ଘରକୁ ବାଟ ଭୁଲିଯାଉଥିବା ବୈଜ୍ଞାନିକ


ବୈଜ୍ଞାନିକମାନେ ସାଧାରଣତଃ ଭୁଲାମନ ସମ୍ପନ୍ନ ହୋଇଥାନ୍ତି। କାରଣ ତାଙ୍କ ମନକୁ ସଦାବେଳେ ଗ୍ରାସିଥାଏ ବିଜ୍ଞାନ ବିଷୟରେ ଚିନ୍ତା। ତେବେ ନିଜ ଘର ଠିକଣା ଭୁଲିଯିବାଟା ହେଉଛି ନିହାତି ବେଶି। ଯାହାକି କେବଳ ଆଇନଷ୍ଟାଇନଙ୍କ ଭଳି ଅଳ୍ପ କିଛି ବୈଜ୍ଞାନିକଙ୍କ ପକ୍ଷେ ସମ୍ଭବ। ଥରକର କଥା। ସେ ନୂଆ ହୋଇ ଆମେରିକାର ପ୍ରିନସେଟନ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥାନ୍ତି। ଦେଶର ଚାରିଆଡେ ତାଙ୍କର ଅନେକ ପ୍ରଶଂସକ ଥାନ୍ତି। ସେମାନେ ତାଙ୍କୁ ବାରମ୍ବାର ଟେଲିଫୋନ କରୁଥାନ୍ତି, ଯାହାକି ତାଙ୍କ ଗବେଷଣାର ବାଧା ସୃଷ୍ଟି କରୁଥାଏ। ଏଣୁ ଆଇନ ଷ୍ଟାଇନ ବିଷୟରେ କେହି ଅଜଣା ଲୋକ କିଛି ପଚାରିଲେ ତାଙ୍କୁ ବିଶେଷ କିଛି ନ ଜଣାଇବା ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତଙ୍କୁ ପରାମର୍ଶ ଦିଆଯାଇଥାଏ। ଦିନକର ସଞ୍ଜ ବେଳ। ସେଠାର ଡିନ୍‌ଙ୍କ ଘରେ ଟେଲିଫୋନ ବାଜିଲା। ତାଙ୍କ ପୁଅ ରିସିଭର ଉଠାଇଲେ। ଫୋନ କରିଥିବା ଲୋକଟି ପଚାରିଲା ‘ ଆଜ୍ଞା, ଦୟା କରି କହିପାରିବେ କି, ଡକ୍ଟର ଆଇନ ଷ୍ଟାଇନ କେଉଁଠି ରହନ୍ତି।“ ଏକଥା କହିବାକୁ ବାରଣ ଅଛି ବୋଲି ଡିନ୍‌ଙ୍କ ପୁଅଙ୍କୁ ମଧ୍ୟ ଜଣାଥିଲା। ତେଣୁ ସେ ଏହା ଜାଣନ୍ତି ନାହିଁ ବୋଲି ନମ୍ରତାର ସହ ମନା କରିଦେଲେ। ଏହାପରେ ଅପରପାର୍ଶ୍ୱରୁ ଭାସିଆସିଲା ଫୁସଫୁସ କରି କହିଲା ଭଳି ଏକ କ୍ଷୀଣ ସ୍ବର। ‘ଆଜ୍ଞା, ମୁଁ ଅନ୍ୟ କେହି ନୁହେଁ, ନିଜେ ଡକ୍ଟର ଆଇନ ଷ୍ଟାଇନ କହୁଛି। ମୁଁ ଏବେ ଘରକୁ ଫେରୁଛି। ହେଲେ ମୋ ଘର କେଉଁଠି ତାହା ମୁଁ ଭୁଲିଯାଇଛି...।“ ଡିନ୍‌ଙ୍କ ପୁଅ ଥିଲେ ଆଉ ଜଣେ ବୈଜ୍ଞାନିକ ଚର୍ଚ୍ଚିଲ ଏଇନହାର୍ଟ। ସେ ତାଙ୍କ ସ୍ବର ବାରିପାରିଲେ ଏବଂ ତାଙ୍କୁ ଅନୁରୋଧ କଲେ ଅପେକ୍ଷା କରିବାକୁ। ତା’ପରେ ସେ ନିଜେ ଯାଇ ଆଇନଷ୍ଟାଇନଙ୍କୁ ତାଙ୍କ ଘରେ ଛାଡି ଦେଇଆସିଲେ। କଥିତ ଅଛି ଯେ, ଆଇନଷ୍ଟାଇନଙ୍କ ପାଇଁ ଏପରି ଘରକୁ ବାଟ ଭୁଲିଯିବା ନୂଆ କଥା ନୁହେଁ। ତାହା ସେ ବାରମ୍ବାର କରୁଥିଲେ। ସେଥିପାଇଁ ଶେଷକୁ ସେ କାଗଜରେ ଘରର ଠିକଣା ଲେଖି ପକେଟରେ ରଖିଲେ। ପୁଣି କେବେ ବାଟ ଭୁଲିଗଲେ ବାଟରେ ଯାଉଥିବା ଲୋକଙ୍କୁ ତାହା ଦେଖାଇ ଘରକୁ ଫେରୁଥିଲେ। - ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri