ଦେବଦତ୍ତ ଓ ବୌଦ୍ଧଧର୍ମ

ଦେବଦତ୍ତ ପଟ୍ଟନାୟକ

ଗୌତମ ବୁଦ୍ଧଙ୍କର ଜଣେ ସମ୍ପର୍କୀୟ ମାଉସୀପୁଅ ଭାଇ ଥିଲେ, ଯେ କି ସବୁବେଳେ ତାଙ୍କ ସହ ଯୁକ୍ତିତର୍କ କରୁଥିଲେ ଏବଂ ତାଙ୍କୁ ବିରୋଧ କରୁଥିଲେ। ତାଙ୍କ ନଁା ଦେବଦତ୍ତ। ସେ ମଧ୍ୟ ଗୌତମଙ୍କ ଶ୍ୟାଳକ ଅର୍ଥାତ୍‌ ଯଶୋଧାରାଙ୍କ ଭାଇ ଥିଲେ। ମୋତେ ଲୋକେ ପ୍ରଶ୍ନ କରନ୍ତି: ସେହି ବୁଦ୍ଧ-ବିରୋଧୀଙ୍କ ନାମାନୁସାରେ ଆପଣଙ୍କ ନାମ ହୋଇଛି କି? ମୁଁ ମନା କରେ। କହେ- ଦେବତାଙ୍କ ଦାନ ଅର୍ଥରେ ମୋ ମାଆ ମୋର ନାମ ଦେବଦତ୍ତ ରଖିଛନ୍ତି। ତା’ଛଡ଼ା ନାରଦଙ୍କ ବୀଣା ଓ ଅର୍ଜୁନଙ୍କ ଶଙ୍ଖର ନାମ ମଧ୍ୟ ଦେବଦତ୍ତ। ପୁଣି ଅତ୍ରି ଋଷି ଓ ଅନସୂୟାଙ୍କ ପୁତ୍ର ଦତ୍ତାତ୍ରେୟଙ୍କୁ ମଧ୍ୟ ଦତ୍ତ ବା ଦେବ-ଦତ୍ତ ବା ଦତ୍ତ-ଦେବ ବୋଲି କୁହାଯାଏ। ସେ ଜଣେ ଅବଧୂତ ସନ୍ନ୍ୟାସୀ, ଯିଏ ଏକ ଦେହରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଅବତାର ଏବଂ ଯାହାଙ୍କ ସାଙ୍ଗରେ ଗୋଟିଏ ଗାଈ ଓ ଚାରିଟି କୁକୁର ଥାନ୍ତି। ବୌଦ୍ଧଧର୍ମରେ ଦେବଦତ୍ତ ଶାକ୍ୟମୁନି ଗୌତମ ବୁଦ୍ଧଙ୍କ ମାଉସୀପୁଅ ଭାଇ ହେଲେ ମଧ୍ୟ ସେ ସବୁବେଳେ ତାଙ୍କୁ ବିରୋଧ କରିଆସୁଥିଲେ। ଅନେକ କାହାଣୀରେ ଦେବଦତ୍ତଙ୍କ ବିରୋଧ ଓ ଶତ୍ରୁତା ହିଁ ଗୌତମ ବୁଦ୍ଧଙ୍କ ମହନୀୟ ଚରିତ୍ର ଓ ପ୍ରଜ୍ଞାର ପ୍ରମାଣ ଦେଇଛି। ଦେବଦତ୍ତ ବୁଦ୍ଧଦେବଙ୍କ ପରି ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ କ୍ଷମତାର ଅଧିକାରୀ ହେଲେ ମଧ୍ୟ ବୁଦ୍ଧଙ୍କ ପ୍ରତି ଈର୍ଷା ଓ ଅସୂୟା ହିଁ ତାଙ୍କ ଅଧଃପତନର କାରଣ ହୋଇଥିଲା। ଯେତେବେଳେ ଉଭୟେ ବାଳକ ଥିଲେ ଦେବଦତ୍ତ ଗୋଟିଏ ଉଡ଼ନ୍ତା ହଂସ ଦେହରେ ଗୁଳିବିଦ୍ଧ କଲେ। ହଂସଟି ଆହତ ହୋଇ ତଳେ ପଡ଼ିଯିବା ପରେ ବୁଦ୍ଧଦେବ ତାହାକୁ ପାଇ, ତା’ର ସେବାଶୁଶ୍ରୂଷା କରି ତା’ର ଜୀବନ ବଞ୍ଚାଇଲେ। ସେ ଦେବଦତ୍ତଙ୍କୁ ହଂସଟିକୁ ନ ଦେଇ ଯୁକ୍ତି କଲେ ଯେ ଯିଏ ଜୀବନ ଦେଇପାରିବ ନାହିଁ, କାହାର ଜୀବନ ନେବାର ଅଧିକାର ତା’ର ନାହିଁ। ବୌଦ୍ଧ ଭିକ୍ଷୁମାନେ ଅତ୍ୟନ୍ତ ସାଦାସିଧା ଜୀବନଯାପନ କରନ୍ତୁ ବୋଲି ଦେବଦତ୍ତ କହୁଥିଲେ, କିନ୍ତୁ ବୁଦ୍ଧ ଥିଲେ ମଧ୍ୟମ ମାର୍ଗର ଉପଦେଶକ। ଯେତେବେଳେ ବୁଦ୍ଧ ଏକ ମଠ (ବୌଦ୍ଧ ବିହାର)ର ପ୍ରତିଷ୍ଠା କଲେ, ଦେବଦତ୍ତ କହିଲେ- ତୁମେ ଏବେ ଅବସର ନେଇଯାଅ ଏବଂ ସଂସ୍ଥା ଚଳାଇବାର ଦାୟିତ୍ୱ ମୋତେ ଦେଇଦିଅ। ବୁଦ୍ଧ ଏଥିରେ ରାଜି ନ ହେବାରୁ ସେ ବିଦ୍ରୋହ କଲେ ଏବଂ ସଂଘ ଭିତରେ ବିଭାଜନ ସୃଷ୍ଟି କଲେ। ବୌଦ୍ଧ ଜାତକ ଅନୁସାରେ ପୂର୍ବଜନ୍ମଗୁଡ଼ିକରେ ମଧ୍ୟ ଦେବଦତ୍ତ ଏମିତି ବୁଦ୍ଧଙ୍କ ସହ ଶତ୍ରୁତା କରି ଆସିଛନ୍ତି। ଗୋଟିଏ ପୂର୍ବଜନ୍ମରେ ସେ କାଶୀର ରାଜା ଥିଲେ। ସେତେବେଳେ ତପସ୍ବୀ ବୁଦ୍ଧଙ୍କ କଥାରେ ରାଜନର୍ତ୍ତକୀମାନେ ପ୍ରଭାବିତ ହେବାରୁ ସେ ଈର୍ଷାପରାୟଣ ହୋଇ ତାଙ୍କୁ ନିର୍ଯାତନା ଦେଇଥିଲେ। କିନ୍ତୁ ତପସ୍ବୀ ବୁଦ୍ଧ ଅସୀମ ଧୈର୍ଯ୍ୟ ସହକାରେ ତାହା ସହ୍ୟ କରିଥିଲେ। ଗୋଟିଏ ଜନ୍ମରେ ସେ ଥିଲେ ଏକ ନିର୍ବୋଧ ବଣିକ, ଯାହାଙ୍କୁ ଗୋଟିଏ ଯକ୍ଷ ଧରି ଖାଇଦେଇଥିଲା। ଗୋଟିଏ ଜନ୍ମରେ ଦେବଦତ୍ତ ଥିଲେ ଏକ ଜଳରାକ୍ଷସ, ଯାହାଙ୍କୁ ମର୍କଟରୂପୀ ବୁଦ୍ଧ ବୁଦ୍ଧିରେ ପରାସ୍ତ କରିଥିଲେ। ଜଳରାକ୍ଷସ ପାଣି ଭିତରେ ଲୁଚି ରହି ପାଣି ପିଇବାକୁ ଆସୁଥିବା ମାଙ୍କଡ଼ମାନଙ୍କୁ ଧରି ଖାଉଥିଲେ। ମାଙ୍କଡ଼ରୂପୀ ବୋଧିସତ୍ତ୍ୱ ପାଣି ପାଖକୁ ଯିବାକୁ ମାଙ୍କଡ଼ମାନଙ୍କୁ ମନା କଲେ। ତା’ ବଦଳରେ ଏକ ବାଉଁଶ ନଳୀ ସାହାଯ୍ୟରେ ସେମାନଙ୍କ ପାଣି ପିଇବାର ବ୍ୟବସ୍ଥା କରିଦେଲେ। ଏକ ଜନ୍ମରେ ବୁଦ୍ଧଦେବ ମାଙ୍କଡ଼ମାନଙ୍କର ନେତା ଥିଲେ। ଶିକାରୀମାନଙ୍କ କବଳରୁ ମାଙ୍କଡ଼ ପ୍ରଜାମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଏକ ଗିରିଖାତ ଉପରେ ନିଜ ଦେହକୁ ଲମ୍ବାଇ ଏକ ପୋଲ ପରି କରିଦେଲେ ଏବଂ ତାଙ୍କ ମାଙ୍କଡ଼ବାହିନୀକୁ ଜଣକ ପରେ ଜଣେ ତାଙ୍କ ପିଠି ଉପରେ ଚଢ଼ି ନାଳ ପାରିହେବା ପାଇଁ ଆଦେଶ ଦେଲେ। ସେତେବେଳେ ଦେବଦତ୍ତ ତାଙ୍କ ପିଠି ଉପରକୁ ଏପରି କୁଦା ମାରିଲେ ଯେ ତାଙ୍କ ମେରୁହାଡ଼ ଭାଙ୍ଗିଗଲା। ବୁଦ୍ଧଦେବଙ୍କ ସହ ଦେବଦତ୍ତଙ୍କର ଶତ୍ରୁତା ଏତେ ବଢ଼ିଗଲା ଯେ ସେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲେ। କୌଶଳକ୍ରମେ ସେ ମଗଧ ସମ୍ରାଟ୍‌ ବିମ୍ବିସାରଙ୍କ ପୁତ୍ର ରାଜକୁମାର ଅଜାତଶତ୍ରୁଙ୍କୁ ନିଜର ବଶୀଭୂତ କରିନେଲେ। ସେ ବିମ୍ବିସାରଙ୍କୁ ହତ୍ୟା କରି ନିଜେ ରାଜଗାଦି ଅକ୍ତିଆର କରିବାକୁ ଅଜାତଶତ୍ରୁଙ୍କୁ ପ୍ରବର୍ତ୍ତାଇଲେ। ତା’ପରେ ଅଜାତଶତ୍ରୁଙ୍କ ସହାୟତାରେ ଏକ ପାଗଳା ହାତୀକୁ ପଠାଇଲେ ବୁଦ୍ଧଦେବଙ୍କୁ ମାରିବା ପାଇଁ। କିନ୍ତୁ ହାତୀଟି ସର୍ବଜୀବେ ପ୍ରେମଭାବ ରଖୁଥିବା ବୁଦ୍ଧଦେବଙ୍କ ଦ୍ୱାରା ବଶୀଭୂତ ହୋଇଗଲା। ତା’ପରେ ବୁଦ୍ଧଦେବ ଏକ ପାହାଡ଼ି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପାହାଡ଼ ଉପରୁ ପଥର ଗଡ଼ାଇ ତାଙ୍କୁ ମାରିବା ପାଇଁ ଦେବଦତ୍ତ ଲୋକ ନିଯୁକ୍ତ କଲେ। କିନ୍ତୁ ସେହି ଲୋକମାନେ ବି ବୁଦ୍ଧଙ୍କ ଦ୍ୱାରା ବଶୀଭୂତ ହୋଇ ତାଙ୍କର ଦୀକ୍ଷା ନେଲେ ଓ ତାଙ୍କଠାରୁ ହିଂସାଭାବ ଦୂର ହୋଇଗଲା। ବୁଦ୍ଧଙ୍କୁ ମାରିବାର ସମସ୍ତ ଚେଷ୍ଟା ଦେବଦତ୍ତଙ୍କର ବ୍ୟର୍ଥ ହୋଇଗଲା। ଇତିମଧ୍ୟରେ ଉଭୟେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥାନ୍ତି। ନିଜର କୃତକର୍ମ ପାଇଁ ଦେବଦତ୍ତଙ୍କ ମନରେ ଅନୁତାପ ଆସିଲା। ସେ ବୁଦ୍ଧଙ୍କଠାରୁ କ୍ଷମା ମାଗିବାକୁ ମନେ ମନେ ଚିନ୍ତା କଲେ। କିନ୍ତୁ ପର ମୁହୂର୍ତ୍ତରେ ପୁଣି ତାଙ୍କ ମନରେ ପ୍ରତିହିଂସା ଜାଗିଲା। ସେହି ସମୟରେ ପୃଥିବୀ ଫାଟିଗଲା ଓ ଦେବଦତ୍ତ ତା’ ଭିତରେ ପୋତି ହୋଇ ମୃତ୍ୟୁବରଣ କଲେ ଏବଂ ତାଙ୍କର ନରକଗତି ହେଲା। ଏହାର ଶହ ଶହ ବର୍ଷ ପରେ ଯେତେବେଳେ ଖ୍ରୀଷ୍ଟିଆନ ମିଶନାରୀମାନେ ଆସିଲେ ଥାଇଲାଣ୍ଡର ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ଧର୍ମାନ୍ତରିତ କରାଇବା ପାଇଁ, ସେତେବେଳେ ଥାଇଲାଣ୍ଡର ରାଜା ଦେଖିଲେ ସେମାନଙ୍କ ବେକରେ ଏକ କ୍ରସ୍‌ ଚିହ୍ନ ଉପରେ ଯିଶୁଖ୍ରୀଷ୍ଟଙ୍କ ବିଗ୍ରହର ଲକେଟ୍‌ ଶୋଭା ପାଉଛି। ମିଶନାରୀମାନେ କହିଲେ ଯେ ଖ୍ରୀଷ୍ଟ ହେଉଛନ୍ତି ତାଙ୍କର ତ୍ରାଣକର୍ତ୍ତା। କିନ୍ତୁ ଥାଇଲାଣ୍ଡର ରାଜା ଓ ପାରିଷଦବର୍ଗଙ୍କର ମନେହେଲା ଖ୍ରୀଷ୍ଟ ହେଉଛନ୍ତି ନରକ ଯନ୍ତ୍ରଣା ଭୋଗ କରୁଥିବା ସେଇ ଦେବଦତ୍ତ। ତେଣୁ ସେମାନେ ମିଶନାରୀମାନଙ୍କ ପ୍ରସ୍ତାବକୁ ଗ୍ରହଣ ନ କରି ନିଜର ବୌଦ୍ଧଧର୍ମ ପ୍ରତି ବିଶ୍ୱସ୍ତ ରହିଲେ। ସୁତରାଂ ବୁଦ୍ଧଦେବଙ୍କ ଜୀବନକାଳରେ ତାଙ୍କର ପରମ ଶତ୍ରୁ ପାଲଟିଥିବା ଦେବଦତ୍ତ ମୃତ୍ୟୁ ପରେ ପରୋକ୍ଷରେ ଥାଇଲାଣ୍ଡରେ ବୌଦ୍ଧଧର୍ମର ସୁରକ୍ଷା କଲେ।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋରେ ଉପଲବ୍ଧ।)

ଇମେଲ୍‌: devdutt@devdutt.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri