ଫିଲ୍ମ ଫ୍ରାଇଡେ’:ଆଜି ମୁକ୍ତିଲାଭ କରିବ ‘ଫୁକ୍‌ରେ ରିଟର୍ନସ୍‌’


ଭୁବନେଶ୍ୱର,୭।୧୨(ବ୍ୟୁରୋ)-ଗତ ସପ୍ତାହରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ଫିରଙ୍ଗୀ’ ଏବଂ ‘ତେରା ଇନ୍ତିଜାର୍‌’ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲା। ବକ୍ସ ଅଫିସ୍‌ରେ ଦୁଇଟିଯାକ ଫିଲ୍ମ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏଥର ଫ୍ରାଇଡେ’ ରିଲିଜ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ଆଉ ଦୁଇଟି ହିନ୍ଦୀ ଫିଲ୍ମ ‘ଫୁକ୍‌ରେ ରିଟର୍ନସ୍‌’ ଏବଂ ‘ସଲ୍ଲୁ କି ଶାଦି’। କପିଲ୍‌ ଶର୍ମାଙ୍କ ଅଭିନୀତ ‘ଫିରଙ୍ଗୀ’ ଦର୍ଶକଙ୍କୁ ହସାଇବାରେ ବିଫଳ ହୋଇଥିବା ବେଳେ ‘ଫୁକ୍‌ରେ ରିଟର୍ନସ୍‌’ କିନ୍ତୁ ଏଥର ନିର୍ଧୂମ୍‌ ହସାଇବ ବୋଲି ଆଶା କରାଯାଉଛି। ୨୦୧୩ରେ ରିଲିଜ୍‌ ହୋଇଥିବା କମେଡି ଫିଲ୍ମ ‘ଫୁକ୍‌ରେ’ର ସିକ୍ୟୁଏଲ୍‌ ‘ଫୁକ୍‌ରେ ରିଟର୍ନସ୍‌’। ଫରାନ୍‌ ଅଖତର ଓ ରିତେଶ ସିଧ୍ୱାନୀଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମ୍ରୀଗଦୀପ ସିଂ ଲାମ୍ବା। ଫିଲ୍ମର ଷ୍ଟାର୍‌କାଷ୍ଟରେ ରହିଛନ୍ତି ପୁଲକିତ ସମ୍ରାଟ, ବରୁଣ ଶର୍ମା, ଅଲ୍ଲୀ ଫଜଲ୍‌, ମନଜୋତ ସିଂ, ରିଚା ଚଢା, ପ୍ରିୟା ଆନନ୍ଦ, ବିଶାଖା ସିଂ, ପଙ୍କଜ ତ୍ରିପାଠୀ, ମକରନ୍ଦ ଦେଶପାଣ୍ଡେ, ରାଜପାଲ ଯାଦବ ପ୍ରମୁଖ। ଫୁକ୍‌ରେର ପ୍ରଥମ ଭାଗରେ ରହିଥିବା ଷ୍ଟାର୍‌କାଷ୍ଟଙ୍କ ମଧ୍ୟରୁ ଅଧିକାଂଶ ଏହାର ଦ୍ୱିତୀୟ ଭାଗରେ ମଧ୍ୟ ରହିଛନ୍ତି। ଫିଲ୍ମର କାହାଣୀ ଅନୁଯାୟୀ, ପ୍ରଥମ ଭାଗରେ ଜେଲ୍‌ ଯାଇଥିବା ରିଚା ଦ୍ୱିତୀୟ ଭାଗରେ ଜେଲ୍‌ରୁ ମୁକୁଳି ଆସିଛନ୍ତି। ଏପଟେ ଫୁକ୍‌ରେ ଦଳ ରିଚାଙ୍କ ଅନୁପସ୍ଥିତିରେ ବିନ୍ଦାସ୍‌ରେ ବଞ୍ଚୁଥିବା ବେଳେ ରିଚାଙ୍କ ମୁକ୍ତି ସେମାନଙ୍କୁ ପୁଣିଥରେ ଚିନ୍ତାରେ ପକାଇଛି। ଏହାମଧ୍ୟରେ ବରୁଣ ଶର୍ମା ସମସ୍ତଙ୍କର ଭବିଷ୍ୟତ କହୁଥିବା ଦେଖିବାକୁ ମିଳିବ। ତେବେ ବରୁଣଙ୍କୁ ବ୍ୟବହାର କରି ରିଚା ହରାଇଥିବା ନିଜର ସମସ୍ତ ଅର୍ଥ ଫେରି ପାଇବାକୁ ଯୋଜନା କରିଛନ୍ତି। ଏହା କେତେଦୂର ସଫଳ ହେଉଛି, ତାହା ଫିଲ୍ମର ଶେଷରେ ଦର୍ଶକ ଦେଖିବାକୁ ପାଇବେ। ସେହିଭଳି ସଲ୍‌ମାନ ଖାଁଙ୍କ ବିବାହ ଦେଶର ଏକ ପ୍ରମୁଖ ଚିନ୍ତା ହୋଇଥିବା ବେଳେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି ମହମ୍ମଦ ଇସ୍‌ରାର୍‌ ଅନ୍‌ସାରୀ, ଯାହାର ନାମ ରହିଛି ‘ସଲ୍ଲୁ କି ଶାଦି’। ସଲ୍‌ମାନଙ୍କ ବାହାଘର କେବେ ହେବ ଏବଂ ତାଙ୍କୁ କିଏ ବାହାହେବ, ତାହାକୁ ଏକ ନୂଆ ଟ୍ବିଷ୍ଟ୍‌ ସହ ଫିଲ୍ମରେ ଉପସ୍ଥାପନ କରିଛନ୍ତି ନିର୍ଦ୍ଦେଶକ। ବିଭିନ୍ନ ଭୂମିକାରେ ଭାଇଜାନ୍‌, ଆରଶିନ୍‌ ମେହେତା, ଜିନତ ଅମନ, ରଜକ ଖାନ୍‌, କିରଣ କୁମାର ପ୍ରମୁଖ କଳାକାରମାନେ ରହିଛନ୍ତି। ସ୍ବଳ୍ପ ବଜେଟରେ ନିର୍ମିତ ଏହି ଫିଲ୍ମ ସଲମାନ୍‌ ଖାଁଙ୍କ ଉଦ୍ଦେଶ୍ୟରେ ତିଆରି ହୋଇଛି।

ଇଂଲିଶ୍‌ ଫିଲ୍ମ ‘ବେବୀ ଡ୍ରାଇଭର’

ଇଂଲିଶ୍‌ ଆକ୍ସନ କ୍ରାଇମ୍‌ ଫିଲ୍ମ ‘ବେବୀ ଡ୍ରାଇଭର’ ମଧ୍ୟ ଏଥର ଶୁକ୍ରବାର ପରଦାକୁ ଆସିବ। ଏଡ୍‌ଗର୍‌ ରାଇଟ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦର୍ଶକ ଭରପୂର ଥ୍ରୀଲ୍‌ ସହ ଆକ୍ସନ ଦେଖିବାକୁ ପାଇପାରିବେ। ଫିଲ୍ମର ଟାଇଟଲ ଅନୁଯାୟୀ, ଏଥିରେ ବେବୀ ଡ୍ରାଇଭରକୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଜଣେ କିଙ୍ଗପିନ୍‌ ପାଇଁ କାମ କରୁଥିବା ଏହି ଯୁବକ ଯେତିକି ଦକ୍ଷ ଡ୍ରାଇଭର ସେତିକି ସାତିର୍‌ ମଧ୍ୟ। ପିଲାବେଳୁ ମା’, ବାପାଙ୍କୁ ହରାଇବା ପରେ ବେବୀ କିଭଳି ସଙ୍ଗୀତକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କରିଦେଇଛି, ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। ବିଭିନ୍ନ ଭୂମିକାରେ ଅଂସେଲ ଏଲ୍‌ଗର୍ଟ, ଲିଲି ଜେମ୍ସ, କେଭିନ୍‌ ସ୍ପାଶି, ଜନ୍‌ ହାମ୍‌, ଜାମି ଫକ୍ସ, ଲାନି ଜୁନ୍‌ ପ୍ରମୁଖ କଳାକାର ରହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri