କୁକୁର ସେବା କମ୍ପାନୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଏକ ଶିଶୁ ଶ୍ରମ ସମ୍ବନ୍ଧୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆସି ମୁଁ ଏବେ ଆର୍ଜେଣ୍ଟିନାରେ ଅଛି। ବୁଏନସ ଏୟାର୍ସର ରାସ୍ତାଗୁଡ଼ିକ ଖୁବ୍‌ ପ୍ରଶସ୍ତ ଏବଂ ରାସ୍ତାକଡ଼ରେ ଅସଂଖ୍ୟ ବୃକ୍ଷରୋପଣ କରାଯାଇଛି, ଯାହା ଆମ ଭାରତରେ ବି ଦେଖିବାକୁ ମିଳେ। ଏହା ହେଉଛି ଜାକାରାନାଡ଼ା ଗଛରେ ଫୁଲ ଫୁଟିବାର ଋତୁ। ତେଣୁ ରାସ୍ତାପାର୍ଶ୍ୱ ପାଦଚଲା ରାସ୍ତାରେ ନୀଳଲୋହିତ ବର୍ଣ୍ଣର ଝଡ଼ା ଫୁଲର ଏକ ଆସ୍ତରଣ ଜମିଥିବାର ଦେଖିବାକୁ ମିଳିଲା। ମାଗ୍ନୋଲିଆ ଫୁଲର ବାସ୍ନାରେ ପୂରା ସହର ମହକୁଥିଲା। ଦିଲ୍ଲୀରେ ବିଶୁଦ୍ଧ ବାୟୁର ଅଭାବରେ ନାକ ରୁନ୍ଧି ହୋଇଯାଉଥିବା ବେଳେ ଏଠାରେ ମୁକ୍ତ ବିଶୁଦ୍ଧ ପବନ ଯାହାକୁ ଯେତେ। ସକାଳ ସାଢ଼େ ୮ଟାରେ ଥିବା ସମ୍ମିଳନୀରେ ଯୋଗଦେବାକୁ ଗଲାବେଳେ ବାଟରେ ମୁଁ ଏକ ନୂଆ କଥା ଦେଖିଲି। ଯୁବକମାନେ ଜଣକା ପ୍ରାୟ ୧୫ଟା ଲେଖା କୁକୁର ଧରି ପାର୍କରେ ଚାଲୁଛନ୍ତି ବା ରାସ୍ତା ପାରି ହେଉଛନ୍ତି କିମ୍ବା ପାଦଚଲା ରାସ୍ତାରେ ଯାଉଛନ୍ତି। କୁକୁରଗୁଡ଼ିକ ବିଭିନ୍ନ ଆକୃତିର। ସେମାନେ ଅନୁଗତ ଭୃତ୍ୟ ପରି ପରସ୍ପର ସହ ଲଗାଲଗି ହୋଇ ମାଲିକଙ୍କ ସହ ଚାଲିଛନ୍ତି। ପ୍ରାୟ ୧୪ ଦଳ କୁକୁର ପରସ୍ପରଠାରୁ ଅଳ୍ପ ବ୍ୟବଧାନରେ ଚାଲିଥାନ୍ତି। ଡ୍ରାଇଭର ମୋତେ କହିଲା ଯେ ଏହା ହେଉଛି ଏ ସହରର ଏକ ସବୁଦିନିଆ ସାଧାରଣ ଦୃଶ୍ୟ। ଏଠାରେ ଯୁବକମାନେ ଡଗ୍‌ ଓ୍ବାକିଂ କମ୍ପାନୀରେ ଯୋଗ ଦିଅନ୍ତି। କୁକୁରମାନଙ୍କୁ କିପରି ସମ୍ଭାଳିବାକୁ ହେବ ଏବଂ ଚାଲିବା ବେଳେ ସେମାନେ ମଳତ୍ୟାଗ କଲେ କିପରି ବେଲ୍‌ଚାରେ ମଳ ଉଠାଇବାକୁ ହେବ, ଏ ସମ୍ବନ୍ଧରେ ସେମାନେ ତାଲିମ ନେଇଥାନ୍ତି। କୁକୁରମାନଙ୍କୁ ଚଲାଇବା ପାଇଁ ଉକ୍ତ କମ୍ପାନୀଗୁଡ଼ିକ ଡିପ୍ଲୋମା ସାର୍ଟିଫିକେଟ୍‌ ଦିଅନ୍ତି। ଯଦି ରାସ୍ତାରେ ଚାଲିବା ବେଳେ କୌଣସି ଦୁର୍ଘଟଣା ହେଲା, ତେବେ ତା’ର ଆଶୁ ଚିକିତ୍ସା କିପରି କରିବାକୁ ହେବ, ସେ ସମ୍ବନ୍ଧରେ ମଧ୍ୟ ଯୁବକମାନେ ତାଲିମ ନେଇଥାନ୍ତି। କମ୍ପାନୀ ଏକ ଆପ୍‌ ଦିଏ। ଏହା ସାହାଯ୍ୟରେ ଆପଣ ଜାଣିପାରିବେ ଚାଲିବାର ଆରମ୍ଭ ଓ ଶେଷ ସମୟ, କେଉଁ ରାସ୍ତାରେ କୁକୁରଙ୍କୁ ଚଲାଉଥିଲେ, କେଉଁଠି ସେମାନଙ୍କର ଝାଡ଼ାପରିସ୍ରା କରାଇଥିଲେ ଏବଂ କେଉଁଠି ଓ କେତେବେଳେ ପାଣି ପିଆଇଥିଲେ ଇତ୍ୟାଦି। କୁକୁରଙ୍କୁ ଚଲାଇବା ଛଡ଼ା କମ୍ପାନୀମାନେ ପେଟ୍‌ ଟ୍ୟାକ୍ସିର ସୁବିଧା ବି ଦିଅନ୍ତି। ଏହି ଟ୍ୟାକ୍ସି ନିର୍ଦ୍ଦିଷ୍ଟ ଦିନରେ ବା ଜରୁରୀ ସମୟରେ ଆସି ଆପଣଙ୍କ କୁକୁରକୁ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଯିବ। ଘରକୁ ମଧ୍ୟ ପ୍ରାଣୀ ଚିକିତ୍ସକ ଆସି ଚିକିତ୍ସା ସେବା ଯୋଗାଇ ଦିଅନ୍ତି। କମ୍ପାନୀର ନିର୍ଦ୍ଦିଷ୍ଟ ସ୍ଥାନରେ ବା ଆପଣଙ୍କ ଘରେ ଦୈନିକ କୁକୁରଙ୍କ ସେବାଯତ୍ନର ମଧ୍ୟ ବ୍ୟବସ୍ଥା ଅଛି। ଆପଣ ଅଫିସ ଯାଇଥିବା ବା ଛୁଟି କଟାଇବାକୁ ଯାଇଥିବା ବେଳେ କମ୍ପାନୀ ଲୋକ ଆପଣଙ୍କ ଘରକୁ କିଛିଘଣ୍ଟା ପାଇଁ ଆସି କୁକୁରଙ୍କ ସେବାଯତ୍ନ କରିବେ, ତାଙ୍କ ସହ ଖେଳିବେ ବା ତାଙ୍କୁ ଖାଇବାକୁ ଦେବେ ଇତ୍ୟାଦି। ଏ କମ୍ପାନୀଗୁଡ଼ିକ ପଞ୍ଜୀକୃତ, ବୀମାକୃତ ଏବଂ ପୋଲିସ ସେମାନଙ୍କର ଯାଞ୍ଚ କରିଥାଏ। କମ୍ପାନୀର ପ୍ରତ୍ୟେକ ଲୋକ ତାଲିମ ପାଇଥାନ୍ତି। କମ୍ପାନୀର ଉଭୟ ପେଟ୍‌ ସିଟର ଓ ଡଗ୍‌ ଓ୍ବାକର ଅଛନ୍ତି। କୁକୁରଙ୍କୁ ଅଧଘଣ୍ଟା ବା ଅଧିକ ସମୟ ଚଲାଇବା ପାଇଁ ଅଲଗା ଅଲଗା ରେଟ୍‌ ଅଛି। ଟୟଲେଟ୍‌ ଭିଜିଟ୍‌ ଭାବେ ଜଣାଶୁଣା ଅନ୍ୟ ଏକ ସେବା ପାଇଁ ଅଲଗା ରେଟ୍‌, ଯାହା ଅପେକ୍ଷାକୃତ କମ୍‌। ନିର୍ଦ୍ଦିଷ୍ଟ ସମୟରେ କମ୍ପାନୀ ଲୋକ ଆପଣଙ୍କ ଘରକୁ ଆସିବେ, ଆପଣଙ୍କ କୁକୁରକୁ ନେଇ ବାହାରକୁ ଯାଇ ଝାଡ଼ାପରିସ୍ରା କରାଇବେ ଏବଂ ତା’ପରେ ଆଣି ଆପଣଙ୍କ ଘରେ ଛାଡ଼ିଦେଇ ଯିବେ। ପେଟ୍‌ ଭେଟ୍‌ ଭିଜିଟ୍‌, ପେଟ୍‌ ଟ୍ୟାକ୍ସି ଓ ଡଗ୍‌ ଡେ କେୟାର ପାଇଁ କମ୍ପାନୀମାନେ ପ୍ରତ୍ୟେକ କୁକୁର ମାଲିକଙ୍କୁ ଏକ ରେଟ୍‌ କାର୍ଡ ଦେଇଥାନ୍ତି। ବେଳେବେଳେ ଆପଣ ଅଫିସରେ କାମରେ ଅଛନ୍ତି ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଇପାରୁ ନାହାନ୍ତି। ସେତେବେଳେ ମଧ୍ୟ ଡଗ୍‌ ଓ୍ବାକର ଆସି ଆପଣଙ୍କ କୁକୁରକୁ ନେଇ ଅଧଘଣ୍ଟା ବୁଲାଇ ଆଣି ଛାଡ଼ିଦେଇ ଯାଇପାରିବେ। କମ୍ପାନୀମାନେ ଛୁଆ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟୟଲେଟ୍‌ ଯିବାର ତାଲିମ ମଧ୍ୟ ଦେଇଥାନ୍ତି। କେତେକ କମ୍ପାନୀ ବିଭିନ୍ନ କିସମର ସେବା ଦେଇଥାନ୍ତି: ସିଟି ଓ୍ବାକ୍‌ କହିଲେ ନିର୍ଦ୍ଦିଷ୍ଟ ସମୟରେ କୁକୁରକୁ ନେଇ ହାତରେ ଲିଶ୍‌ (କୁକୁରବନ୍ଧା ଫିତା) ଧରି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚଲାଇବା। ସେମାନଙ୍କୁ ନେଇ ମଧ୍ୟ ଗ୍ରୁପ୍‌ ଆଡ୍‌ଭେଞ୍ଚର ଓ୍ବାକ୍‌ର ବ୍ୟବସ୍ଥା କରାଯାଏ। ଏଥିରେ କୁକୁରମାନେ ବିନା ଲିଶ୍‌ରେ ଦୌଡ଼ନ୍ତି ଏବଂ ଡାକିବା ମାତ୍ରେ ସେମାନଙ୍କୁ ପାଖକୁ ଆସିବାକୁ ତାଲିମ ଦିଆଯାଏ। କେତେକ କମ୍ପାନୀ କୁକର ଦିବସ ପାଳନ କରନ୍ତି, ଯେଉଁଦିନ ଅନେକ ଦଳ କୁକୁରଙ୍କୁ ଦିନ ୧୦ଟାରୁ ୨ଟା ଭିତରେ ୩ ଘଣ୍ଟା ପାଇଁ ଆଣନ୍ତି ଏବଂ ସେମାନଙ୍କୁ ୪୦ ମିନିଟ୍‌ ଚଲାନ୍ତି। ତେବେ ବୁଏନସ ଏୟାର୍ସରେ କୁକୁର ଚୋରି ବି ହୁଏ। କେତେକ ଚୋର କୁକୁରଙ୍କୁ ଚୋରି କରି ପ୍ରଜନନକାରୀମାନଙ୍କୁ ବିକ୍ରି କରିଦିଅନ୍ତି। ଚୋରମାନେ କାର୍‌ରେ ଗ୍ରୁପ୍‌ ଡଗ୍‌ ଓ୍ବାକରଙ୍କ ପିଛା କରୁଥାନ୍ତି। ସେମାନଙ୍କୁ ଟିକିଏ ଅନ୍ୟମନସ୍କ ଦେଖିଲେ ଗୋଟାଏ ଦିଟା କୁକୁରଙ୍କୁ ଝିଙ୍କି କାର୍‌ରେ ନେଇ ଚମ୍ପଟ ମାରନ୍ତି। କିନ୍ତୁ ଅଧିକାଂଶ ସମୟରେ ପରେ ପୋଲିସ ଦ୍ୱାରା ଚୋର ଧରାପଡ଼ନ୍ତି। ଯଦି ଚୋର ଧରା ନ ପଡ଼େ ଓ କୁକୁର ନ ମିଳେ ତେବେ କମ୍ପାନୀ ବୀମା କରିଥିବାରୁ କୁକୁର ମାଲିକକୁ କ୍ଷତିପୂରଣ ମିଳେ। ଆମ ଭାରତରେ ବି ଏପରି କମ୍ପାନୀ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି। ବହୁ ଲୋକ ମୋତେ ଫୋନ୍‌ କରୁଛନ୍ତି ଯେ, ସେମାନେ ଚାକିରି କରିଥିବାରୁ କୁକୁରର ଦେଖାଶୁଣା କରିବାକୁ କେହି ନାହାନ୍ତି। ତେଣୁ ସେମାନେ କୁକୁରକୁ ଦେଇଦେବାକୁ ଚାହୁଁଛନ୍ତି। ବେଳେବେଳେ ବୁଢ଼ା ଲୋକ ଫୋନ୍‌ କରନ୍ତି ଯେ, ତାଙ୍କ ପାଖରେ ଥିବା କୁକୁରଟି ତାଙ୍କ ପିଲାମାନଙ୍କର, ଯେଉଁମାନେ ଏବେ ବାହାରେ ଚାକିରି କରୁଛନ୍ତି। ସେମାନେ ଏ ବୟସରେ କୁକୁରଙ୍କ ଯତ୍ନ ନେବାକୁ ଅକ୍ଷମ। ତେଣୁ ସେମାନେ କୁକୁରକୁ ମୋତେ ଦେଇଦେବାକୁ ଚାହୁଁଛନ୍ତି। ଏହି ଲୋକମାନଙ୍କ ପାଇଁ ଏପରି ସେବା ଦରକାର। ଆପଣ କୁକୁର ରଖିବେ, ଅଥଚ କିଛି ଅର୍ଥ ବିନିମୟରେ ତାଙ୍କ ସେବାଯତ୍ନ କରିବ କମ୍ପାନୀ। କୁକୁରଙ୍କ ପାଇଁ ବୁଲାଚଲା, ବ୍ୟାୟାମ, ବାହାରେ ଝାଡ଼ାପରିସ୍ରା କରିବା, ଆବଶ୍ୟକ ସମୟରେ ଚିକିତ୍ସା ଆଦି ନିହାତି ଦରକାର। ଯେଉଁମାନେ ନିଜେ ତାହା କରିପାରୁ ନାହାନ୍ତି, ଏପରି କମ୍ପାନୀ ଥିଲେ ସେମାନେ ତାଙ୍କର ସେବା ନେଇପାରିବେ। ତେଣୁ ଭାରତୀୟ ସହରଗୁଡ଼ିକରେ ଏପରି କମ୍ପାନୀ ପ୍ରତିଷ୍ଠା ହେବା ନିହାତି ଦରକାର। ଯଦି ଜଣେ ଏକ କମ୍ପାନୀ ଆରମ୍ଭ କଲା, ତେବେ ସେ ବିଭିନ୍ନ ସହରରେ ତାହା ଚଳାଇପାରିବ। ଯଦି କେହି କମ୍ପାନୀ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ତେବେ ମୁଁ ସେମାନଙ୍କୁ ତାଲିମପ୍ରାପ୍ତ କର୍ମଚାରୀ ଯୋଗାଇବାରେ ସାହାଯ୍ୟ କରିପାରିବି।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri