ଓଡ଼ିଶା କାହାଣୀର ପ୍ରଦେଶ: ସଞ୍ଜୟ ମିଶ୍ରା


ଭୁବନେଶ୍ୱର, ୧୯।୧୧(ଅସମାପିକା ସାହୁ)- ନିଜ ଅଭିନୟରେ ଦର୍ଶକଙ୍କୁ ହସାଇବାରେ ସେ ମାହିର। ତାଙ୍କ ଠାଣି, ଅଙ୍ଗଭଙ୍ଗୀ, ଡାଏଲଗ୍‌ ସ୍ପିଚ୍‌ ଏବଂ ଅଭିନୟ ସମୟରେ ଫେସିଆଲ ଏକ୍ସପ୍ରେଶନ ଦର୍ଶକଙ୍କ ମୁହଁରେ ଆପେ ହସ ଫୁଟାଇଥାଏ। ବଲିଉଡ୍‌ରେ ସେଭଳି ଜଣେ ହାସ୍ୟ ଅଭିନେତା ହେଉଛନ୍ତି ସଞ୍ଜୟ ମିଶ୍ରା। ୧୯୬୩ରେ ବିହାରର ଦରଭଙ୍ଗାଠାରେ ଜନ୍ମଲାଭ କରିଥିବା ସଞ୍ଜୟ ଏକାଧାରାରରେ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ। ୧୯୮୯ରେ ସେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେବା ପରେ ୧୯୯୫ରେ ‘ଓ ଡାର୍ଲିଂ! ୟେ ହୈ ଇଣ୍ଡିଆ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପାଦ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମ ଓ ୨୦ରୁ ଊର୍ଦ୍ଧ୍ୱ ଟେଲିଭିଜନ ଧାରାବାହିକରେ ଅଭିନୟ କରିସାରିଛନ୍ତି। ଯଦିଓ ସେ ଜମିନ, ଚରସ, ପ୍ଲାନ୍‌ ଭଳି ଅନେକ ଫିଲ୍ମରେ ସିରିୟସ୍‌ ଭୂମିକାରେ ଅଭିନୟ କରିଛନ୍ତି, କିନ୍ତୁ ଦର୍ଶକ ତାଙ୍କୁ ପରଦାରେ ଜଣେ ହାସ୍ୟ ଅଭିନେତା ଭାବେ ଦେଖିବାକୁ ଭଲପାଆନ୍ତି। ଗୋଲମାଲ, ଧମାଲ, ଅଲ୍‌ ଦ ବେଷ୍ଟ ଭଳି ଅନେକ ଫିଲ୍ମରେ ହାସ୍ୟ ଅଭିନେତା ଭାବେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଫିଲ୍ମ ‘କଡ୍‌ଓ୍ବି ହାଓ୍ବା’ରେ ସଞ୍ଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯାହା ଆସନ୍ତା ୨୪ ତାରିଖରେ ମକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ପ୍ରମୋଶନ୍‌ ପାଇଁ ସେ ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ସହ ସାକ୍ଷାତ୍‌କାର।

ପ୍ର- ଅଧିକାଂଶ ଫିଲ୍ମରେ ଆପଣ କମେଡି ରୋଲ କରିଛନ୍ତି। କିନ୍ତୁ ‘କଡ୍‌ଓ୍ବି ହାଓ୍ବା’ରେ ଜଣେ ଦୃଷ୍ଟିହୀନ ଚରିତ୍ରରେ ଅଭିନୟ କରିଛନ୍ତି। ଏହାର ଅନୁଭୂତି କିପରି ଥିଲା?

ଉ- ଚରସ ଫିଲ୍ମରେ ବି ମୁଁ ଜଣେ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିଥିଲି। ନିର୍ଦ୍ଦେଶକ କହିଥିଲେ ଦୃଷ୍ଟିହୀନ ଚରିତ୍ର ସବୁଠାରୁ ଭଲ ଚରିତ୍ର ଏବଂ ସେଥିରେ ସଫଳ ହେବାକୁ ହେବ। ମୁଁ କରିଥିଲି। କିନ୍ତୁ ଏହି ଫିଲ୍ମ ପାଇଁ ଯେତେବେଳେ ଅଫର ପାଇଥିଲି ସେତେବେଳେ ମୁଁ ଦୃଷ୍ଟିହୀନ ହେଲେ କିପରି ଦେଖାଯିବି ତାହା ଭାବିକି ଚଳଚ୍ଚିତ୍ର କରିବାକୁ ପସନ୍ଦ କରିଥିଲି। ଏପରି ଭୂମିକାରେ ଅଭିନୟ କରିବା ବହୁତ କଷ୍ଟଦାୟକ ଥିଲା।

ପ୍ର- ଫିଲ୍ମ କେତେ ଦୂର ସଫଳ ହେବ ବୋଲି ଭାବୁଛନ୍ତି ?

ଉ- ଫିଲ୍ମର ସଫଳତା ଏହାର ବ୍ୟବସାୟ ଉପରେ ନିର୍ଭର କରେନାହିଁ। ଫିଲ୍ମ କେତେ ମାତ୍ରାରେ ଦର୍ଶକଙ୍କ ହୃଦୟକୁ ଛୁଇଁବ ତାହା ଚିନ୍ତା କରିବା ଉଚିତ। ଯଦି ଫିଲ୍ମଟିକୁ ଦେଖି କେହି ଜଣେ ଗଛ ଲଗାଇବା ଉଚିତ ମନେ କରେ ତା’ହେଲେ ତାହା ହିଁ ଫିଲ୍ମର ସଫଳତା ହେବ।

ପ୍ର- ଯେଉଁ ଉଦ୍ଦେଶ୍ୟରେ ‘କଡ୍‌ଓ୍ବି ହାଓ୍ବା’ ନିର୍ମିତ ହୋଇଛି, ଜନସାଧାରଣଙ୍କ ଉପରେ ତା’ର ପ୍ରଭାବ ପଡ଼ିବ ବୋଲି ଭାବୁଛନ୍ତି କି?

ଉ- ପ୍ରଭାବ ପଡ଼ିବ କି ନାହିଁ ତାହା ଦର୍ଶକ ଦେଖିବା ପରେ ଜାଣିପାରିବେ। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିଛୁ। ତଥାପି ଯଦି ପ୍ରଭାବ ନ ପଡ଼େ ତା’ହେଲେ ବହୁତ ଖରାପ ହେବ।

ପ୍ର- ଦୀର୍ଘ ବର୍ଷ ଅଭିନୟ କରିବା ପରେ ମୁଖ୍ୟ ଚରିତ୍ର ଭୂମିକା ମିଳିଛି । ସେ ବିଷୟରେ କ’ଣ କହିବେ?

ଉ- ଯେଉଁ ଚରିତ୍ର ହେଉ, ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି କାମ କରିଛି। ‘କଡ୍‌ଓ୍ବି ହାଓ୍ବା’ ପାଇଁ ମୁଖ୍ୟ ଚରିତ୍ରରେ ନୀଳମାଧବ ପଣ୍ଡା ମୋତେ ବାଛିଛନ୍ତି ସେଥିପାଇଁ ମୁଁ ବହୁତ ଖୁସି।

ପ୍ର- ନୀଳମାଧବ ପଣ୍ଡାଙ୍କ ସହ କାମ କରି କିପରି ଲାଗିଲା?

ଉ- ଓଡ଼ିଶାର ଲୋକ ହୋଇ ପୂରା ବିଶ୍ୱକୁ ସେ ଏକ ଉପହାର ଦେଇଛନ୍ତି, ଯାହାର ନାମ ହେଉଛି ‘କଡ୍‌ଓ୍ବି ହାଓ୍ବା’। ଆଜି ପର୍ଯ୍ୟନ୍ତ ବଲିଉଡ୍‌ କିମ୍ବା ହଲିଉଡ୍‌ରେ ଜଳବାୟୁ ପରିବର୍ତ୍ତନକୁ ନେଇ କୌଣସି ଫିଲ୍ମ ହୋଇନାହିଁ। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଆଗକୁ ଯେପରି ସମସ୍ୟା ନ ହୁଏ ସେଥିପାଇଁ ଫିଲ୍ମ ଜରିଆରେ ସେ ସମସ୍ତଙ୍କୁ ସତର୍କ କରାଇଛନ୍ତି। ତେଣୁ ତାଙ୍କ ପ୍ରତି ମୁଁ କୃତଜ୍ଞ।

ପ୍ର- ଏହିଭଳି ଫିଲ୍ମ ଆହୁରି ଅଧିକ ହେବା ଉଚିତ ବୋଲି ମନେକରୁଛନ୍ତି କି ?

ଉ- ସମାଜର ସମସ୍ୟାକୁ ନେଇ ଫିଲ୍ମ ତିଆରି ହେବା ଉଚିତ। ଫିଲ୍ମ ହେଉଛି ଲୋକମାନଙ୍କୁ ସଚେତନ ଏବଂ ଜାଗ୍ରତ କରିବାର ଏକ ମାଧ୍ୟମ। ତେଣୁ ଏଭଳି ସମସ୍ୟାକୁ ନେଇ ଆହୁରି ଅଧିକ ଫିଲ୍ମ ହେବା ଉଚିତ।

ପ୍ର- ଆପଣଙ୍କ ଆଗାମୀ ପ୍ରୋଜେକ୍ଟ କ’ଣ?

ଉ- ୨୦୧୭ ପାଇଁ ‘କଡ୍‌ଓ୍ବି ହାଓ୍ବା’ ମୋର ଶେଷ ଫିଲ୍ମ। ୨୦୧୮ ପାଇଁ ବହୁତ ଫିଲ୍ମ ରହିଛି। ଧମାଲ ଫିଲ୍ମର ଆଉ ଏକ ପାର୍ଟ ଆସିବ। ଏଥି ସହିତ ୨୦୧୮ ପାଇଁ ବନାରସ୍‌, ରାକୋସ ଭଳି ଫିଲ୍ମର ଶୁଟିଂ ଚାଲିଛି।

ପ୍ର- ଓଡ଼ିଶା ସମ୍ପର୍କରେ କ’ଣ କହିବେ?

ଉ- ଓଡ଼ିଶା ହେଉଛି କାହାଣୀର ପ୍ରଦେଶ। ଜଗନ୍ନାଥ ମନ୍ଦିର ବୁଲିବାକୁ ଗଲାବେଳେ ରାସ୍ତାରେ କେଉଁଠି କ’ଣ ରହିଛି ଏବଂ ତା’ର ଗୁରୁତ୍ୱ ବିଷୟରେ ବାଟସାରା ଶୁଣି ଶୁଣି ଯାଇଥିଲି। ସେଥିରୁ ଅନୁଭବ କଲି ଯେ, କାହାଣୀର ପୃଷ୍ଠଭୂମି ହେଉଛି ଓଡ଼ିଶା। ‘କଡ୍‌ଓ୍ବି ହାଓ୍ବା’ ମଧ୍ୟ ଓଡ଼ିଶାର କାହାଣୀ। ଯଦିଓ ଏହା ଓଡ଼ିଶାରେ ଶୁଟିଂ ହୋଇନାହିଁ, କିନ୍ତୁ ଚଳଚ୍ଚିତ୍ରଟି ଦେଖିଲେ ଓଡ଼ିଶାର ବାସ୍ନା ମିଳିବ ବୋଲି ଭାବୁଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri