ସୁପ୍ରିମକୋର୍ଟରେ ‘ପଦ୍ମାବତୀ’ ଆଶ୍ୱସ୍ତ


ଭୋପାଳ/ନୂଆଦିଲ୍ଲୀ/ଗୋଆ,୨୦।୧୧(ପି.ଟି.)-ମୁକ୍ତିଲାଭ ତାରିଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚିବାର ଦିନକ ପରେ ସୁପ୍ରିମକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ପାଇଛି ‘ପଦ୍ମାବତୀ’। ଫିଲ୍ମରେ ରହିଥିବା କେତେକ ବିବାଦୀୟ ପ୍ରସଙ୍ଗକୁ ହଟାଇନେବା ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ, ଫିଲ୍ମକୁ ବର୍ତ୍ତମାନ ସୁଦ୍ଧା ସେନ୍‌ସର୍‌ ବୋର୍ଡ ପ୍ରମାଣପତ୍ର ପ୍ରଦାନ କରିନାହିଁ। ଏଭଳି ସ୍ଥିତିରେ ଫିଲ୍ମରୁ ଦୃଶ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଏହା ନ୍ୟାୟପାଳିକାର ଅଧିକାର କ୍ଷେତ୍ର ବାହାରେ। ଏ ନେଇ ନିର୍ଦ୍ଦେଶ ଜାରି କରି ସୁପ୍ରିମକୋର୍ଟ ଏକ ବୈଧାନିକ ସଂସ୍ଥାର ଅଧିକାର କ୍ଷେତ୍ରକୁ ପ୍ରବେଶ କରିବେ ନାହିଁ। ଏହା ଅପରିପକ୍ୱତାର ପରିଚୟ ହେବ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ଏବେ ଆଉ ଏକ ଭାଜପା ଶାସିତ ରାଜ୍ୟ ମଧ୍ୟପ୍ରଦେଶରୁ ‘ପଦ୍ମାବତୀ’ ବିରୋଧୀ ସ୍ବର ଉଠିଛି। ଇତିହାସ ଉପରେ କିଛି ପରିବର୍ତ୍ତନ କରାଯାଇଥିଲେ ରାଜ୍ୟରେ ଫିଲ୍ମ ରିଲିଜ୍‌ କରିବାକୁ ଦିଆଯିବ ନାହିଁ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ପ୍ରକାଶ କରିଛନ୍ତି। ରାଜଧାନୀ ଭୋପାଳଠାରେ ରାଣୀ ପଦ୍ମିନୀଙ୍କ ଏକ ସ୍ମୃତି ନିର୍ମାଣ କରାଯିବ ବୋଲି ଚୌହାନ ଘୋଷଣା କରିଛନ୍ତି। ଏହାସହ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସରକାରଙ୍କୁ ‘ରାଷ୍ଟ୍ରମାତା ପଦ୍ମାବତୀ ପୁରସ୍କାର’ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚୌହାନ୍‌ଙ୍କ ଭଳି ସମାନ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ। ସେ କହିଛନ୍ତି ଯେ, ସିନେମାଟୋଗ୍ରାଫି ଅଧିକାର କାହାକୁ ଇତିହାସ ପରିବର୍ତ୍ତନ କରିବାର ଅଧିକାର ଦେଇ ନ ଥାଏ। ଏଭଳି ପ୍ରସଙ୍ଗରେ ଯେଉଁମାନଙ୍କ ଭାବନାରେ କୁଠାରାଘାତ ହୋଇଛି ସେମାନଙ୍କ ବିରୋଧ କରିବାର ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମଧ୍ୟପ୍ରଦେଶରେ ଫିଲ୍ମ ଉପରେ କଟକଣା ନେଇ ଶିବରାଜ ଘୋଷଣା କରିବା ପରେ ରାଜସ୍ଥାନ ସରକାର ମଧ୍ୟ ସମାନ ଘୋଷଣା କରିଛନ୍ତି। ଫିଲ୍ମ ଉପରେ କଟକଣା ନେଇ ବସୁନ୍ଧରା ଘୋଷଣା କରିଛନ୍ତି। ଫିଲ୍ମ ରିଲିଜ୍‌ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିବା ଲାଗି ବସୁନ୍ଧରା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି। ସେପଟେ ଫିଲ୍ମ ତାରିଖ ଘୁଞ୍ଚାଇ ଦିଆଯାଇଥିବା ମଧ୍ୟ ଏହାକୁ ନେଇ କ୍ରୋଧିତ ହେବା ଅପେକ୍ଷା ‘ପଦ୍ମାବତୀ’ର ଭବିଷ୍ୟତକୁ ନେଇ ଆଶାବାଦୀ ଥିବା ଅଭିନେତା ଶାହିଦ କପୁର ପ୍ରକାଶ କରିଛନ୍ତି। ‘ପଦ୍ମାବତୀ’ ଫିଲ୍ମ ପାଇଁ ଆମେ ଗର୍ବିତ। ଫିଲ୍ମଟି ନିଶ୍ଚିତ ରିଲିଜ୍‌ ହେବ। ଦର୍ଶକ ଥରେ ଫିଲ୍ମ ଦେଖିଲେ ସବୁ ବାଦବିବାଦକୁ ଭୁଲିଯିବେ ବୋଲି ଶାହିଦ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶାହିଦ ଏହି ଫିଲ୍ମରେ ଚିତ୍ତୋର ରାଣୀ ପଦ୍ମାବତୀଙ୍କ ସ୍ବାମୀ ରାଜା ରତନ୍‌ ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ୍‌ ଜୋଷୀ କହିଛନ୍ତି ଯେ, ଆଲୋଚନା ଜରିଆରେ ବୋର୍ଡ ‘ପଦ୍ମାବତୀ’ ବିବାଦର ସମାଧାନ ଚାହେଁ, ବିତର୍କ ଦ୍ୱାରା ନୁହେଁ। ଅନ୍ୟପକ୍ଷେ ‘ପଦ୍ମାବତୀ’ର ଟ୍ରେଲର ପ୍ରଦର୍ଶନ ଚାଲିଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଅନ୍‌ଜାଦ୍‌ ସହରଠାରେ ଏକ ପ୍ରେକ୍ଷାଳୟରେ ଭଙ୍ଗାରୁଜା କରିଛନ୍ତି କର୍ନୀ ସେନା ସଦସ୍ୟମାନେ। ରବିବାର ରାତିରେ ଏକ ଫିଲ୍ମ ପ୍ରଦର୍ଶନ ବେଳେ ‘ପଦ୍ମାବତୀ’ର ଟ୍ରେଲର ଦେଖାଯାଇଥିଲା। ଏହି ଖବର ପାଇବା ପରେ କର୍ନୀ ସେନାର ସଦସ୍ୟମାନେ ସେଠାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri