କୁହୁଡିରେ...


ଥଣ୍ଡା ଥଣ୍ଡା ଶୀତୁଆ ସକାଳେ ବାୟୁମଣ୍ଡଳରେ ଆଚ୍ଛାଦିତ ଘନ କୁହୁଡି ଫାଙ୍କରୁ ଝାପ୍ସା ସୂର୍ଯ୍ୟାଲୋକର ଦୃଶ୍ୟ କାହାକୁ ବା ଭଲ ନ ଲାଗେ। ହେଲେ ଅପରପକ୍ଷେ ଏହି କୁହୁଡି ଯୋଗୁ ଜରୁରୀ କାର୍ଯ୍ୟ ଲାଗି ଗାଡିମୋଟର ଯାତାୟାତ ହୋଇଯାଏ ମୁସ୍କିଲ। ଏମିତିକି ଏଥିପାଇଁ ବଢିଥାଏ ଦୁର୍ଘଟଣା...

ଶୀତଦିନେ କୁହୁଡି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେବା ସହ ଭୂପୃଷ୍ଠ ଓ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁ ଜଳୀୟ ବାସ୍ପ ସହ ଧୂଆଁ, ଧୂଳି ମିଶି ଘନ କୁହୁଡି ସୃଷ୍ଟି ହେଉଛି। ଯାହାକି ଅସ୍ବାଭାବିକ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହୁଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ କାର୍ଯ୍ୟ ଲାଗି ବାହାରକୁ ଗାଡିମୋଟର ଯୋଗେ ଯିବା କଷ୍ଟ କର ହୋଇପଡୁଛି। ପାଠ ପଢା, ଜବ୍‌ ଲାଗି ବାହାରକୁ ଯାଉଥିବା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଘନ କୁହୁଡି ଯୋଗୁ ସଡ଼କ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଆମ ଦେଶରେ ସବୁ ରାଜ୍ୟ ତୁଳନାରେ ରାଜଧାନୀ ଦିଲୀରେ କୁହୁଡି ଜନିତ ଦୁର୍ଘଟଣା ସର୍ବାଧିକ। ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡିକ ମଧ୍ୟରେ ଦଲ୍ଲୀ ମଧ୍ୟ ରହିଛି, ଅର୍ଥାତ୍‌ ଏଠାରେ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଥିବା ଧୂଆଁ, ଧୂଳି ଆଦି ମିଶି ଘନ କୁହୁଡି ସୃଷ୍ଟି କରୁଛି। ଆଉ ଏଥିପାଇଁ ଏଠାରେ ଦୁର୍ଘଟଣା ହାର ବି ଅଧିକ। ତେବେ କୁହୁଡି ସମୟରେ ଯାନବାହନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କେତୋଟି ବିଷୟ ପ୍ରତି ସଜାଗ ହେବା ନିହାତି ଜରୁରୀ। ଜାଣି ରଖନ୍ତୁ ସେ ସମ୍ପର୍କରେ...

- ସକାଳ ଏବଂ ସନ୍ଧ୍ୟା ସମୟରେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ଲୋକାଲ ଓ୍ବେଦର କଣ୍ଡିଶନ୍‌ ବା ସ୍ଥାନୀୟ ପାଣିପାଗ ସ୍ଥିତି ଜାଣି ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଯଥା ସମୟରେ ବାହାରକୁ ବାହାରିବା ସହଜ ହେବ।

- କୁହୁଡିରେ ଗାଡି ଚଲାଉଥିଲେ ସର୍ବପ୍ରଥମେ ଷ୍ପିଡ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଆଗରେ ଯାଉଥିବା ଗାଡିଗୁଡିକ ଠାରୁ ଆବଶ୍ୟକ ଦୂରତା ରକ୍ଷା କରନ୍ତୁ।

- ଅଧିକ କୁହୁଡିରେ ସକାଳ ସମୟରେ ବି ସୂର୍ଯ୍ୟ କିରଣ ଢାଙ୍କି ହୋଇ ରାସ୍ତାଘାଟ ଅନ୍ଧିରିଆ ଲାଗିଥାଏ। ତେଣୁ ଗାଡି ଚଲାଇବା ସମୟରେ ଦୁର୍ଘଟଣାଠାରୁ ଦୂରେଇ ରହିବା ଲାଗି ଲାଇଟ୍‌ ଦେବାକୁ ଆଦୌ ଭୁଲନ୍ତୁ ନାହିଁ। କାର୍‌ରେ ଏବଂ ଅନେକ ବାଇକ୍‌ରେ ମଧ୍ୟ ଏଥିପାଇଁ ଥିବା ସ୍ପେଶାଲ୍‌ ଫଗ୍‌ ଲାଇଟ୍‌ ବ୍ୟବହାର କରନ୍ତୁ।

- ଘନ କୁହୁଡି ଥିଲେ ଲାଇଟ୍‌ ସହ ହର୍ନ ମଧ୍ୟ ବ୍ୟବହାର କରନ୍ତୁ। ବିଶେଷ କରି ଟର୍ନିଂ ବା ବୁଲାଣି ସ୍ଥାନରେ ଗାଡି ଧୀରେ ଚଲାନ୍ତୁ ଏବଂ ଲମ୍ବା ହର୍ନ ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ସାମନ୍ୟ ଅସର୍ତକତା ଯୋଗୁ ଦୁର୍ଘଟଣା ହେବାର ଆଶଙ୍କା ବେଶି।

- ସାଧାରଣତଃ କୁହୁଡିରେ ରାସ୍ତା ଦେଖାଯିବା ମୁସ୍କିଲ। ଆଉ ଏମିତିରେ ବାଇକ୍‌ରେ ଯିବା ସମୟରେ କହୁଡି ଲାଗି ହେଲ୍‌ମେଟ୍‌ ଗ୍ଲାସ୍‌ ଅଧିକ ଅସ୍ପଷ୍ଟ ହୋଇଯାଏ ଏବଂ ରାସ୍ତା ଦେଖିବା କଷ୍ଟ ହୁଏ। ତେଣୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ମଝିରେ ମଝିରେ ଏହାକୁ କଟନ ରୁମାଲ କିମ୍ବା କପଡାରେ ପୋଛନ୍ତୁ।

- କାର୍‌ ବ୍ୟବହାର କରୁଥିଲେ କୁହୁଡି ସମୟରେ ଡିଫ୍ରଷ୍ଟର ବ୍ୟବହାର କରନ୍ତୁ। କାରଣ କୁହୁଡି ଗାଡିର ଓ୍ବିଣ୍ଡସିଲ୍ଡରେ ଜମା ହେବା ଦ୍ୱାରା ଦେଖାଯିବା କଷ୍ଟ ହୋଇଥାଏ। ଆବଶ୍ୟକ ସ୍ଥଳେ ଓ୍ବାଇପର ମଧ୍ୟ ବ୍ୟବହାର କରନ୍ତୁ।

- କହୁଡିରେ ଗାଡି ଚଲାଉଥିବା ସମୟରେ ମୋବାଇଲ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ଏପରିକି ଇୟରଫୋନ୍‌ କିମ୍ବା ବ୍ଲୁଟୁଥ୍‌ ବ୍ୟବହାର କରିବା ମଧ୍ୟ ବିପଜ୍ଜନକ। ଏହାଦ୍ୱାରା ନା କେବଳ ଆପଣ ଅନ୍ୟମନସ୍କ ହେବା କିମ୍ବା ପଛ ଗାଡିଗୁଡିକର ହର୍ନ ନ ଶୁଣି ପାରିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ବରଂ କୁହୁଡି ସଂସ୍ପର୍ଶରେ ଆସି ମୋବାଇଲ୍‌ ଖରାପ ହେବାର ମଧ୍ୟ ଆଶଙ୍କା ରହିଛି।

- କୁହୁଡିରେ ରାସ୍ତା ଉପରରେ ଚାଲୁଥିବା ପଶୁ ବିଶେଷ କରି ଧଳା ବାଛୁରୀ, ଗାଈ, କୁକୁର ଆଦି ସହଜରେ ଦେଖାଯାଇ ନ ଥାନ୍ତି। ଯାହାଦ୍ୱାରା ଦୁର୍ଘଟଣାର ଆଶଙ୍କା ବଢିଥାଏ। ତେଣୁ ଗାଡିର ସ୍ପିଡ୍‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ।

କୁହୁଡ଼ିର କାରଣ

ବାୟୁରେ ଜଳୀୟବାଷ୍ପ ରହିଛି ା କିନ୍ତୁ ଆମ ଆଖିକୁ ତାହା ଦେଖାଯାଏ ନାହିଁ ା ଜଳୀୟବାଷ୍ପର ପରିମାଣ ବାୟୁର ତାପାମାତ୍ରା ଉପରେ ନିର୍ଭର କରେ ା ଗରମ ବାୟୁରେ ଅଧିକ ଜଳୀୟବାଷ୍ପ ରହିପାରେ ା ବର୍ତ୍ତମାନ ବୃଦ୍ଧି ପାଉଥିବା ଗାଡିମୋଟର, କଳ କାରଖାନା ସଂଖ୍ୟା ସାଙ୍ଗକୁ ଜଙ୍ଗଲ କ୍ଷୟ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଏବଂ ଏହାର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବଢୁଛି। ଫଳରେ ବାୟୁମଣ୍ଡଳରେ ସାଧାରଣ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଛି, ଯାହାକି ଶୀତଦିନେ ଥଣ୍ଡା ହେବା ଦ୍ୱାରା ଘନୀଭୂତ ହୋଇ ଛୋଟ ଛୋଟ ଜଳକଣାରେ ପରିଣତ ହୋଇ କୁହୁଡି ଆକାରରେ ଭୂପୃଷ୍ଠ ନିକଟରେ ଭାସି ବୁଲୁଛି। ବିଭିନ୍ନ ସ୍ଥାନ ତଥା ସେଠାକାର ପରିବେଶରେ ଅନୁଯାୟୀ ସୃଷ୍ଟି ହେଉଥିବା କୁହୁଡିର ନାମ ପ୍ରବାହ କୁହୁଡି, ବିକିରଣ କୁହୁଡି, ଊଦ୍ଧର୍‌ବାରୋହଣ କୁହୁଡି ଓ ଅଧଃକ୍ଷେପଣ କୁହୁଡି ଇତ୍ୟାଦି ରହିଛି ା ବାୟୁପ୍ରଦୂଷଣ ହେତୁ ଧୂଆଁମିଶା ଘନକୁହୁଡି ବା ସ୍ମଗ୍‌ ସୃଷ୍ଟି ହେଉଛି ା ଏହି ଘନ କୁହୁଡି ଯୋଗୁ ଆଲୋକ ସଂକେତରେ ଚଳାଚଳ କରୁଥିବା ବିମାନ ଓ ରେଳଗାଡି ବିଳମ୍ବ ଘଟୁଛି ା କେବଳ ଏତିକି ନୁହେଁ ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଭଲଭାବେ ଦେଖାଯାଉ ନ ଥିବାରୁ ଗାଡିମୋଟର ଦୁର୍ଘଟଣା ବୃଦ୍ଧିପାଉଛି ା କୁହୁଡିଜନିତ ଦୁର୍ଘଟଣା ହ୍ରାସ କରିବା ଲାଗି ବର୍ତ୍ତମାନ ଗାଡିଗୁଡିକରେ ଦିଆଯାଉଥିବା ସ୍ପେଶାଲ ଫଗ୍‌ ଲାଇଟ୍‌ (ହଳଦିଆ ଆଲୁଅ) ବ୍ୟବହାର କରାଯିବା ସହ ସ୍ମଗ୍‌ କମାଇବା ଲାଗି ପରିବେଶ ପ୍ରଦୂଷଣ ମୁକ୍ତ କରିବା ଦିଗରେ ସଚେତନ ହେବା ଆବଶ୍ୟକ।

                                                                                           - କମଳାକାନ୍ତ ଜେନା ସହକାରୀ ପ୍ରଫେସର, ଭଦ୍ରକ ଅଟୋନମସ୍‌ କଲେଜ

କ’ଣ କରନ୍ତି ଏମାନେ...

ତପନ କୁମାର(ଏମ୍‌ବିଏ ୧ମ ବର୍ଷ, କଲେଜ ଅଫ୍‌ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେଶନ, ଭୁବନେଶ୍ୱର)- ଶୀତଦିନେ ସକାଳୁ ଥଣ୍ଡାରେ କଲେଜ ଯିବା ଯେତିକି କଷ୍ଟ ନୁହେଁ କୁହୁଡି ପାଇଁ ବେଶି ଅସୁବିଧା। ଭଲରେ ରାସ୍ତା ଦେଖା ନ ଯିବା ଯୋଗୁ ଦୁର୍ଘଟଣାର ଆଶଙ୍କା ବଢିଥାଏ। ଯେଉଁଥିଲାଗି ଗାଡିର ସ୍ପିଡ୍‌ କମ୍‌ ରଖିବା ସହ ଆବଶ୍ୟକ ସ୍ଥଳେ ଲାଇଟ୍‌ ଏବଂ ହର୍ନ ବ୍ୟବହାର କରିଥାଏ।

ରାଜଶ୍ରୀ ସାହୁ(ଏମ୍‌ବିଏ ୨ୟ ବର୍ଷ, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜିକାଲ୍‌ ଆଡଭାନ୍ସମେଣ୍ଟ, ଭୁବନେଶ୍ୱର)- ବର୍ତ୍ତମାନ ପରିବେଶ ପ୍ରଦୂଷଣ ବଢିଯାଇଥିବାରୁ ଶୀତଦିନେ ପୂର୍ବ ଭଳି କୁହୁଡି ନ ହୋଇ ଧୂଆଁ ଏବଂ ଧୂଳି ମିଶା କୁହୁଡି ହେଉଛି। ଯାହାକି ଅଧିକ ଘନ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହୁଛି। ଏମିତିରେ ସକାଳ ସମୟରେ ବାହାରକୁ ବାହାରିବା କଷ୍ଟ ହେଉଛି। ତେବେ ଏହାକୁ ହଠାତ୍‌ ରୋକିବା ତ ହାତର କଥା ନୁହେଁ। ତେଣୁ ଏହି ସମୟରେ ଯେପରି ଦୁର୍ଘଟଣା ନ ଘଟେ ସେଥିଲାଗି ସତର୍କ ରହିବା ବୁଦ୍ଧିମତ୍ତାର କାମ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri