କଲେଜ ଖଟି: ଭବିଷ୍ୟତ ଯୋଜନାକୁ ନେଇ ଅଧିକ ଚର୍ଚ୍ଚା


ନିକଟରେ ସରିଛି ସେମିଷ୍ଟର। ତେଣୁ କିଛିଦିନ ପରୀକ୍ଷା ଟେନ୍‌ଶନ୍‌ରୁ ମୁକ୍ତି। ଆଉ ଏମିତିରେ ସାଙ୍ଗମାନଙ୍କ ସହ କିଛି ସମୟ କଥା ହେବାର ସୁଯୋଗ ନେବାକୁ ପଛାଉ ନାହାନ୍ତି ଏମାନେ। କେତେବେଳେ ଶୀତଦିନ ଆଗମନରେ କିଭଳି ଷ୍ଟାଇଲିସ୍‌ ଓ୍ବିଣ୍ଟର କଲେକ୍ସନ ବାଛିବା ହେଉ କିମ୍ବା ବଡି କେୟାରକୁ ନେଇ ପରସ୍ପରକୁ ଟିପ୍ସ ଦେଉଛନ୍ତି ତ ପୁଣି କେତେବେଳେ ସିରିଏଲ୍‌, ରିଆଲିଟି ଶୋ, ଫିଲ୍ମ ଦେଖାଠୁ ନେଇ କଥା ପହଞ୍ଚୁଛି ଫେବରାଇଟ୍‌ ଫୁଡ୍‌ ଯାଏ। ତେବେ ଏସବୁ ଭିତରେ ଭବିଷ୍ୟତରେ କେଉଁ କ୍ଷେତ୍ରରେ ଯୋଗଦେବାର ଲକ୍ଷ୍ୟ ରହିଛି ତାକୁ ନେଇ ବି ଚର୍ଚ୍ଚା ଜୋର ଧରୁଛି। ଏହା ହେଉଛି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ଚାଲିଥିବା କେତେଜଣ ଛାତ୍ରୀଙ୍କ ଖଟିର ଦୃଶ୍ୟ। ଜ୍ୟୋତ୍ସ୍ନାରାଣୀ ପଲାଇ କୁହନ୍ତି, ବଡ ଭାଇ ଜଣେ ଶିକ୍ଷକ ହୋଇଥିବାରୁ ତାଙ୍କୁ ନିଜର ଆଦର୍ଶ ଭାବି ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ହେବା ଲକ୍ଷ୍ୟ ରଖିଛି। ଯୁକ୍ତ ତିନି ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ପିଜି କରିବା ପରେ ଏମଫିଏଲ୍‌ ଏବଂ ପିଏଚଡି କରିବାର ଲକ୍ଷ୍ୟ ରଖିଥିବା କୁହନ୍ତି। ଏହା ଶୁଣି ଚିନ୍ମୟୀ ମହାପାତ୍ର ମଧ୍ୟ ସମାନ ପ୍ରଫେଶନ ପ୍ରତି ଦୁର୍ବଳତା ଥିବା ପ୍ରକାଶ କରନ୍ତି। ତାଙ୍କ ମତରେ ଏହା ଏକ ସମ୍ମାନଜନକ ଚାକିରି। ନିଜ ଜୀବନରେ ବହୁ ଆଦର୍ଶ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସଂସ୍ପର୍ଶରେ ଆସିଛି ଏବଂ ଯାହାଙ୍କ ମାର୍ଗଦର୍ଶନ, ପ୍ରେରଣା ମୋ ଲାଗି ବରଦାନ ସଦୃଶ ବୋଲି ସେ ବ୍ୟକ୍ତ କରନ୍ତି। ଏଣୁ ଭବିଷ୍ୟତରେ ନିଶ୍ଚୟ ବିିଏଡ କରି ଶିକ୍ଷୟିତ୍ରୀ ହେବାକୁ ଚେଷ୍ଟା କରିବି ବୋଲି ସେ ମତ ଦିଅନ୍ତି। ତେବେ ଏମାନଙ୍କ କଥା ଶୁଣି ଅନ୍ୟମାନେ ମଧ୍ୟ ଏଥିରେ ସମର୍ଥନ କରିବା ପୂର୍ବକ ଶିକ୍ଷକ ହେଉଛନ୍ତି ସମାଜ ପଥପ୍ରଦର୍ଶକ। ଜଣେ ଆଦର୍ଶ ଶିକ୍ଷକଙ୍କ ପ୍ରେରଣାରେ ବହୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଜୀବନ ଗଠନ ହୋଇଥାଏ। ଶୃଙ୍ଖଳିତ, ଚରିତ୍ର ସମ୍ପନ୍ନ ଛାତ୍ରୀଛାତ୍ର ଗଠନରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଭୂମିକା ଅପରିହାର୍ଯ୍ୟ ଆଦି ମତ ଦିଅନ୍ତି। ଯଦିଓ ଏହା ଭଲ ପ୍ରଫେଶନ୍‌ ହେଲେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର ଗଢି ଜଣେ ସଫଳ ବ୍ୟାଙ୍କ ମ୍ୟାନେଜର ହେବି ବୋଲି କୁହନ୍ତି ଗାୟତ୍ରୀ ରଥ। ଏଥିରେ ନିଜ ପରିବାରର ମଧ୍ୟ ସମର୍ଥନ ରହିଛି। ଯୁକ୍ତି ତିନି ସରିବା ପରେ ବ୍ୟାଙ୍କିଙ୍ଗ୍‌ ଲାଗି କୋଚିଙ୍ଗ ନେବାର ଯୋଜନା କରିଛି ବୋଲି ସେ ପ୍ରକାଶ କରନ୍ତି। ବର୍ତ୍ତମାନ ସମୟରେ ସଫ୍ଟଓ୍ବେର କ୍ଷେତ୍ର ପ୍ରତି ଥିବା ସର୍ବାଧିକ ଡିମାଣ୍ଡକୁ ଆଖି ଆଗରେ ରଖି ଏଥିରେ କ୍ୟାରିୟର ଗଢିବାର ଆଶା ରଖିିଥିବା ବ୍ୟକ୍ତ କରନ୍ତି ବିଜୟଲକ୍ଷ୍ମୀ ପାଢୀ। ଯୁକ୍ତ ତିନି ପରେ ଭୁବନେଶ୍ୱରର କୌଣସି ଏକ ଘରୋଇ କଲେଜରେ କମ୍ପ୍ୟୁଟର ସାଇନ୍ସ କୋର୍ସ କରିବି ବୋଲି ସେ ସାଙ୍ଗମାନଙ୍କ ସମ୍ମୁଖରେ ପ୍ରକାଶ କରନ୍ତି। ଏଭଳି ଭବିଷ୍ୟତ ଯୋଜନା ବ୍ୟତୀତ କିଛି ଭିନ୍ନ କରିବାର ଲକ୍ଷ୍ୟ ରହିଥିବା କୁହନ୍ତି ସୁମିତ୍ରା ପଣ୍ଡା। ତାଙ୍କ ମତରେ ସେବାରେ ଆତ୍ମସନ୍ତୋଷ ରହିଛି। ତାହା ମନୁଷ୍ୟର ହେଉ ବା ପଶୁର। ଏହା ଦ୍ୱାରା ଜୀବ ପ୍ରତି ସମର୍ପଣ ଭାବ ଜାଗ୍ରତ ହୋଇଥାଏ। ତା’ଛଡା ସ୍କୁଲ ସମୟରୁ ପିଲାଙ୍କୁ ନେଇ ବଗିଚା କାମ, ଚାରାରୋପଣ ଆଦି କାର୍ଯ୍ୟ କରିଆସୁଛି। ତେଣୁ ଏଠାରୁ ପାଠ ପଢା ସାରି ସୋସିଓଲୋଜିରେ ପିଜି ସମାପ୍ତ କରି ନିଜର ଏକ ଏନଜିଓ ସଂସ୍ଥା ଗଠନ କରି ସମାଜସେବା କରିବି ବୋଲି ସେ ପ୍ରକାଶ କରନ୍ତି। ତେବେ ଏସବୁ ଆଲୋଚନା ଶୁଣି ଶେଷରେ ନିଜ ଲକ୍ଷ୍ୟ ସମ୍ପର୍କରେ ମୁହଁ ଖୋଲନ୍ତି ବର୍ଷା ସାହୁ। ଆଉ ଭବିଷ୍ୟତରେ ଜଣେ ସଫଳ ରାଜନେତା ହେବାର ଆଶା ରହିଥିବା ସାଙ୍ଗମାନଙ୍କୁ ଜଣାନ୍ତି। ସେଥିପାଇଁ କଲେଜରୁ ହିଁ ମୋର ରାଜନୀତି କ୍ୟାରିୟର ଆରମ୍ଭ କରିଛି ବୋଲି କୁହନ୍ତି। ରାଜନୀତି କ୍ଷେତ୍ରରେ ଭାରତବର୍ଷ ବହୁ ପ୍ରତିଷ୍ଠିତ ମହିଳା ରାଜନେତାଙ୍କ ଲାଇଫ୍‌ଷ୍ଟାଇଲକୁ ନିତ୍ୟ ଅନୁଧ୍ୟାନ କରୁଥିବା ସେ ପ୍ରକାଶ କରନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri