ଏଣିକି ରୋବୋ କରିବ ଚାଷ


ଲଣ୍ଡନ: ଦୁନିଆର ପ୍ରାୟ ସମସ୍ତ କାର୍ଯ୍ୟରେ ମଣିଷର ବିକଳ୍ପ ଭାବେ ବ୍ୟବହୃତ ହେବାରେ ଲାଗିଛନ୍ତି ଯନ୍ତ୍ରମାନବ ବା ରୋବୋ। ଏହି କ୍ରମରେ ଆଉ ପାଦ ଆଗେଇ ବ୍ରିଟେନ୍‌ର ଏକ ବୈଜ୍ଞାନିକ ଦଳ ପ୍ରଥମକରି ସମ୍ପୂର୍ଣ୍ଣ ରୋବା ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଅର୍ଥାତ୍‌ ହାର୍ପର୍‌ ଆଡାମ୍ସ ବିଶ୍ୱବିଦ୍ୟାଳୟର ଏହି ବୈଜ୍ଞାନିକ ଟିମ୍‌ ରୋବୋ ଜରିଆରେ ୫ଟନ୍‌ ବାର୍ଲି ଉତ୍ପାଦନ କରିବାରେ ସମର୍ଥ ହୋଇଛନ୍ତି। ପ୍ରାଥମିକ ସ୍ତରରେ ପରୀକ୍ଷଣ ଭାବେ ସେମାନେ ଏହା କରିଛନ୍ତି। ରୋବୋଙ୍କୁ ଏଭଳି ଭାବେ କୃଷିକାର୍ଯ୍ୟରେ ବ୍ୟବହାର କରିବାରେ ଏହା ହେଉଛି ପ୍ରଥମ ଘଟଣା। କୃଷିକାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କାମ ରୋବୋଙ୍କ ଦ୍ୱାରା ହୋଇଛି। ମଞ୍ଜି ବୁଣିବା, ଫସଲରେ ପାଣି ମଡ଼ାଇବା, ସାର, କୀଟନାଶକ ସିଞ୍ଚନ କରିବା, ଫସଲର ନମୁନା ସଂଗ୍ରହ କରିବା ଏବଂ ଅମଳ କାର୍ଯ୍ୟ ଏହି ଯନ୍ତ୍ରମାନବ ହିଁ କରିଛନ୍ତି। ସ୍ବୟଂଚାଳିତ ଯାନ ମାଧ୍ୟମରେ ରୋବୋ ଏହି କାର୍ଯ୍ୟ କରିଛନ୍ତି। କୃଷିକାର୍ଯ୍ୟରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ରୋବୋଟିକ୍‌ ଟେକ୍ନୋଲୋଜି ବେଶ୍‌ ଉପଯୋଗୀ ବୋଲି ହାର୍ପର ଆଡାମ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି। କାରଣ ଏହାଦ୍ୱାରା ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଭବିଷ୍ୟତରେ ଖାଦ୍ୟାଭାବ ଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସେମାନେ ଦାବି କରନ୍ତି। ରୋବୋ ଦ୍ୱାରା କୃଷିକାର୍ଯ୍ୟ ପ୍ରକଳ୍ପ ଲାଗି ଗବେଷକମାନେ ପ୍ରଥମେ ଏକ ଚାଷ ଜମି ସାଙ୍ଗକୁ କୃଷିକାର୍ଯ୍ୟ ଲାଗି ବ୍ୟବସାୟିକ ଢଙ୍ଗରେ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ନେଇଥିଲେ। ଏଥିରେ ବ୍ୟବହାର କରାଯାଉଥିବା ଡ୍ରୋନ୍‌କୁ ଗାଇଡ୍‌ କରିବା ଲାଗି ସେମାନେ ସଫ୍ଟଓ୍ବେର୍‌ ବ୍ୟବସ୍ଥା କରିଥିଲେ। ଏହାପରେ ସମ୍ପୃକ୍ତ ଯନ୍ତ୍ରପାତିକୁ ଆକ୍ୱାଟର୍‌ ସହ ସଂଯୋଗ କରିଥିଲେ। ଆକ୍ୱାଟର୍‌ ହେଉଛି ଏକ ରୋବୋଟିକ୍‌ ଟେକ୍ନୋଲୋଜି, ଯାହାଦ୍ୱାରା ଗବେଷକମାନେ ମଣିଷର ବିନା ଉପସ୍ଥିତିରେ କୃଷିକାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ସିଧାସଳଖ ନିୟନ୍ତ୍ରଣ କରିପାରିବେ। ଏଥିରେ ବ୍ୟବହୃତ ଗାଡ଼ିଗୁଡ଼ିକ ଜିପିଏସ୍‌ ଦ୍ୱାରା ପରିଚାଳିତ ହୋଇଥାଏ। ଦୂରରେ ଥାଇ ସବୁ ବ୍ୟବସ୍ଥାକୁ ଅପରେଟ୍‌ କରୁଥିବା ବୈଜ୍ଞାନିକଙ୍କ ଦ୍ୱାରା ନିର୍ଦ୍ଧାରିତ ଟାର୍ଗେଟ୍‌ଗୁଡ଼ିକୁ ସଫଳତାର ସହ ରୋବୋଗୁଡ଼ିକ ପୂରଣ କରିଥିଲେ। ଭିନ୍ନ ଭିନ୍ନ ଟାର୍ଗେଟ୍‌ ପାଇଁ ସ୍ବତନ୍ତ୍ର ଭାବରେ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଥିଲା ବୋଲି ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ତଥା ଏହି ପ୍ରକଳ୍ପର ମୁଖିଆ ଜୋନାଥନ୍‌ ଗିଲ୍‌ ପ୍ରକାଶ କରିଛନ୍ତି। ତେବେ ଏହି ବାର୍ଲିରୁ ବନ୍ଧୁ ଏବଂ ସହକର୍ମୀମାନଙ୍କ ପାଇଁ ବିୟର୍‌ ପ୍ରସ୍ତୁତ କରିବା ଲାଗି ବୈଜ୍ଞାନିକଦଳ ଚିନ୍ତା କରିଥିବା ଗିଲ୍‌ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri