ପ୍ରଥମ ରୋଜଗାର : ବୋଉକୁ ୨୦୦ ଟଙ୍କା ଦେଇଥିଲି


ଶିକ୍ଷାବିତ୍‌ ତଥା ଐତିହାସିକ ଲେଖକ ସତ୍ୟବାଦୀ ବଳିଆରସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଜନ୍ମ ମୋର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଗଡ଼ବାଣିକିଲୋ ଗାଁରେ ୧୯୫୦ ମସିହାରେ। ଗଡ଼ବାଣିକିଲୋ ହେଉଛି ଶହୀଦ ଦିବାକର ପରିଡ଼ାଙ୍କ ଗାଁ। ମୁଁ ତାଙ୍କର ସମ୍ପର୍କୀୟ ପୁତୁରା। ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟରୁ ୧୯୬୭ରେ ଏକାଦଶ ପାସ୍‌ କରିବା ପରେ ପୁରୀ ଏସ୍‌ସିଏସ୍‌ କଲେଜରୁ ଡିଗ୍ରୀ ହାସଲ କରିଥିଲି। ତା’ପରେ ବାଣୀବିହାରରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍‌ କରି ୧୯୭୩ ମସିହାରେ ଗଡ଼ବାଣିକିଲୋ ଉଚ୍ଚବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଲି। ଦରମା ମିଳିଲା ୨୮୦ ଟଙ୍କା। ଘରେ ଆମେ ତିନି ଭାଇ ଓ ଦୁଇ ଭଉଣୀ ଭିତରେ ମୁଁ ଥିଲି ବଡ଼। କିନ୍ତୁ ପରିବାରର ଚଳଣି ଭଲ ଥିଲା। ତେଣୁ ମୋ ଉପରେ କିଛି ଦାୟିତ୍ୱ ନ ଥିଲା। ତଥାପି ମୁଁ ମୋ ପ୍ରଥମ ପାରିଶ୍ରମିକରୁ ୮୦ ଟଙ୍କା ନିଜ ପାଖେ ରଖି ବାକି ୨୦୦ ଟଙ୍କା ବୋଉକୁ ଦେଇ ଦେଇଥିଲି। ଏହି ସ୍କୁଲରେ ମୁଁ ୪ ବର୍ଷ ରହିଲି। ତା’ ଭିତରେ ପ୍ରାଇଭେଟ୍‌ରେ ବି.ଇଡି ସାରି ଦେଇଥିଲି। ଏହାପରେ ମୁଁ ନାରାୟଣୀପଡ଼ା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲି। ୪ବର୍ଷ ପରେ ଗୋଡ଼ିକିଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଯାଇ ସେଠି ବି ୧୧ ବର୍ଷ ପ୍ରଧାନ ଶିକ୍ଷକ ଭାବେ କାମ କଲି। ତା’ପରେ ବୋଲଗଡ଼ ବ୍ଲକକୁ ସ୍କୁଲ ସବ୍‌ଇନ୍ସପେକ୍ଟର ହୋଇ ଆସିଲି। ୪ ବର୍ଷ ପରେ ଖୋର୍ଦ୍ଧାକୁ ବଦଳି ହୋଇ ସେଠି ବି ୪ ବର୍ଷ ସ୍କୁଲ ସବ୍‌ଇନ୍ସପେକ୍ଟର ଭାବେ କାମ କଲି। ତା’ପରେ ଚିଲିକା-ବାଣପୁର ବ୍ଲକ ନନ୍‌ଫର୍ମାଲ ଏଜୁକେଶନର କୋ-ଅର୍ଡିନେଟର ଭାବେ ୨ ବର୍ଷ ଦାୟିତ୍ୱ ତୁଲାଇ ପୁଣି ଖୋର୍ଦ୍ଧାକୁ ସ୍କୁଲ ସବ୍‌ଇନ୍ସପେକ୍ଟର ଭାବେ ଆସି ୨୦୦୮ରେ ଚାକିରିରୁ ଅବସର ନେଇଥିଲି। ଚାକିରି ଜୀବନ ବାଦେ ଜଣେ ଐତିହାସିକ ଲେଖକ ଭାବେ ମଧ୍ୟ ମୋର ନାଁ ରହିଛି। ୟା’ ଭିତରେ ଶହୀଦ ରଘୁ-ଦିବାକର, ରଣପୁର ବିଦ୍ରୋହ, ରଣପୁର ଇତିହାସ, ଜାତୀୟ ପତାକା, ଲାଲ୍‌ ମାଟିର କବିତା ସଙ୍କଳନ, ନିର୍ବାଚନ ଖୋର୍ଦ୍ଧା ଜିଲା, ପର୍ଯ୍ୟଟନରେ ଓଡ଼ିଶାର ଶାକ୍ତ ଓ ଶୈବପୀଠ ଆଦି ବହି ମୋର ପ୍ରକାଶ ହୋଇସାରିଲାଣି। ସେହିପରି ପ୍ରାୟ ୫୦୦ ଊର୍ଦ୍ଧ୍ୱ ସ୍ତମ୍ଭ ବି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଲାଣି। ମୁଁ ମୁଖ୍ୟତଃ ଇତିହାସ ସମ୍ବନ୍ଧୀୟ ଲେଖା ଲେଖିଥାଏ। ଏବେ ବି ଏହି ଧାରା ମୋର ଜାରି ରହିଛି। ତା’ଛଡ଼ା ଖୋର୍ଦ୍ଧା ବିଷୁବ ମିଳନ ସମିତି, କୋଣାର୍କ ସାହିତ୍ୟ ସଂସଦ ପରି ଅନେକ ସାହିତ୍ୟ ସଂଗଠନ ସହ ମଧ୍ୟ ମୁଁ ଜଡ଼ିତ। ଏପରି କି ଆମରି ସତ୍ୟ ନାମକ ଏକ ମାଗାଜିନ୍‌ର ମୁଁ ସହଯୋଗୀ ସମ୍ପାଦକ ବି ଅଛି। ଏସବୁ ବ୍ୟତୀତ ଅନେକ ସମାଜମଙ୍ଗଳ କାର୍ଯ୍ୟ ସହିତ ମଧ୍ୟ ସଂଶ୍ଳିଷ୍ଟ। ଯେମିତିକି ଆମ ଗାଁ ଗଡ଼ବାଣିକିଲୋରେ ଗ୍ରାମ୍ୟବ୍ୟାଙ୍କ ଖୋଲିବା, ଯୁକ୍ତ ଦୁଇ କଲେଜ ଖୋଲିବା, ଶହୀଦ ରଘୁ-ଦିବାକର ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିବାରେ ମୁଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲି। ସେହିପରି ଚାକିରି କାଳ ଭିତରେ ସରକାରୀ ଅନୁମତିକ୍ରମେ ଅନେକ ସ୍କୁଲ ଓ କଲେଜରେ ସଭାପତି ଭାବେ ନିଜର ଦାୟିତ୍ୱ ମଧ୍ୟ ତୁଲାଇଥିଲି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri