ଆଉ ଶୁଭୁନି ଭଜୁକିନା ରାମ ନାମରେ...


ଭଜୁ କି ନା ରାମ ନାମରେ କୁମର

ଭଜୁ କି ନା ରାମ ନାମ

ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ

ବାନ୍ଧିନେବ କାଳ ଯମ।

ଏହି ଗୀତର ହୃଦୟସ୍ପର୍ଶୀ ସ୍ବର ସହ ତାଳଦେଇ ଯୋଗୀ କେନ୍ଦରା ବଜାଇ ସାହିରେ ବୁଲୁଥିବା ବେଳେ ଗାଁରେ ନିଆରା ପରିବେଶ ସୃଷ୍ଟି କରିଥାଏ। ଉକ୍ତ ଗୀତରେ, କରୁଣ କାହାଣୀର କିମ୍ବଦନ୍ତୀ ଓ ବୈରାଗ ଭାବନା ସାଂସାରିକ ଜଞ୍ଜାଳରୁ ଦୂରେଇ ଈଶ୍ୱର ପ୍ରାପ୍ତିର ମାର୍ଗକୁ ଖୋଜିବାର ପ୍ରୟାସ କରିଥାଏ। ଏହା ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ। ଦିନଥିଲା, ଯୋଗୀମାନେ ଦୁଆର ଦୁଆର ବୁଲି ଏହି ଗୀତ ଗାଇ ଧର୍ମଭିକ୍ଷା କରୁଥିଲେ। କିନ୍ତୁ ଆଜିକାଲି ଗାଁ ଗହଳିର ପୁରପଲ୍ଲୀରେ ଏମାନଙ୍କ ବୃତ୍ତିକୁ ନେଇ ଅନେକଙ୍କ ମଧ୍ୟରେ ଅନାଗ୍ରହ ସୃଷ୍ଟି ହୋଇଛି। କେତେଜଣ ହାତଗଣତି ଯୋଗୀ ପରିବାର ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଏହା ଆମ ସଂସ୍କୃତି ଓ ଚଳଣି ସହିତ ସାମିଲ ହୋଇ ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗୀ ପରମ୍ପରାର କାହାଣୀ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। କିନ୍ତୁ ବର୍ଷର ସବୁ ସମୟ ଅପେକ୍ଷା କାର୍ତ୍ତିକ ମାସରେ ଏମାନେ ମାନସିକଧାରୀ ଶିଷ୍ୟଙ୍କୁ ଧରି ଗାଁ ଗାଁ ବୁଲି ଗୀତ ବୋଲୁଥିବାର ଦେଖିବାକୁ ମିଳେ।

ପୁରାଣ ଓ ଲୋକକଥା:

ପୁରାଣ କଥା ଓ ଜନଶ୍ରୁତିରୁ ଜଣାପଡ଼େ, ଶିବ ପୁରାଣ ଅନୁସାରେ ଶିବଙ୍କ ଦ୍ୱାରା ଅବଧୂତ ସୃଷ୍ଟି। ଏହି ଅବଧୂତଙ୍କ ୪ ସନ୍ତାନ। ଗୋରେଖ, ନଗେନ୍ଦ୍ର, ନଚେନ୍ଦ୍ର ଓ ମଶ୍ଚେନ୍ଦ୍ର । ସେମାନଙ୍କର ହେଲା ୪ ସଂପ୍ରଦାୟ। । ଗୋରେଖଙ୍କଠାରୁ ନାଥ ସଂପ୍ରଦାୟର ଉପତ୍ତ୍ତି। ଗୋରେଖଙ୍କ ୪ ପୁତ୍ର। ଗିରି, ପୁରି, ଭାରତୀ ଓ ସନ୍ନ୍ୟାସୀ। ସନ୍ନ୍ୟାସୀ ହେଲେ ଜ୍ୟେଷ୍ଠ। ସନ୍ନ୍ୟାସୀଙ୍କଠାରୁ ଯୋଗୀ ବଂଶ ଉପତ୍ତ୍ତି।

ବେଶଭୂଷା:

ପୁରାଣ କଥା ଅନୁସାରେ ଆନ୍ଦ୍ର ଅର୍ଥାତ୍‌ କୌପିନ, କମଟି, ଓଢ଼ଣୀ ବା ପଗଡ଼ି, ଉତ୍ତରୀୟ, ଅମରମୁଣି (ଶିବ ଦାନ କରିଥିଲେ), ମାଳା, କପାଳିକା ବା ରୁଦ୍ରାକ୍ଷ, ତିଳକ, ଭସ୍ମ ବା ବିଭୂତି, ଚର୍ମର ଗ୍ରନ୍ଥିକା, ଆଶାବାଡି ବା ମହାଶୂଳ, ଲାଉ ଥାଳ ବା ତାମ୍ର ପାତ୍ର ଆଦି ସାମଗ୍ରୀ ପାଖରେ ରଖି ଯୋଗୀଙ୍କ ବେଶଭୂଷାରେ ସଜ୍ଜିତ ହୋଇଥାଆନ୍ତି।

ଯୋଗୀଙ୍କ ପାରମ୍ପରିକ ଚଳଣି:

ଯୋଗୀମାନଙ୍କର ବୃତ୍ତି ହେଉଛି ଧର୍ମଭିକ୍ଷା କରିବା । ଏହା ଭିନ୍ନ ପ୍ରକାରର। ଏମାନେ ଗାଁ ଦାଣ୍ଡରେ ଟୀକା ଗୋବିନ୍ଦଚନ୍ଦ୍ର ଗୀତ ଗାନ କରି ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ସମୟରେ ଯେଉଁମାନେ ଯାହା କିଛି ଭିକ୍ଷା ଦେବେ ତାହା ଗ୍ରହଣ କରଥାନ୍ତି। ଏଥିସହ ମାନସିକଧାରୀଙ୍କଠାରୁ ଭିକ୍ଷା ନେବା ସହ ଧ୍ୟାନ, ଯୋଗ, ସତ୍ୟ, ଧର୍ମ ପ୍ରଚାର କରି କେବଳ ଉଦର ପୋଷିବା ପାଇଁ ଭିକ୍ଷୁକଧର୍ମ ପାଳନ କରିଥାନ୍ତି। ପ୍ରଥମେ ୧୨ ଘରୁ ଭିକ୍ଷା କରିବେ, ଆବଶ୍ୟକ ବେଳେ ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲି ଭିକ୍ଷା କରିଥାନ୍ତି। ଏମାନଙ୍କ ମଧ୍ୟରେ କୌଣସି ସମସ୍ୟା ଉପୁଜିଲେ ନିଜ କୁଳ ଲୋକଙ୍କ ଦ୍ୱାରା ବିଚାର କରି ତାର ସମାଧାନ କରିଥାଆନ୍ତି।

ପର୍ବପର୍ବାଣି:

ଯୋଗୀ ସମ୍ପ୍ରଦାୟଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଶିବ। ଜାଗର ହେଉଛି ମୁଖ୍ୟ ପର୍ବ । ଏହି ଦିନ ଏମାନେ ଉଜାଗର ରହି ନିଷ୍ଠାର ସହ ଶିବ ଉପାସନା କରିଥାନ୍ତି। ଯୋଗୀମାନେ ବିଭିନ୍ନ ସମୟରେ ଗୋରେଖନାଥ, କପିଳାସ ଆଦି ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି। ପ୍ରତ୍ୟେକ ଯୋଗୀ ପରିବାର ଶିବଙ୍କ ଉପାସନା କରିଥାନ୍ତି। ରାତ୍ରରେ ଦୀପ ଜଳାନ୍ତି। ସମସ୍ତଙ୍କ ଘରେ ମାଲସା ଭୋଗ ଓ ପଣା ହୁଏ। ପଣା ସଂକ୍ରାନ୍ତି ଦିନ ଶିବଙ୍କ ଆୟୁଧ ତ୍ରିଶୂଳ, ଶଙ୍ଖ, ଡମ୍ବରୁ, ରୁଦ୍ରାକ୍ଷ ମାଳା, ପ୍ରତ୍ୟେକଙ୍କ ଘରେ ପୂଜା କରାଯାଏ। ତାଙ୍କର ଇଷ୍ଟ ଦେବ ହେଲେ ମହାଦେବ ଓ ଇଷ୍ଟ ଦେବୀ ହେଲେ ମା’ ଦୁର୍ଗା।

ମାନସିକଧାରୀଙ୍କ ଯାଚନା:

କୌଣସି ଦମ୍ପତିଙ୍କ ସନ୍ତାନସନ୍ତତି ନ ହେଲେ ସେମାନେ ଶିବଙ୍କ ପାଖରେ ମାନସିକ ରଖିଥାନ୍ତି । ସନ୍ତାନ ଜନ୍ମପରେ କେହିକେହି ଯୋଗୀ କରିବାକୁ ଇଚ୍ଛା କରିଥାନ୍ତି। ସେହିପରି କେତେକ ପରିବାରରେ ଏକାଧିକ ପିଲାଙ୍କ ମୃତ୍ୟୁ ହୋଇଯିବାରୁ ସେମାନଙ୍କ ମଧ୍ୟରେ ଛନକା ପଶିଯାଏ । ତେଣୁ ଜୀବିତ ପିଲାଙ୍କୁ ଯୋଗୀ କରିବାକୁ ମନାସିଥାନ୍ତି । ତେବେ ସନ୍ତାନଙ୍କୁ ପ୍ରଥମେ ଯୋଗୀଙ୍କୁ ହସ୍ତାନ୍ତର କରାଯାଏ । ତା ପରେ ପୁଣି କିଣି ନିଆଯାଏ । ଏହି ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ଅଛି । ଏହାବାଦ୍‌ କୌଣସି ଲୋକଙ୍କ ମୃତ୍ୟୁ ହେଲେ ବ୍ରାହ୍ମଣ ଓ ଯୋଗୀଙ୍କୁ ଭୋଜନ ଦିଆଯାଏ । ଯୋଗୀଥାଳର ମାହାତ୍ମ୍ୟ ଚାଉଳ, ଡାଲି, ପନିପରିବା ଇତ୍ୟାଦିରେ ଜାତି, ଅଜାତିର ବାଛବିଚାର ନ ଥାଏ । ବିଶ୍ୱାସ ରହିଛି କେହି ଅସୁସ୍ଥ ଥିଲେ ଯୋଗୀ ଥାଳରୁ ହାତଗଣତି ଚାଉଳ କେତୋଟି ନେବା ପାଇଁ ଚାହିଁଥାନ୍ତି । କଥିତ ଅଛି, ଯୋଗୀ ଥାଳରୁ ଅଣାଯାଉଥିବା ଚାଉଳ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଲୋକେ ଏହି ଚାଉଳ ରୋଷେଇ କରି ରୋଗୀଙ୍କୁ ଖାଇବାକୁ ଦେଲେ କୁଆଡେ ଆରୋଗ୍ୟ ଲାଭ ହୁଏ। ଧର୍ମବିଶ୍ୱାସ ରହିଛି, ପରିବାରରେ ପିଲାମାନଙ୍କର ଯେକୌଣସି ରିଷ୍ଟ ଖଣ୍ଡନ ପାଇଁ ମା’ବାପାମାନେ ପିଲାମାନଙ୍କୁ ଶିବଙ୍କୁ ସମର୍ପଣ କରିଦିଅନ୍ତି। ଶିବ ହିଁ ସେମାନଙ୍କର ଗ୍ରହ ରିଷ୍ଟ ଖଣ୍ଡନ କରିଦିଅନ୍ତି। ଯୋଗୀମାନେ ମହାଦେବଙ୍କ ସାକ୍ଷୀ ସ୍ବରୂପ ରହି ପିଲାମାନଙ୍କୁ ଶିବଙ୍କ ନିକଟରୁ ପୁନରାୟ ମୁକୁଳାଇ ଆଣନ୍ତି। ଶିବଙ୍କୁ ସମର୍ପିତ ଦ୍ରବ୍ୟ ଯୋଗୀମାନଙ୍କୁ ଉତ୍ସର୍ଗ କରିଦିଅନ୍ତି। ଯୋଗୀ ହେଉଥିବା ପିଲାକୁ ଗୋରେଖ ମନ୍ତ୍ରରେ ଦୀକ୍ଷିତ କରି ଯୋଗୀ ବେଶ କରାଇ ପୂଜାର୍ଚ୍ଚନା କରି ବାର ଘର କରି ଭିକ୍ଷା କରାନ୍ତି। ଭିକ୍ଷା ହେଉଛି ଦାନର ପ୍ରତୀକ। ସେ ଦାନକୁ କେବଳ ଯୋଗୀମାନେ ହିଁ ଗ୍ରହଣ କରିଥାନ୍ତି। ଏହା ଗୋରେଖନାଥଙ୍କ କଥା ଶୃଙ୍ଖଳି କାବ୍ୟରେ ରହିଅଛି। ମହାପୁରୁଷ ଯଶୋବନ୍ତ ଦାସ ରଚନା କରିଥିବା ପ୍ରସିଦ୍ଧ ପୁରାଣ ‘ଟୀକା ଗୋବିନ୍ଦ ଚନ୍ଦ୍ର’ ଗୀତ ଗାଇ କେନ୍ଦରା ବଜାଇ ଯୋଗୀମାନେ ଗାଁ ଗାଁ ବୁଲି ଭିକ୍ଷା କରନ୍ତି। ଗୋବିନ୍ଦଚନ୍ଦ୍ରଙ୍କ ମାତା ରାଣୀ ମୁକୁତା ଦେବୀ ଗୋରେଖ ନାଥଙ୍କ ଶିଷ୍ୟ ଥିଲେ। ଗୋବିନ୍ଦଚନ୍ଦ୍ର ୨୨ ବର୍ଷ ବୟସରେ ମରିଯିବାର ଆଶଙ୍କା ଥିଲା। ତେଣୁ ତାଙ୍କୁ ସେଥିରୁ ଉଦ୍ଧାର ପାଇଁ ଗୋବିନ୍ଦଚନ୍ଦ୍ରଙ୍କୁ ଗୋରେଖ ମନ୍ତ୍ରରେ ଦୀକ୍ଷିତ କରାଇ ହାଡିପା ଯୋଗୀ କରାଇଥିଲେ। ଏଣୁ ଗୋବିନ୍ଦଚନ୍ଦ୍ର ନିଜର ଅନେଶ୍ୱତ ରାଣୀ, ବିଳାସବ୍ୟସନ ଜୀବନ ଓ ରାଜଗାଦିକୁ ଛାଡ଼ି ଯୋଗୀ ହୋଇଥିଲେ।

ଯୋଗୀଙ୍କ ଗାଁ:

ଜଗତ୍‌ସିଂହପୁର ଜିଲାର ବାଲିକୁଦା, ତିର୍ତ୍ତୋଲ, ବିରିଡ଼ି ଓ କୁଜଙ୍ଗ ବ୍ଲକ ଅଞ୍ଚଳରେ ଶତାଧିକ ଯୋଗୀ ପରିବାର ରହିଛନ୍ତି। ଏହି ଜିଲାର ଖରିପଡ଼ିଆ, ବଣୁଆସାହି, ଗଉଡୁଣୀ ପଡିଆ, ମହାକାଳେଶ୍ୱର, ମହିରା, ସିଙ୍ଗିପୁର, କୋଳଥପାଟଣା, ହାବେଳୀ ଆଦି ଗାଁରେ ଯୋଗୀ ପରିବାର ରହୁଛନ୍ତି । ସେହିପରି ରସଲପୁର, ଢିଅସାହି, ପାଟେଳି ଓ ଖମଙ୍ଗରେ ଅଧିକ ଯୋଗୀ ପରିବାର ରହିଛନ୍ତି। ଅନ୍ୟ ସ୍ଥାନ ମଧ୍ୟରେ ଓ ଚାରିବାଟିଆର ବାଲିକୁଦା ବ୍ଲକ ମଲିକାପୁର, ରଣପୁରରେ ଓ ତିର୍ତ୍ତୋଲରେ ଯୋଗୀ ପରିବାର ଅଛନ୍ତି। ଏହି ନାଥ ବା ଯୋଗୀ ସଂପ୍ରଦାୟର ଲୋକେ ବିରିଡି ବ୍ଲକର ଚାନ୍ଦପୁର ଗ୍ରାମରେ, କୁଳକଇଜଙ୍ଗା, ମଙ୍ଗୁଲି ଓ ରାଣୀପଡାରେ ବାସ କରନ୍ତି। କେନ୍ଦ୍ରାପଡ଼ା ଜିଲାର ଡେରାବିଶ ପଲେଇ ଚାନ୍ଦୋଳ ଅଞ୍ଚଳରେ ଏମାନେ ଅଛନ୍ତି। ପଶ୍ଚିମ ଓଡ଼ିଶାର କେତେକ ଗାଁରେ ଏହି ସଂପ୍ରଦାୟର ଲୋକମାନେ ଟୀକା ଗୋବିନ୍ଦ ଚନ୍ଦ୍ର ଗୀତ ଏବଂ ଅନାନ୍ୟ ପୁରାଣ ଗୀତ ଗାଇବା ସହିତ କେନ୍ଦରା ବଜାଇ ଥାନ୍ତି।ଏହା ବ୍ୟତୀତ ଓଡ଼ିଶାର ଆହୁରି ଅନେକ ଗାଁରେ ଏହି ପରିବାର ରହିଛନ୍ତି । ଯୋଗୀ ପରମ୍ପରା ଏକ କୌଳିକ କାର୍ଯ୍ୟ, ଭିକ୍ଷାବୃତ୍ତି ନୁହେଁ: ନୟାଗଡ଼ ଜିଲାର ଖଣ୍ଡପଡ଼ା ରୋଡ଼ରେ ଗଲେ ଭାପୁର ବ୍ଲକର ଚକ୍ରଧର ପ୍ରସାଦ ଗ୍ରାମପଞ୍ଚାୟତରେ ରହିଛି ଯୋଗୀସାହି। ଏହି ଗାଁର ପୂର୍ବରେ ପୁରୁଣିଆ ପୋଖରୀ, ପଶ୍ଚିମରେ ଜେନାଗାଡ଼ିଆ, ଉତ୍ତରରେ ବେଣାଗାଡ଼ିଆ, ଦକ୍ଷିଣରେ ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର। ଏହି ଗାଁରେ ପ୍ରାୟ ୧୦୦ ପରିବାର ଯୋଗୀ ସମ୍ପ୍ରଦାୟର। ଗାଁର ଅଧିକାଂଶ ପରିବାର ଗରିବ ଶ୍ରେଣୀର। ପ୍ରାୟ ଘର ଚାଳଛପର। ଏହି ଗାଁର ପଙ୍କଜ ଚରଣ ନାଥ କୁହନ୍ତି, ଯୋଗୀ ପରମ୍ପରା ଏକ ଭିକ୍ଷାବୃତ୍ତି ନୁହେଁ। ଆମ ବାପ ଗୋସିବାପ ଅମଳରୁ ଚଳିଆସୁଛୁ। ସକାଳୁ ନିଜର ନିତ୍ୟକର୍ମ ସାରି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଟୀକା ଗୋବିନ୍ଦଚନ୍ଦ୍ର ଗୀତଗାଇ ଧର୍ମଭିକ୍ଷା କରିଥାଉ। ଯେଉଁ ମାନସିକଧାରୀଙ୍କ ପିଲାମାନଙ୍କ ପ୍ରତି ଯୋଗୀ ପାଇଁ ଯାଚନା ରହିଥାଏ ସେମାନଙ୍କୁ ଏକ ତାଲିକା ପ୍ରସ୍ତୁତ କରି ଦେଇଥାଉ। ତା’ ପରେ ଯୋଗୀ ପରମ୍ପରା ଅନୁସାରେ ବିଭିନ୍ନ ପୂଜା ବିଧି ହୁଏ, ତା ପରେ ମାନସିକଧାରୀଙ୍କୁ ଯୋଗୀବେଶ ଧାରଣ କରାଯାଇଥାଏ। ଯୋଗୀ ଭାବେ ଶିଷ୍ୟତ୍ୱ ଗ୍ରହଣ କରୁଥିବା ମାନସିକଧାରୀ ଯୋଗୀଗୁରୁଙ୍କ ସାଥିରେ ବିଭିନ୍ନ ସାହି ଭ୍ରମଣ କରିବା ବେଳେ କାନ୍ଧରେ ଲାଉତୁମ୍ବ ପକାଇ, ହାତରେ କେନ୍ଦରା ବଜାଇ, ଟୀକା ଗୋବିନ୍ଦଚନ୍ଦ୍ର ଗୀତ ବୋଲି ଧର୍ମଭିକ୍ଷା କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ଯୋଗୀଧର୍ମରେ ଭିକ୍ଷାଗ୍ରହଣ କରିଥାଉ। ଏଥିରେ ଧର୍ମ ବିଶ୍ୱାସ ରହିଥାଏ। ମାତ୍ର ଆଜିକାଲି ଏହି ପରମ୍ପରା ଲୋପ ପାଇଲାଣି। ଆମ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଜୀବିକା ନିର୍ବାହ ପାଇଁ ଅନ୍ୟାନ୍ୟ କାଯର୍‌ୟ କରିଥାନ୍ତି। ବାଙ୍କିର ରଗଡ଼ି, ଗର୍ଭଣପଡ଼ା, ଖୋର୍ଦ୍ଧାର ରାଜସୁନାଖଳା, ବାଲିଅନ୍ତା, କାଳୁପଡ଼ାଘାଟ, ମଇନ୍ତିପୁର ଝାମ୍ଫିପୁର ସମେତ ବିଭିନ୍ନ ଗାଁରେ ବି ଯୋଗୀ ସମ୍ପ୍ରଦାୟ ରହିଛନ୍ତି।

କିଛିଦିନ ପାଇଁ ବିଭିନ୍ନ ଗାଁକୁ ଯାଇଥାଉ:

ଜଗତ୍‌ସିଂହପୁର ଜିଲାର ଅନେକ ଗାଁରେ ଯୋଗୀ ପରିବାର ବସବାସ କରୁଛନ୍ତି । ସେମାନଙ୍କ କୌଳିକ ବୃତ୍ତି ମଧ୍ୟ ବଞ୍ଚତ୍ ରହିଛି । ଏହି ଜିଲାର ପଲ୍ଲୀ ପଞ୍ଚାୟତର ମହାକାଳେଶ୍ୱର ଗାଁର ୧୨ ନମ୍ବର ୱାର୍ଡରେ ସମସ୍ତ ପରିବାର ଯୋଗୀ ପରିବାର । ବାବାଜୀ ନାଥ କୁହନ୍ତି, ପୂର୍ବ ପୁରୁଷମାନେ (ପାଖାପାଖି ୪ ପିଢି ପୂର୍ବରୁ) ଖିରବାଟି, କୁଣ୍ଡସରରୁ ଏହି ସ୍ଥାନକୁ ଚାଲି ଆସିଥିଲେ । ସେତେବେଳେ କମ ପରିବାର ଥିଲୁ। ଯୋଗୀମାନଙ୍କର ଜମିବାଡି ନ ଥିଲା । କେବଳ ଘର ଥିଲା । ଗାଁ ଗାଁ ବୁଲି କେନ୍ଦରା ବଜାଇ ଗୀତ ଗାଇ ଧର୍ମଭିକ୍ଷାକରି ଜୀବିକା ନିର୍ବାହ କରିଥାନ୍ତି। ଭୋବନୀ ନାଥ କୁହନ୍ତି, ଗାଁର ଅର୍ଦ୍ଧାଧିକ ପରିବାର ରାଜ୍ୟର ବିଭିନ୍ନ ଜିଲା ସମେତ ପଶ୍ଚିମବଙ୍ଗ ଯାଉଛନ୍ତି ନିଜର ଜୀବିକା ନିର୍ବାହ ପାଇଁ। ଏହା ବ୍ୟତୀତ ଅନେକ ଭାଗଚାଷ ଓ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି । ଗାଁରେ ଅଧିକାଂଶ ଗରିବ ଶ୍ରେଣୀର, କିନ୍ତୁ ଗାଁର ଜଣେ ଯୁବକ ଭାରତୀୟ ସେନା ବାହିନୀରେ ସୈନିକ ଭାବେ ନିଯୁକ୍ତି ପାଇଛନ୍ତି । ସନାତନ ନାଥ କୁହନ୍ତି, ନିକଟରେ ବାହାର ଜିଲାକୁ ଯୋଗୀଧର୍ମର ଭିକ୍ଷା ବୃତ୍ତି ପାଇଁ ଯାଇଥିଲେ । ୮ ଦିନ ପରେ ଫେରିଲେ । ଅତୀତରେ ଯୋଗୀମାନେ ୧୫/୩୦ ଦିନ ବାହାରକୁ ଯାଉଥିଲେ । ଯାହା ଭିକ୍ଷା ସଂଗ୍ରହ ହୁଏ ତାହା ବଜାରରେ ବିକ୍ରିକରି ଏ ବାବଦ ଅର୍ଥ ଧରି ଗାଁକୁ ଫେରୁଥିଲେ । ଏହି ଅର୍ଥ ସରିଗଲା ପରେ ପୁଣି ଭିକ୍ଷା କରିବାକୁ ଯାଉଥିଲେ । ଏହି ଗାଁରେ ହରିନାଥ ଗାଦି, ବୁଢୀ ଠାକୁରାଣୀ ଓ ରାହାସ ଗୋସେଇଁଙ୍କ ପୀଠ ରହିଛି। ଗାଁର ଅନେକ ଅଭାବ ଅସୁବିଧା ରହିଛି।

ଯୋଗୀମାନେ ଧର୍ମବାଣୀ ଓ ଜ୍ଞାନମାର୍ଗର ପ୍ରଚାରକ:

ଯୋଗୀମାନେ ଗ୍ରାମ ଗ୍ରାମ ବୁଲି କେନ୍ଦରା ବଜାଇ ଭିକ୍ଷା କରିଥାନ୍ତି। କେନ୍ଦରାର ସୁର ସହିତ ବଙ୍ଗଳାଶ୍ରୀ ରାଗରେ ଟୀକା ଗୋବିନ୍ଦ ଚନ୍ଦ୍ର ଗାନ କରିଥାନ୍ତି। ଏମାନେ ଆଧ୍ୟାତ୍ମିକତା, ଧର୍ମବାଣୀ ଓ ଜ୍ଞାନ ମାର୍ଗ, ଅନିତ୍ୟ ସଂସାରରେ ଆଧ୍ୟାତ୍ମିକତାର ସାରମର୍ମ ପ୍ରଚାର କରିଥାନ୍ତି । ଏଥିରେ ଭାଗବତ ପ୍ରାପ୍ତି ସହିତ ଲୋଭ ପରିହାର ଓ ଦାନ କରିବା ଭଳି ମହତ୍‌ ଗୁଣରେ ଅନୁପ୍ରାଣିତ ପାଇଁ ଯୋଗୀ ଗୀତ ମାଧ୍ୟମରେ ପ୍ରଚାର କରିଥାନ୍ତି। ସୁତରାଂ ଟୀକା ଗୋବିନ୍ଦ ଚନ୍ଦ୍ର ରାଜା ହୋଇ ମଧ୍ୟ ନିଜର ରାଣୀ, ରାଜବାଟୀ ଆଦି ରାଜ ଶାସନ ଛାଡି ଯୋଗୀ ହୋଇଯାଇଥିଲେ । ଏହି ପରମ୍ପରାକୁ ବଜାୟ ରଖିଛନ୍ତି ଖୋର୍ଦ୍ଧା ଜିଲାର ବୋଲଗଡ ବ୍ଲକର ଅସରଳା, ପୁଆଣିଆ ଆଦି ଗ୍ରାମରେ ଥିବା କେତେକ ପରିବାର। ଏହି ଗ୍ରାମର ନିଜକୁ କାଳନ୍ଦୀ ବୈଷ୍ଣବ ବୋଲି ଦାବି କରୁଥିବା ଭରତ ଦାସ କୁହନ୍ତି, ଯୋଗୀ ପରମ୍ପରାକୁ ଜୀବନର ବ୍ରତ ଭାବେ ବାଛି ନେଇଛି। ପ୍ରତିଦିନ ଯୋଗୀ ବେଶ ହୋଇ ବେକରେ ମାଳି, ହାତରେ ଲାଉ ତୁମ୍ବା ଧର ଟୀକା ଗୋବିନ୍ଦ ଚନ୍ଦ୍ର ଗୀତକୁ ମୁଖରେ ଗାନ କରି ଗ୍ରାମ ଗ୍ରାମ ବୁଲିଥାଏ। କେନ୍ଦରାର ସ୍ବର ସାଙ୍ଗକୁ ଟୀକା ଗୋବିନ୍ଦଚନ୍ଦ୍ର ଗୀତ ଶୁଣିବା ମାତ୍ରେ ଲୋକେ ତାଙ୍କୁ ଭିକ୍ଷାଦାନ କରିଥାନ୍ତି । ଅନ୍ୟପକ୍ଷେ କାହାରି ପୁତ୍ରଙ୍କର ରିଷ୍ଟ ଖଣ୍ଡନ ପାଇଁ ଯୋଗୀଙ୍କୁ ଦାନ କରିବା ପାଇଁ ମାନସିକ କରିଥାନ୍ତି । ଏହି ଯୋଗୀମାନେ ସେହି ମାନସିକଧାରୀ ପିତା ମାତାଙ୍କର ପୁତ୍ର ମାନଙ୍କୁ ଯୋଗୀ ଦୀକ୍ଷା ଦେଇଥାନ୍ତି। ଅସରଳା ଗ୍ରାମର କୁହନ୍ତି, ଯୋଗୀ କାର୍ଯ୍ୟ କରି ଟୀକା ଗୋବିନ୍ଦ ଚନ୍ଦ୍ରଙ୍କ ଆଦର୍ଶକୁ ପ୍ରଚାର କରି ନିଜର କୌଳିକତା ବଂଚାଇ ରଖିବା ଆମ ସଂପ୍ରଦାୟର କାର୍ଯ୍ୟ ହୋଇଆସୁଥିଲା । ଏଥିରେ ଆମେ ପରିବାର ପୋଷୁଥିଲୁ । ମାତ୍ର ଦିନକୁ ଦିନ ଏହି ପରମ୍ପରା ଲୋପ ପାଇଲାଣି।

ସାମ୍ପ୍ରତିକ ପରିସ୍ଥିତିରେ ଯୋଗୀ ପରମ୍ପରା:

ଏ ସମ୍ବନ୍ଧରେ ଜଗତ୍‌ସିଂହପୁର ଜିଲାର ବିରିଡ଼ି ବ୍ଲକ ଚାନ୍ଦପୁର ଗ୍ରାମର ନାରାୟଣ ନାଥ, ଦ୍ୱିଜବର ନାଥ, ଗଣେଶ ନାଥ ଓ ବେଣୁଧର ନାଥ କୁହନ୍ତି, ବର୍ତ୍ତମାନର ପିଲାମାନେ ଆମ ସଂପ୍ରଦାୟର ରୀତିନୀତି କର୍ମ କରିବାକୁ ନାରାଜ। ଆମ ପିଢି ପରେ ଆଉ ଏ ପରମ୍ପରା ଦେଖିବାକୁ ମିଳିବ ନାହିଁ। ବର୍ତ୍ତମାନ ଆଧୁନିକ ଓ ବିଜ୍ଞାନ ଯୁଗରେ ପିଲାମାନେ ପାଠ ପଢି ଚାକିରି କରି ପରିବାର ପ୍ରତିପୋଷଣ କରିବାକୁ ବସିଛନ୍ତି। ତେବେ ଗୋରେଖନାଥଙ୍କ ସ୍ମୃତି ସ୍ବରୂପ ଦ୍ୱିଜବର ନାଥ ତାଙ୍କ ଘର ପାଖରେ ଥିବା ବେଲ, ଅଶ୍ୱତ୍‌ଥ, ଲିମ୍ବ ଓ ସାହାଡା ବୃକ୍ଷମୂଳେ ଗୋରେଖଙ୍କ ଫଟୋ ରଖି ତାଙ୍କ ଆଜ୍ଞାମାଳ ଆଣି ପୂଜା କରୁଛନ୍ତି। ମାତ୍ର ଆଗାମୀ ଦିନରେ ଏହି ପରମ୍ପରାକୁ ବଞ୍ଚାଇ ରଖିବାରେ ଆଶଙ୍କା ଉପୁଜିଛି।

-ବନବିହାରୀ ବେହେରା, ପ୍ରମୋଦ କୁମାର ନାୟକ, ପ୍ରଶାନ୍ତ କୁମାର ରାଉତ, ମନୋରଞ୍ଜନ ମିଶ୍ର



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri