୍ଟା ବଳରେ ମଡେଲିଂ ଦୁନିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲିଫାଇନ୍ସରେ ଅନୁଷ୍ଠିତ ହୋଇଥିବା ‘ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାଶନାଲ’ରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରି ‘ସୋସିଆଲ୍‌ ମିଡିଆ ପପୁଲାର’, ‘ଜନାୟା ମିସ୍‌ ବିୟୁଟିଫୁଲ୍‌’ ଏବଂ ‘ପିପୁଲ ଚଏସ୍‌’ ଆଓ୍ବାର୍ଡ ପାଇବାକୁ ସକ୍ଷମ ହୋଇଛନ୍ତି। ଏଥିରେ ସୋନିକାଙ୍କ ଜଲ୍‌ଓ୍ବା ସାରା ବିଶ୍ୱ ଦେଖିବାର ସୁଯୋଗ ପାଇଥିଲା। ଏହା ପୂର୍ବରୁ ସେ ୨୦୧୪ରେ ‘ମିସ୍‌ ଓଡ଼ିଶା’ କଣ୍ଟେଷ୍ଟ୍‌ରେ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେହିପରି ୨୦୧୫ ଏବଂ ୨୦୧୭ରେ ଫେମିନା ମିସ୍‌ ଇଣ୍ଡିଆ କଣ୍ଟେଷ୍ଟ୍‌ରେ ଭାଗ ନେଇ ‘ଶ୍ରେଷ୍ଠ ୧୨’ ମଧ୍ୟରେ ସ୍ଥାନ ପାଇଥିଲେ। ଶୁକ୍ରବାର ଫିଲିଫାଇନ୍ସରୁ ଭୁବନେଶ୍ୱର ଫେରିଥିବା ସୋନିକାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ପ୍ର- ଫେମିନା ମିସ୍‌ ଇଣ୍ଡିଆ କଣ୍ଟେଷ୍ଟ୍‌ର ଅନୁଭୂତି କିପରି ଥିଲା?

ବହୁତ ବଢ଼ିଆ ଅନୁଭୂତି ଥିଲା। ଫିଲିଫାଇନ୍ସ ଭଲ ଦେଶ। ସେମାନେ ଭାରତୀୟଙ୍କୁ ପସନ୍ଦ କରନ୍ତି। ମୋତେ ସେଠାରେ ସମସ୍ତଙ୍କଠାରୁ ବହୁତ ଭଲପାଇବା ମିଳିଛି। ଏମିତି କି, ସେମାନେ ଆସନ୍ତା ବର୍ଷ ଆଉଥରେ ଯିବାକୁ ଅନୁରୋଧ କରିଛନ୍ତି। ଉଚ୍ଛ୍ବସିତ ସମ୍ବର୍ଦ୍ଧନା ସହ ମୋତେ ବିଦାୟ ଦେଇଥିଲେ। କଲିକତା ବିମାନବନ୍ଦରରେ ମଧ୍ୟ ସେହିପରି ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ ଗାୟିକା ଉଷା ଉଥପ୍ପ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

ପ୍ର- ପିପୁଲ୍‌ ଚଏସ୍‌ ଆଓ୍ବାର୍ଡ ପାଇବା ପରେ କେମିତି ଲାଗିଥିଲା?

ସେଠାକାର ଲୋକ ମୋତେ ବହୁତ ଭଲ ପାଉଥିଲେ। ସେଥିପାଇଁ ମୁଁ ପିପୁଲ ଚଏସ୍‌ ସାଙ୍ଗକୁ ସୋସିଆଲ୍‌ ମିଡିଆ ପପୁଲାର ଆଓ୍ବାର୍ଡ ମଧ୍ୟ ପାଇଲି। ମୋର ଲୋକପ୍ରିୟତା ଦେଖି ଏସିଆ ପାସଫିକ୍‌ର ଚେୟାରମ୍ୟାନ୍‌ ମୋତେ ଆସନ୍ତା ବର୍ଷ ଆଉଥରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଛନ୍ତି।

ପ୍ର- ଏତେ ଲୋକପ୍ରିୟ ହେବା ପରେ ଟାଇଟଲ୍‌ ହାସଲ କରି ନ ପାରିବାର କାରଣ?

ସେମାନେ ଅନ୍‌ ସ୍ପଟ ନିଷ୍ପତ୍ତି ନିଅନ୍ତି ନାହିଁ। ଆଗରୁ ସେମାନେ କେଉଁ ଦେଶକୁ ଟାଇଟଲ୍‌ ଦେବେ ତାହା ନିଷ୍ପତ୍ତି ନେଇ ଯାଇଥାଆନ୍ତି। ଚଳିତ ବର୍ଷ ସେମାନେ ବ୍ରାଜିଲ୍‌କୁ ଦେବା ପାଇଁ ଚୟନ କରିଥିଲେ। ସୁନ୍ଦରୀ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଏହା ସରିଯାଇ ଥାଏ। ମୋତେ ଯେ ସେଠାରେ ଏତେ ଭଲପାଇବା ମିଳିବ ଏବଂ ସେଠାକାର ଲୋକେ ମୋତେ ଏତେ ମାତ୍ରାରେ ପସନ୍ଦ କରିବେ, ତାହା ସେମାନଙ୍କୁ ଜଣା ନ ଥିଲା। ତେଣୁ ଯଦି ଆସନ୍ତା ବର୍ଷ ମୁଁ ସେଠାକୁ ଯାଏ, ତେବେ ‘ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟରନ୍ୟାଶନାଲ’ ଟାଇଟଲ୍‌ ଜିତିପାରେ।

ପ୍ର- ଆପଣଙ୍କର କେଉଁ ଉତ୍ତର ବିଚାରକଙ୍କୁ ବେଶି ଇମ୍ପ୍ରେସ୍‌ କରିଥିଲା ବୋଲି ଭାବୁଛନ୍ତି?

ସେଠାରେ ବହୁତଗୁଡ଼ିଏ ରାଉଣ୍ଡ ରହିଥିଲା। ନଭେମ୍ବର ୧୦ରୁ ଆମର ଯାତ୍ରା ଆରମ୍ଭ ହୋଇଥିଲା। ସବୁଦିନ କିଛି କିଛି ଆକ୍ଟିଭିଟି ରହୁଥିଲା। ସାକ୍ଷାତ୍‌କାର ରାଉଣ୍ଡରେ ୧୮ଜଣ ଅନ୍ତର୍ଜାତୀୟ ସ୍ତରୀୟ ବିଚାରକ ଥିଲେ। ସେଠାରେ ମୋତେ ମୋ ଦେଶର ସଂସ୍କୃତି ବିଷୟରେ ପ୍ରଶ୍ନ ପଚାରାଯାଇଥିଲା। ଭାରତରୁ ପ୍ରତିନିଧିତ୍ୱ କରୁଥିବା ଏବଂ ମୁଁ ଓଡ଼ିଶାରୁ ଯାଇଥିବା କହିଥିଲି। ଓଡ଼ିଶା ଏକ ରାଜ୍ୟ ବୋଲି ସେଠାରେ ଅନେକେ ଜାଣି ନ ଥିଲେ। ତା’ପରେ ମୁଁ ପୁରୀ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ କହିଥିଲି। ଏ ସବୁ ଜାଣିବା ପରେ ବିଚାରକମାନେ ବହୁତ ଖୁସି ହୋଇଥିଲେ।

ପ୍ର- ପରବର୍ତ୍ତୀ ଯୋଜନା କ’ଣ ରହିଛି?

‘ମିସ୍‌ ୟୁନିଭର୍ସ’ ପାଇଁ ମୋତେ ଏବେ ଅଫର ଆସିଛି। ଜୁନ୍‌ ମାସରେ ମୁଁ ଆଉଥରେ ଭାରତରୁ ‘ମିସ୍‌ ୟୁନିଭର୍ସ’ ପାଇଁ ପ୍ରତିନିଧିତ୍ୱ କରିବି। ଫିଲିଫାଇନ୍ସରେ ସୁନ୍ଦରୀ ପ୍ରତିଯୋଗିତା ଚାଲିଥିବାବେଳେ ସେମାନେ ମୋ ପ୍ରୋଫାଇଲ୍‌ ଫଲୋ କରୁଥିଲେ। ସବୁ ପରର୍ଫମାନ୍ସ ଦେଖିବା ପରେ ସେମାନେ ମୋତେ ଡାକିଛନ୍ତି। ଏହା ବ୍ୟତୀତ ଦୁଇଟି ଓଡ଼ିଆ ଫିଲ୍ମରେ ମଧ୍ୟ କାମ କରିବି। ଗୋଟିଏ ହେଉଛି ‘ମୋ ଜୀବନ ତୁ ହି ତୁ’ ଏବଂ ଅନ୍ୟଟିର ନାମକରଣ ହୋଇନାହିଁ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri