ଲୁଣଚାଷୀଙ୍କ ଭାଗ୍ୟ ଅଲଣା


ଦିନେ ଓଡ଼ିଶାର ଲୁଣଚାଷୀଙ୍କର ଗାନ୍ଧିଜୀଙ୍କ ସତ୍ୟାଗ୍ରହରେ ଥିଲା ପ୍ରମୁଖ ସ୍ଥାନ। ଏମାନଙ୍କର ଜୀବନ ଜୀବିକା ବି ଥିଲା ସ୍ବଚ୍ଛଳ। କିନ୍ତୁ ଇଂରେଜମାନଙ୍କର ଦେଶୀ ଲୁଣମରା ଉପରେ କଟକଣା ତାଙ୍କ ପାଇଁ ସମସ୍ୟା ହୋଇ ଉଭା ହେଲା। ତେବେ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଲୁଣଚାଷୀଙ୍କ ବ୍ୟବସାୟରେ ଆସିଲା ଉନ୍ନତି। ବିଭିନ୍ନ ସମିତି ଜରିଆରେ ସେମାନେ ଲୁଣ ବିକ୍ରି କରି ଲାଭବାନ ବି ହେଲେ। ହେଲେ ଆୟୋଡିନ ଲୁଣର ଚାହିଦା ବଢିବା ପରେ ଦେଶୀ ଲୁଣ ଅଦରକାରୀ ହୋଇପଡିଲା। ମେଶିନ୍‌ ଦ୍ୱାରା ଦେଶୀ ଲୁଣକୁ ଆୟୋଡିନ ଲୁଣରେ ରୂପାନ୍ତରିତ କରିବା ପରେ କିଛିଟା ବ୍ୟବସାୟ ହେଲା ସତ କିନ୍ତୁ ବାରମ୍ବାର ମେଶିନ୍‌ ଖରାପ ଓ ସରକାରଙ୍କ ଅମନଯୋଗିତା ଯୋଗୁ ଏବେ ଲୁଣ ଚାଷୀଙ୍କ ଅବସ୍ଥା କହିଲେ ନ ସରେ।

ଜୀବିକା ଛାଡ଼ି ଦାଦନ ଖଟି ଯାଉଛନ୍ତି ବୋଳଙ୍ଗ ଲୁଣଚାଷୀ - ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଙ୍ଗ ପଞ୍ଚାୟତରେ ପ୍ରାୟ ୮୦ବର୍ଷ ଧରି ଲୁଣ ଉତ୍ପାଦନ ହୋଇଆସୁଛି। ଏହାକୁ ଜୀବିକା ଭାବରେ ଆଶ୍ରା କରି ସ୍ଥାନୀୟ ପଞ୍ଚାୟତର ୫ଶହରୁ ଊର୍ଦ୍ଧ୍ୱ ପରିବାର ନିଜ ତେଲ ଲୁଣ ସଂସାର ଚଳାନ୍ତି । ହେଲେ ଏବେ ଏହି ଲୁଣଚାଷୀଙ୍କ ମୁଣ୍ଡରେ ବଜ୍ର ପଡିଛି । ଆୟୋଡିନ ଯୁକ୍ତ ଲୁଣ ବିକ୍ରି ଉପରେ ସରକାର ନିର୍ଦ୍ଦେଶନାମା ଜାରି କରିବା ପରଠୁ ଚାଷୀମାନେ ସମସ୍ୟାରେ ପଡିଛନ୍ତି। ନିଜର ଉତ୍ପାଦିତ ଲୁଣକୁ ଆୟୋଡିନଯୁକ୍ତ କରିବା ପାଇଁ ପ୍ରଥମେ ସରକାର ଆବଶ୍ୟକ ମେଶିନ ଓ ପରୀକ୍ଷା ଗୃହ ଯୋଗାଇ ଦେଉଥିଲେ । ହେଲେ କ୍ରମଶଃ ସେହି ମେଶିନଗୁଡିକ ଅଚଳ ହୋଇପଡିଲା, ପରୀକ୍ଷା ଗୃହଗୁଡିକ ମଧ୍ୟ ନଷ୍ଟ ହୋଇଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏ ସଂକ୍ରାନ୍ତରେ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ଲୁଣ ବିକ୍ରି କରିପାରିଲେ ନାହିଁ । ଏଥିପାଇଁ ଆର୍ଥତ୍କ ଅନଟନ ମଧ୍ୟରେ ଚାଷୀମାନଙ୍କୁ ଦିନ କାଟିବାକୁ ପଡୁଛି । ବାଧ୍ୟ ହୋଇ ଚାଷୀମାନେ ନିଜ ଉତ୍ପାଦିତ ଲୁଣକୁ ଦଲାଲମାନଙ୍କ ମାଧ୍ୟମରେ ଖୁବ କମ୍‌ ଦରରେ ବିକ୍ରି କରୁଛନ୍ତି। ସେମାନେ କ୍ଷତି ସହି ଚାଲିଛନ୍ତି । କେହି କେହି ଚାଷୀ ଏହି ଚାଷଠୁ ଦୂରେଇ ରହି ରାଜ୍ୟ ବାହାରକୁ ଦାଦନ ଖଟିବାକୁ କିମ୍ବା ଅନ୍ୟ କାମ ଧନ୍ଦା ଅନ୍ବେଷଣରେ ଚାଲିଯାଉଛନ୍ତି। ଅନ୍ୟପକ୍ଷରେ ବୋଝ ଉପରେ ନଳିତା ବିଡା ପରି ସରକାର ଭୂମିକର ବାବଦରେ ଚାଷୀମାନଙ୍କଠୁ ପୂର୍ବ ଅପେକ୍ଷା ଅଧିକ ୨୦ ଗୁଣ ନେଉଛନ୍ତି । ଫଳରେ ଲୁଣ ବିକ୍ରି ନେଇ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ଏହି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସୂଚନାଯୋଗ୍ୟ ଯେ ଉପରୋକ୍ତ ଚାଷୀମାନେ ଗଢିଛନ୍ତି ସଲ୍ଟ ମାନୁଫାକ୍‌ଚରିଂ ଇଣ୍ଡଷ୍ଟ୍ରିଜ ନାମରେ ଏକ ସମବାୟ ସମିତି । ୧୯୭୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଏହି ସମିତି ଲାଭରେ ଚାଲିଥିଲା । ୧୯୯୬ ମସିହାରୁ ବଜାରରେ ଆୟୋଡିନଯୁକ୍ତ ଲୁଣର ବହୁଳ ପ୍ରଚଳନ ହେଲା । ପୁଣି ସରକାର ଅଧିକ ୨୦ ଗୁଣ ଭୂମିକର ଚାଷୀଙ୍କଠାରୁ ଆଦାୟ କରିବା ପାଇଁ ଘୋଷଣା କଲେ । ସେହିଦିନଠାରୁ କ୍ଷତିରେ ସମିତି ଚାଲୁଥିବାରୁ ଏହା ଉପରେ ନିର୍ଭର କରୁଥିବା ୫ ଶହ ପରିବାର ଏବେ ଅତି ଦୟନୀୟ ଭାବରେ ଦିନ କାଟୁଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଚାଷୀ ଏବେ ଦାଦନ ଶ୍ରମିକ କିମ୍ବା ପଡୋଶୀ ପଶ୍ଚିମବଙ୍ଗକୁ ବିକଳ୍ପ କାମଧନ୍ଦା ଆଶାରେ ପଳାଇଯିବାକୁ ଆରମ୍ଭ କରିଛନ୍ତି । ଲୁଣ ଉତ୍ପାଦନ ପାଇଁ ବୋଳଙ୍ଗରେ ବ୍ୟାପକ ଭିତ୍ତିଭୂମି ରହିଛି । ପୂର୍ବରୁ ଲୁଣରେ ଆୟୋଡିନ ମିଶାଇବା ମେଶିନ ପାଇଁ ସରକାର ମେଶିନ ଓ ଲାବୋରେଟୋରି ଆଦି ଯୋଗାଇ ଦେଇଥିଲେ । ମାତ୍ର ତାହା ୨ରୁ ୩ ମାସ ଚାଲିଲା ପରେ ଅଚଳ ହୋଇଗଲା । ଏହା ପରଠୁ ଅଦ୍ୟାବଧି ଆୟୋଡିନ ମିଶାଇବା ମେଶିନ ସରକାର ମରାମତି ପାଇଁ ନେଲେ ନାହିଁ କି ନୂଆ ମେଶିନ ଯୋଗାଇ ଦେଲେ ନାହିଁ । ଚାଷୀମାନେ ବାଧ୍ୟ ହୋଇ ସ୍ବଳ୍ପମୂଲ୍ୟରେ ବାହାର ବ୍ୟବସାୟୀଙ୍କୁ ଲୁଣ ବିକିଲେ । ଏଥିରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ କ୍ଷତିରେ ପଡିଲେ । ଲୁଣ ଉତ୍ପାଦନ କରିବାକୁ ଚାଷୀମାନଙ୍କ ଆଗ୍ରହ କମିଗଲା । ପୂର୍ବରୁ ବୋଳଙ୍ଗ ଲୁଣର ଚାହିଦା ବଜାରରେ ଅଧିକ ଥିଲା । ଚାଷୀମାନେ ନିଜର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇ ଅନ୍ୟ ଆଡକୁ ପଠାଇ ବେଶ୍‌ ଲାଭ ଉଠାଇ ପାରୁଥିଲେ । ଯେବେ ସରକାର ଦେଶୀ ଲୁଣ ଉପରେ କଟକଣା ଜାରି କଲେ ସେତେବେଳେ ବୋଳଙ୍ଗର ବହୁ ଚାଷୀ ବାଧ୍ୟ ହୋଇ ସେମାନଙ୍କ ଜୀବିକା ବନ୍ଦ କରିଦେଲେ । ଏହି ଲୁଣକୁ ଗୁଣ୍ଡ କରି ଆୟୋଡିନଯୁକ୍ତ କରିବା ପାଇଁ ଏବେ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ଏବେ ଖୋଲା ବଜାରରୁ ଲୋକେ ବିଭିନ୍ନ କମ୍ପାନୀର ଲୁଣ କିଲୋ ପ୍ରତି ୧୫ରୁ ୨୦ ଟଙ୍କାରେ କିଣୁଛନ୍ତି। ବୋଳଙ୍ଗ ଲୁଣକୁ ଉପଯୋଗ କରାଯାଇ ପାରିଲେ ଲୋକେ କିଲୋ ପ୍ରତି ୮ରୁ ୧୦ ଟଙ୍କାରେ ପାଇପାରନ୍ତେ । ଚାଷୀମାନେ ଏଥିରେ କର୍ମନିଯୁକ୍ତି ପାଇ ଭଲରେ ପରିବାର ପ୍ରତିପୋଷଣ କରିପାରନ୍ତେ । ଏହି ଲୁଣରେ ଶତକଡା ୧୫ ଭାଗ ଆୟୋଡିନ ଥିବା ପୁରୁଖା ଚାଷୀମାନେ ପ୍ରକାଶ କରିଛନ୍ତି । ସରକାରୀ ସହାୟତା ମିଳୁ ନ ଥିବାରୁ ଲୁଣ ଚାଷରେ କ୍ଷତି ହେଉଛି ବୋଲି ଉପେନ୍ଦ୍ର ଜେନା କହିଛନ୍ତି । ଲୁଣ ସମବାୟ ସମିତିକୁ ଆର୍ଥତ୍କ ସହାୟତା ଓ ବଜାରରେ ଲୁଣ ବିକ୍ରି ପାଇଁ ସୁଯୋଗ ସୃଷ୍ଟି ହେଲେ ଲୁଣ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ଲୁଣଚାଷୀ ଅମୂଲ୍ୟ ମହାନ୍ତି, କବିତା ମହାନ୍ତି, ଭଗବାନ ସାମନ୍ତ ଓ ଶାନ୍ତିଲତା ଜେନା ପ୍ରମୁଖ କହିଛନ୍ତି ।

ସଙ୍କଟରେ ଗଞ୍ଜାମର ଲୁଣ ଶିଳ୍ପ - ଏକଦା ଲୁଣ ଉତ୍ପାଦନର ପେଣ୍ଠସ୍ଥଳୀ ଥିଲା ଗଞ୍ଜାମ ଜିଲାର ଗାମ ଅଞ୍ଚଳ। ଭୁବନେଶ୍ୱରରୁ ଆସିବା ବେଳେ ଗାମ ଓ ହୁମ୍ମା ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଦେଖିବାକୁ ମିଳିଥାଏ ବିସ୍ତୀର୍ଣ୍ଣ ଲୁଣ ଜମି । ଏହି ଜମିରେ ଗଦା ଗଦା ହୋଇ ରହିଥାଏ ଲୁଣ । ଯାହା ଏବେ କ୍ୱଚିତ୍‌ ଦେଖିବାକୁ ମିଳୁଛି । ଲୁଣ ଉତ୍ପାଦନ ଏବଂ ଜମି କମୁଥିବାରୁ ସୃଷ୍ଟି ହୋଇଛି ଏପରି ସଙ୍କଟମୟ ପରିସ୍ଥିତି । ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହରୁ ଏହି ଅଞ୍ଚଳରେ ଲୁଣ ମାରିବା ଆରମ୍ଭ ହୋଇଥିଲା । ମାତ୍ର ସମୟକ୍ରମେ ଲୁଣ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏଠାରେ ଲୁଣ ଉତ୍ପାଦନ ଓ ଚାଷ ଏକ ଶିଳ୍ପ ବୋଲି କୁହାଯାଇଆସୁଥିଲା । ଯାହା ଏବେ ଉଜୁଡିବାରେ ଲାଗିଛି । ଗଞ୍ଜାମ ଜିଲାର ଶିଳ୍ପ ଇତିହାସରେ ଲବଣ ଶିଳ୍ପ ହିଁ ପ୍ରଥମ ହେବ ବୋଲି ଐତିହାସିକମାନେ ମତ ଦିଅନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଶିଳ୍ପ ସହ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଜଡିତ ଥିଲେ । ଏବେ ଏମାନଙ୍କ ଜୀବନ ଜୀବିକା ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହରୁ ଅନୁପ୍ରାଣିତ ହୋଇ ଗାମ-ହୁମ୍ମା ଅଞ୍ଚଳରେ ଲୁଣ ମରାଯାଇଥିଲା ବୋଲି କୁହାଯାଉଥିବାବେଳେ ୧୯୩୦ ମସିହା ପୂର୍ବରୁ ଏଠାରେ ଲୁଣ ମାରିବାର ପରମ୍ପରା ଥିଲା ବୋଲି କେତେକେ କୁହନ୍ତି । ଏହି ଶିଳ୍ପ କିନ୍ତୁ ଏବେ ସମସ୍ୟା ଦେଇ ଗତି କରୁଛି । ଗଞ୍ଜାମ ଜିଲାର ୩ ହଜାର ଏକର ଲୁଣ ଜମି ମଧ୍ୟରୁ ହୁମ୍ମା ଅଞ୍ଚଳରେ ରହିଥିଲା ୧୭୦୦ ଏକର । ଯେଉଁଥିରୁ ବାର୍ଷିକ ୫୦ ହଜାର ମେଟ୍ରିକ ଟନ୍‌ରୁ ଅଧିକ ଲୁଣ ଆଦାୟ କରାଯାଉଥିଲା । ଏବେ ଏହା ହ୍ରାସ ପାଇ ୫ ହଜାର ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି । ହୁମ୍ମା-ବିଞ୍ଚଣାପଲ୍ଲୀ ଲବଣ ଉତ୍ପାଦନ ଓ ବିକ୍ରି ସମବାୟ ସମିତି ମଧ୍ୟ ଗଠନ ହୋଇଥିଲା । ସମିତିର ବ୍ୟକ୍ତିବିଶେଷ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଆସୁଥିଲେ । ଏହା ହୁମ୍ମା ନିକଟବର୍ତ୍ତୀ ୧୫ରୁ ଊର୍ଦ୍ଧ୍ୱ ଗାଁର ହଜାର ହଜାର ଶ୍ରମିକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜୀବନ ଜୀବିକାର ସୁଯୋଗ ଯୋଗାଇ ଆସୁଥିଲା । ବିଶେଷକରି ମହିଳା ଶ୍ରମିକମାନଙ୍କ ପାଇଁ ରୋଜଗାରର ଉତ୍ସ ଥିଲା ଲୁଣ ଶିଳ୍ପ । ଏବେ ଏହି ସମିତି ମଧ୍ୟ ବନ୍ଦ ହୋଇଯାଇଛି । ଚଳିତ ବର୍ଷ ମାତ୍ର ୧୦ ହେକ୍ଟର ଜମିରେ ଲୁଣ ଚାଷ ହୋଇଛି । ଯେଉଁମାନଙ୍କର ଜମି ରହିଛି ସେମାନେ କେବଳ ଏହି ଚାଷ କରିଛନ୍ତି । ପୂର୍ବରୁ ସାଧାରଣତଃ ମାରୱାଡି ସମ୍ପ୍ରଦାୟର ଲୋକେ କେନ୍ଦ୍ର ସରକାରଙ୍କ ଠାରୁ ଜମି ଲିଜ୍‌ ନେଇ ଲୁଣ ଉତ୍ପାଦନ କରୁଥିଲେ । ଏହାଫଳରେ ଏଠାର ଚାଷୀ ଏବଂ ଶ୍ରମିକ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ଏବେ ବଟେଶ୍ୱର ଲବଣ ଶ୍ରମିକ ୟୁନିୟନ ଗଠନ କରାଯାଇ ଏମାନଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବା ସହ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି । କେତେକ ଚାଷୀଙ୍କୁ ଜମି ବାଣ୍ଟି ଲୁଣ ଚାଷ ପାଇଁ ଦେବା ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ଆସି ଏଠାରେ ଲୁଣ ଉତ୍ପାଦନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ୟୁନିୟନର ସଭାପତି ସୁରଥ ପାହାନ କହିଛନ୍ତି । ଗତବର୍ଷ ଏନେଇ ୟୁନିୟନ ପକ୍ଷରୁ ହୋଇଥିଲା ଆନ୍ଦୋଳନ । ଏଠାର ଲୁଣ ଚାଷୀ ଓ ଶ୍ରମିକମାନଙ୍କୁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବା ସମସ୍ୟା ହେବାରୁ ଏମାନେ ପରିବାର ସହ ସୁରଟ, ବମ୍ବେ, ମାଡ୍ରାସ ଆଦିକୁ ଚାଲିଗଲେଣି। ଗଞ୍ଜାମ ସହର ଉପକଣ୍ଠରେ ଥିବା ଜୟଶ୍ରୀ କେମିକାଲ୍ସ ଏହି ଲୁଣ କଷ୍ଟିକ ସୋଡା ଉତ୍ପାଦନ ପାଇଁ ଚାଷୀମାନଙ୍କଠାରୁ କିଣୁଥିଲା । ମାତ୍ର ଏଥିରେ ଗୁଣବତ୍ତା ନ ଥିବାରୁ ଲୁଣ କିଣିବା ହ୍ରାସ କରି ପରେ ସମ୍ପୂର୍ଣ୍ଣ ଭାବେ କିଣିବା ବନ୍ଦ କରିଥିଲା ଜୟଶ୍ରୀ କେମିକାଲ୍ସ । ୨୦୨୯ରେ କେନ୍ଦ୍ର ସରକାରଙ୍କ ଲବଣ ବିଭାଗ, ଗୁଜରାଟ ଭାବାନଗର ସ୍ଥିତ କେନ୍ଦ୍ରୀୟ ଲବଣ ଓ ସାମୁଦ୍ରିକ ରସାୟନ ଅନୁସନ୍ଧାନ ସଂସ୍ଥା ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଏଠାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିଲା ଲୁଣ ଉତ୍ପାଦନ କେନ୍ଦ୍ର । ଏବେ ଏହାର ଅବସ୍ଥା ଜରାଜୀର୍ଣ୍ଣ । ଊନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ଓଡିଶା ଉପକୂଳବର୍ତ୍ତୀ ଜିଲାରେ ବ୍ରିଟିଶ ଉପନିବେଶବାଦ ଲୁଣ ଶିଳ୍ପକୁ ଧ୍ୱଂସ କରି ଦେଇଥିଲା । ଏହା ପରେ ମଧ୍ୟ ଗଞ୍ଜାମରେ ୬୮ ଜଣ ବ୍ୟକ୍ତି ୨ରୁ ୩ ଏକର ଲେଖାଏଁ ଜମି ନେଇ ଲବଣ ସମିତି ଗଠନ କରିଥିଲେ । ଏପରି କି ଏମାନେ ୧୯୪୬ରେ ପାଖାପାଖି ୧୬ ହଜାର୧୨୨ କୁଇଣ୍ଟାଲ ଲୁଣ ଉତ୍ପାଦନ କରିଥିଲେ । ଜାନୁୟାରୀରୁ ଜୁନ୍‌ ୬ ମାସ ସାଧାରଣ ଭାବେ ଧାନ ଚାଷ ବନ୍ଦ ରହିଥାଏ । ଏହି ସମୟରେ ଲୁଣ ବିକ୍ରିର ବ୍ୟବସ୍ଥା କରାଯାଇ ଆସୁଥିଲା । ହୁମ୍ମା-ବିଞ୍ଚଣାପଲ୍ଲୀ ଲବଣ ସମିତି ଗଠନ ହୋଇଥିଲା । ପ୍ରାରମ୍ଭିକ ସମୟରେ ସମିତି ୧୯୫୭ ବେଳକୁ ପ୍ରାୟ ୫୪୫ ଏକର ଜମିରେ ଲୁଣ ଉତ୍ପାଦନ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ୪୩୦ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କ ଲବଣ ବିଭାଗରୁ ୭୩୦ ଏକର ଜମି ୨୦ ବର୍ଷୀୟା ଲିଜ୍‌ରେ ନେଇ ଲୁଣ ଉତ୍ପାଦନ କରୁଥିଲେ । ତେବେ ଉତ୍ପାଦନ ହ୍ରାସ ଲାଗି ୧୨୩ ଏକର ଜମି ପରେ ବାତିଲ ହୋଇଥିଲା । ଓଡିଶାର ସଲ୍ଟ ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟ ହୁମ୍ମା ନିକଟରେ ରହିଛି । ୨୦୧୩ ଫାଇଲିନ୍‌ଜନିତ ବାତ୍ୟାରେ ଏହାର କାର୍ଯ୍ୟାଳୟ କୋଠା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ପରେ ଏହି କାର୍ଯ୍ୟାଳୟ ବନ୍ଦ ହେବାକୁ ବସିଥିଲା । ଦାବି ଓ ଆନ୍ଦୋଳନ ପରେ ଏହି କାର୍ଯ୍ୟାଳୟ ଏବେ ଏକ ଭଡାଘରେ ଚାଲିଛି । କେନ୍ଦ୍ର ସରକାର ଲବଣକୁ ଶିଳ୍ପର ମାନ୍ୟତା ଦେଇଛନ୍ତି । ମାତ୍ର ଏହାର ବିକାଶ ପାଇଁ ସତେ ଯେମିତି ଆଖି ବୁଜି ଦେଇଛନ୍ତି। ଓଡିଶା ସରକାରଙ୍କୁ ଏହା ହସ୍ତାନ୍ତର କରିବାକୁ ପୂର୍ବରୁ କୁହାଯାଇଥିଲେ ହେଁ ଏଯାବତ ଏହା କାର୍ଯ୍ୟକାରୀ ହୋଇନି । ଲୁଣ ଉତ୍ପାଦନର ବୈଷୟିକ ଶୈଳୀ ସହ ପ୍ରଦ୍ୱନ୍ଦ୍ୱିତାମୂଳକ ବଜାର କାରଣରୁ ଏହି ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏବେ ଅର୍ଦ୍ଧାଧିକ ଲୁଣ ଚାଷ ଜମି ପଡିଆ ପଡିଥିବା ଦେଖିବାକୁ ମିଳୁଛି । ସରକାରଙ୍କ ପକ୍ଷରୁ ଲୁଣ ଚାଷ ପାଇଁ କୌଣସି ପ୍ରୋତ୍ସାହନ ମିଳୁନି ବୋଲି ଅଭିଯୋଗ କରୁଛନ୍ତି ଚାଷୀ । ଉନ୍ନତ ପଦ୍ଧତିରେ ଧାନ, ପନିପରିବା ଚାଷ ହେଉଥିବାବେଳେ ଲୁଣ ପାଇଁ କରାଯାଉନି କୌଣସି ସଚେତନତା କାର୍ଯ୍ୟକ୍ରମ କିମ୍ବା ସବସିଡିର ବ୍ୟବସ୍ଥା । ଫଳରେ ଏଥିରୁ ଦୂରେଇ ଗଲେଣି ବହୁ ଚାଷୀ, ଶ୍ରମିକ ବୋଲି କୁହନ୍ତି ଚାଷୀ ବୃନ୍ଦାବନ ସାହୁ । ସେ ଆହୁରି କହିଛନ୍ତି ଲୁଣ ଚାଷରେ କ୍ଷତି ହେଲେ ପ୍ରଶାସନ କ୍ଷତିପୂରଣ ଦେବା ଦୂରର କଥା ବୁଝିବାକୁ ଆସୁନାହାନ୍ତି କେହି । ସମିତି ମଧ୍ୟରେ ବିବାଦ ହେଉକି ଅନ୍ୟ କାରଣ ଏହା ଅଧୀନରେ ଥିବା ୧୨୩.୬୪ ଏକର ଜମିର ଲିଜ୍‌ ବାତିଲ ହୋଇଯାଇଛି । ଏହି ପରିସ୍ଥିତି ରହିଲେ ହୁଏତ ଆଉ କିଛି ବର୍ଷ ପରେ ହୁମ୍ମା-ଗଞ୍ଜାମ ଅଞ୍ଚଳର ଲବଣ ଶିଳ୍ପରେ ପୂର୍ଣ୍ଣଚ୍ଛେଦ ପଡିଯିବ ।

ଅସ୍ତରଙ୍ଗ ଲୁଣ ଥିଲା ଦେଶର ସର୍ବୋଚ୍ଚ ଉତ୍କୃଷ୍ଟ ଲୁଣ - ପୁରୀ ଜିଲାର ଅସ୍ତରଙ୍ଗ ଉପକୂଳ କୋଣାର୍କ ଉପକୂଳ ଅତୀତରେ ଲୁଣମରାସ୍ଥାନ ଭାବେ ପ୍ରସିଦ୍ଧିଲାଭ କରିଥିଲା । ଗବେଷକ ବଳରାମ ମିଶ୍ରଙ୍କ କୋଣାର୍କ ପୁସ୍ତକରୁ ଜଣାଯାଏ ଯେ, ୧୮୮୦ଖ୍ରୀଷ୍ଟାବ୍ଦରେ ଏଠାରୁ ପ୍ରଚୁର ପରିମାଣର ଲୁଣ ଉତ୍ପାଦନ ହୋଇ ସମଗ୍ର ଭାରତବର୍ଷର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ଅସ୍ତରଙ୍ଗ ଲୁଣର ଚାହିଦା ବହୁତ ରହିଥିଲା। ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କ ପୁସ୍ତକ ଭାରତର ସ୍ବାଧୀନତା ସଂଗ୍ରାମରେ କାକଟପୁରର ଭୂମିକା ପୁସ୍ତକରୁ ଜଣାଯାଏ ଯେ, ଇଂରେଜମାନଙ୍କ ଦ୍ୱାରା ପ୍ରଣୀତ ଲବଣ ଆଇନକୁ ଭଙ୍ଗ କରିବାକୁ ୧୯୩୦ମେ ୨୧ ତାରିଖ ଦିନ ସତ୍ୟାଗ୍ରହୀମାନେ ପଣ୍ଡିତ ନୀଳକଣ୍ଠ ଦାସ, ମଧୁସୂଦନ ମିଶ୍ର, ଭୁବନାନନ୍ଦ ସ୍ବାଇଁ, ପୁରୁଷୋତ୍ତମ ମୁଦୁଲି, ପୂର୍ଣ୍ଣାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଲବଣ ଆଇନକୁ ଭଙ୍ଗ କରି ଗିରଫ ହୋଇଥିଲେ। ସତ୍ୟାଗ୍ରହୀମାନେ ସେ ସମୟରେ ”ଆମ ଦରିଆରୁ ଆମେ ମାରିବୁ ଲୁଣ। ଗୋରାବେପାରୀଙ୍କ ଭାଙ୍ଗିବୁ ଟାଣ“ ସ୍ଲୋଗାନ ଦେଇ ଜନସାଧାରଣଙ୍କ ମନରେ ବ୍ରିଟିଶ ସରକାରଙ୍କ ବିରୋଧରେ ଜନଜାଗରଣ ସୃଷ୍ଟି କରିଥିଲେ। ସତ୍ୟାଗ୍ରହୀମାନେ ଅସ୍ତରଙ୍ଗ ଉପକୂଳର କୁହୁଡି, ଅସ୍ତରଙ୍ଗ, ନଟରା, ବଡରୋଲା, ଟିକରପଡା, କଜଳପାତିଆ, ଡମଶୁଣ, ଗଣିପୁର, କେଉଟଜଙ୍ଗା, ତଣ୍ଡାହାର, କୋଣାର୍କ ପ୍ରଭୃତି ସ୍ଥାନରେ ଲୁଣମାରି ଇଂରେଜସରକାରଙ୍କ ଦମ୍ଭକୁ ଭାଙ୍ଗି ଦେଇଥିଲେ। ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ୨ୟ ଗୋଲଟେବୁଲ ବୈଠକରେ ଭାରତବାସୀଙ୍କୁ ଲୁଣ ମାରିବାର ଅଧିକାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିଦିନଠାରୁ ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ସମୁଦ୍ରରୁ ଲୁଣମାରି ପରିବାର ଚଳାଇବା ସହତ ହଜାର ହଜାର ପରିବାର ଲୁଣ ବ୍ୟବସାୟ କରି ନିଜ ନିଜର ଆର୍ଥତ୍କ ମାନଦଣ୍ଡକୁ ସୁଦୃଢ଼ କରିପାରିଥିଲେ। ୧୯୪୩ରେ ସ୍ଥାପିତ ହେଲା ଅସ୍ତରଙ୍ଗ ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି। ଅସ୍ତରଙ୍ଗ ଅଞ୍ଚଳର ଅସ୍ତରଙ୍ଗ,ପାଟଳଦା, ନୂଆଗଡ ପ୍ରଭୃତି ପଞ୍ଚାୟତର ୪୦୦ରୁ ଊର୍ଦ୍ଧ୍ୱ ଲୁଣ ଚାଷୀଙ୍କୁ ନେଇ ୧୯୪୩ ମସିହାରେ ଗଠନ ହୋଇଥିଲା ଅସ୍ତରଙ୍ଗ ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି। ସମିତି ପକ୍ଷରୁ କୁ୍‌ଜଙ୍ଗ, ରାଜନଗର, ରାଜକନିକା, କଟକ, ପିପିଲି, ନୟାହାଟ, ପାରାଦୀପ ପ୍ରଭୃତି ସ୍ଥାନରେ ଗୋଦାମ କରାଯାଇ ଏଠାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଲୁଣ ସବୁକୁ ରଖାଯାଉଥିଲା। ବ୍ୟବସାୟୀମାନେ ଲୁଣନେଇ ଲୋକଙ୍କୁ ବିକ୍ରି କରୁଥିଲେ। ସମିତି ଦ୍ୱାରା ଲୁଣଚାଷୀମାନେ ଉଚିତ ଦର ପାଇପାରୁଥିବା ବେଳେ ସମିତି ମଧ୍ୟ ଦିନକୁ ଦିନ ଉନ୍ନତି ପଥରେ ଆଗେଇ ଚାଲିଲା। ୧୯୯୯ ମସିହା ମହାବାତ୍ୟା ସମିତିଗୃହ, କାର୍ଯାଳୟ କ୍ଷତିଗ୍ରସ୍ତ କରିଥିବା ବେଳେ ୨୦୦୧/୦୨ ମସିହାରେ ସରକାର ଦେଶୀ ଲୁଣ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର କରିବାକୁ ପ୍ରଚାର ପ୍ରସାର କରିଥିଲେ। ଫଳରେ ଦିନକୁ ଦିନ ଲୁଣ ଉତ୍ପାଦନ କମିବାରେ ଲାଗିଲା। ୨୦୦୩ ମସିହାରେ ସମ୍ପୂର୍ଣ୍ଣ ଲୁଣ ଉତ୍ପାଦନ ବନ୍ଦ ହୋଇଥିଲା ବୋଲି କୁହନ୍ତି ସମିତିର ପୂର୍ବତନ ସଭାପତି ଭୀମସେନ ନାୟକ। ଇତିମଧ୍ୟରେ ବହୁ ଲୁଣ ଚାଷୀ ମୃତ୍ୟୁବରଣ କରିସାରିଲେଣି। ସରକାର ଯେଉଁ ଜମି ଲୁଣମାରିବାକୁ ସମିତିକୁ ଲିଜ୍‌ ଦେଇଥିଲେ ତାକୁ ନବୀକରଣ କଲେ ନାହିଁ । ଫଳରେ ଲୁଣିଜମି ଏବେ ଜବର ଦଖଲକାରୀଙ୍କ କବଳରେ କବଳିତ। ଚିଙ୍ଗୁଡିମାଫିଆମାନେ ଏହି ଜମିରେ ବେଆଇନଭାବେ ଚିଙ୍ଗୁଡିଚାଷ କରୁଛନ୍ତି। ସରକାର ଯଦି ଏଠାରେ ଅତ୍ୟାଧୁନିକ ଉପାୟରେ ଲୁଣ ଉତ୍ପାଦନ କରିବାକୁ ପ୍ରଚେଷ୍ଟା କରନ୍ତେ ତେବେ ଅନେକ ବ୍ୟକ୍ତି ରୋଜଗାର ପାଇପାରିବା ସହିତ ଲୁଣାଜଳର ସଦୁପଯୋଗ ହୋଇପାରନ୍ତା ବୋଲି କହିଛନ୍ତି ଭୀମସେନ ନାୟକ।

- ସୁକାନ୍ତ ଗିରି, ସନ୍ତୋଷ କୁମାର ପାଢ଼ୀ, ସନ୍ତୋଷ କୁମାର ଦାଶ



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri