ଉଡ଼ିଗଲେ ଗେଣ୍ଡାଳିଆ


ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ରେ ଥିଲା ଏକ କାଳଜୟୀ ଗୀତ; ଯାହାର ମୁଖୁଡ଼ା ରଚିତ ହୋଇଥିଲା ଆମ ପାଣି ପବନରେ ବଢ଼ିଥିବା ଗୋଟିଏ ପକ୍ଷୀକୁ ନେଇ। ଗୀତଟିକୁ ଗାଇଥିଲେ ଓଡ଼ିଆ ଆଧୁନିକ ସଂଗୀତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି ଆଉ ଗୀତଟିର ସ୍ବର ସଂଯୋଜନା କରିଥିଲେ ଶ୍ରୀକୁମାର ଓରଫ ଭୁବନେଶ୍ୱର ମିଶ୍ର। ଗୀତଟିର ପ୍ରଥମ ଲାଇନ୍‌ ଥିଲା ଏମିତି : ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଇଗଲେ ପର - ରଜାଝିଅ ବାହୁନୁଛି ଦେଖି ବୁଢ଼ାବର! ଏଥର କହିବାର ପ୍ରୟୋଜନ ନାହିଁ ଯେ, ଯେଉଁ ପକ୍ଷୀଟି ବିଷୟରେ ଉଲ୍ଲେଖ କରାଯାଉଛି ତାହା ହେଉଛି ଗେଣ୍ଡାଳିଆ। ଗେଣ୍ଡାଳିଆ କେବଳ ପକ୍ଷୀ ନୁହେଁ; ସର୍ବାନ୍ତକରଣରେ ଏହା ଓଡ଼ିଶାର ଜନଜୀବନ ଆଉ କଳା ସଂସ୍କୃତିକୁ ବହୁଭାବରେ ପ୍ରଭାବିତ କରିଛି। ଗେଣ୍ଡାଳିଆକୁ ନେଇ ଓଡ଼ିଆରେ ରହିଛି ଅନେକ ଗୀତ ଓ ପଲ୍ଲିଗୀତ। ସେମିତି ଏକ ପଲ୍ଲିଗୀତ ହେଉଛି : ‘ଉଡ଼ି ଉଡ଼ି ଗଲେ ଗେଣ୍ଡାଳିଆ ମାଳେ ପାଣିରେ ପଡ଼ିଲା ଛାଇ/କେଉଁ ରାଇଜରୁ ଅଇଲା ମେଘଲୋ ଖରା କି ବରଷା ନାହିଁ।’ ଗେଣ୍ଡାଳିଆକୁ ସମ୍ବୋଧନ କରି ଜଗନ୍ନାଥ ଭଜନ ବି କିଛି କମ୍‌ ନୁହେଁ। ଚିତ୍ତ ଜେନା ଗାଇଥିବା ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲା ପକ୍ଷୀରେ/ମନ ଝୁରେ ଯିବା ଲାଗି କାଳିଆକୁ ଦେଖିରେ’ ହେଉ କିମ୍ବା ଘନଶ୍ୟାମ ପଣ୍ଡାଙ୍କ ବହୁ ଲୋକପ୍ରିୟ ଭଜନ- ‘ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଇଗଲେ ପର/ମହାଲକ୍ଷ୍ମୀ ରହିଗଲେ ଏକା ହୋଇ ଦେଉଳରେ/ଚାଲିଗଲେ ଚାଲିଗଲେ ଜଗତ ଠାକୁର’ ହେଉ- ଏସବୁ ଗେଣ୍ଡାଳିଆ ସହିତ ଓଡ଼ିଶା ଏବଂ ଓଡ଼ିଆମାନଙ୍କ ଭାବଗତ ସମ୍ପର୍କର ଏକ ବ୍ୟାଖ୍ୟାନ କରେ। ବର୍ଷାଋତୁ କିମ୍ବା ଶୀତଋତୁର ଆଗମନରେ ଝଙ୍କାଳିଆ ଗଛର ଅଗ୍ରଭାଗରେ ଗେଣ୍ଡାଳିଆ ଦଳଙ୍କ କିଚିରିମିଚିରି ଆଜି ବି ମନକୁ ଆନ୍ଦୋଳିତ କରେ। ପୁଣି ସୂର୍ଯ୍ୟସ୍ନାତ ଦୂର ଆକାଶରେ ଅବା କଳାହାଣ୍ଡିଆ ବଉଦ ତଳେ ଗେଣ୍ଡାଳିଆଙ୍କ ବିଚରଣ ଯେତିକି ମନୋଲୋଭା ସେତିକି ଚମତ୍କାର।

କଥା-କାହାଣୀରେ ଗେଣ୍ଡାଳିଆ:

ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ କେତେକ ଢଗଢମାଳି, କଥା କାହାଣୀ ଓ ଲୋକ ସଂଗୀତରେ କାଉ, କୋଇଲି, କଜଳପାତି, ପାରା, ବଗ, ଗେଣ୍ଡାଳିଆ, ଘରଚଟିଆ, ବାଇଚଢ଼େଇ ପରି ଅନେକ ପକ୍ଷୀଙ୍କର ବର୍ଣ୍ଣନା ରହିଛି। ଆସନ୍ନ ବିବାହ ବୟସରେ ଅନ୍ୟ କିଶୋରୀଙ୍କ ପରି ସର୍ବଗୁଣସମ୍ପନ୍ନ ଜଣେ ଯୁବରାଜ ସହିତ ବିବାହର ସ୍ବପ୍ନ ଦେଖନ୍ତି କେଉଁ ଏକ ଅଜଣା ରାଇଜର ରାଜଜେମା। ମାତ୍ର ବିଧିର ବିଧାନ ବିଚିତ୍ର, ରାଜଜେମାଙ୍କ କପାଳରେ ବୁଢ଼ାବର ଲେଖାଥିଲା। ହେଲେ ବାପାମା’ଙ୍କ ଦ୍ୱାରା ସ୍ଥିରୀକୃତ ଅଧିକ ବୟସର ବର ସହିତ ବିବାହ ପ୍ରସ୍ତାବରେ ଅରାଜି ରାଜଜେମା। ଆକାଶରେ ଦଳଦଳ ଗେଣ୍ଡାଳିଆ ଡେଣା ଝାଡି ଉଡିଯାଉଥିବାର ମନଲୋଭା ଦୃଶ୍ୟ ସଖୀଙ୍କ ମେଳରେ ଥିବା ରାଜଜେମା ପ୍ରାସାଦ ଉପରୁ ଦେଖି ବିରସ ହୋଇଛନ୍ତି। ରାଜଜେମା ଯୋଡି ଯୋଡି ଗେଣ୍ଡାଳିଆଙ୍କ ଆନନ୍ଦ ବିଚରଣ ସହିତ ନିଜର ବିରହ ବିଚ୍ଛେଦ ସ୍ଥିତିକୁ ତୁଳନା କରି କୋହ ସମ୍ବରଣ କରିପାରନ୍ତି ନାହିଁ। ଗେଣ୍ଡାଳିଆକୁ ବାହୁନି ନିଜର ଦୁଃଖ ପ୍ରକାଶ କରି ମନକୁ ହାଲ୍‌କା କରନ୍ତି।

ଏଠି-ସେଠି-ସବୁଠି:

ଗେଣ୍ଡାଳିଆର ଇଂରାଜୀ ନାମ ଏସିଆନ୍‌ ଓପନବିଲ୍‌ ଷ୍ଟ୍ରୋକ। ବାୟୋଲୋଜିକାଲ ନାମ ଆନାଷ୍ଟୋମସ ଓସିଟାନ୍‌ସ। ଏଗୁଡ଼ିକ ମୁଖ୍ୟତଃ ଭାରତ, ଶ୍ରୀଲଙ୍କା, ବର୍ମା, ବାଂଲାଦେଶ, ପାକିସ୍ତାନ, ମ୍ୟାନ୍‌ମାର, ଥାଇଲାଣ୍ଡ, ଇଣ୍ଡୋଚୀନ ଓ ଦକ୍ଷିଣ ଏସିଆ ଅଞ୍ଚଳରେ ଦେଖାଯାଆନ୍ତି। ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଝାଡଖଣ୍ଡରେ ଏଗୁଡ଼ିକ ଅଧିକ ପରିମାଣରେ ଦେଖାଯାଆନ୍ତି। ଆମ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗେଣ୍ଡାଳିଆ ଦେଖିବାକୁ ମିଳୁଥିବା ବେଳେ କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ସମ୍ବଲପୁର ପରି ଜିଲାରେ ଏମାନଙ୍କ ସଂଖ୍ୟାର ଘନତା ଅଧିକ। ସ୍ଥାନୀୟ ଅଞ୍ଚଳର ବର ଓ ତେନ୍ତୁଳି ପରି ବଡ଼ ବଡ଼ ଗଛରେ ଏମାନେ ବସା ବାନ୍ଧନ୍ତି। ଏହା ଏକ ସ୍ଥାନିକ ଜାତି। ଆବଶ୍ୟକ ସ୍ଥଳେ ଋତୁ ପରିବର୍ତ୍ତନ ସମୟରେ ଏହା ଭିନ୍ନ ଭିନ୍ନ ଅଞ୍ଚଳକୁ ପରିଭ୍ରମଣ କରିଥାଏ।

ଚାଷୀର ବନ୍ଧୁ :

ପ୍ରାକ୍‌ ମୌସୁମୀ ଆଗମନରେ ଗେଣ୍ଡାଳିଆ ସବୁ ଦଳ ଦଳ ହୋଇ ଉଡ଼ିବୁଲନ୍ତି ଓ ହଳ କିଆରିରେ ବସି ସେମାନଙ୍କ ଆହାର ଅନ୍ବେଷଣ କରନ୍ତି। ଗେଣ୍ଡାଳିଆକୁ ଯଥାର୍ଥରେ ଚାଷୀର ବନ୍ଧୁ କୁହାଯାଏ। ଗେଣ୍ଡାଳିଆ ଧାନର ଅନିଷ୍ଟକାରୀ କୀଟ ପତଙ୍ଗକୁ ଖାଇଯାଏ। ପୁଣି ଗେଣ୍ଡାଳିଆ ମଳରୁ ଚାଷୀକୁ ଯବକ୍ଷାରଜାନଯୁକ୍ତ ଖତ ମିଳିଥାଏ। ଫଳରେ ଜମିର ଉର୍ବରତା ବୃଦ୍ଧି ପାଇଥାଏ। ବେଙ୍ଗ, କଙ୍କି, ପିମ୍ପୁଡି, ଜୁଳୁଜୁଳିଆ ପୋକ ପରି ଗେଣ୍ଡାଳିଆ ମଧ୍ୟ ଚାଷୀକୁ ବର୍ଷାର ଆଗମନ ସୂଚନା ଦିଏ। ଉଚ୍ଚ ଆକାଶରେ ଗେଣ୍ଡାଳିଆ ଚକି ମାରି ଉଡୁଥିବା ଦେଖିଲେ ବର୍ଷା ହେବାର ସୂଚନା ମିଳେ। ସେତିକି ନୁହେଁ; ଗେଣ୍ଡାଳିଆ ଉଡ଼ୁଥିବା ଦେଖି ଚାଷୀ ଜାଣିଯାଏ ଯେ, ମୌସୁମୀ ଆସିବାର ସମୟ ହେଇଗଲା। କଥିତ ଅଛି, ଯେଉଁବର୍ଷ ଗେଣ୍ଡାଳିଆ ଓ ଗେଣ୍ଡାଳିଆ ଛୁଆ ଅଧିକ ମାତ୍ରାରେ ଦେଖାଯିବେ ସେ ବର୍ଷ ଭଲ ଫସଲ ହେବ।

ଗେଣ୍ଡାଳିଆର ଉଡ଼ାଣ:

ଏକ ବୟଃପ୍ରାପ୍ତ ଗେଣ୍ଡାଳିଆର ଲମ୍ବ ୭୬ରୁ ୮୧ ସେଣ୍ଟିମିଟର। ଡେଣାର ଲମ୍ବ ୧୪୭ରୁ ୧୪୯ ସେଣ୍ଟିମିଟର। ଓଜନ ୧.୩ରୁ ୮.୯ କିଲୋଗ୍ରାମ। ମାଟିରୁ ୧୫ରୁ ୬୦ ଫୁଟ ଉଚ୍ଚରେ ଏହା ବସା ବାନ୍ଧିଥାଏ। ସମୁଦ୍ର ପତ୍ତନଠାରୁ ୩ ଶହ ୮୫ ମିଟରରୁ ୧୧ଶହ ମିଟର ଉଚ୍ଚରେ ଏହା ଉଡ଼ିପାରେ। ଅତି ଉଚ୍ଚରେ ଥାଇ ଏହା ନିଜର ଖାଦ୍ୟ ସନ୍ଧାନ କରିପାରେ। ଖାଲି ସେତିକି ନୁହେଁ; ଉଚ୍ଚ ସ୍ବରରେ ବୋବାଇ ଏହା ନିଜ ଦଳ ମଧ୍ୟରେ ଭାବର ଆଦାନପ୍ରଦାନ କରିଥାଏ। ଏଗୁଡ଼ିକ ଉଷ୍ମ ବାୟୁର ବେଗ ଉପରେ ନିର୍ଭର କରି ଖୁବ୍‌ ଉଚ୍ଚରେ ଡେଣା ନ ହଲାଇ ଉଡ଼ନ୍ତି। ଉଚ୍ଚକୁ ଉଠିଯିବା ପରେ ପବନରେ ଅବିରାମ ଭାବରେ ଗତି କରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ ପାରନ୍ତି। ପାରାଚ୍ୟୁଟ୍‌ରୁ ଅବତରଣ କରିବା ପରି ଗେଣ୍ଡାଳିଆ ତଳକୁ ଅବତରଣ କରିଥାଏ।

ବଦଳାଏ ରଙ୍ଗ:

ଅବସ୍ଥିତି ଅନୁସାରେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଗେଣ୍ଡାଳିଆର ଅଣ୍ଡା ଦେବାର ସମୟ ଭିନ୍ନ ଭିନ୍ନ। ସାଧାରଣତଃ ଏହା ବର୍ଷର ଜୁନ୍‌ରୁ ଡିସେମ୍ବର ମଧ୍ୟରେ ଅଣ୍ଡା ଦେଇଥାଏ। ଗେଣ୍ଡାଳିଆ ନିଜ ପରର ରଙ୍ଗ ବଦଳାଇଥାଏ। ପ୍ରଜନନ ଋତୁରେ ପରର ରଙ୍ଗ ଧଳା ହୋଇଥିବା ବେଳେ ଅନ୍ୟ ଋତୁରେ ଧୂସର ହୋଇଥାଏ। ଗେଣ୍ଡାଳିଆ ଶାବକର ରଙ୍ଗ ମଧ୍ୟ ଭିନ୍ନ ହୋଇଥାଏ। ଖାଦ୍ୟ ଅନ୍ବେଷଣର ସମୟ ସକାଳ ଅବା ଗୋଧୂଳି। ଏଗୁଡ଼ିକ ଶସ୍ୟକ୍ଷେତ, ଅଗଭୀର ସନ୍ତସନ୍ତିଆ ସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥା’ନ୍ତି। ମୁଖ୍ୟତଃ ମଧୁର ଜଳରେ ମିଳୁଥିବା କୁଜିଗେଣ୍ଡା, ଗେଣ୍ଡା, ଶାମୁକା, ମାଛ, ବେଙ୍ଗ, କଙ୍କଡା, ବଡପୋକ ଓ ଅନ୍ୟ ଜଳଚର ପ୍ରାଣୀଙ୍କୁ ଏହା ଖାଦ୍ୟ ଭାବରେ ଗ୍ରହଣ କରିଥାଏ। ଧାନ କିଆରିରେ ଦଳଦଳ ହୋଇ ବସି ଏଗୁଡ଼ିକ ଖାଦ୍ୟ ସଂଗ୍ରହ କରୁଥିବାର ଦେଖିବାକୁ ମିଳେ। ଗେଣ୍ଡା ଏହାର ମୁଖ୍ୟ ଖାଦ୍ୟ।

ପରିବାରକୁ ଗୁରୁତ୍ୱ ଦିଏ :

ଗେଣ୍ଡାଳିଆ ଏକ ସାମାଜିକ ପ୍ରାଣୀ। ଏହା ଦଳବଦ୍ଧ ହୋଇ ବାସ କରେ ଓ ଖାଦ୍ୟ ସଂଗ୍ରହ କରେ। ଗୋଟିଏ ଗଛରେ ପ୍ରାୟ ୪୦ରୁ ୬୦ଟି ବସା ତିଆରି ହେବାର ନଜିର ରହିଛି, ଯାହା ଏହାର ଗୋଷ୍ଠିବଦ୍ଧତାକୁ ସୂଚାଏ। ସଳଖ ଓ ଡେଙ୍ଗା ଗଛ ଅପେକ୍ଷା ଝଙ୍କାଳିଆ ଓ ଶାଖା ପ୍ରଶାଖାଯୁକ୍ତ ଗଛରେ ବସା ବାନ୍ଧିବାକୁ ଏହା ଅଧିକ ପସନ୍ଦ କରିଥାଏ। ତେବେ ଭିତରକନିକାର ବଗ ଗହନରେ କମ୍‌ ଉଚ୍ଚ ଗଛରେ ମଧ୍ୟ ଗେଣ୍ଡାଳିଆ ବସା ବାନ୍ଧିଥିବାର ଦୃଷ୍ଟାନ୍ତ ରହିଛି। ତଥ୍ୟ ଅନୁଯାୟୀ, ଅଧିକାଂଶ ଗେଣ୍ଡାଳିଆ ଏକପନତ୍ୀ ଧର୍ମ ପାଳନ କରିଥାଆନ୍ତି। ଉଭୟ ମା’ ଓ ବାପା ଗେଣ୍ଡାଳିଆ ମିଶି ପତ୍ର, ଘାସ, କାଠି, ଛୋଟ ଛୋଟ ଡାଳକୁ ନେଇ ସେମାନଙ୍କ ବସା ବାନ୍ଧନ୍ତି। ମା’ ଗେଣ୍ଡାଳିଆ ବର୍ଷରେ ଥରେ ମାତ୍ର ଅଣ୍ଡା ଦେଇଥାଏ। ଏହା ଥରକେ ୨ରୁ ୪ଟି ଅଣ୍ଡା ଦେଇଥାଏ। ୨୭ରୁ ୩୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିଥାଏ। ଛୁଆ ଫୁଟିବାର ୩୫ରୁ ୩୬ ଦିନ ପର୍ଯ୍ୟନ୍ତ ମା’ ଓ ବାପା ଗେଣ୍ଡାଳିଆ ଶାବକଗୁଡ଼ିକୁ ଲାଳନପାଳନ କରିଥାଆନ୍ତି। ଦୂରଦୂରାନ୍ତରୁ ଖାଦ୍ୟ ସଂଗ୍ରହ କରି ଗେଣ୍ଡାଳିଆ ତା’ ଶରୀରରେ ଥିବା ଏକ ଥଳିରେ ଶାବକମାନଙ୍କ ପାଇଁ ଆଣିଥାଏ। ଛୁଆଗୁଡ଼ିକୁ ଖରାବର୍ଷାରୁ ରକ୍ଷା କରିବାକୁ ଗେଣ୍ଡାଳିଆ ନିଜର ଡେଣା ଅଧା ମେଲା କରି ତା ତଳେ ଛୁଆଙ୍କୁ ଆଶ୍ରୟ ଦିଏ।

ପ୍ରଥମ ପସନ୍ଦ ‘ବଗଗହନ’:

ଭିତରକନିକାର ‘ବଗଗହନ’ ଏବେ ଗେଣ୍ଡଳିଆଙ୍କର ପ୍ରଥମ ପସନ୍ଦ ପାଲଟିଛି। ତଥ୍ୟ ଅନୁଯାୟୀ, ଭିତରକନିକାରେ ଦେଖାଯାଉଥିବା ୧୦ ପ୍ରକାର ଚଢେଇଙ୍କ ମଧ୍ୟରୁ ଗେଣ୍ଡାଳିଆଙ୍କ ସଂଖ୍ୟା ସର୍ବାଧିକ। ବିଗତ ୧୦ ବର୍ଷ ମଧ୍ୟରେ ଭିତରକନିକାରେ ଗେଣ୍ଡାଳିଆଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣ ହୋଇଛି। ଚଳିତବର୍ଷ (୨୦୧୭) ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ବାର୍ଷିକ ଚଢ଼େଇ ଗଣନାର ତଥ୍ୟ ଅନୁସାରେ, ଭିତରକନିକାରେ ମୋଟ ଚଢେଇଙ୍କ ସଂଖ୍ୟା ୧ଲକ୍ଷ ୪ ହଜାର ୪ଶହ ୯୦। ସେମାନଙ୍କ ମଧ୍ୟରୁ କେବଳ ଗେଣ୍ଡାଳିଆଙ୍କ ସଂଖ୍ୟା ୮୧ ହଜାର ୨ଶହ ୫୪। ୧୫ ହଜାର ୬ଶହ ୮୦ଟି ବସାରେ ବୟସ୍କ ଓ ଶାବକଙ୍କୁ ମିଶାଇ କେବଳ ବଗଗହନରେ ଗେଣ୍ଡାଳିଆଙ୍କ ସଂଖ୍ୟା ୭୬ ହଜାର ୮ ଶହ ୩୨ ରହିଛି; ଯାହା ସମସ୍ତ ଚଢେଇ ସଂଖ୍ୟାର ପ୍ରାୟ ଶତକଡା ୭୦ ଭାଗରୁ ଅଧିକ। କେବଳ ବଗଗହନ ନୁହେଁ, ମଠଆଡିଆରେ ମଧ୍ୟ ଏମାନଙ୍କ ସଂଖ୍ୟା ପ୍ରାୟ ୫ ହଜାର। ଭିତରକନିକା ଅଭୟାରଣ୍ୟରେ ଏମାନଙ୍କ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଫଳରେ ସେମାନଙ୍କ ବଂଶ ବୃଦ୍ଧି ହେବାରେ ଲାଗିଛି ବୋଲି କହିଛନ୍ତି ବରିଷ୍ଠ ବୈଜ୍ଞାନିକ ତଥା ପରିବେଶବିତ୍‌ ଡ. ସୁଧାକର କର।

ବିପଦ ବଢୁଛି :

ଏକ ସୁସ୍ଥ ଗେଣ୍ଡାଳିଆ ସର୍ବାଧିକ ୧୮ ବର୍ଷ ବଞ୍ଚତ୍ଥାଏ। ଇଗଲ, ଗୋଧି, କାଉ, ସାପ ଆଦି ଗେଣ୍ଡାଳିଆ ପ୍ରତି ବିପଦ। ଏଗୁଡ଼ିକ ଗେଣ୍ଡାଳିଆ ଅଣ୍ଡା ଓ ଛୋଟଛୁଆଙ୍କୁ ଖାଇଯାଇଥାନ୍ତି। ଧାନରେ ସମ୍ପ୍ରତି ପ୍ରୟୋଗ ହେଉଥିବା କୀଟନାଶକ, ବିଷ ଓ ରାସାୟନିକ ସାର ଗେଣ୍ଡାଳିଆଙ୍କ ପାଇଁ କାଳ ହେଉଛି। ଏହାର ମାଂସ ବେଶ୍‌ ସୁସ୍ବାଦୁ ହୋଇଥିବାରୁ ଏହା ମଣିଷର ମଧ୍ୟ ଶିକାର ବନୁଛି। ସେଥିଲାଗି ଏହାର ସଂଖ୍ୟା ଧୀରେଧୀରେ ହ୍ରାସ ପାଉଥିବା ଜାଣିବାକୁ ମିଳେ। ତେବେ ଏହା ବିଲୁପ୍ତ ପ୍ରାଣୀ ପର୍ଯ୍ୟାୟକୁ ଯାଇନାହିଁ। ଚାନ୍ଦବାଲି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ନିର୍ଲିପ୍ତା ମିଶ୍ର କୁହନ୍ତି, ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌), ସୁଇଜରଲାଣ୍ଡ ୨୦୧୨ ମସିହାର ରେଡ୍‌ ଡାଟାବୁକ୍‌ ତଥ୍ୟ ଅନୁସାରେ ଗେଣ୍ଡାଳିଆ ଏକ ସଙ୍କଟାପନ୍ନ ପ୍ରଜାତି ନୁହେଁ।

-ଅଶୋକ ପଣ୍ଡା



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri