ରସାତଳଗାମୀ ରେଳସେବା

ଡ. ନାରାୟଣ ମହାନ୍ତି

ଆମେ ସମସ୍ତେ ଜାଣୁ ଯେ, ଆମର ରେଳମନ୍ତ୍ରୀ ପ୍ରାୟତଃ ରେଳଗାଡିରେ ଯିବାଆସିବା କରନ୍ତି ନାହିଁ। ସେ ଉଡାଜାହାଜରେ ଯାତ୍ରା କରନ୍ତି ଏବଂ ତହିଁରୁ ଓହ୍ଲାଇ ମୋଟରଗାଡିରେ ଗନ୍ତବ୍ୟସ୍ଥଳକୁ ଯାଆନ୍ତି। ସୁତରାଂ ରେଳଯାତ୍ରୀଙ୍କର ଦୁର୍ଦ୍ଦଶା ପ୍ରତ୍ୟକ୍ଷ କରିବାର ଦୁର୍ଭାଗ୍ୟ ତାଙ୍କର ଜୁଟେନାହିଁ। ଗତ ୪ ଦଶନ୍ଧି ଧରି ରେଳଗାଡିରେ ଏଇ ଲେଖକ ଯାତ୍ରା କରିଆସୁଛି। କିନ୍ତୁ ଆଗ ସମୟକୁ ଆଜିର ସମୟ ସହ ତୁଳନା କଲେ ଜଣାଯାଏ ଯେ, ଆଜିର ଦୁର୍ଦ୍ଦଶା ଆଗର ଦୁର୍ଦ୍ଦଶାକୁ ବଳିଗଲାଣି। ରେଳଗାଡି ବିଳମ୍ବରେ ଚାଲିବା କିଛି ନୂଆକଥା ନୁହେଁ। କିନ୍ତୁ ଆଜି ତାହା ସୀମା ଟପିବାକୁ ବସିଲାଣି। ଆଗେ ବିଳମ୍ବକୁ ‘ଘଣ୍ଟା’ରେ ପ୍ରକାଶ କରାଯାଉଥିଲା, ଏବେ କିନ୍ତୁ ତାହା ‘ଓଳି’ରେ ବ୍ୟକ୍ତ ହେଉଛି। ସେଦିନ ମୋର ଜଣେ ସହଯାତ୍ରୀଙ୍କୁ ତାଙ୍କ ପୁଅ ଫୋନ୍‌ରେ ପଚାରିଥିଲେ, ”ବାପା! ଗାଡି କେତେ ବିଳମ୍ବରେ ଚାଲିଛି?“ ସେ ଉତ୍ତର ଦେଇଥିଲେ, ”ଓଳିଏ ଲେଟ୍‌ ହେଲାଣି!“ ଆଜି ବି ଆମ ରାଜଧାନୀରୁ ଦେଶର ଅନେକ ସ୍ଥାନକୁ ସିଧାସଳଖ ରେଳଯାତ୍ରାର ସୁଯୋଗ ନାହିଁ। ରେଳ ସଂଯୋଗ ନ ଥିବା ସେସବୁ ସ୍ଥାନକୁ ଯିବାକୁ ହେଲେ ହାଓଡା, ମାଡ୍ରାସ ବା ଅନ୍ୟ କୌଣସି ଷ୍ଟେଶନରେ ଓହ୍ଲାଇ ସେଠାରୁ ଦୋସରା ଟ୍ରେନ୍‌ ଧରିବାକୁ ପଡିଥାଏ। ଏହି ପରବର୍ତ୍ତୀ ଯାତ୍ରା ପାଇଁ ଆଗେ ମଝି ଷ୍ଟେଶନରେ ଓହ୍ଲାଇବା ପରେ ୩/୪ ଘଣ୍ଟା ସମୟ ହାତରେ ରଖିବାକୁ ପଡୁଥିଲା। ମାତ୍ର ଏବେ ଗାଡି ଚଳାଚଳରେ ଅସ୍ବାଭାବିକ ବିଳମ୍ବ ଯୋଗୁ ଓଳିଏ ସମୟ ହାତରେ ରଖିଲେ ବି ଯଥେଷ୍ଟ ହେଉନାହିଁ। ମଝି ଷ୍ଟେଶନରେ ପହଞ୍ଚିଲାବେଳକୁ ନିର୍ଦ୍ଧାରିତ ଟ୍ରେନ୍‌ ଛାଡି ଦେଇଥିବା ଦେଖାଯାଉଛି। ସେ କ୍ଷେତ୍ରରେ ଯାତ୍ରୀଙ୍କ ଅବସ୍ଥା ଯାହା ହୁଏ, ତାହା ନ ଦେଖିବା ଲୋକ ବିଶ୍ୱାସ କରିବେ ନାହିଁ। ଟ୍ରେନ୍‌ ବିଳମ୍ବରେ ଚାଲୁଥିବାର ପ୍ରକୃତ କାରଣ ମଧ୍ୟ ସବୁବେଳେ ଜାଣି ହୁଏନାହିଁ। ଷ୍ଟେଶନ ନ ଥାଇ ମଧ୍ୟ ଗାଡି ଅଟକେ ଓ କିଛି ବୁଲାବିକାଳି ତହିଁରୁ ଓହ୍ଲାଇଯାଉଥିବା ଦେଖାଯାଏ। ପୁଣି କୌଣସି ଷ୍ଟେଶନରେ ଗାଡି ଦୀର୍ଘ ସମୟ ରହୁଥିବା ଏବଂ ଖିଆପିଆ ଧୁମ୍‌ଧାମ୍‌ରେ ଚାଲିଥିବା ଦୃଷ୍ଟିରେ ପଡେ। ପାର୍ଶଲ ଭ୍ୟାନ୍‌ରୁ ଜିନିଷପତ୍ର କାଢିବାକୁ କେଉଁ ଷ୍ଟେଶନରେ କେତେ ସମୟ ଲାଗେ, ତା’ର କିଛି ଠିକ୍‌ଠିକଣା ନ ଥାଏ। ତାହା ପାର୍ଶଲ କ୍ଲର୍କ ଓ କୁଲିମାନଙ୍କ ମର୍ଜି ଉପରେ ନିର୍ଭର କରୁଥିବା ପରି ମନେହୁଏ। ଆମେ ଜଳକା ପରି ଚାହିଁ ରହିଥାଉ। ଟ୍ରେନ୍‌ ଠିକ୍‌ ସମୟରେ ଚଳାଚଳ କରିବାର ଦାୟିତ୍ୱ ବିଭାଗର କୌଣସି କର୍ମଚାରୀଙ୍କର ଥିବା ପରି ଜଣାପଡେନାହିଁ। ରେଳଗାଡିରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ କଥା କହିଲେ ନ ସରେ। ଖୋଦ୍‌ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ଖାଦ୍ୟ ମଣିଷ ଖାଇବାଯୋଗ୍ୟ ନୁହେଁ। ପାନୀୟ ବିଷୟରେ ରିପୋର୍ଟରେ ଦର୍ଶାଯାଇଛି ଯେ, ଟ୍ୟାପ୍‌ରୁ ଅଶୋଧିତ ପାଣିକୁ ସିଧାସଳଖ ବୋତଲରେ ଭର୍ତ୍ତି କରାଯାଇ ଯାତ୍ରୀମାନଙ୍କୁ ପିଇବାକୁ ଦିଆଯାଉଛି। ଖାଦ୍ୟର ମୂଲ୍ୟ ପୁଣି ଆକାଶଛୁଆଁ। କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ନିରାମିଷ ମିଲ୍‌ର ଦାମ୍‌ ପଚାଶ ଟଙ୍କା। ମାତ୍ର ଯାତ୍ରୀମାନଙ୍କୁ ଏହା ଜଣପିଛା ଶହେ ଟଙ୍କା ଦେଇ କିଣିବାକୁ ପଡିଥାଏ। କଦବା କେହି ମିଲର ଦରକୁ ନେଇ ପ୍ରଶ୍ନ ଉଠାଇଲେ ତାହା ନିରର୍ଥକ ହୋଇଥାଏ। ଦିନ ଦ୍ୱିପହରରେ ସମସ୍ତଙ୍କ ଆଖି ସାମ୍ନାରେ ଏହି ହରିଲୁଟ୍‌ ଚାଲିଥାଏ। ଖାଦ୍ୟର ମାନ ଓ ମୂଲ୍ୟ ବ୍ୟତୀତ ଏହାର ପରିମାଣ ମଧ୍ୟ ବିବେକସମ୍ମତ ନୁହେଁ। ଏକ ନିରାମିଷ ମିଲ୍‌ରେ ୧୫୦ ଗ୍ରାମ୍‌ର ରାଇସ୍‌ ପଲାଉ ବା ଜିରା ରାଇସ୍‌ ବା ଉତ୍କୃଷ୍ଟ ମାନର ପ୍ଲେନ୍‌ ରାଇସ୍‌ ରହିବ ବୋଲି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ରହିଛି। ତା’ ସହ ୧୦୦ ଗ୍ରାମ୍‌ର ୨ଟି ପରଟା ବା ୪ଟି ଚପାତି ବା ୫ଟି ପୁରି ରହିବ ବୋଲି ନିୟମ ଅଛି। ସେହିପରି ଡାଲି ବା ସମ୍ବର, ତରକାରି, ଦହି ବା ମିଠା, ଆଚାର ଓ ପିଇବାପାଣିର ପରିମାଣ ବି ନିର୍ଦ୍ଧାରିତ ହୋଇଛି। ମାତ୍ର ଖାଇଲାବେଳେ ଖାଦ୍ୟର ନିର୍ଦ୍ଧାରିତ ପରିମାଣ କଥା ଭାବିଲେ ମନ ତାତିଉଠେ। ଯାତ୍ରୀମାନେ ସମୟ ବିତାଇବା ପାଇଁ ଆବଶ୍ୟକ ଥାଉ ବା ନ ଥାଉ ଚା ପାନ କରିଥାନ୍ତି। କର୍ତ୍ତୃପକ୍ଷ ୧୫୦ ଏମ୍‌ଏଲ୍‌ ସାଧାରଣ ମାନ ବିଶିଷ୍ଟ ଚା’ର ମୂଲ୍ୟ ପାଞ୍ଚ ଟଙ୍କା ଓ ସେହି ପରିମାଣର ଚା ଥଳି ସହ ଚା’ର ଦର ସାତଟଙ୍କା ଧାର୍ଯ୍ୟ କରିଛନ୍ତି। ଆଗେ ‘ଟି ବ୍ୟାଗ୍‌’ ସହ ଚା ଓ ତା’ ସଙ୍ଗେ ଏକ ପ୍ୟାକେଟ୍‌ ବିସ୍କୁଟ୍‌ ଦେଇ ଚା ବିକାଳି ଆମଠାରୁ ଦଶଟଙ୍କା ନେଉଥିଲା। ଏବେ ଆଉ ବିସ୍କୁଟ୍‌ ଦିଆଯାଉ ନାହିଁ; ମାତ୍ର ମୂଲ୍ୟ ସେହି ଦଶ ଟଙ୍କା ରହିଛି। ଆପତ୍ତି ଉଠାଇଲେ ତାହା ଫଳପ୍ରସୂ ହେଉନାହିଁ। ଏଇ ଲେଖକ ଥରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଯାତ୍ରା କରୁଥାଏ। ମଧ୍ୟାହ୍ନଭୋଜନ କରିସାରି ମୂଲ୍ୟ ପଇଠ କଲା ପରେ ଓ୍ବେଟରକୁ ବିଲ୍‌ ମାଗିବାରୁ ସେ ଦେବ ବୋଲି କହି ଚାଲିଗଲା। ପୁଣି ରାତ୍ରିଭୋଜନର ମୂଲ୍ୟ ପ୍ରଦାନ କଲାବେଳେ ବିଲ୍‌ ଦେବାକୁ କହିବାରୁ ଏଥର ସେ ରାଗିଯାଇ କହିଲା, ”ଭୁବନେଶ୍ୱର ପର୍ଯ୍ୟନ୍ତ ତ ଯିବେ, ବିଲ୍‌ ପାଇଁ ଏତେ ବ୍ୟସ୍ତ କାହିଁକି?“ ତା’ ପର ଦିନ ମଧ୍ୟାହ୍ନଭୋଜନ ପରେ ବିଲ୍‌ ମାଗିବା ପୂର୍ବରୁ ଓ୍ବେଟର୍‌ କହିଲା- ”ଆପଣ ଓହ୍ଲାଇବା ଆଗରୁ ବିଲ୍‌ ଦେଇଦେବି।“ ତା’ କଥାରେ ତାଚ୍ଛଲ୍ୟ ଭରିରହିଥିଲା। ବିଲ୍‌ ନ ଦେଲେ ରେଳମନ୍ତ୍ରୀଙ୍କୁ ଲେଖିକରି ଜଣାଇଦେବି ବୋଲି କହିବାରୁ କିଛି ନ କହି ସେ ଚାଲିଗଲା। ମୁଁ ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇବା କ୍ଷଣି ଓ୍ବେଟର ମୋ ଆଡକୁ ଆସୁଥିବାର ଦେଖିଲି। ଭାବିଲି, ସେ ବିଲ୍‌ ଦେବାକୁ ଆସୁଛି। ମାତ୍ର ସେ ବିଲ୍‌ ତ ଦେଲାନାହିଁ, ବରଂ ଛିଗୁଲାଇ କରି କହିଲା, ”ଆଜ୍ଞା ! ମୁଁ ବିଲ୍‌ ଦେଲିନାହିଁ ବୋଲି ଲେଖିକରି ରେଳମନ୍ତ୍ରୀଙ୍କୁ ଜଣାଇଦେବାକୁ ଭୁଲିବେ ନାହିଁ।“ ଆଖି ପିଛୁଳାକେ ସେ ଅନ୍ତର୍ଦ୍ଧାନ ହୋଇଗଲା। ତା’ର ବିଦ୍ରୂପ ମୋତେ ଯେତେ ବାଧି ନ ଥିଲା ରେଳମନ୍ତ୍ରୀଙ୍କ ଉପରେ ତା’ର ରହିଥିବା ଭରସା ମୋତେ ତତୋଽଧିକ ଆଶ୍ଚର୍ଯ୍ୟ କରିଥିଲା। ସେ ଜାଣିଥଲା ଯେ, ମନ୍ତ୍ରୀଙ୍କ ପାଖକୁ ଲେଖିଲେ ବି ତା’ର ସାମାନ୍ୟ କ୍ଷତି ହେବନାହିଁ। ରେଳଗାଡିରେ ଶାନ୍ତି ଓ ସୁରକ୍ଷା ଦୃଷ୍ଟିରୁ ଲୋକେ ସ୍ଲିପର କ୍ଲାସ୍‌ (ସଂରକ୍ଷିତ)ରେ ଯାତାୟାତ କରିଥାନ୍ତି। ଏବେ କିନ୍ତୁ ସେହି ଯାତ୍ରା ମଧ୍ୟ ନରକଯନ୍ତ୍ରଣା ତୁଲ୍ୟ ହୋଇଛି। ଓ୍ବେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ଅବାଧରେ ଏହି ସଂରକ୍ଷିତ ବଗିରେ ପ୍ରବେଶ କରୁଛନ୍ତି। ମାସିକ ମିଆଦୀ ଟିକେଟ୍‌ଧାରୀଙ୍କ ପାଇଁ ତ ରେଳବଗି ସାହାଣମେଲା ହୋଇଛି। ଏମାନେ ସମସ୍ତେ ବେଆଇନ ଭାବେ ସଂରକ୍ଷିତ ବଗିରେ ପ୍ରବେଶ କରି ଜୋରଜବରଦସ୍ତ ସଂରକ୍ଷିତ ସ୍ଥାନରେ ବସିପଡୁଛନ୍ତି। ଏଣେ କିନ୍ନରମାନଙ୍କ ଜୁଲମ ତ କହିଲେ ନ ସରେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଏସବୁ ଦେଖି ନ ଦେଖିବା ପରି। ଯାତ୍ରୀମାନେ ଟ୍ରେନ୍‌ରେ ଚଢିବା ବେଳଠୁ ନିର୍ଦ୍ଧାରିତ ଷ୍ଟେଶନରେ ଓହ୍ଲାଇବା ପର୍ଯ୍ୟନ୍ତ ତାଙ୍କ ପରିବାରବର୍ଗ ଗଭୀର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରନ୍ତି। କେବେ ଓ କେଉଁଠି ରେଳ ଦୁର୍ଘଟଣା ହେଉଛି, ତାହା ଜାଣିବା ପାଇଁ ସେମାନେ ଟିଭି ଖବର ଉଣ୍ଡୁଥାନ୍ତି। କେନ୍ଦ୍ରରେ ସରକାରର ନବକଳେବର ହେବା ପରେ ରେଳଯାତ୍ରା ସୁଗମ ହେବ ବୋଲି ଯାତ୍ରୀମାନଙ୍କର ଆଶା ଥିଲା। ମାତ୍ର ଏବେ ମହରଗରୁ କାନ୍ତାରରେ ପଡିବା ସାର ହୋଇଛି। ରେଳମନ୍ତ୍ରୀ ଯଦି ସୁରୁଖୁରୁ ଓ ସ୍ବଚ୍ଛନ୍ଦ ରେଳଯାତ୍ରା ପାଇଁ ଧ୍ୟାନ ଦିଅନ୍ତେ ତେବେ ତାହା ସ୍ବାଗତଯୋଗ୍ୟ ହୁଅନ୍ତା।

ଇମେଲ୍‌: drnarayanmohanty@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri