ମାଆ ଶବର ସଂକେତ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷୀକେଶ ମୁଖାର୍ଜୀ, ଭାରତୀୟ ଫିଲ୍ମ ସେନସର ବୋର୍ଡ଼ର ଚେୟାରମ୍ୟାନ ଥିଲାବେଳେ ତାଙ୍କର ସାକ୍ଷାତ୍‌କାର ନେବାକୁ ଜଣେ ସାମ୍ବାଦିକ ଆସିଥିଲେ। ଘଟଣାକ୍ରମେ ସାମ୍ବାଦିକ ଜଣକ କହି ପକାଇଥିଲେ, ‘ଆପଣଙ୍କ ବୈଠକଘର ବେଶ ସୁନ୍ଦର, ଆଭିଜାତ୍ୟପୂର୍ଣ୍ଣ କିନ୍ତୁ କୋଣରେ ଥିବା ଏହି ପୁରୁଣା ଅସୁନ୍ଦର ପଙ୍ଖାଟି ସବୁ ସୌନ୍ଦର୍ଯ୍ୟ ଅପହରଣ କରି ନେଉଛି।’ ହୃଷୀକେଶ କହିଥିଲେ, ସେ ଜାଣିଶୁଣି ସେହି ପୁରୁଣା ପଙ୍ଖାଟିକୁ ବୈଠକଘରେ ରଖିଛନ୍ତି। ସେ କହିଲେ, ”ମୋର ଦୁର୍ଦ୍ଦିନର ସାକ୍ଷୀ ଏହି ପଙ୍ଖା। ମୁଁ ବମ୍ବେରେ ପ୍ରଥମ ପାଦ ଦେଇ ଗୋଟିଏ ଛୋଟିଆ ଘରେ ମୁଣ୍ଡ ଗୁଞ୍ଜିବାବେଳେ ଏହି ପଙ୍ଖା ଥିଲା ମୋର ସାଥୀ। ସାରାଦିନର ପରିଶ୍ରମକୁ ଲାଘବ କରି ମୋତେ ଶୋଇ ପକାଏ ଏହି ପଙ୍ଖା। ଆଜି ତାହା ପୁୁରୁଣା ହେଲା ବୋଲି ତାକୁ କ’ଣ ଫୋପାଡ଼ି ଦେବି? ସେମିତି ଦେଖିଲେ ମୋ ବୁଢ଼ୀ ମା ବି ବହୁତ ‘ପୁରୁଣା’, ଅସୁନ୍ଦର ଦେଖାଯାଉଛି, ତାକୁ ବି କ’ଣ ଫୋପାଡି଼ ଦେବି ନା ଷ୍ଟୋର ଘରେ ଲୁଚେଇ ଦେବି?“ ସବୁ ବୁଢ଼ାବୁଢ଼ୀ ହୃଷୀକେଶଙ୍କ ଭଳି ପୁଅର ବାପାମା’ ନୁହନ୍ତି। ଅନେକ ବାପା, ମା’ ଆଜି ପରିତ୍ୟକ୍ତ, ଅଲୋଡ଼ା, ଅପାଂକ୍ତେୟ। ଘରକୁ କେହି ଜଣେ ବଡ଼ ଅତିଥି ଆସିଲେ ପୁଅବୋହୂଙ୍କ ପ୍ରଥମ କାମ, ମା’ ବା ବାପାଙ୍କୁ କେଉଁଠି ଲୁଚାଇବା। ଏ ପ୍ରକାର ଏକ ଦୁଃଖଦ ସ୍ଥିତିର ଚିତ୍ର ଆଙ୍କିଛନ୍ତି ବିଖ୍ୟାତ କଥାକାର ଭୀଷ୍ମ ସାହାନୀ ତାଙ୍କର ‘ଦ ବସ୍‌ କେମ୍‌ ଟୁ ଡିନର’ ଗଳ୍ପରେ। ସବୁ ପୁଅ ହୃଷୀକେଶ ମୁଖାର୍ଜୀ ହୋଇ ନ ପାରନ୍ତି। କିନ୍ତୁ ଏବେ ବି ଅନେକ ପୁଅବୋହୂ ସେମାନଙ୍କ ଆଦର୍ଶ ମାଧ୍ୟମରେ ସମାଜକୁ ଧରି ରଖିବାକୁ ସମର୍ଥ। ସେମାନେ ବୁଝିଛନ୍ତି ବାପା, ମା ଚିରକଲ୍ୟାଣକାରୀ। ବଞ୍ଚିଥିବାବେଳେ, ଏପରିକି ଶବ ପାଲଟିଲା ପରେ ବି ସେମାନେ ଚାହାନ୍ତି ପିଲାମାନଙ୍କ ମଙ୍ଗଳ। ଗୋଟିଏ ସତ ଘଟଣା- ପୁଅ ଓ ଜ୍ୱାଇଁ ଗୁରୁତର ଅସୁସ୍ଥ ମା’ଙ୍କୁ ଧରି କଟକ ବଡ଼ ମେଡିକାଲ ଗଲେ ଚିକିତ୍ସା ପାଇଁ। ଚିକିତ୍ସା ଫଳବତୀ ହେଲାନାହିଁ। ମା’ ଡାକ୍ତରଖାନାରେ ମୃତ୍ୟୁବରଣ କଲେ। ଗୋଟିଏ ଆମ୍ବୁଲାନ୍ସରେ ଶବ ଧରି ରାତିରେ ଜ୍ୱାଇଁ ଓ ପୁଅ ଧାମରା ଫେରି ଆସୁଥାନ୍ତି। ଠିକ୍‌ ମାର୍କୋଣା ଓ ସୋର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଟ୍ରକ୍‌ଟିଏ ଶବଗାଡ଼ିକୁ ଧକ୍କା ଦେଇ ଚାଲିଗଲା। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟ୍ରେଚରରେ ଶୁଆ ହୋଇଥିବା ମା’ଙ୍କ ଶବ ରାସ୍ତା ମଝିରେ ଛିଟିକି ପଡ଼ିଥିବା ବେଳେ ଗାଡ଼ି ପଶିଯାଇଥିଲା ରାସ୍ତାକଡ଼ ବିଲଭିତରକୁ। କିଛି ସମୟ ପରେ ରାସ୍ତାରେ ଆସିଲେ ଜଣେ ମୁସଲମାନ ଭଦ୍ରଲୋକ ସପରିବାର। ରାସ୍ତା ମଝିରେ କାଚଗୁଣ୍ଡ ଓ ଷ୍ଟ୍ରେଚରରେ ଶବଟିକୁ ଦେଖି ସେ ଅଟକିଲେ। ନିଜ ଗାଡ଼ିକୁ ଆଗପଛ କରି ଗାଡ଼ି ଆଲୋକରେ ଖୋଜିଲେ ଆଖପାଖ ଏବଂ ଶେଷରେ ଦେଖାଗଲା କାଦୁଅରେ ପଶିଥିବା ଭଙ୍ଗା ଆମ୍ବୁଲାନ୍ସ। ଡ୍ରାଇଭର ଓ ପୁଅ ପାଖାପାଖି ଚେତାଶୂନ୍ୟ ଥିବାବେଳେ ଜ୍ୱାଇଁ ଟିକିଏ କଥା କହିବା ଅବସ୍ଥାରେ ଥିଲେ। ତାଙ୍କଠୁ ଫୋନ ନେଇ ଦୁର୍ଘଟଣାଗ୍ରସ୍ତ ସଦସ୍ୟଙ୍କ ଘରକୁ ଫୋନ କଲେ। ଘରଲୋକ ପହଞ୍ଚିଲେ। ମା’ଙ୍କ ଶବ ଗଲା ଧାମରା। ରାସ୍ତାରେ ଜମା ହୋଇଥିବା ଅନେକେ କହିଲେ- ମା’, ମୃତ୍ୟୁ ପରେ ବି ମା’। ଶବ ହୋଇ ରାସ୍ତା ମଝିରେ ପଡ଼ିରହି, ସାଂକେତିକ ଭାବରେ କାହାକୁ ନା କାହାକୁ ଅଟକିବାକୁ କହୁଥିଲେ ତାଙ୍କ ପୁଅର ଯତ୍ନ ନେବାକୁ। ହୃଷୀକେଶ ମୁଖାର୍ଜୀଙ୍କ ମାନସିକତା ଥିବା ଆଉ ଜଣେ ବ୍ୟକ୍ତି ହେଲେ ପ୍ରାଣକୃଷ୍ଣ ବାବୁ। ଅସୁସ୍ଥ ବାପା, ମା’ଙ୍କ ସେବାରେ କେବେ ତ୍ରୁଟି କରିନାହାନ୍ତି। ପ୍ରଥମେ କ୍ୟାନସର ପୀଡ଼ିତ ମା’, ଏବେ ବାପା। ପଚାରିଲେ କହନ୍ତି, ”ବାପା, ମା’ଙ୍କ ସେବା, ଯତ୍ନ ମୋତେ ବହୁତ ଆନନ୍ଦ ଦିଏ।“ ପ୍ରାଣକୃଷ୍ଣ ବାବୁଙ୍କ ଉତ୍ସର୍ଗୀକୃତ ସେବା ମନୋବୃତ୍ତି ଓ ଗୋଟିଏ ବୃଦ୍ଧାର ଶବର ସାଙ୍କେତିକ ଆର୍ତ୍ତନାଦ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି। ଏହି ଦୁଇ ଘଟଣା ପଛରେ ରହିଛି ସାଂପ୍ରତିକ ସମାଜରେ ଭୁଶୁଡ଼ି ପଡୁଥିବା ବାପା, ମା’ କୈନ୍ଦ୍ରିକ ପରିବାରର ତିଷ୍ଠି ରହିବାର ଉତ୍ତର। ସମାଜକୁ ବାନ୍ଧିରଖିବା ପାଇଁ ଏହି ପ୍ରକାର ଘଟଣାମାନ ପ୍ରତୀକାତ୍ମକ ଦୃଷ୍ଟିରୁ ବେଶ ସମର୍ଥ ଓ ପ୍ରେରଣାଦାୟକ।

ମୋ- ୯୪୩୭୩୭୬୨୧୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri