ସମ୍ବଲପୁରୀ ଏବଂ କାଲମକାରୀକୁ ମିଶାଇ ଫ୍ୟୁଜନ୍‌ ପ୍ରସ୍ତୁତ କରୁଛି: ଚୌଧୁରୀ ଜ୍ୟୋସ୍ନା ଦାସ


‘ଆଗ୍ରହ ଥିଲେ ଅନେକ କ୍ଷେତ୍ରରେ ସଫଳତା ମିଳିଥାଏ। କେବଳ ଏଥିପାଇଁ ପ୍ରଗାଢ଼ ଉଦ୍ୟମ ଏବଂ ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି। ପାଠ ଶେଷ ହେବା ପରେ ଫ୍ୟାଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲି ଆଉ ଆଜି ଏ କ୍ଷେତ୍ରରେ ସଫଳତାର ସହ ଆଗେଇ ଚାଲିଛି ବୋଲି କହନ୍ତି ଜ୍ୟୋତ୍ସ୍ନା। ମା’ ପ୍ରମୋଦିନୀ ଦାସ ଓ ପିତା କୈଳାସ ଚନ୍ଦ୍ର ଦାସଙ୍କ ଏହି କନ୍ୟା ଖୋର୍ଦ୍ଧାଠାରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶା ପୋଲିସ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ସମ୍ପନ୍ନ କରିବା ପରେ ପ୍ରଥମେ ଢେଙ୍କାନାଳ ମହିଳା କଲେଜ, ତା’ପରେ ଖୋର୍ଦ୍ଧାସ୍ଥିତ ପି.ଏନ୍‌. କଲେଜରେ ନିଜର କଲେଜ ପାଠପଢ଼ା ଶେଷ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ସେହି ସମୟରେ ଫ୍ୟାଶନ ଡିଜାଇନର ହେବା ନିଶା ତାଙ୍କୁ ଘାରିଥିଲା। ଏ ସମ୍ପର୍କରେ ସେ କହନ୍ତି, ”ଏଭଳି ଆଇଡିଆ ମୁଣ୍ଡକୁ ଆସିବା ପରେ ମୁଁ ବମ୍ବେରେ ଫ୍ୟାଶନ ଡିଜାଇନିଂ କୋର୍ସ କରିବାକୁ ଯାଇଥିଲି। ସେଠାରୁ ଫେରିବା ପରେ ଭୁବନେଶ୍ୱରଠାରେ ଥିବା‘ଉଇଭର ସର୍ଭିସ ସେଣ୍ଟର’ରେ ଅଳ୍ପ ଦିନିଆ ହ୍ୟାଣ୍ଡଲୁମ୍‌ରେ ଡିଜାଇନିଂ କୋର୍ସ କଲି। ଏକ ବର୍ଷିକିଆ ମ୍ୟାନେଜମେଣ୍ଟ କୋର୍ସ ମଧ୍ୟ ଜାଭିୟର ଶିକ୍ଷାନୁଷ୍ଠାନରେ ଶେଷ କରିଛି। ଏହା ବ୍ୟତୀତ ଅନେକ ସ୍କିଲ୍‌ ଡେଭଲପ୍‌ମେଣ୍ଟ କାର୍ଯ୍ୟକ୍ରମରେ ଇନଷ୍ଟ୍ରକ୍ଟର ହିସାବରେ କାମ କରିବାର ଅନୁଭୂତି ମଧ୍ୟ ରହିଛି । ରାଜ୍ୟ ଟସର ବୋର୍ଡର କେତୋଟି ଗାର୍ମେଣ୍ଟସ ପାଇଁ ମୁଁ କେତେକ ଡିଜାଇନ୍‌ ମଧ୍ୟ ଦେଇଛି। ମୁଁ ଏବଂ ମୋ ସ୍ବାମୀ(ଚୌଧୁରୀ ବିନୟ କୁମାର ଦାସ)ଗତ ୧୭ ବର୍ଷ ମଧ୍ୟରେ ଏହି ପେଷା ସହ ଜଡ଼ିତ ରହିଛୁ। ଆଜି ଯାହା କିଛି ସମ୍ଭବ ହୋଇଛି ତାହା ମୋ ଇଚ୍ଛାଶକ୍ତି ଏବଂ ସ୍ବାମୀଙ୍କ ସାହାଯ୍ୟ ସହଯୋଗ ଯୋଗୁ। ମୋର ପ୍ରଥମ ବୁଟିିକ୍‌ ସେଣ୍ଟର ‘ଆଭେନ୍‌ୟୁ କ୍ରିଏସନ୍‌’ ଥିଲା,ଏବେ ବିଭାବରି ଡିଜାଇନ୍‌ ଷ୍ଟୁଡିଓ ଖୋଲିଛି। ମୁଁ ଅନେକ ନାମୀ ବ୍ୟକ୍ତିବିଶେଷଙ୍କର ମଧ୍ୟ ଡ୍ରେସ୍‌ ଡିଜାଇନ୍‌ କରିଛି। ବର୍ତ୍ତମାନ ଓଡ଼ିଶା ବାହାରୁ ମଧ୍ୟ ମୋର କଷ୍ଟମର ଅଛନ୍ତି। ମୁଁ ମୋ କାମରେ ହ୍ୟାଣ୍ଡଲୁମ୍‌ ଏମ୍ଭ୍ରୋଏଡରି,ନାଚୁରାଲ ଫାଇବର,ହ୍ୟାଣ୍ଡ ପେଣ୍ଟିଂ,ହାତରେ ତିଆରି ଏମ୍ଭ୍ରୋଏଡରି,ପ୍ୟାଚ୍‌ କାମ,କଟା କାମ ଆଦି କରିଥାଏ। ଏବେ ସମ୍ବଲପୁରୀ ଏବଂ କାଲମକାରୀ ଦୁଇଟିକୁ ମିକ୍ସଅପ୍‌ କରି ତାହାର ଫ୍ୟୁଜନ୍‌ ପ୍ରସ୍ତୁତ କରୁଛି ଯାହା ମାର୍କେଟରେ ପ୍ରସିଦ୍ଧି ଲାଭ କରୁଛି। ପିଲା ଏବଂ ମହିଳାଙ୍କ ପାଇଁ ଗାର୍ମେଣ୍ଟସ୍‌ ଡିଜାଇନ୍‌ କରୁଥିବା ବେଳେ ଆଗକୁ ମେନ୍ସ ଏଥନିକ୍‌ ଉପରେ ଡିଜାଇନ୍‌ କରିବା ପାଇଁ ଯୋଜନା ରଖିଛି।“

-ମହାଶ୍ୱେତା ନାୟକ



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri