ଗୀତ-ଗପ-ଗଛର ମଣିଷ


ସଂକ୍ଷେପରେ ସେ ବଦ୍ରି ମିଶ୍ର! ମାତ୍ର ସ୍ଥୂଳଭାବରେ ଦେଖିଲେ ଜଣେ ଗାଳ୍ପିକ, ଗୀତିକାର, ବ୍ୟଙ୍ଗସ୍ରଷ୍ଟା। ପୁଣି ପରିବେଶ ପାଇଁ ସତତ ସଂଗ୍ରାମ କରୁଥିବା ଜଣେ ଅମାୟିକ ମଣିଷ। ୧୯୫୯ ମସିହାରେ ପୁରୀ ସହରରେ ଜନ୍ମିତ ଏହି ମଣିଷଙ୍କ ଦୃଷ୍ଟିରେ ଆଜିର ମଣିଷ ପାଇଁ ପ୍ରଥମ କାମ ପରିବେଶକୁ ସୁସ୍ଥ ରଖିବା। ଗଛ ଲଗେଇବା। ନ ହେଲେ ଦିନ ଆସିବ ଯେତେବେଳେ ନିଜ ପାଇଁ ତଥା ନିଜ ପିଲାଙ୍କ ପାଇଁ ମଣିଷ ଅକ୍ସିଜେନ୍‌ କିଣିବାକୁ ବାଧ୍ୟହେବ... ଗପର ନଁ। ‘ଗଛ’! ଗପଟି ଏମିତି : ପ୍ରତିଦିନ ପିଲାଟିଏ ତା’ର ବସ୍ତାନି ନେଇ ସ୍କୁଲକୁ ଯାଏ। ସ୍କୁଲ ଯିବା ବାଟରେ ପଡ଼େ ଏକ ବିରାଟ ଅଶ୍ୱତ୍‌ଥ ଗଛ। ପିଲାଟି ଗଛ ଛାଇରେ ବସେ। ଗଛ ସହ କଥାହୁଏ। ଗପ କରେ। ଅସୁମାରି ନାହିଁ ନ ଥିବା ନାନାବାୟା ଗପ। ତାକୁ ଲାଗେ ଯେମିତି ଗଛ ତା’ର ଖୁବ୍‌ ଆପଣାର। ସ୍କୁଲ ଛୁଟିହୁଏ। ପିଲାଟି ଫେରେ। ବାଟରେ ଭେଟେ ଗଛକୁ। ସେ ଗଛକୁ ହାତ ହଲାଏ। ମନକୁମନ ହଲିଯାଏ ଗଛର ଡାଳପତ୍ର। ପିଲାଟିକୁ ଲାଗେ, ଗଛଟି ଯେମିତି ତାକୁ ତା’ର ଡାଳପତ୍ରର ହାତ ହଲେଇ ବିଦାୟ ଜଣାଉଛି। ଏମିତିରେ ଦିନ ବିତେ। ଋତୁ ବଦଳେ। ଆସେ ପତ୍ରଝଡ଼ା ଋତୁ। ସବୁ ଗଛ ପତ୍ର ଝଡ଼ା ଦିଅନ୍ତି। ମାତ୍ର ଅଶ୍ୱତ୍‌ଥ ଗଛରୁ ଗୋଟିଏ ବି ହେଲେ ପତ୍ର ଝଡ଼େନା। ପିଲାଟି ଆଶ୍ଚର୍ଯ୍ୟ ହୁଏ। ଗଛ ପାଖକୁ ଯାଏ। ତାକୁ ସେକଥା ପଚାରେ। ଗଛ କିନ୍ତୁ କିଛି ଉତ୍ତର ଦିଏନା। ପିଲାଟି ଜିଦ୍‌ କରେ। କୁଣ୍ଢେଇଧରେ ଗଛକୁ। କହେ: ବନ୍ଧୁ! ତୁମେ ଉତ୍ତର ନ ଦେବା ଯାଏ ମୁଁ ତୁମକୁ ଛାଡ଼ିବିନି କି ଘରକୁ ଯିବିନି। ଗୋଟେ କୁନିପିଲାର ଜିଦ୍‌ ନିକଟରେ ହାରିଯାଏ ଗଛ। କହେ: ମୁଁ କେମିତି ପତ୍ରଝଡ଼ା ଦେବି କୁହ ତ। ତୁମେ ପରା ନିତି ମୋ ଛାଇରେ ବସୁଛ। ପତ୍ର ଝଡ଼ିଗଲେ ତୁମେ ବସିବ କେଉଁଠି? ଆଶ୍ଚର୍ଯ୍ୟ ହୁଏ ପିଲା। ଭାବେ, ଗଛ ସତରେ ତାକୁ କେତେ ଭଲପାଏ! ସେଥିଲାଗି ସେ ଋତୁଚକ୍ରର ନିୟମ ବଦଳେଇଦେଲା। ପିଲାଟି ପଚାରେ : ବନ୍ଧୁ! ତୁମେ କଥା କହିପାର। ହେଲେ ତୁମେ କାହିଁକି ଜଡ଼ ହେଇଯାଇଛ? ପିଲାଟିର ସରଳ ସୁକୁମାର୍ଯ୍ୟରେ ତରଳିଯାଏ ଗଛର ଆତ୍ମା। ସେ ଦରଦୀ ସ୍ବରରେ କହେ : ଆମେ ସବୁ କଥା କହୁଥିଲୁ। ମଣିଷକୁ ଖୁବ୍‌ ଭଲପାଉଥିଲୁ। ସେଥିଲାଗି, ମଣିଷକୁ ଆମର ସବୁକିଛି ଦେଇଦଉଥିଲୁ। ହେଲେ ମଣିଷ ଆମସହ ବିଶ୍ୱାସଘାତକତା କଲା। ଆମକୁ କାଟିଦେଲା। ସେଥିଲାଗି ଆମେ ଆଉ ମଣିଷଙ୍କ ସହ କଥା ହେଉନାହୁଁ। ପିଲାଟି ଏଥର ଅନୁରୋଧ କଲା: ବନ୍ଧୁ! ମୁଁ କିନ୍ତୁ ଚାହେଁନା, ତୁମେ ଋତୁ ଦେବତାର ନିର୍ଦ୍ଦେଶ ଅମାନ୍ୟ କର। ଏବେ ତ ତୁମର ପତ୍ରଝଡ଼ା ସମୟ। ତୁମେ ପତ୍ରଝଡ଼ା ଦିଅ। ଆଉ ନୂଆପତ୍ର ଧାରଣ କର। ଘଟିଲା ଏକ ମିରାକଲ୍‌। ଗୋଟିଗୋଟି କରି ପତ୍ର ଝଡ଼ିଗଲା ଗଛ ଦେହରୁ। ଆଉ ପୁଣିଥରେ କଅଁଳି ଉଠିଲା ସବୁଜ ଛନ୍ନଛନ୍ନ କଅଁଳ ପତ୍ର। ୧୯୯୬ ମସିହାରେ ଲେଖାହୋଇଥିବା ଗପଟି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ପରେ ପାଲଟିଯାଏ ଏକ ସାର୍ଥକ ଗଳ୍ପ। ତାହାର ଇଂଲିଶ ଅନୁବାଦ ପ୍ରକାଶିତ ହୁଏ ‘ଟେଲିଗ୍ରାଫ୍‌’ରେ। ସେତିକି ନୁହେଁ, ଏକ ସାର୍ଥକ ଭାରତୀୟ ଗଳ୍ପଭାବରେ ଏହି ଗପଟି ସ୍ଥାନପାଏ କାନାଡ଼ାର ନ୍ୟୁ ଫାଉଣ୍ଡଲ୍ୟାଣ୍ଡ ୟୁନିଭର୍ସିଟିର ପାଠ୍ୟକ୍ରମରେ। ଏଠାରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏହି ସାର୍ଥକ ‘ଗଛ’ ଗଳ୍ପର ଲେଖକ ହେଉଛନ୍ତି ସାମ୍ପ୍ରତିକ ସମୟର ଗଛ ମଣିଷ ବଦ୍ରି ମିଶ୍ର। ଗଛ ଯେ, ମଣିଷ ପାଇଁ କେତେ ଦରକାର ଆଉ କେତେ ଉପକାରୀ ଏହାକୁ ମର୍ମେମର୍ମେ ଅନୁଭବ ଆଉ ଉପଲବ୍ଧି କରିଛନ୍ତି ବୋଲି ସେ ପ୍ରତିବର୍ଷ ନିଜ ଉଦ୍ୟମରେ ଲଗାଉଛନ୍ତି ଗଛ। ନା ସେଥିଲାଗି ସେ ପ୍ରଚାର କରୁଛନ୍ତି ନା ଗଛ ଲଗେଇବାର ବାହାବା ନଉଛନ୍ତି। ଦୀର୍ଘ ଚାଳିଶ ବର୍ଷ ଧରି ସେ ଗଛ ଲଗେଇବା ଜାରି ରଖିଛନ୍ତି। ଇତିମଧ୍ୟରେ ସେ ଏକ ଲକ୍ଷରୁ ଅଧିକ ଗଛ ଲଗେଇ ସାରିଛନ୍ତି। ‘ଗଛ’ ସଜେଇଲା ଦଧିଚୀ : ଦଧିଚୀ ଜଣେ ଋଷି ଥିଲେ ଯିଏ ଜଗତକଲ୍ୟାଣ ପାଇଁ ନିଜର ଅସ୍ଥି ଦାନ କରିଦେଇଥିଲେ। ଏହା ତ ପୁରାଣ କଥା। ହେଲେ ଗଛ ମଣିଷ ବଦ୍ରି ମିଶ୍ର ସତକୁସତ ଦଧିଚୀ ପାଲଟି ଯାଇଛନ୍ତି। ସେ ନିଜର ଶରୀରକୁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ଦାନ କରିଦେଇଛନ୍ତି। ତାଙ୍କର ଆଖି, କିଡ୍‌ନୀ ସବୁକିଛି ଦାନ କରିଦେଇଛନ୍ତି ସେ। ଏ ସମ୍ପର୍କରେ ବଦ୍ରି ମିଶ୍ର କହନ୍ତି : ମୁଁ ଆଉ ସ୍ବର୍ଗଦ୍ୱାର ଯିବିନି। ଜଗତରନାଥ ଜଗନ୍ନାଥଙ୍କୁ ସାକ୍ଷୀକରି ମୋର ପରିବାରର ସହମତିକ୍ରମେ ମୁଁ ମୋ ଶରୀରକୁ ସମାଜକୁ ଦାନ କରିଦେଇଛି। ମୋ ଆଖି ନେଇ ଆଉଜଣେ ଚକ୍ଷୁସ୍ମାନ ହେବ। ମୋ କିଡ୍‌ନୀ ନେଇ କେହି ଜଣେ ହତଭାଗ୍ୟ ମଣିଷ ତା’ର ଜୀବନ ବଞ୍ଚେଇବ। ଆଉ ମୋର ଶରୀରକୁ ନେଇ ଡାକ୍ତରୀଛାତ୍ରମାନେ ଗବେଷଣା କରିବେ। ପାଠ ପଢ଼ିବେ। ସେମାନେ ଜଣେ ଜଣେ ସଫଳ ଡାକ୍ତର ହେବେ। ବଦ୍ରି ମିଶ୍ରଙ୍କୁ ଏଥିପାଇଁ ମିଳିଛି ‘ଦଧିଚୀ’ ସମ୍ମାନ। ସେ କହନ୍ତି : ଗଛ ହିଁ ତ ମୋତେ ଦଧିଚୀ ହେବାର ପ୍ରେରଣା ଦେଇଛି। ଗଛ ଯଦି ତା’ର ଡାଳ, ପତ୍ର, ଫୁଲ, ଫଳ ସବୁକିଛି ଅନ୍ୟକୁ ଦାନ କରିଦେଇପାରେ; ତା’ହେଲେ ମୁଁ କାହିଁକି ନିଜେ ସମାଜକୁ ସମର୍ପଣ କରିଦେଇ ପାରିବି ନାହିଁ। ସେହି ଗଛର ପ୍ରେରଣାରେ ପ୍ରତି ବର୍ଷ ସେ ସ୍ବେଚ୍ଛାରେ ରକ୍ତଦାନ କରନ୍ତି। ଇତିମଧ୍ୟରେ ସେ ୯୭ଥର ରକ୍ତଦାନ କରିସାରିଛନ୍ତି। ଗାୟକରୁ ଗୀତିକାର : ଏବେ ନିରୁତା ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା ବଦ୍ରି ମିଶ୍ର ଏକଦା ଖୁବ୍‌ ସୁନ୍ଦର ଗୀତ ଗାଉଥିଲେ - ଏକଥା ହୁଏତ ଖୁବ୍‌ କମ୍‌ ଲୋକଙ୍କୁ ଜଣାଅଛି। ମାତ୍ର ଦିନ ଥିଲା ଅକ୍ଷୟ ମହାନ୍ତିଙ୍କ ଗୀତ ଥିଲା ତାଙ୍କ ପାଇଁ ଅମ୍ଳଜାନ ସଦୃଶ। ବଦ୍ରି କୁହନ୍ତି : ମା’ ସ୍ବର୍ଗତା ହାରାମଣି ମିଶ୍ର ହିଁ ତାଙ୍କୁ ଶିଖେଇଥିଲେ ଗୀତ। ତେବେ ହାରାମଣି ଜଣେ ତାଲିମ୍‌ପ୍ରାପ୍ତ ଗାୟିକା ନ ଥିଲେ। ମାତ୍ର ମା’ଙ୍କ ହୃଦୟର ଗୀତ ତାଙ୍କ କଣ୍ଠରୁ ଆପେ ଆପେ ଝଙ୍କୁରିତ ହେଉଥିଲା। ଭାତ ରାନ୍ଧୁରାନ୍ଧୁ, ରୁଟି ବେଲୁବେଲୁ ମା’ ଗାଉଥିଲେ ଆଉ ପୁଅକୁ କହୁଥିଲେ - ଗା’। ଗାଉଥିଲେ ବଦ୍ରି। ତାହା ହିଁ ଥିଲା ମା’ଙ୍କର ଆଶୀର୍ବାଦ। ସେହି ଆଶୀର୍ବାଦ ପାଇଁ ସେ ପାଇଥିଲେ ଫରେଷ୍ଟ ଡିପାର୍ଟମେଣ୍ଟ୍‌ରେ ଚାକିରି। ବେଶ୍‌ ରୋମାଞ୍ଚକର ଘଟଣା ଘଟିଥିଲା ବଦ୍ରିଙ୍କ ଜୀବନରେ। ଦିନେ ଗୋଟେ ସ୍ଥାନରେ ପ୍ରୋଗ୍ରାମ୍‌ କରୁଥିଲେ ବଦ୍ରି। ଗାଉଥିଲେ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତ : ଚାଇଁ ଚାଇଁ ଖରା ଗୋରୀ ବରଷା ଅସରା/ତୋର ମୋର ପିରତୀ ତ କଟକ ଦଶରା! ତା’ପରଦିନ ଥିଲା ତାଙ୍କର ଫରେଷ୍ଟ ଡିପାର୍ଟମେଣ୍ଟ୍‌ରେ ଇଣ୍ଟରଭିୟୁ। ସେ ଯାଇ ପହଞ୍ଚତ୍ଲେ। ମ୍ୟାନେଜିଂ ଡିରେକ୍ଟର କହିଲେ - ତୁମର ଇଣ୍ଟରଭିୟୁ ଦବା ଦରକାର ନାହିଁ। ତୁମର ଚାକିରି ହୋଇଯାଇଛି। ବୁଝିପାରିଲେନି ସେ। ମ୍ୟାନେଜିଂ ଡିରେକ୍ଟର ବୁଝେଇଦେଲେ : ‘କାଲି ମୁଁ ତୁମ ପ୍ରୋଗ୍ରାମ ଦେଖୁଥିଲି। ଆଉ ତୁମେ ଖୁବ୍‌ ସୁନ୍ଦର ଗୀତ ଗାଉଥିଲ। ଅବଶ୍ୟ ମୁଁ ଜାଣି ନ ଥିଲି ଯେ, ତୁମେ ଆଜି ଇଣ୍ଟରଭିୟୁ ଦବାକୁ ଆସିବ ବୋଲି।’ ଏକଥା ଶୁଣି ବଦ୍ରିଙ୍କ ଆଖି ଛଳଛଳେଇ ଉଠିଥିଲା। କାହିଁକିନା ବୋଉ ଆଶୀର୍ବାଦ ହିଁ ତାଙ୍କୁ ଚାକିରି ଦେଇଥିଲା। ଅବଶ୍ୟ ଆଜିକାଲି ଆଉ ବଦ୍ରି ଗୀତ ଗାଉନାହାନ୍ତି। ମାତ୍ର ତାଙ୍କ ଗୀତରେ ଓଡ଼ିଶା ଝୁମୁଛି। ଆକାଶବାଣୀ, ଦୂରଦର୍ଶନ ତଥା କ୍ୟାସେଟ୍‌ ସିଡିର ସେ ଜଣେ ପ୍ରତିଷ୍ଠିତ ଗୀତିକାର। କାଳିଆରେ ତତେ ପୁରୀ ଯାଇ ଥରେ ଦେଖିବାକୁ ମୋର ମନ ବଳିଛି, ସତ କହିବୁ ଲୋ ସତ କହିବୁ କହିଥିଲା ବୋଉ ମୋର/ମିଛ କହି କାହିଁ ପାପ ଅରଜିବୁ ଛାଇକୁ ଲାଗିବ ଡର, କଅଁଳ କଅଁଳ ଖରା ଲୋ କଅଁଳ କଅଁଳ ଖରା/ଗଙ୍ଗଶିଉଳିର ପତରେ ପତରେ ଗେଣ୍ଡୁ ସେବତୀର ଫୁଲ ପାଖୁଡ଼ାରେ ଶୀତ ପଡ଼ିଯାଏ ଧରା, ଶ୍ରୀମନ୍ଦିରେ ବସି ଦେଖୁଛ ପ୍ରଭୁହେ ଭଲ କେତେ ମୋର ମନ୍ଦ କେତେ/ ରତ୍ନ ସିଂହାସନେ ଜାଣୁଛ ସବୁ ହେ ହସ କେତେ ମୋର ଲୁହ କେତେ ଭଳି ରହିଛି ତାଙ୍କ ଶତାଧିକ ଭଜନ, ପଲ୍ଲୀ ଆଉ ଆଧୁନିକ ଗୀତ। ସଫଳ ବ୍ୟଙ୍ଗକାର : ଶିଶୁ ମନସ୍ତତ୍ୱ ଆଧାରିତ ଗଳ୍ପ ‘ଗଛ’ ତଥା ‘ଛେଳି’ ଭଳି ସିରିଇସ ଗଳ୍ପ ଲେଖିଥିବା ମିଶ୍ର ଜଣେ ସଫଳ ବ୍ୟଙ୍ଗସ୍ରଷ୍ଟା। ଗଳ୍ପ ଛଳରେ ସମାଜ ପ୍ରତି ଶାଣିତ ବ୍ୟଙ୍ଗ ତାଙ୍କ ରଚନାର ଅନ୍ୟତମ ବୈଶିଷ୍ଟ୍ୟ। ରାଜଧାନୀର ଅସହାୟ ଜୀବନ ଉପରେ ସେ ଲେଖିଛନ୍ତି ‘କ୍ୟାପିଟାଲିଆ ହଡ଼ା’। ସେହିଭଳି ଜନ୍ମ ନିୟନ୍ତ୍ରଣ ଉପରେ ‘ଚକ୍ର ସାର୍‌ଙ୍କ ରେଡ୍‌କାର୍ଡ’, ରାଜନୈତିକ ସଭା ଉପରେ ‘ମହାତ୍ମା ଜନ୍ମନେଲେ’, ଇଂରାଜୀ ମାଧ୍ୟମ ସ୍କୁଲ୍‌କୁ ନେଇ ‘କୁକୁରରୁ ଡଗ୍‌’, ନାରୀ ଉତ୍ସୃଙ୍ଖଳାକୁ ନେଇ ‘ନାରୀ ଜାଗିଲେଣି’ ଆଦି ବେଶ୍‌ ଉଲ୍ଲେଖନୀୟ ଦାବିକରେ। ସମାଜ ପାଇଁ ବ୍ୟଙ୍ଗର ଆବଶ୍ୟକତା ଅଛି କି ବୋଲି ଏକ ପ୍ରଶ୍ନରେ ମିଶ୍ର କହନ୍ତି : କେବଳ ବ୍ୟଙ୍ଗ ଦ୍ୱାରା ହିଁ ଖୁବ୍‌ କମ୍‌ ସମୟ ମଧ୍ୟରେ ଜଣକ ହୃଦୟକୁ ଆଲୋଡ଼ିତ କରାଯାଇପାରିବ। ଅଦ୍ଭୁତ ସ୍ବପ୍ନର ନାୟକ : କେବଳ ଭଲ ଗପ କି ଗୀତ ସୃଷ୍ଟି କରିପାରନ୍ତି ନାହିଁ ବଦ୍ରି ମିଶ୍ର। ସେ ଖୁବ୍‌ ଅଦ୍ଭୁତ ସ୍ବପ୍ନ ଦେଖିପାରନ୍ତି। ମୃତ୍ୟୁ ତାଙ୍କ ପାଇଁ ସେହିଭଳି ଏକ ସ୍ବପ୍ନ। ସେ ମୃତ୍ୟୁ ଚାହାନ୍ତି ନାହିଁ। ଇଚ୍ଛା ତାଙ୍କର ଶହଶହ ବର୍ଷ ଏ ପୃଥିବୀରେ ବଞ୍ଚତ୍ବେ। ତେବେ ମୃତ୍ୟୁ ତ ଦିନେ ଆସିବ। ସେଥିଲାଗି ତାଙ୍କ ସ୍ବପ୍ନ, ଯେତେବେଳେ ସେ ଆଧ୍ୟାତ୍ମିକ ପରିବେଶରେ ହଜିଯାଇଥିବେ, ତାଙ୍କ ଭିତରେ ବିଭୁ ଚେତନାର ସ୍ଫୁରଣ ଘଟୁଥିବ ସେତେବେଳେ ମୃତ୍ୟୁ ଆସୁ ଆଉ ତାଙ୍କୁ ସ୍ବାଗତ କରୁ। ସେହିଭଳି ସେ ଦିନକ ପାଇଁ ରାଷ୍ଟ୍ରନାୟକ ହେବାକୁ ଚାହାନ୍ତି। କାରଣ, ରାଜନୀତିକୁ ନଷ୍ଟନୀତି କରୁଥିବା ଲୋକମାନଙ୍କୁ ଜ୍ଞାନଦେବା ତାଙ୍କର ଐକାନ୍ତିକ ଇଚ୍ଛା। -ରାଜେନ୍ଦ୍ର ରାଉଳ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri