‘ଚାକିରି ଛାଡି ଚାଷ କଲି’:ହରିହର ଦାଶ(ସଫଳ ଚାଷୀ)


ମାଟ୍ରିକ୍‌ ପାସ୍‌ କରିବା ପରେ ଯୁକ୍ତ ଦୁଇରେ ଆଡ୍‌ମିଶନ କଲେ। କିନ୍ତୁ ପାଠ ପ୍ରତି ଆଉ ଆଗ୍ରହ ନ ହେବାରୁ ପାଠପଢ଼ା ଛାଡି କଲିକତା ପଳାଇଲେ। ସେଠାରେ ଇନ୍‌କମ୍‌ ଟ୍ୟାକ୍ସ ଅଫିସ୍‌ରେ ଟାଇପିଷ୍ଟ ଭାବେ କାମକଲେ। ପିଲାଟି ଦିନରୁ ସେ ଭାରି ଡ୍ରାମା ପ୍ରିୟ। ତାଙ୍କ ଅଞ୍ଚଳରେ ଡ୍ରାମା ହେଉଥିଲା। ଗାଁର ସାଙ୍ଗମାନେ ଟେଲିଗ୍ରାମ କଲେ ଡ୍ରାମା ହେବ ପଳାଇ ଆସ। ଡ୍ରାମା କରିବା ନିଶାରେ ସେ କଲିକତାରୁ ଗଁାକୁ ଆସିଲେ। ଡ୍ରାମା ସରିବା ପରେ ଆଉ କଲିକତା ଯିବାକୁ ଇଚ୍ଛା ହେଲାନି। ତେଣୁ କ’ଣ କରିବେ ବୋଲି ଚିନ୍ତାକଲେ। ଏହିପରି ଭାବି ଭାବି ଶେଷରେ ଚାଷ କରିବେ ବୋଲି ନିଷ୍ପତ୍ତିି ନେଲେ। ପ୍ରଥମେ ଆରମ୍ଭ କଲେ ହାଇବ୍ରିଡ ଧାନଚାଷ। ଏହି ଚାଷରୁ ମିଳିଥିବା ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା। ତା’ପରେ ପନିପରିବା ସମେତ କଦଳୀ, ଆଖୁ ଚାଷରେ ମନଦେଲେ। ତେବେ ଇତି ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ସେ ସକ୍ଷମ ହୋଇଛନ୍ତି। ସେ ହେଲେ ହରିହର ଦାଶ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ବିରୋଳି ଶାସନରେ ତାଙ୍କର ଜନ୍ମ। ମା’ ଛାୟାଦେବୀ ଓ ପିତାଙ୍କ ନାମ ରସିକ ନାଗର ଦାଶ। ଡ୍ରାମା ନିଶାରେ ଚାକିରି ଛାଡି ଚାଷକୁ ସ୍ବରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିଥିବା ହରିହର ଧାନଚାଷରୁ ଯାହା ରୋଜଗାର କଲେ ସେଥିରେ କୌଣସି ପ୍ରକାରେ ପରିବାର ଗୁଜୁରାଣ ମେଣ୍ଟିଲା। ପରେ ଆଖୁ ଚାଷ କଲେ। ପରବର୍ତ୍ତୀ ସମୟରେ ନିକଟସ୍ଥ ଗେଙ୍ଗୁଟି ନଦୀକୂଳରେ ଚାରି ଏକର ଜାଗା କିଣିଲେ। ସେଠାରେ ପନିପରିବା ଚାଷ ସହ ପ୍ରାୟ ୪ ହଜାର ହାଇବ୍ରିଡ୍‌ କଦଳୀ ଚାଷ କଲେ। ବର୍ତ୍ତମାନ ସେହି ଜାଗାରେ ୬୦ ପ୍ରକାର ବିଭିନ୍ନ ପ୍ରଜାତିର ଆମ୍ବ ଗଛ, ୩୦ଟି ପଣସ,୧୫୦ ଲେମ୍ବୁ ଗଛ, ନଡିଆ, ସଜନା ଲିଚୁ, ଶାଗୁଆନ, ଶାଳ ଏବଂ ପାମୋଲିନ ଭଳି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଗଛ ଲଗାଇଛନ୍ତି। ଆମ୍ବରୁ ବର୍ଷକୁ ପ୍ରାୟ ୧ଲକ୍ଷ ଟଙ୍କା, ପଣସ କଠା ଓ ପାଚିଲା ପଣସରୁ ୩୦ ହଜାର, ଲେମ୍ବୁରୁ ୨୦ ହଜାର, ନଡିଆରୁ ୧୦ରୁ ୧୫ହଜାର ଟଙ୍କା ରୋଜଗାର ହେଉଥିବା କଥା କୁହନ୍ତି ହରିହର। ପାମୋଲିନ୍‌ ଗଛର ଫଳକୁ ଏକ କମ୍ପାନୀ ନେଉଛି। ଯଦିଓ ସବୁ ପାମୋଲିନ୍‌ ଗଛରୁ ଫଳ ଆମଦାନୀ ହୋଇନାହିଁ ତଥାପି ବର୍ଷକୁ ୪୦ ହଜାର ଟଙ୍କା ରୋଜଗାର ହେଉଛି। ସବୁଗଛ ଫଳିଲେ ବର୍ଷକୁ ୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ସେ ଆଶାବ୍ୟକ୍ତ କରନ୍ତି। ‘ଚାଷ ମତେ ରାହା ଦେଇଛି। କେବଳ ଚାଷ କରି ଏହି ଜାଗା କିଣିଲି। କୋଠାଘର ଖଣ୍ଡିଏ ନିର୍ମାଣ କରିଛି। ଭଉଣୀ ବାହାଘର କରିଛି। ଏହା ବ୍ୟତୀତ ଏଇଥିରୁ ହିଁ ୧୩ ଜଣ ପରିବାର ଚଳୁଛନ୍ତି। ଜଣେ ମନପ୍ରାଣ ଦେଇ କାମ କଲେ ଚାଷରୁ ନିଶ୍ଚିତ ସ୍ବାବଲମ୍ବୀ ହୋଇପାରିବ। ଚାଷ ପାଇଁ ଉନ୍ନତ କିସମର ମଞ୍ଜି ଓ କୃଷି ବୈଜ୍ଞାନିକଙ୍କର ଉପଯୁକ୍ତ ପରାମର୍ଶର ଆବଶ୍ୟକତା ରହିଛି ବୋଲି କୁହନ୍ତି ଏହି ସଫଳଚାଷୀ।’ - ଦେବେନ୍ଦ୍ର ଆନ୍ଦିଆ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri