୧୯୪୭ରୁ ଉଡୁଛି ତ୍ରିରଙ୍ଗା


ମାଡ୍ରାସ୍‌,୧୪ା୮ (ପି.ଟି.): ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହେବା ଦିନଠାରୁ ତାମିଲନାଡୁର ମାଡ୍ରାସ୍‌ଠାରେ ଥିବା ଫୋର୍ଟ ସେଣ୍ଟ ଜର୍ଜଠାରେ ଉଡ଼ୁଛି ତ୍ରିରଙ୍ଗା। ଏହା ହେଉଛି ଦେଶର ଏକମାତ୍ର ଭିଣ୍ଟେଜ୍‌ ଜାତୀୟ ପତାକା, ଯାହା ଦୀର୍ଘ ୭୦ ବର୍ଷ ହେଲା ଉକ୍ତ ଦୁର୍ଗରେ ସୁରକ୍ଷିତ ହୋଇ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ପକ୍ଷରୁ ଏହାକୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ୱ ରହିଛି ଏଏସ୍‌ଆଇ ହାତରେ। ଏଏସ୍‌ଆଇର ‘ରିଜର୍ଭ କଲେକ୍‌ଶନ୍‌’ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଏହାକୁ ସଂରକ୍ଷିତ କରି ରଖାଯାଇଛି। ୨୦୧୩ ଜାନୁୟାରୀ ୨୬ରେ ପ୍ରଥମକରି ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ଫୋର୍ଟ ମ୍ୟୁଜିୟମ୍‌ରେ ସର୍ବସାଧାରଣଙ୍କ ପାଇଁ ଏହାର ପ୍ରଦର୍ଶନ ହୋଇଥିଲା। ତେବେ ପତାକାକୁ ଏଭଳି ଭାବେ ସଂରକ୍ଷଣ କରିବା ସେତେ ସହଜ ନୁହେଁ। ଏକ ଏୟାର ଟାଇଡ୍‌ କାଠ ଏବଂ କାଚ ଶୋ କେସ୍‌ରେ ଏହାକୁ ରଖାଯାଇଛି। ପତାକାର ଚାରିପାର୍ଶ୍ୱରେ ସିଲିକା ଜଲେ୍‌ର ୬ଟି ପାତ୍ର ରହିଛି। ଏହାଦ୍ୱାରା ସବୁ ସମୟରେ ଶୋ କେସ୍‌ର ଆର୍ଦ୍ରତା ନିୟନ୍ତ୍ରଣ ହେବା ସହ ତାହାକୁ ଶୋଷିନେଇଥାଏ। ପତାକା ରହିଥିବା ହଲ୍‌ ଏବଂ ଶୋ କେସ୍‌ରେ ସବୁବେଳେ ଲାଇଟ୍‌ ନିୟନ୍ତ୍ରଣ କରିବା ଲାଗି ଏକ ଲ୍ୟୁକ୍ସ ମିଟର୍‌ ବ୍ୟବସ୍ଥା କରାଯାଇଛି। ପ୍ରତିଟି ମୁହୂର୍ତ୍ତରେ ସେଠାକାର ତାପମାତ୍ରା ଏବଂ ଶୀତତାପକୁ ନିୟନ୍ତ୍ରଣ କରାଯାଇଥାଏ। ହଲ୍‌ରେ ଭ୍ରମଣକାରୀ ପହଞ୍ଚିଲେ ସେଠାରେ ବ୍ୟବସ୍ଥିତ ମାନବସମ୍ବେଦୀ ଲାଇଟ୍‌ ଆପେ ଆପେ ଜଳି ଉଠିଥାଏ। ଶୋ କେସ୍‌ରେ ଯେଭଳି ବାହାରର ଆଲୁଅ, ପବନ, ଧୂଳିକଣା ପ୍ରବେଶ କରି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେଠାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିଲାଗି ସାଇରନ୍‌ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏତେବର୍ଷ ପୁରୁଣା ହେବା ଯୋଗୁ ପତାକାର କିଛି ଅଂଶ ଫାଟି ଯାଇଛି। ଶୁଦ୍ଧ ରେଶମ କପଡ଼ାରେ ପ୍ରସ୍ତୁତ ଏହି ପତାକାର ଦୈର୍ଘ୍ୟ ୧୨ ଫୁଟ୍‌ ରହିଥିବାବେଳେ ପ୍ରସ୍ଥ ରହିଛି ୮ ଫୁଟ୍‌। ଭାରତ ସ୍ବାଧୀନ ଘୋଷିତ ହେବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ସକାଳ ୫ଟା ୫ ମିନିଟ୍‌ରେ ଫୋର୍ଟ ସେଣ୍ଟ ଜର୍ଜଠାରେ ବ୍ରିଟିଶ୍‌ ୟୁନିୟନ୍‌ ପତାକା ହଟାଇ ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ। ତେବେ ସେହି ପତାକା କିଏ ଉତ୍ତୋଳନ କରିଥିଲେ ସେ ନେଇ ପ୍ରଶାସନ ପାଖରେ କିଛି ରେକର୍ଡ ନ ଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri