ଦିଲ୍ଲୀ ପ୍ରଦୂଷଣ

ନଦୀୟାଚାନ୍ଦ କାନୁନ୍‌ଗୋ

ଯେଉଁ ରାଷ୍ଟ୍ରର ରାଜଧାନୀରୁ ସ୍ବଚ୍ଛ ଭାରତ ଅଭିଯାନ ଜନ୍ମ ନେଇଛି, ସେହି ରାଜଧାନୀର ସ୍ବଚ୍ଛତା ଏବେ ଭୁଶୁଡି ପଡିଛି। ଏଠାକାର ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ଏତେମାତ୍ରାରେ ବଢିଚାଲିଛି ଯେ, ସାଧାରଣ ମଣିଷ ସହିତ କୌଣସି ପଶୁପକ୍ଷୀ ସ୍ବଚ୍ଛନ୍ଦରେ ବଞ୍ଚିବାକୁ ସମର୍ଥ ହୋଇପାରୁନାହାନ୍ତି। ଏବେ ଦିଲ୍ଲୀର ସମଗ୍ର ବାୟୁମଣ୍ଡଳ ଧୂଆଁ, ଅଙ୍ଗାର ଓ ଅନ୍ୟାନ୍ୟ ଆବର୍ଜନାପୂର୍ଣ୍ଣ ବସ୍ତୁର ପ୍ରଭାବରେ ପୂରି ରହି ସୂର୍ଯ୍ୟଙ୍କ ଆଲୋକକୁ ଭୂପୃଷ୍ଠକୁ ନ ଛାଡି ଏକ ଅନ୍ଧାରୁଆ ଅଞ୍ଚଳ ସୃଷ୍ଟି କରିଚାଲିଛି ଏବଂ ସେଠାରେ ଉପସ୍ଥିତ ଥିବା ପ୍ରାଣୀଜଗତ ପାଇଁ ସମସ୍ୟା ସୃଷ୍ଟି କରିଛି। ସ୍ବଚ୍ଛ ବାୟୁ, ଜଳ ଏବଂ ଆଲୋକ ମଧ୍ୟ ଏ ଅଞ୍ଚଳରେ ଦୁର୍ଲଭ ହେବାକୁ ଲାଗିଛି। ଦିଲ୍ଲୀରେ ଏପରି ଅବସ୍ଥା ସୃଷ୍ଟି ହେବାର କାରଣ ହେଲା, ଏଠାରେ ଆବଶ୍ୟକତାଠାରୁ ଅଧିକ ମୋଟରଯାନ ବ୍ୟବହାର, ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ଧୂଆଁ, ଧୂଳି ଏବଂ ଦିଲ୍ଲୀର ନିକଟବର୍ତ୍ତୀ ପ୍ରଦେଶରେ ଫସଲ ଅମଳ ହେବା ପରେ ନଡାକୁ ନିଆଁରେ ପୋଡିଦେବା। ଏବେ ଦିଲ୍ଲୀବାସୀ ନିଜ ପାଇଁ ଏହି ସମସ୍ୟା ସୃଷ୍ଟି କରିଚାଲିଛନ୍ତି। ଦିଲ୍ଲୀ କହିଲେ ସେଠାକାର ସମସ୍ତ ଜୈବ ମଣ୍ଡଳକୁ ହିଁ ଧରାଯିବ। ସେଥିରେ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ପ୍ରଦେଶମାନ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମସ୍ତ ପ୍ରକାର ରାଜନୈତିକ ଶ୍ରେଣୀଭୁକ୍ତ ଅଞ୍ଚଳକୁ ଗୋଟିଏ ଶ୍ରେଣୀର ପ୍ରାକୃତିକ ଜୈବମଣ୍ଡଳ ଭାବେ ବିବେଚନା କରାଗଲେ ଦିଲ୍ଲୀକୁ ସୁରକ୍ଷା ଦେବା ସମ୍ଭବ ହୋଇପାରିବ। ସେ ଗଙ୍ଗା ନଦୀ ହେଉ କିମ୍ବା ଯମୁନା ନଦୀ, ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଅଞ୍ଚଳର ସମ୍ପତ୍ତି ନୁହେଁ। ବିଶ୍ୱର ପ୍ରତ୍ୟେକ ଜଳସ୍ରୋତ ସମଗ୍ର ପ୍ରାଣିଜଗତ ନିମନ୍ତେ ଉଦ୍ଦିଷ୍ଟ। ସମଗ୍ର ଜୈବମଣ୍ଡଳ ଉପରେ ଦିଲ୍ଲୀର ନିୟନ୍ତ୍ରଣ ଆଣିବାକୁ ହେଲେ ସୁସ୍ଥ ନିୟନ୍ତ୍ରଣାଧୀନ ପରିବେଶ ଆବଶ୍ୟକ। ଯାନବାହନ, କଳକାରଖାନା ଓ ନୂତନ ଗୃହ ନିର୍ମାଣ ଉପରେ ନିୟନ୍ତ୍ରଣ ଓ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା କରିବାକୁ ପଡିବ। ମଣିଷର ଅମାନବିକତାପୂର୍ଣ୍ଣ ସ୍ବାର୍ଥ ମଧ୍ୟରେ ଆସୁଛି ପଞ୍ଜାବ, ହରିୟାଣା, ୟୁପି ଓ ଦିଲ୍ଲୀ ପ୍ରଦେଶମାନଙ୍କର ଧାନ, ଗହମ ଚାଷୀମାନଙ୍କ କଥା। ଏହି ଚାଷୀମାନେ ଫସଲ, ବିଶେଷକରି ଶୀତଦିନେ ଅମଳ ହୋଇସାରିଲା ପରେ ଜମିରେ ଥିବା ଖୁଣ୍ଟା ନଡା କିଆରିରେ ନିଆଁ ଲଗାଇ ଜାଳିଦିଅନ୍ତି। ପୁନର୍ବାର ଜମିକୁ ଚାଷ ନିମନ୍ତେ ପ୍ରସ୍ତୁତ କରିବାକୁ ଏବଂ ନଡା ଗଦା ବୋଝରୁ ତ୍ରାହି ପାଇବା ନିମନ୍ତେ। କିନ୍ତୁ ଏହି ନଡା କିଆରିମାନ ଜଳିବାରୁ ପ୍ରଚୁର ଧୂଆଁା ଓ ଅଙ୍ଗାରକାମ୍ଳ ସୃଷ୍ଟି ହୁଏ। ବାୟୁମଣ୍ଡଳର ବର୍ଣ୍ଣକୁ ଧୂସରିତ କରି କିଛି ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଆଚ୍ଛନ୍ନ କରି ରଖିଥାଏ।ଏହା ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିଷହ କରିତୋଳେ। ତେଣୁ ନଡ଼ାକୁ ନ ଜାଳି ତାକୁ କମ୍ପୋଷ୍ଟରେ ପରିଣତ କରି କ୍ଷେତରେ ବ୍ୟବହାର କରାଯିବା ଉଚିତ। ଧାନ ନଡା, ଗହମ ନଡା ଓ ଅନ୍ୟ ଫସଲର ନଡା ସହିତ ଧାନ ଓ ଗହମର ଚଷୁ ଦ୍ୱାରା ମଧ୍ୟ ଚିପ୍ସବୋର୍ଡ, ହସ୍କ-ବୋର୍ଡ କରାଯାଇ ପ୍ଲାଇଉଡ୍‌ର ସ୍ଥାନ ଦିଆଯାଇପାରିବ। ଧାନ ନଡାକୁ କୁଟି କ୍ଷୁଦ୍ର, କ୍ଷୁଦ୍ର କରି ସେଥିରେ ଅଠା ଦେଇ ପ୍ଲାଇଉଡ୍‌ ପରି ଖଣ୍ଡ ମାନ ପ୍ରସ୍ତୁତ କରାଯାଇପାରେ। ଏହା ପ୍ରେସର ମେଶିନ ମାଧ୍ୟମରେ ସମ୍ଭବ ହୋଇପାରିବ। ପ୍ଲାଇଉଡ୍‌ ପ୍ରସ୍ତୁତ କରିବା ନିମନ୍ତେ ଆମର କେତେ ଗଛ କଟା ହେଉଛି। ଯଦି ଆମେ ନଡା ଓ ଚଷୁରୁ ପ୍ଲାଇଉଡ୍‌ ପ୍ରସ୍ତୁତ କରିପାରିବା ତା’ହେଲେ ଅସଂଖ୍ୟ ଗଛର ଜୀବନ ବଞ୍ଚାଇ ପରିବେଶକୁ ରକ୍ଷା କରିପାରିବା। ଏବେ ଗାଁ ଗହଳିରୁ ଚାଳଛପର ଘରମାନ ଲୋପ ପାଇଲାଣି ଏବଂ ପକ୍କାଗୃହ ମାନ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଧାନ ନଡାରେ କଚ୍ଚାଘରମାନ ଛପର ହେଉଥିଲା। ଏଣୁ ଏହି ଉଦ୍‌ବୃତ୍ତ ନଡା, ଚଷୁ ଓ ପାଳକୁ ପଶୁଖାଦ୍ୟ ରୂପେ ବର୍ଷସାରା ବ୍ୟବହାର କରିବା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଆବଶ୍ୟକ। ଶୁଖା ଅବସ୍ଥାରେ ନଡାକୁ ମଧ୍ୟ ବର୍ଷ ବର୍ଷ ଧରି ରଖାଯାଇପାରେ, ଯାହାକୁ ଇଂଲିଶରେ ‘ହେ ମେକିଙ୍ଗ’ କୁହାଯାଇଥାଏ। ନଡାରୁ ଜଳୀୟ ଅଂଶକୁ ବାଦ୍‌ ଦେଇ ସଂରକ୍ଷଣ କରିବା ହିଁ ହେ ମେକିଙ୍ଗ। ଏଣୁ ବାୟୁମଣ୍ଡଳକୁ ସୁରକ୍ଷିତ ରଖିବାକୁ ଓ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରିବାକୁ ଧାନ ନଡାର ସଦୁପଯୋଗ ଆବଶ୍ୟକ। ନଡାକୁ ମଧ୍ୟ ବାୟୋ-କମ୍ପୋଷ୍ଟ ବା ଜୈବିକ ସାର ଭାବେ ରୂପାନ୍ତରିତ କରାଯାଇପାରେ। ଧାନ ନଡା, ପାଳ ଓ କୁଟାଗଦାକୁ ମଧ୍ୟ ଛତୁ ଚାଷରେ ବ୍ୟବହାର କରାଯାଇପାରେ। ଚାଷୀମାନେ ନିଜ କ୍ଷେତରେ ଯେଉଁ ନଡାକୁ ଜାଳିଦିଅନ୍ତି, ସେଥିରୁ ମିଳୁଥିବା ପାଉଁଶ ଜମିର ମୃତ୍ତିକାକୁ ହାଲ୍‌କା କରି ମୃତ୍ତିକାର ଅଠାଳିଆ ଶକ୍ତିକୁ ହ୍ରାସ କରିଦେଇଥାଏ। ମୃତ୍ତିକାର ଜୈବିକ ଶକ୍ତିର ଅଭିବୃଦ୍ଧି ଘଟେ। କୃଷ୍ଣ କାର୍ପାସ ମୃତ୍ତିକା ବା ଚିକିଟା, ମଟାଳ ମାଟି ସହିତ ଚୂନିଆ ମୃତ୍ତିକାରେ ଏହା ବିଶେଷ ଉପଯୋଗୀ ହୋଇଥାଏ। ଏହି ପାଉଁଶ ମୃତ୍ତିକାର ଉର୍ବରତା ବୃଦ୍ଧି ସହିତ ଜମିର ଜଳଧାରଣ ଶକ୍ତି ବୃଦ୍ଧି କରେ। ଏଣୁ ଚାଷୀମାନେ ନଡା ଜାଳି ଚାଷ ଜମିକୁ ଉର୍ବର କରିଥାଆନ୍ତି। କିନ୍ତୁ ଏହାର ଏକ ବିକଳ୍ପ ଅଛି। ନଡାକୁ ନିଆଁ ନ ଲଗାଇ, ନ ଜଳାଇ ମଧ୍ୟ ଅଙ୍ଗାର ପ୍ରସ୍ତୁତ କରିହେବ। ଯେକୌଣସି ବସ୍ତୁକୁ ଅମ୍ଳଜାନବିହୀନ କୋଠରିରେ ରଖି ଅତ୍ୟଧିକ ଉତ୍ତାପ ପ୍ରୟୋଗ କଲେ ତାହା ଅଙ୍ଗାରରେ ପରିଣତ ହୋଇଯାଏ। କିନ୍ତୁ ତାହା ଜଳେ ନାହିଁ କି ଧୂଆଁ ସୃଷ୍ଟି କରେ ନାହିଁ। ଏହି ଉପାୟରେ ଉଦ୍‌ବୃତ୍ତ ନଡାକୁ ଅଙ୍ଗାରରେ ପରିଣତ କରି ଚାଷଜମିରେ ବ୍ୟବହୃତ କରାଯାଇପାରେ। ଏ ନେଇ ସରକାରଙ୍କ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଛି।

ଶୈଳଶ୍ରୀବିହାର, ଜିଏ୪୭୯, ଭୁବନେଶ୍ୱର, ମୋ-୯୯୩୭୪୬୦୬୪୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri