ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ


ନୂଆଦିଲ୍ଲୀ,୧୩।୯: ବିଶ୍ୱରେ ଯେତେ ମୃତ୍ୟୁ ଘଟୁଛି ତାହାର ଏକ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଗଂଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି। କାରଣ ଆତ୍ମହତ୍ୟା ଏକ ମାନସିକ ସ୍ବାସ୍ଥ୍ୟ ସମସ୍ୟା। ଆର୍ଥିକ ଦୁଃସ୍ଥିତି, ସନ୍ତାନଙ୍କ ମୃତ୍ୟୁ, ସମ୍ପର୍କ ଭାଙ୍ଗିଯିବା ଆଦି ପରିସ୍ଥିତି ଯୋଗୁ ଆତ୍ମହତ୍ୟା ଘଟଣା ଘଟିଥାଏ। ସେହିପରି ସଂଘର୍ଷ, ଦୁର୍ବ୍ୟବହାର ଓ ଭେଦଭାବର ଶିକାର ଲୋକ, ବିଚ୍ଛିନ୍ନ ହୋଇ ରହୁଥିବା ବ୍ୟକ୍ତି, ଶରଣାର୍ଥୀ, ପ୍ରବାସୀ, ଯୌନ ପୀଡ଼ିତଙ୍କ କ୍ଷେତ୍ରରେ ଆତ୍ମହତ୍ୟାଜନିତ ମୃତ୍ୟୁ ଆଶଙ୍କା ଅଧିକ। ଅନେକେ ସାଂସ୍କୃତିକ, ସାମାଜିକ, ଧାର୍ମିକ ଓ ଆର୍ଥିକ ବାତାବରଣ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ଆତ୍ମହତ୍ୟା ଭଳି ଚରମପନ୍ଥା ବାଛି ନିଅନ୍ତି। ଏଣୁ ଠିକ୍‌ ପଦକ୍ଷେପ ନିଆଯାଇପାରିଲେ ଆତ୍ମହତ୍ୟାକୁ ଅନେକାଂଶରେ ରୋକାଯାଇପାଇବ। ଡବ୍ଲ୍ୟୁଏଚ୍‌ଓର ‘ମେଣ୍ଟାଲ ହେଲ୍‌ଥ ଆଣ୍ଡ ସବ୍‌ଷ୍ଟାନ୍ସ ଆବିଉଜ୍‌’ ବିଭାଗର ନିର୍ଦ୍ଦେଶକ ଡ. ଶେଖର ସାକ୍ସନା କୁହନ୍ତି, ଆତ୍ମହତ୍ୟା ପ୍ରବୃତ୍ତି ଅସ୍ଥାୟୀ। ଯେଉଁ ବ୍ୟକ୍ତିଙ୍କ ଆତ୍ମହତ୍ୟା କରିବାକୁ ତୀବ୍ର ଇଚ୍ଛା ହୁଏ, ସେ ନିକଟତମ ପନ୍ଥା ବାଛିନିଏ। ଯଦି ସେହି ବ୍ୟକ୍ତିଙ୍କୁ ସେଥିରୁ ଦୂରେଇ ରଖିହେବ ତାହାହେଲେ ତାଙ୍କ ଜୀବନ ବଞ୍ଚାଇଯାଇପାରିବ। କେତେଜଣ ଲୋକ ଆତ୍ମହତ୍ୟା କରିବା ପୂର୍ବରୁ ଭାବନ୍ତି, ଅନ୍ୟ ଲୋକଙ୍କ ସହ ଆଲୋଚନା କରନ୍ତି ଏବଂ ଆତ୍ମହତ୍ୟାରୁ ନିବୃତ୍ତ ରହିଥାନ୍ତି ବୋଲି ବୋଲି ସାକ୍ସନା କହିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ମୁତାବକ ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ହେଲେ ୧୫ରୁ ୨୯ ବର୍ଷ ବୟସ୍କଙ୍କ ମୃତ୍ୟୁ ଗୁଡ଼ିକର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ଆତ୍ମହତ୍ୟା। କିନ୍ତୁ ଏ କ୍ଷେତ୍ରରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ଅଧିକ। ସେହିପରି ମହିଳାଙ୍କ ତୁଳନାରେ ପୁରୁଷ ଏବଂ ଗରିବ ଦେଶ ଅପେକ୍ଷା ଧନୀ ଦେଶରେ ଅଧିକ ଆତ୍ମହତ୍ୟା କରନ୍ତି। ବିଶ୍ୱର ତିନି ଚତୁର୍ଥାଂଶ ଆତ୍ମହତ୍ୟା ନିମ୍ନ ଓ ମଧ୍ୟମ ଆୟକାରୀ ଦେଶରେ ଘଟିଥାଏ। ସେଥିମଧ୍ୟରେ ଅଧିକ ଦେଶ କେନ୍ଦ୍ର ପୂର୍ବ ୟୁରୋପ ଓ ଏସିଆରେ ରହିଛି। ଉତ୍ତର କୋରିଆ ପୃଥିବୀର ସର୍ବାଧିକ ଆତ୍ମହତ୍ୟାପ୍ରବଣ ଦେଶ। ଏଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ହିସାବକୁ ନିଆଗଲେ ୩୯. ୫ ଜଣ ଆତ୍ମହତ୍ୟା କରନ୍ତି। କିନ୍ତୁ ଦକ୍ଷିଣ କୋରିଆରେ ଏହି ହାର ୩୬. ୬ ରହିଛି। ଧାର୍ମିକ ବିରୋଧ ଯୋଗୁ କ୍ୟାଥଲିକ ଓ ମୁସଲମାନ ବହୁଳ ଦେଶଗୁଡ଼ିକରେ ଆତ୍ମହତ୍ୟା ହାର କମ୍‌। ପ୍ରାୟତଃ ଆତ୍ମହତ୍ୟା ଘଟଣା ଭୋର ସମୟରେ ଘଟେ ଏବଂ ପ୍ରାୟ ଏକ ତୃତୀୟାଂଶ ଲୋକ କୀଟନାଶକ ପିଇ ଜୀବନ ହାରନ୍ତି। ସାଧାରଣତଃ ଗ୍ରାମାଞ୍ଚଳର ନିମ୍ନ ଆୟକାରୀ ଚାଷୀମାନେ କୀଟନାଶକ ପିଇଥାନ୍ତି, ଯେଉଁମାନେ ଋଣ ଶୁଝି ନ ପାରି ମାନସିକ ଭାରସାମ୍ୟ ହରାଇଥାନ୍ତି।

ଜେନେଭାସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଂଘର ଆକଳନ ଅନୁଯାୟୀ ବହୁ ଦେଶରେ ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ଭଲଭାବେ ସଂଗ୍ରହ ହୁଏନାହିଁ। ଆତ୍ମହତ୍ୟା ଅନେକ ଦେଶରେ ଘୃଣ୍ୟ ତଥା କଳଙ୍କ ମନେକରାଯାଏ। ଏହାକୁ ବେଆଇନ ତଥା ଅପରାଧ ଘୋଷଣା ମଧ୍ୟ କରାଯାଇଛି। ଭାରତରେ ମଧ୍ୟ ଆତ୍ମହତ୍ୟା ବେଆଇନ। ଅନ୍ୟ ଦେଶଗୁଡ଼ିକ ସହ ତୁଳନା କଲେ ଭାରତରେ ଆତ୍ମହତ୍ୟା ସ୍ଥିତି ସବୁଠୁ ଅଧିକ ନ ହେଲେ ମଧ୍ୟ ଉଦବେଗ୍‌ଜନକ। ଏଠାରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୧ଜଣ ଆତ୍ମହତ୍ୟା କରନ୍ତି। ଏ କ୍ଷେତ୍ରରେ ତୁଳନା କଲେ ବିଶ୍ୱରେ ଏହି ହାର ୧୧ ରହିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri