ପ୍ରଥମ ରୋଜଗାର: ଆଈ ପାଇଁ ଶାଢ଼ି ଓ ଅଜାଙ୍କ ପାଇଁ ମଠାକନା କିଣିଥିଲି


ଅଧ୍ୟାପକ ଡ. ଚାନ୍ଦ କିଶୋର ତ୍ରିପାଠୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମୋର ପ୍ରକୃତ ଘର ପୁରୀ ଶ୍ରୀମୁକୁନ୍ଦପୁର ଶାସନରେ ହୋଇଥିଲେ ହେଁ ମାତ୍ର ଅଢେଇ ବର୍ଷ ବୟସରୁ ଅଜାଙ୍କ ଘରକୁ ପୁଅ ହୋଇ ଚାଲିଆସିଥିଲି। କାରଣ ଅଜାଙ୍କର ଏକମାତ୍ର ଝିଅ ଥିଲେ ମୋ ମା’। ମୋ ଅଜା ଥିଲେ ଲୋକପ୍ରିୟ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଆଉ ତାଙ୍କ ଘର ଥିଲା ଖୋର୍ଦ୍ଧା ଜିଲା ବାଣପୁରର ଭୀମପୁର ସାମନ୍ତାପୁର ଶାସନରେ। ଭୀମପୁର ୟୁ.ପି ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇ ପରେ ଭୀମପୁର ଏମ୍‌.ଇ. ସ୍କୁଲ ଓ ଶେଷରେ ପତିତପାବନ ବାଣୀମନ୍ଦିର, ଗମ୍ଭାରିମୁଣ୍ଡାରୁ ୧୯୭୪ରେ ଏକାଦଶ ପାସ୍‌ କରିଥିଲି। ତା’ପରେ ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରୁ ଆଇ.ଏ ଓ ବି.ଏ. ପଢା ସରିବା ପରେ ବାଣୀବିହାରରୁ ଓଡ଼ିଆରେ ଏମ୍‌.ଏ. ପାସ୍‌ କରିଥିଲି। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟରେ ୧୯୮୩ ମସିହାରେ ଓଡ଼ିଆ ଅଧ୍ୟାପକ ଭାବେ ମୋତେ ନିଯୁକ୍ତି ମିଳିଗଲା। ଦରମା ୫୨୫ ଟଙ୍କା। ଅଜାଆଈଙ୍କ ପାଇଁ ମଣିଷ ହୋଇଥିବା ଯୋଗୁ ପ୍ରଥମ ମାସର ଦରମାରେ ଆଈ ପାଇଁ ଗୋଟେ ଶାଢି ଓ ଅଜାଙ୍କ କମିଜ ପାଇଁ ମଠାକନା କିଣିଥିଲି। ଗୋଦାବରୀଶ ମହାବିଦ୍ୟାଳୟରେ ୧୯୯୪ ଯାଏଁ ଥିଲି। ଆଉ ତା’ରି ଭିତରେ ‘ଓଡ଼ିଆ ସାହିତ୍ୟକୁ ବାଣପୁରର ଦାନ’ ବିଷୟକୁ ନେଇ ପିଏଚ୍‌.ଡି ସାରି ଦେଇଥିଲି। ତା’ପରେ ନୂଆପଡା ଶ୍ରୀ ବାଲାଜି ମହାବିଦ୍ୟାଳୟକୁ ମୋର ବଦଳି ହେଲା। ତିନିବର୍ଷ ପରେ ଟାଙ୍ଗି ଦୁର୍ଗାଚରଣ ମହାବିଦ୍ୟାଳୟକୁ ବଦଳି ହୋଇଗଲି। ପୁଣି ଦୁଇ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଆସି ଏବେ ବି ସେଠି ଅଧ୍ୟାପକ ତଥା ଓଡ଼ିଆ ବିଭାଗର ବିଭାଗ ମୁଖ୍ୟ ଭାବେ କାମ କରୁଛି। ଚାକିରି ଜୀବନ ବାଦେ ଲେଖାଲେଖିରେ ବି ମୋର ବିଶେଷ ରୁଚି ରହିଛି। କଲେଜ ପଢାବେଳେ ଗପ ଲେଖୁଥିଲି। କଲେଜ ମାଗାଜିନ୍‌ ବ୍ୟତୀତ ବର୍ତ୍ତିକା ମାଗାଜିନ୍‌ରେ ବି ମୋ ଗପ ପ୍ରକାଶ ପାଇଛି। ତା’ଛଡ଼ା ଅଲ୍‌ ଇଣ୍ଡିଆ ରେଡିଓର ଯୁବବାଣୀ ବିଭାଗରେ ‘ନିର୍ବାଣ’ ନାମକ ମୋର ଏକ ଗପ ମଧ୍ୟ ପ୍ରଚାର ପ୍ରସାରଣ ହୋଇଥିଲା। ୟା’ ଭିତରେ ପ୍ରାୟ ୨୦/୨୫ଟି ଗପ ମୁଁ ଲେଖି ସାରିଲିଣି। ତା’ଛଡ଼ା ସମାଲୋଚନା ମୂଳକ ସାହିତ୍ୟ ଲେଖିବାରେ ବି ମୋର ବିଶେଷ ରୁଚି ରହିଛି। ଏଇ ଭିତରେ ମାଟିର ମଣିଷ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭକ୍ତ କବି ମଧୁସୂଦନ, ପିଜିମ୍‌ (ବାଦ ସାହିତ୍ୟ)ଉପରେ ସମାଲୋଚନା ମୂଳକ ସାହିତ୍ୟ ଲେଖିସାରିଲିଣି। ଏବେ ମୋ ଅଧୀନରେ ଛାତ୍ରୀଛାତ୍ରମାନେ ବି ପିଏଚ୍‌.ଡି କରିବା ଆରମ୍ଭ କଲେଣି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri