ଧୂମକେତୁ କଣିକାରୁ ଗ୍ରହ ସର୍ଜନା


ଓ୍ବାଶିଂଟନ୍‌: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ପୃଥିବୀଠାରୁ ପାଖାପାଖି ୩ଟି ସୌରମଣ୍ଡଳ ଦୂରରେ ଏକ ଅଦ୍ଭୁତ ମହାଜାଗତିକ ଗତିବିଧି ଠାବ କରିଛନ୍ତି। ମହାଶୂନ୍ୟରେ ଧୂମକେତୁଠାରୁ ବିଚ୍ଛୁରିତ ହୋଇଥିବା ଅସଂଖ୍ୟ କଣିକା ସଂଗଠିତ ହୋଇ ଏକ ବିଶାଳ ଗୋଲାକାର ବଳୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏହି ବଳୟ ଧୀରେ ଧୀରେ ଏକ ବିଶାଳ ଗ୍ରହ ସୃଷ୍ଟି କରିବାରେ ଦିଗରେ ଆଗେଇ ଚାଲିଛନ୍ତି ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଛୋଟ ଛୋଟ ଖଗୋଳୀୟ ପିଣ୍ଡ ଏକତ୍ର ହେବା ଦ୍ୱାରା ଯେଉଁ ବିଶାଳକାୟ ପିଣ୍ଡର ସୃଷ୍ଟି ହେବ ତାହା ଅନେକଗୁଡ଼ିକଏ ପୃଥିବୀର ସମାହାର ସଦୃଶ ହେବ। ଧୂମକେତୁ କଣିକା ବଳୟର ଆଲୋକରୁ ଏହା ଅନୁମାନ କରାଯାଉଛି ବୋଲି ଆମେରିକାର ଜନ୍‌ ହାପ୍‌କିନ୍ସ ୟୁନିଭର୍ସିଟି ଆପ୍ଲାଏଡ୍‌ ଫିଜିକ୍ସ ଲାବୋରେଟୋରି (ଏପିଏଲ୍‌)ର ଗ୍ରହାନ୍ତର ଅଧ୍ୟୟନ ବୈଜ୍ଞାନିକ କାରେ ଲିସେ ସୂଚନା ଦେଇଛନ୍ତି। ବିଗତ କିଛି ଦଶନ୍ଧି ମଧ୍ୟରେ ହାଓ୍ବାଇର ଇନ୍‌ଫ୍ରାରେଡ୍‌ ଟେଲିସ୍କୋଫ୍‌ ବ୍ୟବସ୍ଥା ଏବଂ ସ୍ପିଟ୍‌ଜର ସ୍ପେସ୍‌ ଟେଲିସ୍କୋପ୍‌ ଭଳି ନାସାର ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରପାତି ଜରିଆରେ ବୈଜ୍ଞାନିକମାନେ ଭାସମାନ ଧୂଅଁାମୟ ଅସଂଖ୍ୟ ମହାକାଶ କଣିକା ଏବଂ ମହକାଶୀୟ ପିଣ୍ଡର ସମୂହ ଦେଖିବାକୁ ପାଇଥିଲେ। ଏହା ଉପରେ ଅନବରତ ଅନୁଧ୍ୟାନ ଜାରି ରହିଥିଲା। ସେଗୁଡ଼ିକ ପତଳା ହୋଇଥିଲେ ମଧ୍ୟ ବେଶ୍‌ ଉଜ୍ଜ୍ୱଳ। ଏହି ମହାକାଶ କଣିକା ବିଭିନ୍ନ ଧୂମକେତୁର ଅଂଶ ଏବଂ ଏହାର ବୟସ ମଧ୍ୟ ବେଶି ହୋଇ ନ ଥିବା ଜଣାପଡ଼ିଛି। ସେଗୁଡ଼ିକ ନିଜ ମାତୃ ପିଣ୍ଡୁଳର ୭୫ ରୁ ୨୦୦ ଆଷ୍ଟ୍ରୋନୋମିକାଲ୍‌ ୟୁନିଟ୍‌ ଅଂଶ। ପ୍ଲୁଟୋଠାରୁ ସୂର୍ଯ୍ୟର ଦୂରତା ଯେତେ ତା’ଠାରୁ ୨ରୁ ୭ ଗୁଣ ଦୂରରେ ଏହି ବଳୟ ଉପସ୍ଥିତ। ତେବେ ଏହି ବଳୟରେ ବରଫ କଣିକା ଭରପୁର ରହିଛି। ଏଥିରେ ଭରପୁର ଅଙ୍ଗାର ମଧ୍ୟ ରହିଛି। ଫଳରେ ଏହି ଉଜ୍ଜ୍ୱଳ ବଳୟ ଜମାଟ ବାନ୍ଧିବା ଭଳି ରହିଛି। ଏହି ସବୁ ଗତିବିଧି ଏକ ଗ୍ରହର ସୃଷ୍ଟି ସମୟରେ ବା ନବଜାତକ ଗ୍ରହରେ ଦେଖିବାକୁ ମିଳିଥାଏ ବୋଲି ଲିସେ କହିଛନ୍ତି। ଉକ୍ତ ବଳୟ ମଧ୍ୟରେ ଧୂମକେତୁର ବିଚ୍ଛିନ୍ନ ହେଉଥିବା ଲାଲ ପଥରଖଣ୍ଡ ମଧ୍ୟ ଠାବ କରାଯାଇଥିବା ସେ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri