ଜୟପୁର,୧୪ା୧୦: ମଙ୍ଗଳବାର ରାଜସ୍ଥାନର ଜୈସଲମେରରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ୧୦ରୁ ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଜୈସଲମେରରୁ ଯୋଧପୁର ଯାଉଥିବା ବସ୍ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।
ରିପୋର୍ଟ ଅନୁଯାୟୀ, ବସ୍ରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ରୁ ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଏଥିରେ ତିନି ଜଣ ଶିଶୁ ଏବଂ ୪ ଜଣ ମହିଳା ଅନ୍ତର୍ଭୁକ୍ତ। ଘରୋଇ ବସ୍ଟି ୫୭ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅଗ୍ନିଶମ ଅଧିକାରୀ କୃଷ୍ଣପାଲ ସିଂହ ରାଠୋରଙ୍କ ଅନୁଯାୟୀ, ଅଗ୍ନିଶମ ବାହିନୀ ପହଞ୍ଚିବା ସମୟରେ ବସ୍ଟି ଜଳିଯାଇଥିଲା। ଅଧିକାଂଶ ଯାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ପୂର୍ବରୁ ଉଦ୍ଧାର କରିଥିଲେ। ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରୁ କେହି ଜୀବିତ ନ ଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପର୍ଯ୍ୟନ୍ତ ୧୦ରୁ ୧୨ ଜଣ ଲୋକ ଭିତରେ ଥିବା ଅନୁମାନ କରାଯାଉଛି।


