ଦେଶରେ ୯୭ ନିୟୁତ ଶିଶୁଙ୍କ ଓଜନ କମ୍‌


ଲଣ୍ଡନ: ବିଶ୍ୱର ସର୍ବାଧିକ କମ୍‌ ଓଜନ ବିଶିଷ୍ଟ ଶିଶୁ ଏବଂ କିଶୋର ରହିଛନ୍ତି ଭାରତରେ। ୨୦୧୬ରେ ଦେଶରେ ବସବାସ କରୁଥିବା ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ୯୭ ନିୟୁତ ସାଧାରଣ ଏବଂ ଗମ୍ଭୀର ରୂପେ କମ୍‌ ଓଜନର ଶିକାର ବୋଲି ‘ଦି ଲ୍ୟାନ୍‌ସେଟ୍‌ ଜର୍ନାଲ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟେନ୍‌ର ଇମ୍ପେରିଆଲ୍‌ କଲେଜ୍‌ ଅଫ୍‌ ଲଣ୍ଡନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୧୯୭୫ରେ ଭାରତରେ ୨୪.୪% ବାଳିକା ଏବଂ ୩୯.୩% ବାଳକ ଏହାର ଶିକାର ଥିଲେ। କିନ୍ତୁ ୨୦୧୬ରେ ବାଳିକାଙ୍କ ମଧ୍ୟରେ ୨୨.୭% ଏବଂ ବାଳକଙ୍କ ମଧ୍ୟରେ ୩୦.୭% କମ୍‌ ଓଜନର ଶିକାର ହୋଇଛନ୍ତି। ଗତବର୍ଷ ବିଶ୍ୱବ୍ୟାପୀ ୧୯୨ ନିୟୁତରୁ ୭୫ ନିୟୁତ ବାଳିକା ଏବଂ ୧୧୭ ନିୟୁତ ବାଳକ ସାମାନ୍ୟ ତଥା ଗମ୍ଭୀର ଭାବେ କମ୍‌ ଓଜନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଗବେଷଣା ଲାଗି ବୈଜ୍ଞାନିକ ଦଳ ବିଶ୍ୱର ୧୩୦ ନିୟୁତ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ଉଚ୍ଚତା ଏବଂ ଓଜନ ପାମ କରିଥିଲେ। ସେମାନଙ୍କ ମଧ୍ୟରେ ୩୧.୫ ନିୟୁତ ୫ରୁ ୧୯ ବର୍ଷ ବୟସ୍କ ଥିବାବେଳେ ୯୭.୪ ନିୟୁତ ୨୦ ବର୍ଷର ଏବଂ ତଦୂର୍ଦ୍ଧ୍ୱ ଥିଲେ। ଏହାପରେ ସେମାନେ ‘ବଡି ମାସ୍‌ ଇଣ୍ଡେକ୍ସ’ (ବିଏମ୍‌ଆଇ)କୁ ଅଧ୍ୟୟନ କରିବା ସହ ୧୯୭୫ରୁ ୨୦୧୬ ମଧ୍ୟରେ କିଭଳି ଭାବେ ଓଜନବୃଦ୍ଧି ପ୍ରକ୍ରିୟା ହୋଇଥିଲା ତାହା ଉପରେ ତର୍ଜମା କରିଥିଲେ। ଏହି ଅବଧି ମଧ୍ୟରେ ୧୯୭୫ରେ ବିଶ୍ୱବ୍ୟାପୀ ଶିଶୁ ଏବଂ କିଶୋରଙ୍କ ଓଜନ ବୃଦ୍ଧି ହାର ୧%ରୁ ମଧ୍ୟ କମ୍‌ ବଢ଼ିଥିଲା। ଅର୍ଥାତ୍‌ ୧୯୭୫ରେ ୫ ନିୟୁତ ବାଳିକା ଏବଂ ୬ ନିୟୁତ ବାଳକଙ୍କ ନିକଟରେ ଓଜନ ବୃଦ୍ଧି ଦେଖାଯାଇଥିଲା। ୨୦୧୬ରେ ମୋଟ ପିଲାଙ୍କ ମଧ୍ୟରୁ ୬% ବାଳିକା (୬୦ ନିୟୁତ) ଏବଂ ୮% ବାଳକ (୭୪ ନିୟୁତ)ଙ୍କ ନିକଟରେ ଓଜନ ବଢ଼ିବା ଦେଖାଯାଇଥିଲା। ତେବେ ଏହି ଅବଧି ମଧ୍ୟରେ ବିଶ୍ୱବ୍ୟାପୀ ୫ରୁ ୧୯ ବର୍ଷ ବୟସ୍କଙ୍କ ମଧ୍ୟରେ ଓଜନ ବଢ଼ିବା ୧୧ ନିୟୁତର ୧୦ଗୁଣରୁ ଅଧିକ ବୃଦ୍ଧି ଘଟିଥିଲା। ୨୦୧୬ରେ ଅତିରିକ୍ତ୨୧୩ ନିୟୁତ ଶିଶୁ ଏବଂ କିଶୋର ମେଦବହୁଳତାର ଶିକାର ହେବା ଯୋଗୁ ସେମାନଙ୍କୁ ଏହି ବର୍ଗର ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଗତ ୪ ଦଶନ୍ଧି ମଧ୍ୟରେ ବିଶ୍ୱବ୍ୟାପୀ ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ମେଦବହୁଳତା ହାର ବହୁମାତ୍ରାରେ ବୃଦ୍ଧିପାଇଛି। ବର୍ତ୍ତମାନ ବିଶ୍ୱରେ ଶିଶୁମାନେ ଏକସଙ୍ଗେ ମେଦବହୁଳତା ଏବଂ ଅପପୃଷ୍ଟିର ଶିକାର ହେଉଛନ୍ତି। ବାସ୍ତବରେ ଏହି ଧାରା ଅତ୍ୟନ୍ତ ଚିନ୍ତାଜନକ ବୋଲି ଇମ୍ପେରିଆଲ୍‌ କଲେଜ୍‌ ଅଫ୍‌ ଲଣ୍ଡନର ପ୍ରାଧାପକ ମଜିଦ୍‌ ଇଜ୍ଜତି ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri