ଚାଷ ଦେଖାଇଛି ବାଟ: ଜୟ ସିଂହ ବରଡ଼(ସଫଳ ଚାଷୀ)


ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ଜୟସିଂହ ବରଡ। ମା’ ମୁକୁତା ବରଡ଼ ଓ ପିତାଙ୍କ ନାମ କୃଷ୍ଣ ବରଡ। ଇଲୋକ୍ଟ୍ରୋନିକ୍ସ ବିଭାଗରେ ରାଉରକେଲା ଆଇଟିଆଇରୁ ପାସ୍‌ କରିବା ପରେ ଗୋପାଳପୁର ପୋର୍ଟରେ ଚାକିରି କଲେ ଜୟକୃଷ୍ଣ। ହଠାତ୍‌ ମନକୁ ଆସିଲା ପୈତୃକ ୫ ଏକର ଜମିରେ ଚାଷ କରି ସ୍ବରୋଜଗାରକ୍ଷମ ହେବେ। ଅବଶ୍ୟ ଏହି ସମୟରେ ଅର୍ଥାତ୍‌ ୧୯୯୦ରେ ବନ୍ୟା ଆସିଲା। ତାଙ୍କ ଫସଲର ବହୁ କ୍ଷତି ଘଟିଲା। ତେବେ ମାଆ-ବାପାଙ୍କୁୁ ଭରସା ଦେଇ ଚାକିରି ଛାଡି ସ୍ବାବଲମ୍ବୀ ହେବା ଲାଗି ଚାଷ କାର୍ଯ୍ୟରେ ମନଦେଲେ। ପ୍ରଥମେ ଗାଁ ପାଖ କନ୍ଦାଳ ଜମିରେ ଏକ ପୋଖରୀ ଖୋଳିଲେ। ପାରମ୍ପରିକ ଧାନ ଚାଷକୁ ଗୁରୁତ୍ୱ ନ ଦେଇ ଫୁଲ ଚାଷ କଲେ। ଏଥିସହ ଲଗାଇଲେ ନଡିଆ, ଗୁଆ ଓ ଆମ୍ବ ଗଛ। କିଛି ଜମିରେ ପରିବା ଚାଷ କଲେ। ଖୋଳିଥିବା ପୋଖରୀରେ ଛାଡିଲେ ରୋହି ଓ ଭାକୁର ମାଛ। ଫୁଲ ଚାଷରୁ ଭଲ ଦି’ପଇସା ରୋଜଗାର ହେଲା। ପାନ ଚାଷ କଲେ। ଏଥିରେ ବି ଭଲ ଆଦାୟ ହେଲା। ଏହିପରି ତାଙ୍କର ଜୀବନଯାତ୍ରା ଚାଲିଲା। ପୁଣି ୧୯୯୯ ମହାବାତ୍ୟାରେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଲା। କିନ୍ତୁ ସେ ଦବି ନ ଯାଇ ନୂଆ କିଛି କରିବା ଲାଗି ସାହସ ଜୁଟାଇଲେ। ପୁଣି ପ୍ରାୟ ଏକରେ ଜମିରେ ଗୁଆ ଗଛ ଲଗାଇଲେ। ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଏକ ପଲ୍ଲିହାଉସ ନିର୍ମାଣ କରି ସେଥିରେ ଗୋଲାପ ଫୁଲ ଓ ପରିବା ଚାଷ କଲେ। ଏହାପରେ ପଲ୍ଲି ନେଟ୍‌ ହାଉସ କରି ସେଥିରେ ପାନ ଚାଷ କଲେ। ଏହି ନେଟ ହାଉସରୁ ଯେଉଁ ପାନ ଅମଳ ହେଲା ତା’ର ଚାହିଦା ମାର୍କେଟରେ ଅଧିକ ହେଲା। ପାନକୁ ରାୟପୁର, ଛତିଶଗଡ଼ର କେତେକ ସ୍ଥାନକୁ ପଠାଇଲେ। ତେବେ ୨୦୧୩ ଫାଇଲିନ୍‌ ବାତ୍ୟା ପୂର୍ବରୁ ଅର୍ଥାତ୍‌ ୧୯୯୯ରେ ଲଗାଇଥିବା ଗୁଆ ଗଛରୁ ଗୁଆ ଆଦାୟ ଆରମ୍ଭ ହୋଇଥିଲା। ଇଣ୍ଟରକ୍ରପ ଭାବେ ସେଥିରେ ଛତୁ ଚାଷ କଲେ। କେବଳ ଏହି ଗୁଆରୁ ବାର୍ଷିକ ଦେଢ଼ଲକ୍ଷ ଟଙ୍କା ଓ ଛତୁରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମିଳୁ୍‌ଥିବା କଥା କୁହନ୍ତି ଜୟସିଂହ।

 

ଫାଇଲିନ୍‌ ବାତ୍ୟାରେ ତାଙ୍କର ପାଖାପାଖି ୪୦ ଲକ୍ଷ ଟଙ୍କା କ୍ଷତି ଘଟିଥିବା ସେ କୁହନ୍ତି। ସରକାରୀ ସାହାଯ୍ୟ ଭାବେ ୫୦ କେଜି ଚାଉଳ ଓ ୫ ଶହ ଟଙ୍କା ବ୍ୟତୀତ ଆଉ କିଛି ସହାୟତା ମିଳିନାିଁିିି। ସେହି ବାତ୍ୟାରେ ପଲ୍ଲିହାଉସର ପଲିଥିନ ଜରି ଉଡାଇନେଇଥିଲା ଯାହାକି ସେ ଆଜି ପର୍ଯ୍ୟନ୍ତ କାମଚଳାରେ ଚାଷ କରୁଛନ୍ତି। ତେବେ ସ୍ତ୍ରୀଙ୍କ ସୁନା ବିକି ଏକ ବଡ ବୋରଓ୍ବେଲ ତିଆରି କରିଛନ୍ତି। ଫାଇଲିନ୍‌ ବାତ୍ୟାରେ ବ୍ୟାପକ ଗୁଆ ଗଛ ନଷ୍ଟ ପରେ ବି ପୁଣି ଥରେ ଗୁଆ ଗଛ ଜମିରେ ଲଗାଇଛନ୍ତି। ଅମଳ ଗୁଆକୁ ଶୁଖାଇବା ନିମନ୍ତେ ସୌରତାପରେ ଡ୍ରାଏ ମେଶିନ୍‌ ବ୍ୟବସ୍ଥା କରିଛନ୍ତି। କୋଡାଖୋସା ଯନ୍ତ୍ର ସହ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ର ମଧ୍ୟ କିଣିଛନ୍ତି। ସମ୍ପ୍ରତି ୩ଟି ପୋଖରୀରେ ମାଛ ଚାଷ ମଧ୍ୟ କରୁଛନ୍ତି। ପୂର୍ବରୁ ଭାଗଚାଷରେ ରଖିଥିବା ଜମିରେ ରଜନୀଗନ୍ଧା ଫୁଲ ଚାଷ କରିଥିଲେ। ରଜନୀଗନ୍ଧା ଫୁଲ ସମ୍ପର୍କରେ ସେ ଏକ ରୋଚକ କଥା କୁହନ୍ତି, ଏହି ଫୁଲକୁ ଛତିଶଗଡର ରାୟପୁରକୁ ପଠାଉଥିଲେ। ସେଠାରେ ବ୍ୟବସାୟୀମାନେ ଫୁଲ ମଉଳି ଯାଉଥିବା ଏବଂ ପଚି ନଷ୍ଟ ହେଉଥିବା ଆଳ ଦେଖାଇ ଜୟସିଂହଙ୍କ ପ୍ରାପ୍ୟ ଟଙ୍କାରୁ କିଛି କାଟି ପ୍ରଦାନ କରୁଥିଲେ। ଏହି ସମୟରେ ଜୟସିଂହଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ପାନ ପଠାଇବା ବେଳେ ଓଦା ପାଳ ଦେଇ ଯେପରି ପ୍ୟାକ୍‌ କରାଯାଏ ତାହାକୁ ରଜନୀଗନ୍ଧା ଫୁଲ ଦେଇ ପ୍ୟାକିଂ କରାଇଲେ। ରାୟପୁରରେ ୨୪ ଘଣ୍ଟାରୁ ୩୬ ଘଣ୍ଟା ପରେ ରଜନୀଗନ୍ଧା ଫୁଲ ପ୍ୟାକିଂ ପହଞ୍ଚିବାବେଳେ ଫୁଲ ଅଧିକ ବଡ ଦିଶିବା ସହ ସତେଜ ରହୁଥିଲା। କେବଳ ପ୍ୟାକିଂ ଯୋଗୁ ତାଙ୍କ ଫୁଲର ଆଦର ବଢିଲା। ଜୟସିଂହ କୁହନ୍ତି ଏହି ପ୍ୟାକିଂ ଯୋଗୁ ଅନ୍ୟମାନଙ୍କ ଫୁଲ ଅପେକ୍ଷା ମାର୍କେଟରେ ତାଙ୍କ ଫୁଲର ଦାମ ଅଧିକ ରହିଲା ଓ ସେ ସେଥିରୁ ଅଧିକ ଲାଭବାନ ହେଲେ। ସମ୍ପ୍ରତି ଅମଳ କରୁଥିବା ଫୁଲକୁ ବ୍ରହ୍ମପୁର ମଣ୍ଡିରେ ଦେଉଛନ୍ତି। ପାନକୁ ମହାଜନ ଦ୍ୱାରା ବିକ୍ରି କରୁଛନ୍ତି। ଜମିରେ କଟିକି, ପୋଟଳ, ଅଲଡି, କାକୁଡି ଇତ୍ୟାଦି ଲଗାଇଛନ୍ତି। ୨ ଏକର ଜମିରେ ଧାନ ଚାଷ, ୩ଏକର ଜମିରେ ଫୁଲ, ପରିବା, ଗୁଆ, ଆମ୍ବ, ମାଛ ଚାଷ ଇତ୍ୟାଦି କରି ବାର୍ଷିକ ପାଖାପାଖି ୩ ଲକ୍ଷ ଟଙ୍କା ମିଳୁଥିବା କଥା କୁହନ୍ତି। ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ବିବେଚିତ ଜୟକୃଷ୍ଣଙ୍କ ବଡ ପୁଅ ରତିକାନ୍ତ ବି.ଟେକ୍‌ ପଢୁଥିବା ବେଳେ ସାନପୁଅ ରାଧାକାନ୍ତ ମାଟ୍ରିକ୍‌ ପଢ଼ୁଛି। ଝିଅ ରିତୁକୁ ବିବାହ ଦେଇଛନ୍ତି। ସ୍ତ୍ରୀ ସଂଯୁକ୍ତା ତାଙ୍କୁ ବିଭିନ୍ନ ସମୟରେ ଚାଷ କାର୍ଯ୍ୟରେ ସହଯୋଗ କରନ୍ତି। ତାଙ୍କ ନାମରେ ଫାର୍ମ ହାଉସ କରିବା ସହ ଗାଈ ପାଳନ କରୁଛନ୍ତି। ଚାକିରି ଛାଡି ଚାଷ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇଥିବା ଜୟକୃଷ୍ଣ କୁହନ୍ତି, ‘ଚାଷରୁ ମିଳୁଛି ଆନନ୍ଦ, ଏହା ମୋର ଏକ ଭିନ୍ନ ପରିଚୟ ବି ଦେଇଛି, ତଥାପି ସଂଘର୍ଷକୁ ସାଥୀ କରିଚାଲିଛି। - ଦ୍ୱିତୀକୃଷ୍ଣ ପଣ୍ଡା



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri