ଚିଲିକାକୂଳିଆଙ୍କ ଚିନ୍ତା


ପ୍ରାକୃତିକ ପର୍ଯ୍ୟଟନ ଓ ମତ୍ସ୍ୟସମ୍ପଦ ପାଇଁ ଚିଲିକା ବିଶ୍ୱଦରବାରରେ ସୁପରିଚିତ। ଏହାର ବିନିଯୋଗ ଓ ଉପଯୋଗ କରି ଶହଶହ ଲୋକ ବର୍ଷବର୍ଷ ଧରି ନିଜନିଜର ଜୀବିକା ନିର୍ବାହ କରି ଆସୁଥିଲେ। ଚିଲିକା ଯେମିତି ଥିଲା ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ। ମାତ୍ର ସମୟକ୍ରମେ ଚିଲିକା ଶ୍ରୀହୀନ ହେଉଛି। ଚିଲିକାର ସମ୍ପଦ ଦିନକୁଦିନ ହ୍ରାସ ପାଉଛି। ଫଳରେ ଚିଲିକାରେ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରୁଥିବା ଭିତିରି ଚିଲିକା ଓ ଉପକୂଳବର୍ତ୍ତୀ ଗାଁର ଅନେକ ଲୋକଙ୍କ ରୋଜଗାର ପନ୍ଥା ଏବେ କମିକମି ଯାଉଛି। ଏଥିପାଇଁ ବହୁ ମତ୍ସ୍ୟଜୀବୀ ଚିଲିକାରୁ ଦୂରେଇ ଯାଉଛନ୍ତି।

ଚିଲିକାର ପରିସ୍ଥିତି ବିଗୁଡୁଛି:

ଦିନକୁ ଦିନ ଚିଲିକାର ପରିସ୍ଥିତି ବିପନ୍ନ ହେଉଛି। ଆଗର ମତ୍ସ୍ୟସମ୍ପଦ ଏବେ କମି କମି ଯାଉଛି। ଏହା ଉପରେ ନିର୍ଭରଶୀଳ ଅନେକ ଲୋକ ଦୂରେଇ ଯାଉଥିବା ବେଳେ ରୋଜଗାର ପାଇଁ ରାଜ୍ୟ ଓ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏପରି କି ଚିଲିକା କୂଳିଆ ଗାଁର ମତ୍ସ୍ୟଜୀବୀଙ୍କ ଦୁଃଖ କହିଲେ ନସରେ। ଦୈତାରି ବେହେରା କୁହନ୍ତି, ରାସାୟିନକ ତୈଳର ଆସ୍ତରଣ ଚିଲିକା ପାଣିକୁ ଦୂଷିତ କରିସାରିଛି। ଉପକୂଳବର୍ତ୍ତୀ ଚାଷଜମିରୁ କୀଟନାଶକ ମିଶ୍ରିତ ଜଳ ଚିଲିକାରେ ମିଶୁଛି। ବହୁଳମାତ୍ରାରେ ସିପାଳ, ନଳଗଛ ବଢୁଥିବା ବେଳେ ଚିଲିକା ତଟବର୍ତ୍ତୀ ପ୍ରାକୃତିକ ବୃକ୍ଷରାଜି କମିକମି ଯାଉଛି। ଚିଲିକାରେ ପଡ଼ିଥିବା ନଈନାଳ ଦ୍ୱାରା ପଟୁମାଟି ଚିଲିକାକୁ ପଶୁଛି। ମୁହାଣ ପୋତିହେବା ଓ ନୂତନ ମୁହାଣ ଖୋଲିଯିବା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ସୁରକ୍ଷା ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଚିଲିକା ମଧ୍ୟରେ ଅନେକ ନୂତନ କୁଦ ସ୍‌ଷ୍ଟି ହୋଇ ଏହାର ପରିସର ସଙ୍କୋଚିତ ହେଉଛି। ଜୈବ ରାସାୟନିକ ପ୍ରଦୂଷଣ ଯୋଗୁ ଏହାର ଜଳ ଅତ୍ୟଧିକ ଲବଣାକ୍ତ ହେଉଛି। ଅନ୍ୟପକ୍ଷେ ଜିରୋନେଟ୍‌ ଜାଲ ଓ ବିଶେଷକରି ମାସମାସ ଧରି ଘେରିବନ୍ଧ ଜାଲ ଯୋଗୁ ଚିଲିକା ଭାଗଭାଗ ହୋଇ ଏକ କୃତ୍ରିମ ପୋଖରୀପରି ଦୃଶ୍ୟମାନ ହେଉଛି। ମୁକ୍ତରେ ବାହାଣି ଡଙ୍ଗା ଚଳପ୍ରଚଳ କରିବା ଅସାଧ୍ୟ ହୋଇପଡ଼ୁଛି। ଚିଲିକାର ପ୍ରଦୂଷଣକୁ ନିୟନ୍ତ୍ରଣ କରା ନ ଗଲେ ଚିଲିକା ଜଳପ୍ରତି ବିପଦ ଦେଖା ଦେବା ସହିତ ଏହାର ସମସ୍ୟା ଦିନକୁ ଦିନ ବଢି ଚାଲିବ।

ଚିଲିକା କିଛି କଥା:

ଚିଲିକା ଉପକୂଳବର୍ତ୍ତୀ ଶତାଧିକ ଗ୍ରାମର ବାସିନ୍ଦା ଏହା ଉପରେ ନିର୍ଭରକରି ଚଳୁଥିତ୍ଲେ, ତାହା ସମୟକ୍ରମେ କମିବାରେ ଲାଗିଛି। ଦାରିଦ୍ର୍ୟର ତାଡ଼ନାରେ ଶଢୁଥିବା ମତ୍ସ୍ୟଜୀବୀମାନେ ନିଜର ଭିଟାମାଟି ଛାଡ଼ି ଚିଲିକା ଠାରୁ ଦୂରେଇ ଏବେ ରାଜ୍ୟ ଓ ବାହର ରାଜ୍ୟକୁ ନିଜର ରୋଜଗାର ପାଇଁ ପଳାଉଛନ୍ତି। ୧୯୩୦ମସିହାଠାରୁ ଚିଲିକାରେ ମାଛଧରା ବ୍ୟବସାୟ ୧୯୪୨ ମସିହା ବେଳକୁ ବି ବଢିଥିଲା। ପୂର୍ବେ ଚିଲିକାରେ ୫ପ୍ରକାରର ସଇରାତ ପ୍ରଚଳନ ଥିଲ। ମତ୍ସ୍ୟଜୀବୀମାନେ ନିଜନିଜ ମଧ୍ୟରେ ସୁସମ୍ପର୍କ ରକ୍ଷାକରି ଚଳୁଥିଲେ। ସମୟକ୍ରମେ ବିଭିନ୍ନ ସମସ୍ୟା ଚିଲିକାର ଶାନ୍ତ ପରିବେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟିକଲା। ଚିଲିକାରେ ଜୀବିକା ନିବାର୍ର୍ହ କରୁଥିବା ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହିଲା। ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ପାଇଁ ମତ୍ସ୍ୟସମବାୟ ସମିତି ଲିଃ ମାନ ଗଠନ ହେଲା। ମାଛବିକ୍ରି ଓ ଋଣ କାରବାର ହୋଇଥିଲା।

ଏବେ ଚିଲିକାକୁ ନା:

ବାଉରୀବନ୍ଧୁ ବେହେରା କୁହନ୍ତି, ଚିଲିକାରେ ପୁରୁଷ ପୁରୁଷଧରି ମାଛମାରି ବାହାଣିକରି କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିଲୁ। ଆମ ବେଳେ ଯେଉଁ ମାଛ ଚିଲିକାରେ ଦେଖିବାକୁ ମିଳୁଥିତ୍ଲା ଏବେ ସେ ସବୁ ମିଳୁନି। ଜଳଦସ୍ୟୁଙ୍କ ଦୌରାତ୍ମ୍ୟ ବିପଦ ସାଜୁଛି। ଚିଲିକା ପାଇଁ ସରକାରୀ ଯୋଜନା ନୂଆ କଥା ନୁହେଁ, ହେଲେ ଯୋଜନା ନାଁରେ କେବଳ ଯୋଜନା ଚାଲିଛି। ଏବେ ନୂଆ ମାଛଧରା ନୀତିରେ ନୂଆଜାଲ ବ୍ୟବହାର ପାଇଁ ସରକାରଙ୍କ ନିର୍ଦ୍ଦେଶ ଅଛି। ଗାଁଗାଁ ବୁଲି ଚିଲିକା ମାଛ ବିକୁଥିବା ରଙ୍ଗବତୀ ଦେଈ କୁହନ୍ତି, ଏବେ ଚିଲିକା ମାଛକୁ ଆଉ ଚଢା ଦରରେ କିଣି ହେଉନି କି ଆଗପରି ବିଶେଷ ଚୂନାମାଛ ମିଳୁନି। ସେଥିପାଇଁ ବେପାର ଛାଡ଼ି ଏବେ ରୋଜଗାର ପାଇଁ ଭୁବନେଶ୍ୱରକୁ ଯାଇ ବାଲିସିମେଣ୍ଟ କାମକରି ପେଟ ପୋଷୁଛି। ସୁନ୍ଦରଗଡ଼ ଗାଁର ଯୁଗଳ ବେହେରା କୁହନ୍ତି, ସରକାର ଚିଲିକାର ବିକାଶ କଥା ଚିନ୍ତା କରିଛନ୍ତି ହେଲେ ଚିଲିକାରେ ମାଛ କମିଥିବାରୁ ମତ୍ସ୍ୟଜୀବୀମାନେ ରାଜ୍ୟ ବାହାରକୁ ପଳାଉଛନ୍ତି। ବାହାଣିଆଙ୍କ ଭିଡ଼ ଭାଙ୍ଗୁଛି। କାହାକୁ କହିବୁ। ସୋରଣ ବେହେରା ସାହିର ଗୋବିନ୍ଦ ବେହେରା କୁହନ୍ତି, ଚିଲିକାକୁ ଏକ ଗ୍ରହ ଗ୍ରାସିଛି। ଆମ ଗାଁରୁ ଝିଅ, ମହିଳାମାନେ ବିଭିନ୍ନ କାମଧନ୍ଦା ପାଇଁ ଗାଁ ବାହାରକୁ ପଳାଉଛନ୍ତି। ଚାଖଣ୍ଡି ବେହେରା କୁହନ୍ତି, ଏବେ ଗାଁଟା ପ୍ରାୟ ଖାଁ ଖାଁ ଲାଗୁଛି। ଆଗଭଳି ଗାଁରେ ସେମିତି କେହି ରହୁନାହାନ୍ତି। ଅନ୍ୟକାମରେ ପଳାଉଛନ୍ତି, କୁଳବେଉସା ବୁଡ଼ୁଛି।

ଚିଲିକା ନୁହେଁ; ଏବେ ଟ୍ରେନ୍‌କୁ ଅପେକ୍ଷା:

ଆଗରୁ ଗାଁରୁ କେହି ମହିଳା ବାହାରକୁ କାମପାଇଁ ଯାଉ ନ ଥିଲେ। ଏବେ ପେଟ ବିକଳରେ ବଞ୍ଚିବା ପାଇଁ ଦୂର ରାଜ୍ୟକୁ ଯାଇ ବାଲି ସିମେଣ୍ଟ କାମ କରୁଛନ୍ତି। ଏମିତି ଦୁଃଖରେ କୁହନ୍ତି ବରଡ଼ିଗାଁର ଶଶୀ ଦେଈ। ସୁବନି ଦେଈ କୁହନ୍ତି, ମୋ ଘର ବଉଳା ବନ୍ଧଗାଁରେ। ରାତି ପ୍ରାୟ ୪ଟାରୁ ନିଦଭାଙ୍ଗେ। ତା’ ପରେ ନିତ୍ୟକର୍ମ ସାରି ରୋଷେଇ କରି ଖାଦ୍ୟ ଟିଫିନ ଧରି ସକାଳୁ ଟ୍ରେନରେ ଯିବାକୁ ପ୍ରସ୍ତୁତ ହେଉ। ନିଜ ଗାଁଠାରୁ ପ୍ରାୟ ୪କିମି ଦୂର ଗଙ୍ଗାଧରପୁର ରେଳଷ୍ଟେଶନକୁ ଆସିଥାଉ। ଏମିତି କି ଜଣେ ଦୁଇଜଣ ନୁହେଁ ମୋ ପରି ଅନେକ ମହିଳା ଆସିଥାନ୍ତି। କେହିକେହି ଖୋର୍ଦ୍ଧାରୋଡ ତ କେହିକେହି ଲିଙ୍ଗରାଜ, ଭୁବନେଶ୍ୱର, ପଟିଆ ଆଦି ଷ୍ଟେଶନରେ ଓହ୍ଲାଇ ବିଭନ୍ନ କାମ କରିଥାନ୍ତି। ଆଗପରି ଚିଲିକାରେ ସେମିିତି ମାଛ ମିଳୁନାହିଁ ଏଥିପାଇଁ ଆମପରି ମତ୍ସ୍ୟଜୀବୀମାନେ ଚିଲିକାଠାରୁ ଦୂରେଇ ଯାଉଛନ୍ତି।

-ବନବିହାରୀ ବେହେରା



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri