ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା, ପୋଚକା ପ୍ରଭୃତି ବୃହତ ନାଳ ଅବବାହିକା ଅନ୍ତର୍ଭୁକ୍ତ ସାନଖେମୁଣ୍ଡି ତହସିଲର ବହୁ ସଂଖ୍ୟକ ରାଜସ୍ବ ଗ୍ରାମରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ରାତି ଯାଏ ଲଗାଣ ବର୍ଷା ଲାଗିରହିଥିବା କାରଣରୁ ଭୁ – ସ୍ଖଳନ ଆଶଙ୍କା ବଢ଼ିଛି। ଏଥିଲାଗି ପାହାଡ ଉପରେ ବସବାସ କରୁଥିବା ଅନେକ ପରିବାରକୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ସ୍ଥାନାନ୍ତରିତ କରି ବିଦ୍ୟାଳୟ ମାନଙ୍କରେ ରଖିଥିବା ଜଣାପଡିଛି।
ଏସ. ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଗ୍ରାମ ନିକଟ ପାହାଡ଼ ଉପରେ ବସବାସ କରୁଥିବା ଜଣାପଡ଼ିଛି । ସାନଖେମୁଣ୍ଡି ବ୍ଲକ ପ୍ରତ୍ୟେକ ପଞ୍ଚାୟତ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ, ଜିଆର୍ଏସ୍ ଏବଂ ସରପଞ୍ଚ ବୃନ୍ଦ ମାନେ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ରହିଛନ୍ତି। ଅହୋରାତ୍ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରଖି ମନିଟରିଂ ପାଇଁ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ମୋବାଇଲ ଟିମ ଗଠନ କରଯାଇଛି। ମୋବାଇଲ ଟିମ ସମସ୍ତ ପଞ୍ଚାୟତ ର ଗ୍ରାମ ଗୁଡିକୁ ବୁଲି ସ୍ଥିତି ତଦାରଖ କରୁଛି ।
ସାନଖେମୁଣ୍ଡି ବ୍ଲକରେ କିଛି ଗ୍ରାମ ନିକଟ ଦେଇ ଘୋଡ଼ାହାଡ ନଦୀ ପ୍ରବାହିତ ହେଉଥିବା ବେଳେ କୌଣସି ବନ୍ୟା ଆଶ୍ରୟ ସ୍ଥଳ ନ ଥିବାରୁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ ଓ ବିଦ୍ୟାଳୟ ମାନଙ୍କରେ ରଖାଯିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସେହିପରି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ପାହାଡ଼ ଘେରା ରେ ଥିବା ଜନଜାତି ବହୁଳ ଦାଦୁରୁମା ଓ ଗୋଛାପାଟ ଦୁର୍ଗମ ଗ୍ରାମର ୮୮ ଜଣଙ୍କୁ ନିକଟସ୍ଥ ଘାସିଆମ୍ବ ଗାଁ ସ୍କୁଲରେ ରଖାଯାଇଥିବା ବେଳେ ପୋଡ଼ାଖାଲ ଏବଂ କନିଆ ସାହି ଗ୍ରାମର ୫୦ ଜଣଙ୍କୁ ପୋଡ଼ାଖାଲ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି।ସେମାନଙ୍କୁ ଜଳଖିଆ,ବିଶୁଦ୍ଧ ପାନୀୟଜଳ ଓ ରନ୍ଧାଖାଦ୍ୟ ଦିଆଯାଉଥିବା ବିଡ଼ିଓ ଅନାମିକା ପାଣ୍ଡେ କହିଛନ୍ତି।