ସଫଳତା ଦେଇଛି ବାପାଙ୍କ ପ୍ରେରଣା: ଅଞ୍ଜନ ବିଶ୍ୱାଳ(ସଫଳ ଚାଷୀ)


ପାଠପଢ଼ା ସରିବା ପରେ ଘରର ଆର୍ଥିକ ପରିସ୍ଥିତିକୁ ଆଖି ଆଗରେ ରଖି ବସ୍‌ କଣ୍ଡକ୍ଟର ବୃତ୍ତିକୁ ଆପଣାଇଥିଲେ ସେ। କିନ୍ତୁ ତାଙ୍କ ମା’-ବାପା ପୁଅର ଏହି ବୃତ୍ତିକୁ ନେଇ ଆଦୌ ସନ୍ତୁଷ୍ଟ ନ ଥିଲେ। ପୁଣି ସେ ଥିଲେ ମା’- ବାପାଙ୍କର ଏକମାତ୍ର ପୁତ୍ର। ବାରମ୍ବାର ସେମାନେ କହୁଥିଲେ କଣ୍ଡକ୍ଟର କାମ ଛାଡି ଚାଷ କର, ନିଶ୍ଚିତ ଅଧିକ ରୋଜଗାର କରିବୁ। ଶେଷରେ ମା’ -ବାପାଙ୍କ କଥା ରକ୍ଷା କରି କଣ୍ଡକ୍ଟର ବୃତ୍ତି ଛାଡ଼ିଦେଲେ। ଆଉ ଚାକିରି ନ କରି ଚାଷକାର୍ଯ୍ୟ କରି ସ୍ବାବଲମ୍ବୀ ହେବାକୁ ନିଷ୍ପତ୍ତି ନେଲେ। ଆରମ୍ଭ ହେଲା ଉଦ୍ୟମ। ମାତ୍ର ବର୍ଷ କେଇଟାରେ ସେ ସ୍ବାବଲମ୍ବୀ ହେବା ସହ ଜଣେ ସଫଳ ଚାଷୀ ଭାବେ ରାଜ୍ୟ ଏବଂ ଜାତୀୟସ୍ତରୀୟ ସମ୍ମାନ ପାଇବାରେ ହୋଇଛନ୍ତି ସକ୍ଷମ। ସେ ହେଲେ ଅଞ୍ଜନ ବିଶ୍ୱାଳ(ମୋ: ୯୧୭୮୮୦୧୦୨୬)। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍‌ ଅମ୍ବିକାପୁର ଗ୍ରାମରେ ତାଙ୍କର ଘର। ମା’ ଅନ୍ନପୂର୍ଣ୍ଣା ଓ ପିତାଙ୍କ ନାମ ବଂଶୀଧର ବିଶ୍ୱାଳ। ମା’ ବାପାଙ୍କ କଥା ରକ୍ଷା କରି ୨୦୦୯ରେ ଚାଷ କାମ ଆରମ୍ଭ କଲେ ଅଞ୍ଜନ। ପ୍ରଥମେ ଗାଁରେ ବାପାଙ୍କର ଥିବା ୫୦ଡେସିମିଲ ଜମିରେ ଗୋଟିଏ ପୋଖରୀ ଖୋଳାଇଲେ। ଏଥିରେ ମାଛଚାଷ ସହିତ ପୋଖରୀ ବନ୍ଧରେ ଅମୃତଭଣ୍ଡା, କଦଳୀ ସହିତ ପନିପରିବା ଚାଷ କଲେ। ବାପା ଜଣେ କୃଷକ ହୋଇଥିବାରୁ ତାଙ୍କ ପରାମର୍ଶ ଅନୁସାରେ ଚାଷ କରୁଥିଲେ ବି ତାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ତେବେ ତାଙ୍କ ପନିପରିବା ଚାଷକୁ ଦେଖି ସ୍ଥାନୀୟ କାଂଶସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ସହଯୋଗର ହାତ ବଢ଼ାଇଥିଲା। ବ୍ୟାଙ୍କ୍‌ କର୍ମଚାରୀମାନେ ଉନ୍ନତମାନର ଚାଷ କରିବା ପାଇଁ ଅଞ୍ଜନଙ୍କୁ ୪ଲକ୍ଷ ୫୦ହଜାର ଟଙ୍କା ଋଣ ଦେଇଥିଲେ। ସେହି ଋଣରାଶିକୁ ବିନିଯୋଗ କରି ଅଞ୍ଜନ ଆଗେଇ ଚାଲିଲେ। ପ୍ରଥମରୁ ବ୍ୟାଙ୍କ ସୁଧ ଦେବା କଷ୍ଟକର ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଋଣ ପରିଶୋଧ କରିଥିଲେ। ତେବେ ବର୍ତ୍ତମାନ ସେ ୯ଟି ପୋଖରୀରେ ମାଛ ଚାଷ କରୁଥିବାବେଳେ ୭ଏକର ଜାଗାରେ ପନିପରିବା ସମେତ ୧୫୦ ଅମୃତଭଣ୍ଡା, ୨୦୦ କଦଳୀଗଛ, ୨୭୦ ଆମ୍ବଗଛ ଲଗାଇଛନ୍ତି। ଗତବର୍ଷ କେବଳ ୯୦ କୁଇଣ୍ଟାଲ ଆମ୍ବ ବିକ୍ରି କରିଥିବା କଥା କୁହନ୍ତି ଅଞ୍ଜନ। ତାଙ୍କ କ୍ଷେତରୁ ଉତ୍ପାଦିତ ପନିପରିବା ଆଦି ଅଯେଧ୍ୟା, କାଂଶ ଆଦି ବଜାରରେ ବିକ୍ରି ହୋଇଥାଏ। ଆଉ କେତେଜଣ ବି ତାଙ୍କ କ୍ଷେତରେ କାର୍ଯ୍ୟ କରି ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। ତେବେ ମାଛ, ପନିପରିବା, ଫଳଚାଷରୁ ବାର୍ଷିକ ୧୦ଲକ୍ଷ ଟଙ୍କା ରୋଜଗାର ହେଉଥିବା କଥା ପ୍ରକାଶ କରନ୍ତି ଅଞ୍ଜନ। ପରିଶ୍ରମକୁ ଆଦରି ଚାଷକାର୍ଯ୍ୟ କରି ସ୍ବାବଲମ୍ବୀ ହୋଇଥିବା ଅଞ୍ଜନ ପଞ୍ଚାୟତସ୍ତରରେ ଉତ୍ତମ ଚାଷୀ ଭାବେ ନିଜକୁ ସାବ୍ୟସ୍ତ କରି ସମ୍ମାନିତ ହୋଇଥିଲେ। ଜିଲାସ୍ତରୀୟ ଉଦ୍ୟାନ ବିଭାଗ ତରଫରୁ ସଫଳ ଉଦ୍ୟାନ ଚାଷୀ ଭାବେ ୨୦୧୦ରେ ଏବଂ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ୨୦୧୧ ବର୍ଷର ରାଜ୍ୟସ୍ତରୀୟ ସଫଳ ମାଛ ଚାଷୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଉତ୍ସବରେ ତତ୍‌କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୨୦୧୩ ସେପ୍ଟେମ୍ବର ୩ ରେ ‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅଞ୍ଜନ। ତେବେ ଚାଷ କ୍ଷେତ୍ରରେ ସେ ଆଜି ଯେଉଁ ସଫଳତା ହାସଲ କରିଛନ୍ତି ସେଥିରେ ବାପାଙ୍କ ପ୍ରେରଣାକୁ ସ୍ମରଣ କରନ୍ତି ସେ। - ମାନସ ବିଶ୍ୱାଳ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri