ପରିଶ୍ରମ ମୋତେ ଏଇଠି ପହଞ୍ଚାଇଛି: ସିଦ୍ଧୁ ମୁଣ୍ଡା


ଆଜିକାଲି ରୋଜଗାରକ୍ଷମ ହେବା ଲାଗି ଅନେକେ ଚାକିରି କରିବାକୁ ଆଗଭର ହେଉଛନ୍ତି। କିନ୍ତୁ ଜଣେ ୫ମ ଶ୍ରେଣୀ ପାଠ ପଢ଼ି ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟକରି ସ୍ବାବଲମ୍ବୀ ହେବାକୁ ସକ୍ଷମ ହୋଇଛନ୍ତି। ପୁଣି ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହେବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ ହେଲେ ସିଦ୍ଧୁୁ ମୁଣ୍ଡା (ମୋ:୮୦୧୮୮୨୬୦୭୩)। କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତର ନିପାଣିଆ ଗ୍ରାମରେ ତାଙ୍କ ଘର। ମା’ ଜନ ମୁଣ୍ଡା ଓ ପିତାଙ୍କ ନାମ ଦାମୁ ମୁଣ୍ଡା। ୫ମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କର ପଢାରେ ଡୋରି ବନ୍ଧା ହୋଇଥିଲା। ତା’ପରେ ବଢ଼ିଲା ରୋଜଗାର ଚିନ୍ତା। ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯାଉଥିବାବେଳେ ସେ ଗଁାରେ ରହିଲେ। ଆଉ ଏତିକି ପାଠରେ କି ଚାକିରି ମିଳିବ ଭାବି ଚାଷ ପ୍ରତି ଆଗ୍ରହୀ ହେଲେ ସେ। କିନ୍ତୁ ତାଙ୍କ ମନରେ ଥାଏ ଏଇ ଚାଷକାମରୁ କିପରି ସ୍ବାବଲମ୍ବୀ ହୋଇପାରିବେ। ସିଦ୍ଧୁ ତାଙ୍କ ବଡ଼ଭାଇ ଡମ୍ବରୁଧର (୧୦ମ ପର୍ଯ୍ୟନ୍ତ ପଢିଛନ୍ତି)ଙ୍କ ସହ ମିଶି ଧାନ ଓ ପନିପରିବା ଚାଷ କରୁଥିଲେ। ଦିନେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ପ୍ରେରଣାରେ ଚାଷକାର୍ଯ୍ୟ ବଢାଇବାକୁ ଚେଷ୍ଟା ଚଳାଇଲେ। ଫଳସ୍ବରୂପ ସେବର୍ଷ ବଷଋତୁରେ ପ୍ରାୟ ୪୦ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହେଲେ। ଏହାପରେ ତାଙ୍କର ଚାଷ ପ୍ରତି ଉତ୍ସାହ ବଢ଼ିଗଲା। ବିଭିନ୍ନ ଚାଷ ପ୍ରଣାଳୀ ବିଷୟରେ ଜାଣିବା ଲାଗି ଆଗ୍ରହ ବି ବଢିଲା। ତେଣୁ ଦିଲ୍ଲୀ ଓ ବିଶାଖାପାଟଣା ଯାଇ ବିନା ମାଟିରେ ଅତ୍ୟାଧୁନିକ ପ୍ରଣାଳୀରେ ଭଲଗଛ ହୋଇ ଫଳ ମିଳିପାରୁଥିବା ବିଷୟରେ ଜାଣିଲେ। ସେଠାରୁ ଫେରିବା ପରେ ଲୋକଙ୍କୁ ଚାରା ଯୋଗାଇବା ଲାଗି ସିଦ୍ଧୁ ଆରମ୍ଭ କଲେ ହାଇଟେକ୍‌ ନର୍ସରୀ। ଏହାର ନାମ ଦେଲେ ‘ସିଦ୍ଧୁ ନର୍ସରୀ’। ଏଠାରେ ପଲ୍ଲୀ ହାଉସ କରି ଅତ୍ୟାଧୁନିକ ପଦ୍ଧତିରେ ମାତ୍ର ୨୫ରୁ ୩୦ ଦିନ ମଧ୍ୟରେ ଉତ୍ତମ ମାନର ପନିପରିବା ଓ ଫୁଲଗଛର ଚାରା ଉତ୍ପାଦନ କରୁଛନ୍ତି। ଫଳରେ ନିଜ ଅଞ୍ଚଳର ଶହଶହ ଚାଷୀଙ୍କ ସମେତ କରଞ୍ଜିଆ, ଟମ୍‌କା, ବ୍ରାହ୍ମଣୀପାଳ, ଆନନ୍ଦପୁର ସହ ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଇବାକୁ ସକ୍ଷମ ହୋଇ ପାରୁଛନ୍ତିା ଏ ସମ୍ପର୍କରେ ସିଦ୍ଧୁ କହନ୍ତି ‘ଦିନକୁ ୧୦ ଘଣ୍ଟା ଯାଏ କାମ କରିବାକୁ ପଡ଼ିଥାଏ। ତେବେ ଏସବୁ କାର୍ଯ୍ୟ ଲାଗି ବର୍ଷକୁ ଲକ୍ଷେ ଅଶୀ ହଜାର ଖର୍ଚ୍ଚ ହେଉଥିବା ବେଳେ ୩ ଲକ୍ଷରୁ ଅଧିକ ଟଙ୍କା ମିଳିଥାଏ।’ ଏଠାରୁ ଠିକ ସମୟରେ ଆବଶ୍ୟକ ଅନୁଯାୟୀ ଚାରା ମିଳିପାରୁଥିବାରୁ ବ୍ଲକର ବହୁ ଚାଷୀ ନିଜେ ଚାରା ଉପତ୍ାଦନ ନ କରି ଏଠାରୁ ନେଇଥାନ୍ତି ା ପୁଣି ଏହି ଅତ୍ୟାଧୁନିକ ପ୍ରଣାଳୀରେ ଚାରା ଉପତ୍ାଦନ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ କେତେକ ଚାଷୀ ଏଠାକୁ ଆସିଥାନ୍ତି। ତେବେ ତାଙ୍କର ଆଉ କେତେକ କୃଷି ଉପକରଣ ଆବଶ୍ୟକ ହେଉଛି। ଏସବୁ ଆଣିବାରେ କୃଷି ବିଭାଗର ସହଯୋଗ ମିଳିଲେ ଚାରା ଉପତ୍ାଦନକୁ ଅଧିକରୁ ଅଧିକ ହୋଇପାରିବ ବୋଲି କୁହନ୍ତି ସିଦ୍ଧୁ। ଚାଷକାମ ଦ୍ୱାରା ଜଣେ ନିଶ୍ଚିତ ଭଲ ରୋଜଗାର କରିପାରିବ ଏକଥା ମୁଁ ଦୃଢ଼ ଭାବରେ କହିପାରିବି । ହେଲେ ପରିଶ୍ରମକୁ ଆପଣେଇ ପାରିଲେ ହେଲା ବୋଲି କୁହନ୍ତି ଏହି ସଫଳ ଚାଷୀ। - ପରେଶ କୁମାର ସେଠୀ



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri