ପରଦାକୁ ଆସିବ ‘କଡ୍‌ଓ୍ବି ହାଓ୍ବା’, ‘ଟିକେ ଅନାଡି ପୁରା ଖିଲାଡି’


 ଚଳିତ ଶୁକ୍ରବାର ଦର୍ଶକଙ୍କ ପାଇଁ ନେଇଆସୁଛି ଆଡ୍‌ଭେଞ୍ଚର ଓ ଡ୍ରାମାର ଭରପୂର ପସରା। ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବାକୁ ଯାଉଛି ଦୁଇ ଦୁଇଟି ଜବରଦସ୍ତ ମନୋରଞ୍ଜନଧର୍ମୀ ଫିଲ୍ମ। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଜାତୀୟ ପୁରସ୍କାରପ୍ରାପ୍ତ ହିନ୍ଦୀ ଫିଲ୍ମ ‘କଡ୍‌ଓ୍ବି ହାଓ୍ବା’ ଏଥର ଫ୍ରାଇଡେ’ ରିଲିଜର ପ୍ରମୁଖ ଆକର୍ଷଣ ରହିଛି। ପଦ୍ମାବତୀ ବିବାଦ ଯୋଗୁ କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗୀ’ର ରିଲିଜ ସ୍ଥଗିତ ହେବାପରେ ‘କଡ୍‌ଓ୍ବି ହାଓ୍ବା’ ଏକମାତ୍ର ହିନ୍ଦୀ ଫିଲ୍ମ ଭାବେ ଶୁକ୍ରବାର ପରଦାକୁ ଆସୁଛି। ଏହାର ବାସ୍ତବଧର୍ମୀ କାହାଣୀ ଓ ଅଭିନେତା ସଞ୍ଜୟ ମିଶ୍ରାଙ୍କ ଦମ୍‌ଦାର ଅଭିନୟ ଫିଲ୍ମର ପ୍ଲସ୍‌ ପଏଣ୍ଟ ଥିବାବେଳେ ଏକମାତ୍ର ରିଲିଜ ଯୋଗୁ ବକ୍ସ ଅଫିସରେ ଭଲ ରେସ୍‌ପନ୍ସ ପାଇବ ବୋଲି ଆଶା କରାଯାଉଛି। ଏହାସହ ଆମେରିକାନ୍‌ ଥ୍ରୀଡି ଆନିମେଶନ ଫିଲ୍ମ ‘କୋକୋ’ ଏବଂ ‘ମର୍ଡର ଅଫ୍‌ ଦ ଓରିଏଣ୍ଟ ଏକ୍ସପ୍ରେସ୍‌’ ମଧ୍ୟ ଚଳିତ ଶୁକ୍ରବାର ରିଲିଜ ହେଉଛି। ‘କଡ୍‌ଓ୍ବି ହାଓ୍ବା’ର ରିଲିଜକୁ ନେଇ ଓଡ଼ିଶାରେ ଦେଖିବାକୁ ମିଳିଛି ବିଶେଷ ଉତ୍ସାହ। ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କାହାଣୀ। ବିଶେଷକରି ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଖାଯାଉଥିବା ମରୁଡି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କିଭଳି ବର୍ତ୍ତମାନ ସମୟରେ ମୁଣ୍ଡବ୍ୟଥାର କାରଣ ପାଲଟିଛି, ତାହାକୁ ଫିଲ୍ମ ମାଧ୍ୟମରେ ଦେଖାଇବାର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ। ବୁନ୍ଦେଲଖଣ୍ଡ ଓ ଓଡ଼ିଶାର କାହାଣୀକୁ ନେଇ ‘କଡ୍‌ଓ୍ବି ହାଓ୍ବା’ ନିର୍ମାଣ ହୋଇଥିବା ବେଳେ କୃଷକଙ୍କ ସମସ୍ୟାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଜଳ ବିହୁନେ ଓ ଜଳ ବହୁଳେ ସର୍ବନାଶକୁ ଫିଲ୍ମରେ ଚିତ୍ରଣ କରାଯାଇଥିବାବେଳେ ରାଜସ୍ଥାନର ଚମ୍ବଲଠାରେ ଏହା ଶୁଟିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହଲିଉଡ୍‌ ଭଳି ପ୍ରଥମଥର ପାଇଁ ବଲିଉଡ୍‌ରେ ଜଳବାୟୁ ପରିବର୍ତ୍ତନ ଉପରେ ଫିଲ୍ମ ନିର୍ମାଣ ହୋଇଛି। ଅକ୍ଷୟ ପରିଜା ଫିଲ୍ମର ପ୍ରଯୋଜନା କରିଥିବା ବେଳେ ମୁଖ୍ୟ ଭୂମିକାରେ ସଞ୍ଜୟ ମିଶ୍ରା ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ରଣବୀର ସୁରି, ତିଳୋତ୍ତମା ସୋମେ, ଭୂପେଶ ସିଂ ଏବଂ ଏକ୍‌ତା ସାଓ୍ବନ୍ତ। ୯୯ ମିନିଟ୍‌ର ଏହି ଫିଲ୍ମକୁ ଦେଖିବା ପରେ ଜଣେ ନିଶ୍ଚିତଭାବେ ପରିବେଶ ସୁରକ୍ଷା କଥା ଚିନ୍ତା କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ନିର୍ଦ୍ଦେଶକ ଫିଲ୍ମଟି କରିବାକୁ ଦୀର୍ଘ ୯ବର୍ଷ କାଳ ବ୍ୟାପକ ଗବେଷଣା କରିଥିବା ବେଳେ ଉନ୍ନତ କାହାଣୀ ଯୋଗୁ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏହା ନିଜର ସ୍ଥାନ ସଂରକ୍ଷଣ କରିଥିଲା। ‘ଟିକେ ଅନାଡି ପୁରା ଖିଲାଡି’ ଜବୋ ଆର୍ୟୁବେଦ ଏଣ୍ଟରଟେନ୍‌ମେଣ୍ଟର ପ୍ରଥମ ଅବଦାନ ‘ଟିକେ ଅନାଡି ପୁରା ଖିଲାଡି’ ଚଳଚ୍ଚିତ୍ର ଶୁକ୍ରବାର ସାରା ଓଡ଼ିଶାରେ ମୁକ୍ତିଲାଭ କରୁଛି। ସମ୍ପୂର୍ଣ୍ଣଭାବେ ପାରିବାରିକ କାହାଣୀ ଉପରେ ଆଧାରିତ ‘ଟିକେ ଅନାଡି ପୁରା ଖିଲାଡି’ ନିଚ୍ଛକ ମୌଳିକଧର୍ମୀ ଓଡ଼ିଆ ଫିଲ୍ମ। ବିଜୟ ମହାନ୍ତିଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ କମେଡି କିଙ୍ଗ୍‌ ଜୟୀରାମ ସାମଲ, ନବାଗତ କରନ୍‌, ଈପ୍‌ସିତା, ସଞ୍ଜନା, ଅଭିନେତ୍ରୀ ବବଲୀଙ୍କ ଭଳି ଷ୍ଟାରକାଷ୍ଟ ଏହାର ପ୍ଲସ୍‌ପଏଣ୍ଟ। ଉଭୟ କାହାଣୀ ଓ ଫିଲ୍ମରେ ଥିବା ନୂତନତ୍ୱ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ଆଶା ରଖିଛନ୍ତି ନିର୍ମାତା। ମୂଷା ବାରିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାଧ୍ୟମରେ ପ୍ରଥମଥର ପାଇଁ ଡ. ପ୍ରୀତି ମାଝି ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି। ଫିଲ୍ମର ସଙ୍ଗୀତ ଅଗ୍ନିରାଜ ଦେଇଥିବା ବେଳେ ‘ଟ୍ବିଙ୍କଲ ଟ୍ବିଙ୍କଲ’ ଫେମ୍‌ କ୍ରିଷ୍ଣାଙ୍କ ‘ପପି ପପି’ ଗୀତ ରିଲିଜ ପୂର୍ବରୁ ଲକ୍ଷାଧିକ ଲୋକଙ୍କ ଦ୍ୱାରା ଆଦୃତ ହୋଇଛି। କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠି ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଏକ ନୂତନ ଶୈଳୀରେ ହୋଇଥିବା କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri