ଶଶୀ ଯୁଗର ଅବସାନ


ରୂପେଲି ପରଦାରେ ଅଭିନୟ ଯାଦୁ ଦେଖାଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଥିବା ରୋମାନ୍ସ କିଙ୍ଗ୍‌ ଶଶୀ କପୁର ଇହଲୀଳା ସମ୍ବରଣ କରିଛନ୍ତି। ଏଥିସହିତ ଏକ ଯୁଗର ଅବସାନ ଘଟିଛି। ୧୯୩୮ ମାର୍ଚ୍ଚ ୧୮ରେ କିମ୍ବଦନ୍ତୀ ଅଭିନେତା ଶଶୀ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ଥିଲା ବଲବୀର ରାଜ କପୁର। ଶଶୀ କପୁର ଭାରତୀୟ ସିନେମା ଜଗତର ପ୍ରମୁଖ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ସେ ସର୍ବମୋଟ ୧୬୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତନ୍ମଧ୍ୟରୁ ୧୪୮ଟି ହିନ୍ଦୀ ଚଳଚ୍ଚିତ୍ର ହୋଇଥିବା ବେଳେ ୧୨ଟି ଇଂଲିଶ୍‌। ୬୧ଟି ଚଳଚ୍ଚିତ୍ରରେ ଏକମାତ୍ର (ସୋଲୋ) ହିରୋ ଭୂମିକାରେ ଅଭିନୟ କରିଛନ୍ତି। ୨୧ଟି ହିନ୍ଦୀ ସିନେମାରେ ସହାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୪ଟି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି। ଶଶୀ କପୁର ହେଉଛନ୍ତି ଥିଏଟର ତଥା ଚଳଚ୍ଚିତ୍ର ଅଭିନେତା ପୃଥ୍ବୀରାଜ କପୁର ଏବଂ ତାଙ୍କ ପତ୍ନୀ ରାମସର୍‌ନୀ ‘ରାମା’ ମେହରା କପୁରଙ୍କ କନିଷ୍ଠ ପୁତ୍ର। ଶଶୀ ପିଲାଦିନେ ତାଙ୍କ ପିତାଙ୍କ ଥିଏଟର ପାର୍ଟି-ପୃଥ୍ବୀ ଥିଏଟର ସହିତ ସାରା ଦେଶ ଭ୍ରମଣ କରିଥିଲେ। ସେ ୪ବର୍ଷ ବୟସରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ୧୯୪୮ରୁ ୧୯୫୩ ମଧ୍ୟରେ ୪ଟି ଫିଲ୍ମରେ ତାଙ୍କୁ ଜଣେ ଶିଶୁ କଳାକାର ଭାବରେ ଦେଖିବାକୁ ମିଳିଥିଲା। ତନ୍ମଧ୍ୟରେ ତାଙ୍କ ଭାଇ ରାଜ କପୁରଙ୍କ ଅଭିନୀତ ଦୁଇଟି ଫିଲ୍ମ ଅନ୍ୟତମ। ୧୯୫୬ ବେଳକୁ ୧୮ବର୍ଷ ବୟସ୍କ ଶଶୀ ପୃଥ୍ବୀ ଥିଏଟର ପାଇଁ ଉଭୟ ଅଭିନେତା ଏବଂ ସହକାରୀ ଷ୍ଟେଜ୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ସେହିବର୍ଷ ଇଂଲିଶ୍‌ ଅଭିନେତା ଜିଓଫରି କେଣ୍ଡାଲ୍‌ଙ୍କ ଅଧୀନ ଏକ ପରିଭ୍ରମଣକାରୀ ଥିଏଟର ଗ୍ରୁପ-‘ସେକ୍ସପେରିୟାନା’ ଏବଂ ‘ପୃଥ୍ବୀ ଥିଏଟର’କୁ କଲିକତାରେ ଅଭିନୟ ପ୍ରଦର୍ଶନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଅଭିନୟ କରୁଥିବା ବେଳେ ଦର୍ଶକଙ୍କ ପ୍ରତିକ୍ରିୟା ଲକ୍ଷ୍ୟ କରୁକରୁ ଶଶୀଙ୍କ ଦୃଷ୍ଟି ପଡିଥିଲା ଜେନିଫର କେଣ୍ଡାଲ୍‌ଙ୍କ ଉପରେ। ସେ ‘ଦି ଟେମ୍ପେଷ୍ଟ’ ରେ ମିରାଣ୍ଡା ଭୂମିକାରେ ଅଭିନୟ କରୁଥିବା ଶଶୀ ଜାଣିବାକୁ ପାଇଥିଲେ। ତାଙ୍କ ସହିତ ଶଶୀଙ୍କର ଘନିଷ୍ଠ ବନ୍ଧୁତା ହେଲା। ଦୁଇଜଣ ବିବାହ କରିବାକୁ ମନସ୍ଥ କଲେ। କିନ୍ତୁ ଜେନିଫରଙ୍କ ପିତା ଜିଓଫରି ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇପାରୁ ନ ଥିଲେ। କାରଣ ତାଙ୍କ ଝିଅ ଥିଏଟର ମ୍ୟାନେଜର ଭାବରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ସେ ଚାହୁଁଥିଲେ ଉଭୟ ଅନ୍ତତଃ ପକ୍ଷେ ଦୁଇବର୍ଷ ଅପେକ୍ଷା କରନ୍ତୁ। ଶଶୀ ‘ସେକ୍ସପେରିୟାନା’ ଥିଏଟର ସହିତ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ୧୯୫୮ରେ ଜେନିଫରଙ୍କ ହାତ ଧରିବାକୁ ଚାହିଁଥିଲେ। ଅଥଚ ତାଙ୍କୁ ଏଥିପାଇଁ ମନା କରିଦିଆଯାଇଥିଲା। ଅବଶ୍ୟ ଜେନିଫର ତାଙ୍କ ପିତାଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସ୍ଥିର କରିଥିଲେ ଏବଂ ୧୯୫୮ ଜୁଲାଇରେ ବମ୍ବେରେ ପାରମ୍ପରିକ ଭାରତୀୟ ଶୈଳୀରେ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୧୯୬୧ରେ ୟଶ୍‌ ଚୋପ୍ରାଙ୍କ ଧର୍ମପୁତ୍ର (୧୯୬୧)ରେ ଶଶୀ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ୧୯୬୧ରୁ ୬୪ ମଧ୍ୟରେ ସେ ହିନ୍ଦୀ ଚଳଚ୍ଚିତ୍ରଗୁଡିକରେ ସୋଲୋ ହିରୋ ଭୂମିକାରେ ଅଭିନୟ କରିଥିଲେ। ଏଗୁଡିକ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। କିନ୍ତୁ ୧୯୬୨ରୁ ୧୯୬୮ ମଧ୍ୟରେ ଯେଉଁ ୮ଟି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେଗୁଡିକରେ ନନ୍ଦା ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। କେବଳ ୩ଟିକୁ ଛାଡିଦେଲେ ଅନ୍ୟ ୫ଟି ଫିଲ୍ମ ସୁପରହିଟ୍‌ ହୋଇଥିଲା। ଜଣେ ନିପୁଣ କଳାକାର ଭାବରେ ଶଶୀ ଉଭୟ ଲୋକପ୍ରିୟ ହିନ୍ଦୀ ସିନେମା ଏବଂ କଳାମତ୍କ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ସେ ଅନ୍ତର୍ଜାତୀୟ ଫିଲ୍ମରେ ଅଭିନୟ କରିବାରେ ପ୍ରଥମ ଭାରତୀୟ ଥିଲେ। ସେ ଉଭୟ ବ୍ରିଟିଶ୍‌ ଏବଂ ଆମେରିକୀୟ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ସୋଭିଏଟ୍‌ ୟୁନିୟନ୍‌ରେ ଅଜୁବା ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ୧୯୬୩ରେ ଦୁଇଟି ବ୍ୟବସାୟିକ ଇଂଲିଶ୍‌ ମୁଭିରେ ଅଭିନୟ କରି ସେ ସଫଳ ହୋଇଛନ୍ତି। ୧୯୮୩ ପର୍ଯ୍ୟନ୍ତ ସେ ୬ଟି ଇଂଲିଶ୍‌ ଫିଲ୍ମରେ ମୁଖ୍ୟ ହିରୋ ଭୂମିକା ଏବଂ ଡିସିଭର୍ସରେ ଭିଲେନ୍‌ ଭୂମିକାରେ ଅଭିନୟ କରିଥିଲେ। ୧୯୮୭ରୁ ୧୯୯୮ ମଧ୍ୟରେ ୪ଟି ଇଂଲିଶ ଫିଲ୍ମରେ ଜଣେ ନ୍ୟାରେଟର ଭାବରେ ସହାୟକ ଭୂମିକା ତୁଲାଇଥିଲେ। ଶଶୀ ୧୯୬୮ରୁ ୧୯୭୫ ମଧ୍ୟରେ ଅଭିନୀତ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ରାଖୀ, ଆଶା ପାରେଖ୍‌, ଶର୍ମିଳା ଟାଗୋର, ଜିନତ୍‌ ଅମନଙ୍କ ସହିତ ଅଭିନୟ କରିଥିବା ଚଳଚ୍ଚିତ୍ରଗୁଡିକ ବେଶ୍‌ ସଫଳତା ଲାଭ କରିଛି। କିନ୍ତୁ ୧୯୭୪ରୁ ୧୯୭୮ ମଧ୍ୟରେ ଏକମାତ୍ର ହିରୋ ଭାବରେ ସେ ସଫଳତା ପାଇପାରି ନ ଥିଲେ। ସେତେବେଳେ ତାଙ୍କ ଅଭିନୀତ ୨୪ଟି ଫିଲ୍ମରୁ ୧୩ଟି ଫ୍ଲପ୍‌ ହୋଇଯାଇଥିଲା। ୧୯୭୬ରୁ ୮୫ ମଧ୍ୟରେ ତାଙ୍କୁ ବହୁମୁଖୀ ଚରିତ୍ର ବିଶିଷ୍ଟ ଚଳଚ୍ଚିତ୍ରରେ ନିଆଯାଇଥିଲା। ୧୯୭୬ରୁ ୧୯୮୪ ମଧ୍ୟରେ ସେ ବହୁମୁଖୀ ଚରିତ୍ର ବିଶିଷ୍ଟ ଫିଲ୍ମରେ ସଫଳତା ଅର୍ଜନ କରିଥିଲେ। ସେ ଯେଉଁ ବହୁମୁଖୀ ଚରିତ୍ର ବିଶିଷ୍ଟ ଫିଲ୍ମରେ ଅଭିନୟ କରୁଥିଲେ ତାଙ୍କର ସହ-ଅଭିନେତା ଥିଲେ ବିନୋଦ ଖାନ୍ନା, ଅମିତାଭ ବଚ୍ଚନ୍‌, ଜିତେନ୍ଦ୍ର, ରିଷି ଏବଂ ରଣଧୀର କପୁର। ସେମାନଙ୍କ ଅପେକ୍ଷା ତାଙ୍କୁ ଅଧିକ ପାଉଣା ଦିଆଯାଉଥିଲା। କିନ୍ତୁ ଶଶିଙ୍କ ସହିତ ଅଭିନୟ କରୁଥିବା ସଞ୍ଜୀବ କୁମାର, ପ୍ରାନ୍‌ ଏବଂ ଧର୍ମେନ୍ଦ୍ରଙ୍କୁ ସମାନ ହାରରେ ପାରିଶ୍ରମିକ ଦିଆଯାଉଥିଲା। ଶଶୀଙ୍କ ସହିତ ରାଜେଶ ଖାନ୍ନା ଅଭିନୟ କରିଥିବା କେବଳ ଦୁଇଟି ଚଳଚ୍ଚିତ୍ରରେ ରାଜେଶଙ୍କୁ ଅଧିକ ପାରିଶ୍ରମିକ ମିଳିଥିଲା। ଶଶୀ ତାଙ୍କ ଅଭିନୟ ଜୀବନର ଉତ୍ଥାନ ବେଳେ ପ୍ରେମ୍‌ କାହାନୀ ଏବଂ ଅଲଗ୍‌ ଅଲଗ୍‌ରେ ରାଜେଶ ଖାନ୍ନାଙ୍କ ସହିତ ସେ ସହାୟକ ଭୂମିକା ନିର୍ବାହ କରିଥିଲେ। ସେ ଦିଓ୍ବାର (୧୯୭୫) ପାଇଁ ଫିଲ୍ମଫେୟାର ବେଷ୍ଟ ସପୋର୍ଟିଂ ଆକ୍ଟର ଆଓ୍ବାର୍ଡ ପାଇଥିଲେ। ସେ ଜୁନୁନ୍‌ (୧୯୭୯) ଏବଂ କାଲ୍ୟୁଗ୍‌ (୧୯୮୧)ରେ ପ୍ରଯୋଜକ ଓ ଅଭିନେତା ଭାବେ ଫିଲ୍ମଫେୟାର ବେଷ୍ଟ ମୁଭି ଆଓ୍ବାର୍ଡ ପାଇଥିଲେ। ସେ ଅମିତାଭ୍‌ ବଚ୍ଚନଙ୍କ ସହିତ ୧୧ଟି ଫିଲ୍ମରେ ସହ ଅଭିନେତା ଭାବେ କାର୍ଯ୍ୟ କରିଥିଲେ। ତନ୍ମଧ୍ୟରୁ ୪ଟି ଫିଲ୍ମ ସଫଳ ହୋଇଥିଲା। ‘କାଲା ପଥର’ ହାରାହାରି ହିଟ୍‌ ହୋଇଥିଲା ବେଳେ ଅନ୍ୟ ୬ଟି ଫ୍ଲପ୍‌ ହୋଇଯାଇଥିଲା। ଶଶୀ ଓ ଜେନିଫରଙ୍କର ୩ଟି ସନ୍ତାନ ଅଛନ୍ତି। କୁନାଲ୍‌ କପୁର ଜଣେ ଅଭିନେତା ଓ ନିର୍ଦ୍ଦେଶକ। କରନ୍‌ କପୁର ଜଣେ ଫଟ୍ରୋଗ୍ରାଫର ଏବଂ କନ୍ୟା ସଞ୍ଜନା କପୁର ଜଣେ ଅଭିନେତ୍ରୀ। ସଞ୍ଜନା ୧୯୯୩ ଠାରୁ ବମ୍ବେରେ ପୃଥ୍ବୀ ଥିଏଟର ଚଳାଉଛନ୍ତି। ୧୯୮୪ରେ ଜେନିଫରଙ୍କର କ୍ୟାନ୍‌ସରରେ ବିୟୋଗ ଘଟିବାପରେ ଶଶୀ ମେଦବହୁଳ ରୋଗରେ ପୀଡ଼ିତ ହେଲେ ଓ ଫିଲ୍ମରେ ଖୁବ୍‌ କମ୍‌ ଅଭିନୟ କଲେ। ଏହି ସମୟରେ ସେ ଚରିତ୍ର ଅଭିନୟ ପ୍ରତି ଢଳିଥିଲେ। ୨୦୧୦ରେ ଶଶୀ କପୁରଙ୍କୁ ଫିଲ୍ମଫେୟାର ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri