ପ୍ରଥମ ରୋଜଗାର: ପ୍ରଥମ ଦରମାରେ ଦୁଇ ମା’ଙ୍କ ପାଇଁ ଶାଢ଼ି କିଣିଥିଲି


ଗୀତିକାର, ଅଭିନେତ୍ରୀ ତଥା ଲେଖିକା ନିର୍ମଳା ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ସମ୍ବଲପୁର ଜିଲାର ଡଙ୍ଗରପଡ଼ା ଗାଁରେ ୧୯୬୫ ମସିହାରେ ମୋର ଜନ୍ମ। ଡଙ୍ଗରପଡ଼ା ପ୍ରାଥମିକ ବିଦ୍ୟାଳୟରେ ୫ମ ଯାଏଁ ପଢ଼ିବା ପରେ ମୋର ଜଣେ ସମ୍ପର୍କୀୟ ବଡ଼ବାପା ମୋତେ ଝିଅ କରି ତାଙ୍କ ପାଖକୁ ନେଇଗଲେ। ତାଙ୍କର କେହି ସନ୍ତାନ ନ ଥିଲେ ଆଉ ବଡ଼ବୋଉ ବି ଆରପାରିକୁ ଚାଲିଯାଇଥିଲେ। ତେଣୁ ତାଙ୍କ ଘରେ ମୋର ଦେଖାଚାହଁା ବଡ଼ବାପାଙ୍କ ବୋଉ ଅର୍ଥାତ୍‌ ସମ୍ପର୍କୀୟା ଜେଜେମା’ କଲେ। ବଡ଼ବାପା ସରକାରୀ ଚାକିରି କରିଥିଲେ। ତେଣୁ ମୋର ପାଠପଢ଼ା ବିଭିନ୍ନ ସ୍କୁଲରେ ହୋଇଥିଲା। ବୁର୍ଲାରେ ୬ଷ୍ଠ, ୭ମ ଓ ଦେବଗଡ଼ରେ ୮ମ, ୯ମ ଏବଂ ଶେଷରେ ରେଢ଼ାଖୋଲସ୍ଥିତ ଗୌରଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍‌ କରିଥିଲି। ତା’ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଆଇଏ ପଢ଼ିଥିଲି। ଏହାପରେ ମୋର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥୋରିଟି (କାଡା)ରେ ସିନିୟର କ୍ଲର୍କ ପୋଷ୍ଟରେ ଚାକିରି ହୋଇଗଲା। ପୋଷ୍ଟିଂ ସମ୍ବଲପୁରରେ ହେଲା। ପ୍ରଥମ ମାସର ଦରମାରେ ମୋର ଦୁଇ ମା’ (ମା’ ସମଲେଶ୍ୱରୀ ଓ ମୋ ଜନ୍ମଦାତ୍ରୀ)ଙ୍କ ପାଇଁ ନୂଆ ଲୁଗା କିଣିଥିଲି। ବଡ଼ବାପାଙ୍କ ପାଇଁ ବି ଗୋଟେ ଉଇଣ୍ଟର କୋଟ୍‌ କିଣିଥିଲି। ସମ୍ବଲପୁରରେ ଦୁଇବର୍ଷ କାମ କରିବା ପରେ କଟକକୁ ମୋର ବଦଳି ହେଲା। ତା’ ଭିତରେ ମୁଁ ପ୍ରାଇଭେଟ୍‌ରେ ବିଏ ପଢ଼ା ଆରମ୍ଭ କରିଦେଇଥାଏ। କଟକ ଆସିବାର ମାତ୍ର ୬/୭ ମାସ ପରେ ଚାକିରି ଛାଡ଼ିଦେଲି। କାରଣ ଥିଲା ଗୀତ ପ୍ରତି ଥିବା ମୋର ଦୁର୍ବଳତା। ୬ଷ୍ଠ/୭ମରୁ ମୋର ଗୀତ ଲେଖିବା ଆରମ୍ଭ ହୋଇଥିଲା। କ୍ରମେ ସ୍କୁଲ ମାଗାଜିନ୍‌, କଲେଜ ମାଗାଜିନ୍‌, ବିଭିନ୍ନ ପତ୍ରପତ୍ରିକାରେ ମୋ ଗୀତ ପ୍ରକାଶିତ ମଧ୍ୟ ହେଲା। ଏ ଲାଇନରେ ମୋ ବଡ଼ଭାଇ କବି ଦାମୋଦର ପଣ୍ଡା ମୋତେ ଗାଇଡ୍‌ କରୁଥିଲେ। ଧୀରେ ଧୀରେ ଅଲ୍‌ ଇଣ୍ଡିଆ ରେଡିଓ ପାଇଁ ବି ଗୀତ ଲେଖିଲି। ଏପରିକି କିଛିଦିନ ପରେ ରେଡିଓର ସ୍ବୀକୃତିପ୍ରାପ୍ତ ଗୀତିକାର ମଧ୍ୟ ହେଲି। ସମ୍ବଲପୁରୀ କ୍ୟାସେଟ୍‌ କରିବା ପାଇଁ ସମ୍ବଲପୁରରେ ସେମିତି କିଛି ଖାସ୍‌ ସୁବିଧା ନ ଥିଲା। ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାଙ୍କ ସହ ମୋର ପରିଚୟ ଥିଲା। କଟକ ଆସିଲା ପରେ ତାଙ୍କରି ସହାୟତାରେ ପ୍ରଥମେ ଗୋଟିଏ ସମ୍ବଲପୁରୀ କ୍ୟାସେଟ୍‌ ‘ପରଦେଶୀ ବାବୁ’ରେ ୫ଟି ଗୀତ ଲେଖିଲି। ତନ୍ମଧ୍ୟରୁ ‘ହଇଗୋ ଏ ମୋର୍‌ ପରଦେଶୀ ବାବୁ ମୋତେ ଛାଡି ନାଇଁ ପଲାବୁ’ ଗୀତଟି ହିଟ୍‌ ହେଲା। ତା’ପରଠୁ ମୋତେ ଗୋଟେ ପରେ ଗୋଟେ ସମ୍ବଲପୁରୀ କ୍ୟାସେଟ୍‌ ପାଇଁ ଗୀତ ଲେଖିବାକୁ ଅଫର ମିଳିଚାଲିଲା। ଚାକିରି ସହ ଏସବୁ କାମ କରିବାରେ ଅସୁବିଧା ହେବାରୁ ବାଧ୍ୟ ହୋଇ ଚାକିରି ଛାଡିଦେଲି। ୟା’ ଭିତରେ ମୁଁ ପ୍ରାୟ ୨୬୫ଟି କ୍ୟାସେଟ୍‌ (ଉଭୟ ସମ୍ବଲପୁରୀ ଓ ଓଡ଼ିଆ)ରେ ଗୀତ ଲେଖିସାରିଲିଣି। ମୋର ଆଉ କେତୋଟି ହିଟ୍‌ ଗୀତ ହେଲା- ଜଙ୍ଗଲୀ ହାତୀ ମାତିଛି କ୍ୟାସେଟ୍‌ର ‘କିନ୍ଦିରି କିନ୍ଦିରି ନାଚ୍‌ ମଲ୍ଲିଫୁଲ’ ଏବଂ ‘ବାଦଲ ତଲୁ ଲୁଚି କରି’ କ୍ୟାସେଟ୍‌ର ଟାଇଟଲ ଗୀତ ପରି ଆହୁରି ଅନେକ। ଗୀତ ଲେଖା ଚାଲିଥାଏ, ସ୍କ୍ରିପ୍ଟ ରାଇଟିଂ ପାଇଁ ଅଫର ମିଳିଲା। ଦୂରଦର୍ଶନର ୩ଟି ଧାରାବାହିକ ‘ଯାହା ମୁଁ ଖୋଜିଛି ତାହା ମୁଁ ପାଇଛି’, ‘ଆକାଶ କଇଁଆ ଚିଲିକା ମାଛ’, ‘ସମୟ କହୁଛି କାହାଣୀ’ ଏବଂ ଗୋଟିଏ କମେଡି ଶୋ’ ପାଇଁ ପ୍ରଥମେ ସ୍କ୍ରିପ୍ଟ ଲେଖିବା ଆରମ୍ଭ କଲି। କ୍ରମେ ମୋତେ ସିନେମା ପାଇଁ ବି ଡାଇଲଗ୍‌ ଲେଖିବାକୁ ସୁଯୋଗ ମିଳିଲା। ‘ହେ ସଖା’ ଚଳଚ୍ଚିତ୍ର ପାଇଁ ଡାଇଲଗ୍‌ ଲେଖିବା ସହ ଏଥିରେ ଅଭିନୟ ମଧ୍ୟ କରିଛି। ତା’ପରେ ଆଉ ତିନୋଟି ଚଳଚ୍ଚିତ୍ର ପାଇଁ ବି ଡାଇଲଗ୍‌ ଲେଖିଲି, କିନ୍ତୁ କୌଣସି କାରଣ ପାଇଁ ତାହା ରିଲିଜ୍‌ ହୋଇପାରିଲା ନାହିଁ। ହେ ସଖା ବ୍ୟତୀତ ପ୍ରଥମ ପ୍ରେମ, ଅଗ୍ନିଶିଖା, ମେଟ୍ରିକ୍‌ ଫେଲ୍‌, ଗଡ୍‌ବଡ୍‌ ଇତ୍ୟାଦି ଚଳଚ୍ଚିତ୍ର ଏବଂ କହିଲେ କୁଳ କୁଟୁମ୍ବକୁ ଲାଜ, ଦୁର୍ଗା, ସ୍ବାଭିମାନ, ଅବୁଝା ଏ ମନ, ଶଙ୍ଖା ସିନ୍ଦୂର ଇତ୍ୟାଦି ଧାରାବାହିକରେ ମୁଁ ଅଭିନୟ ବି କରିଛି। ଏହା ବ୍ୟତୀତ ଗପ ଓ କବିତା ଲେଖିବାରେ ବି ମୋର ରୁଚି ରହିଛି। ୟା’ ଭିତରେ ମୋର ‘ମୃତ୍ୟୁ ଅପେକ୍ଷାରେ’ ଗଳ୍ପ ସଂକଳନ ଏବଂ ‘ମାନସ ଗୀତି’ କବିତା ସଂକଳନ ପ୍ରକାଶ ପାଇସାରିଲାଣି। ସେହିପରି ମୋର ସ୍ବାମୀ ଜଗଦୀଶ ପଣ୍ଡା ଓ ମୁଁ ମିଶି ସମ୍ବଲପୁରୀ ଭାଷାରେ ଗୀତା ମଧ୍ୟ ଲେଖିଥିଲୁ। ଏବେ ମୋର ସ୍କ୍ରିପ୍ଟ ଲେଖା ଓ ଅଭିନୟ ସହିତ ଗୀତ ଲେଖା ବି ଜାରି ରହିଛି। ଫୁର୍‌ସତ ମିଳିଲେ ଗପ ଓ କବିତା ମଧ୍ୟ ଲେଖୁଛି। -ଅମ୍ବ୍ରିତା



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri