ଏକାକୀ ୨୭ ବର୍ଷରେ ଖୋଳିଲେ ପୋଖରୀ


ରାୟପୁର:ଦୃଢ଼ ଇଚ୍ଛାଶକ୍ତି ଏବଂ କିଛି କରି ଦେଖାଇବାର ଜିଦ୍‌ ନିଶ୍ଚିତ ସଫଳତା ଦେଇଥାଏ। ଆଉ ଏହି କରିବା ପଛରେ ଯଦି ବୃହତ୍ତର ସ୍ବାର୍ଥ ନିହିତ ଥାଏ, ତାହାହେଲେ ଜଣେ ବ୍ୟକ୍ତିଙ୍କୁ ସମାଜ ଚିରଦିନ ମନେ ପକାଇଥାଏ। ଏହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଦଶରଥ ମାଞ୍ଝୀ। ଅଦ୍ୟମ ଇଚ୍ଛାଶକ୍ତି ଯୋଗୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସେ ପଛରେ ପକାଇ ଦେଇଥିଲେ। ସେ ଏଭଳି କାମ କରିଛନ୍ତି, ଯାହାକୁ ସାରା ଦୁନିଆ ସଲାମ କରୁଛି। ୨୩ ବର୍ଷ ଏକାକୀ କଠିନ ପରିଶ୍ରମ କରି ପାହାଡ଼ କାଟି ସେ ତିଆରି କରିଛନ୍ତି ରାସ୍ତା। ଫଳସ୍ବରୂପ ବିହାରର ଗୟା ଜିଲାର ଓ୍ବାଜିରଗଞ୍ଜ ସହର ଓ ଅଟ୍ରି ମଧ୍ୟରେ ଥିବା ୫୫ କିଲୋମିଟର ଦୂରତାକୁ ୧୫ କିଲୋମିଟରକୁ ହ୍ରାସ କରିଛି। ସେହିପରି ଆଉ ଜଣେ ଆଦିବାସୀ ଯୁବକ ଏକ ଦୁଃସାହିକ ଓ କଠିନ କାର୍ଯ୍ୟ କରି ଦେଖାଇଛନ୍ତି। ସେ ଏକାକୀ ୨୭ ବର୍ଷ ଧରି ଲଗାତର ପରିଶ୍ରମ କରି ଖୋଳିଛନ୍ତି ୧ ଏକର ବିଶିଷ୍ଟ ୧୫ ଫୁଟ ଗଭୀରର ଏକ ପୋଖରୀ, ଯାହା ତାଙ୍କ ଗ୍ରାମର ପାଣି ସଙ୍କଟ ସମସ୍ୟାକୁ ଦୂର କରିଛି। ଯୁବକ ଜଣକ ହେଲେ ଛତିଶଗଡ଼ କୋରିଆ ଜିଲା ସଜାପାହାଡ଼ ଗାଁର ଶ୍ୟାମ ଲାଲ। ସଜାପାହାଡ଼ ଗାଁ ଅତ୍ୟନ୍ତ ଦୁର୍ଗମ। ନା ଅଛି ବିଜୁଳି ନା ସଡ଼କ। ପାଣିର ଘୋର ସଙ୍କଟ ଗ୍ରାମବାସୀଙ୍କୁ ଅତିଶୟ ଦୁଃଖ ଦେଉଥିଲା। ଗୃହପାଳିତ ପ୍ରାଣୀଙ୍କୁ ପାଣି ପିଆଇବା ପାଇଁ ସମର୍ଥ ହେଉ ନ ଥିଲେ ଗ୍ରାମବାସୀ। ଏଥିପାଇଁ କ’ଣ କରିବେ ସେମାନେ ଜାଣି ପାରି ନ ଥିଲେ। ସରକାର ମଧ୍ୟ କିଛି କରି ନ ଥିଲେ। ଏଭଳି ଦୁଃସ୍ଥିତି ଶ୍ୟାମଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେ ଦୃଢ଼ମନା ହୋଇ ନିକଟସ୍ଥ ଜଙ୍ଗଲରେ ଜମି ଚିହ୍ନଟ କରି ପୋଖରୀ ଖୋଳିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବୟସ ହୋଇଥିଲା ମାତ୍ର ୧୫ ବର୍ଷ। ଗାଁ ଲୋକେ ତାଙ୍କୁ ଉପହାସ କରିଥିଲେ। କିନ୍ତୁ କାହାକୁ ଖାତିର ନ କରି ତାଙ୍କ କାର୍ଯ୍ୟ ସେ ଜାରି ରଖିଥିଲେ। ଫଳସ୍ବରୂପ ଆଜି ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିଛନ୍ତି। ଏ ସମ୍ପର୍କରେ ଶ୍ୟାମ କୁହନ୍ତି, ନା ସରକାର ନା ଗ୍ରାମବାସୀ କେହି ମୋ କାର୍ଯ୍ୟରେ ସହଯୋଗ କରି ନ ଥିଲେ। କିନ୍ତୁ ଆଜି ଗର୍ବିତ ଯେ, ଲୋକଙ୍କ କଲ୍ୟାଣ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ମୁଁ କିଛି କରିପାରିଲି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ରାମଶରଣ ବାର୍ଗର (୭୦) ଶ୍ୟାମଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସେ ଆମ ପାଇଁ ତ୍ରାଣକର୍ତ୍ତା ବୋଲି କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri