ଇନ୍ଦିରା ଗାନ୍ଧୀ ଥିଲେ ଦକ୍ଷ ମହିଳା


ଥିମ୍ପୁ:ଇନ୍ଦିରା ଗାନ୍ଧୀ ଜଣେ ଦକ୍ଷ ମହିଳା ଥିଲେ। ସେ ବିଶ୍ୱକୁ ଦେଖାଇ ଦେଇଥିଲେ ଯେ, ମହିଳା ବି କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ”ଇଣ୍ଡିଆସ୍‌ ଇନ୍ଦିରା: ଏ ସିଣ୍ଟେନିଆଲ୍‌ ଟ୍ରିବ୍ୟୁଟ୍‌“ ନାମକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଉଦ୍‌ବୋଧନ ଦେଇ ମଦର ଅଫ୍‌ ଭୁଟାନ୍‌ କୁହାଯାଉଥିବା ରାଣୀ ଆଶି ଡୋର୍ଜି ଓ୍ବାଙ୍ଗ୍‌ମୋ ଓ୍ବାଙ୍ଗ୍‌ଚୁକ୍‌ ପ୍ରକାଶ କରିଛନ୍ତି। ଭୁଟାନ୍‌ରେ ଚାଲିଥିବା ମାଉଣ୍ଟେନ୍‌ ଇକୋଜ୍‌ ଫେଷ୍ଟିଭାଲ୍‌ରେ ସେ କହିଥିଲେ ଯେ, ଇନ୍ଦିରା ଜଣେ ଦୀର୍ଘକାୟ ମହିଳା ନ ଥିଲେ ହେଁ ସେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‌ଙ୍କ ସହିତ ତାଙ୍କର ଫଟୋଚିତ୍ର ମୋର ଏବେ ବି ମନେଅଛି। ଶ୍ରୀମତୀ ଗାନ୍ଧୀ ଜଣେ ମହିଳା ଆଇକନ୍‌ ଥିଲେ ମଧ୍ୟ ସେ ସାରା ବିଶ୍ୱକୁ ଜଣାଇଦେଇ ଯାଇଛନ୍ତି ଯେ, ମହିଳାମାନେ ଯେଉଁ ନିଷ୍ପତ୍ତି ନିଅନ୍ତି ତାହାକୁ କାର୍ଯ୍ୟକାରୀ କରିବାର ଶକ୍ତି ସେମାନଙ୍କଠାରେ ନିହିତ ଥାଏ।“ ଏହି ପୁସ୍ତକଟି ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ସଂକଳିତ ହୋଇଛି। ଏଥିରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ସମ୍ପର୍କିତ ଆର୍ଟିକିଲ୍‌, ପ୍ରବନ୍ଧ ଓ ଅନେକ ଫଟୋ ପ୍ରକାଶ ପାଇଛି। କୁଇନ୍‌ ମଦର ମନେପକାଇଥିଲେ ଯେ, ଇନ୍ଦିରା ତାଙ୍କ ପିତାଙ୍କ ସହିତ କିପରି ଥରେ ଗୟଳ ଉପରେ ବସି ଆସିଥିଲେ। ଭୁଟାନ୍‌ର ରାଜ ପରିବାର ସହିତ ଗାନ୍ଧୀ ପରିବାରର ଘନିଷ୍ଠ ବନ୍ଧୁସମ୍ପର୍କ ରହିଥିବା ବିଷୟ ସେ ସ୍ମରଣ କରାଇଦେଇଥିଲେ। ଇନ୍ଦିରାଙ୍କ ମୁଣ୍ଡରେ ଯେଉଁ କେରାଏ ଧଳାକେଶ ଗାର ଟାଣିବା ଭଳି ଦେଖାଯାଉଥିଲା ତାହାକୁ ସେ ଖୁବ୍‌ ପ୍ରଶଂସା କରୁଥିଲେ। ସେ ଯେତେବେଳେ କମ୍‌ ବୟସର ହୋଇଥିଲେ ସେଭଳି ଧଳାକେଶ ତାଙ୍କର ଥାଆନ୍ତା କି ବୋଲି ସେ ଇଚ୍ଛା କରୁଥିଲେ। ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଉକ୍ତ ପୁସ୍ତକରେ ଇନ୍ଦିରା ଗାନ୍ଧୀ ଓ ଜବାହରଲାଲ୍‌ ନେହେରୁଙ୍କ ଅନେକ ଫଟୋ ରହିଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ଏକ ଚାପ୍ଟର ରହିଛି। ପୁସ୍ତକ ଲଞ୍ଚ୍‌ ସମୟରେ ଉପସ୍ଥିତ ଶଶୀ ଥରୁର୍‌ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଥରୁର କହିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବା ପରେ ଅନେକେ ପ୍ରଶ୍ନ କରିଥିଲେ ଯେ, ସେ ଏହି ଦାୟିତ୍ୱ ତୁଲାଇପାରିବେ? କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ଦେଖାଗଲା ଯେ, ତାଙ୍କ ପରେ ଯେଉଁ କେତେଜଣ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ସେମାନଙ୍କ ତୁଳନାରେ ଇନ୍ଦିରା ଗାନ୍ଧୀ ଅପେକ୍ଷାକୃତ ଦକ୍ଷ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri