ଓଡ଼ିଶାକୁ ୨ୟ ‘ଟପ୍‌ ମଡେଲ୍‌ ଇଣ୍ଡିଆ’ ଟାଇଟଲ: ବାଜିମାରିଲେ ଅମୃତେଶ୍‌


ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ଫ୍ୟାଶନ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଛି ଓଡ଼ିଶା। ନିକଟରେ ରାଜ୍ୟରୁ ଏକାଧିକ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ବ୍ୟୁଟି କଣ୍ଟେଷ୍ଟରୁ ଆରମ୍ଭକରି ମଡେଲିଂ ଓ ଫ୍ୟାଶନ ଡିଜାଇନିଂ ସବୁକ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଲିଟିଲ୍‌ ମିସ୍‌ ୟୁନିଭର୍ସରେ ପଦ୍ମାଳୟା ନନ୍ଦ, ମିସ୍‌ ଏସିଆ ପାସିଫିକ୍‌ରେ ସୋନିକା ରୟଙ୍କ ଜଲଓ୍ବା ପରେ ଏବେ ଜାତୀୟସ୍ତରରେ ବାଜି ମାରିଛନ୍ତି ଆଉଜଣେ ଓଡ଼ିଆ। ଓଡ଼ିଆ ଯୁବକ ସରତାଜ୍‌ଙ୍କ ପରେ ଦ୍ୱିତୀୟଥର ପାଇଁ ଓଡ଼ିଶାକୁ ‘ଟପ୍‌ ମଡେଲ ଇଣ୍ଡିଆ’ର ଟାଇଟଲ ଭେଟି ଦେଇଛନ୍ତି ଭୁବନେଶ୍ୱରର ଅମୃତେଶ୍‌ ଓତା, ଯାହା ପୁଣିଥରେ ଫ୍ୟାଶନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ସୁଦୃଢ କରିଛି। ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରୁଥିବା ଅମୃତେଶ ଗତ ନଭେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଟପ୍‌ ମଡେଲ୍‌ ଇଣ୍ଡିଆ ସିଜନ୍‌-୩ର ଗ୍ରାଣ୍ଡ ଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ଜିତିଛନ୍ତି। ସମଗ୍ର ଦେଶରୁ ମୋଟ ୨୦ଜଣ ବଛା ବଛା ମଡେଲ ଏହି ଶୋ’କୁ ଯାଇଥିଲେ। ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀଭାବେ ଅମୃତେଶ ଜାତୀୟସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ଶୋ’ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ୩ଟି ଟାଇଟଲରୁ ମିଷ୍ଟର ଫୋଟୋଜେନିକ୍‌ ଟାଇଟଲ ଜିତିବାରେ ସେ ସଫଳ ହୋଇଥିଲେ। ଏହାସହ ଆସନ୍ତା ଏପ୍ରିଲରେ ଲଣ୍ଡନରେ ହେବାକୁ ଥିବା ‘ଟପ୍‌ ମଡେଲ୍‌ ଓ୍ବାର୍ଲଡଓ୍ବାଇଡ୍‌’ରେ ଅମୃତେଶ୍‌ ଭାରତରୁ ପ୍ରତିନିଧି କରିବାକୁ ମନୋନୀତ ହୋଇଛନ୍ତି। ମଡେଲ ଏବଂ ଅଭିନେତା ଦିନେଶ ମୋହନ, ଫ୍ୟାଶନ ଷ୍ଟାଇଲିସ୍‌ ହର୍ଷ କୁହ୍ଲାର, ସ୍ପେନ୍‌ର ଇଣ୍ଟରନ୍ୟାଶନାଲ ପ୍ୟାଶନ ଡିଜାଇନର ରୁବେନ୍‌ଙ୍କ ସହ ଫ୍ୟାଶନ ଇଣ୍ଡଷ୍ଟ୍ରିର ବହୁ ଖ୍ୟାତନାମା ବ୍ୟକ୍ତିତ୍ୱ ଟପ୍‌ ମଡେଲ୍‌ ଇଣ୍ଡିଆ ଗ୍ରାଣ୍ଡ୍‌ ଫିନାଲେର ବିଚାରକଭାବେ ଉପସ୍ଥିତ ଥିଲେ। ଅମୃତେଶ୍‌ ଗ୍ରୁମିଂ, ଲୁକ୍‌, ର଼୍ୟାମ୍ପଓ୍ବାକ୍‌ ଓ ନଲେଜ୍‌ ରାଉଣ୍ଡ ଭଳି ବିଭିନ୍ନ ପର୍ଯ୍ୟାୟରେ ବିଚାରକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ‘ଟପ୍‌ ମଡେଲ୍‌ ଓ୍ବାର୍ଲଡଓ୍ବାଇଡ୍‌’ ନୁହେଁ, ଫିଲିପାଇନ୍ସରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର କଲ୍‌ଚରାଲ ଓ୍ବାଲର୍‌ଡ’ରେ ମଧ୍ୟ ଭାରତରୁ ଏକମାତ୍ର ମଡେଲ୍‌ଭାବେ ଅମୃତେଶ୍‌ ପ୍ରତିନିଧିତ୍ୱ କରିବେ। ପ୍ରଥମଥର ପାଇଁ ଦୁଇଟିଯାକ ପ୍ରମୁଖ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ସେ ମନୋନୀତ ହୋଇଛନ୍ତି। ନିଜର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଅମୃତେଶ୍‌ ‘ଧରିତ୍ରୀ’କୁ କହିଛନ୍ତି, ଏହି ପ୍ରତିଯୋଗିତା ବିଷୟରେ ଜଣେ ସାଙ୍ଗଠାରୁ ହଠାତ୍‌ ଜାଣିବାକୁ ପାଇଥିଲି। ଶେଷଦିନ ଆବେଦନ କରିଥିଲି ଓ ତା’ ପରଦିନ ଅଡିଶନ୍‌ ଦେଇଥିଲି। କେବେ ଭାବି ନ ଥିଲି ଟପ୍‌ ମଡେଲ୍‌ ଇଣ୍ଡିଆର ଫାଇନାଲ୍‌କୁ ଯିବି ଓ ବିଶ୍ୱରେ ଭାରତକୁ ପ୍ରତିନିଧିତ୍ୱ କରିବି। ଓ୍ବାର୍ଲଡଓ୍ବାଇଡ୍‌ରେ ଜିତିବା ପାଇଁ କଠିନ ପରିଶ୍ରମ କରୁଛି। ବଡି ଉପରେ ଯେତିକି ଗୁରୁତ୍ୱ ଦେଉଛି ଆକ୍ସନ ଓ ଷ୍ଟାଇଲ ଉପରେ ବି ସେତିକି ଗୁରୁତ୍ୱ ଦେଉଛି। ଇଣ୍ଟରନ୍ୟାଶନାଲ ମଡେଲ ହେବାକୁ କ’ଣ ଆବଶ୍ୟକ ତାହା ଉପରେ ଅଧିକ ଜାଣିବାକୁ ଦିଲ୍ଲୀରେ ଫ୍ୟାଶନ ଡାଇରେକ୍ଟର ରାଜ୍‌ ଚହାର୍‌ଙ୍କଠାରୁ ପ୍ରଶିକ୍ଷଣ ନେବି। ଭବିଷ୍ୟତରେ ମେକାନିକାଲ ଇଞ୍ଜିନିୟର ସହ ଜଣେ ପ୍ରସିଦ୍ଧ ମଡେଲ ହେବାର ଲକ୍ଷ୍ୟ ଅଛି। ସୂଚନାଯୋଗ୍ୟ, ପୂର୍ବରୁ ଯାଜପୁରର ସରତାଜ୍‌ ଅଲ୍ଲୀ ଟପ୍‌ ମଡେଲ ଇଣ୍ଡିଆ ସିଜିନ୍‌-୧ ଜିତିବା ସହ ଓ୍ବାର୍ଲଡଓ୍ବାଇଡ୍‌ରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri