ସମ୍ପାଦକୀୟ/ ଜଳ ଅସରନ୍ତି ନୁହେଁ

କୃଷି ପାଇଁ ଭାରତର କୃଷକ ଭୂପୃଷ୍ଠ ଜଳ ଅପେକ୍ଷା ଭୂତଳ ଜଳ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଜଳସେଚନ ସର୍ଭେରୁ ଏହି ତଥ୍ୟ ଜଣାପଡିଛି। ୨୦୦୬-୦୭ରୁ ୨୦୧୩-୧୪ ମଧ୍ୟରେ କରାଯାଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ, ଏହି ସମୟ ମଧ୍ୟରେ ଭୂତଳ ଜଳସେଚନ ଯୋଜନାରେ କ୍ଷୁଦ୍ର ସେଚ ପ୍ରକଳ୍ପ ସଂଖ୍ୟା ୧୯.୭୫ ନିୟୁତରୁ ୨୦.୫ ନିୟୁତକୁ ବୃଦ୍ଧିପାଇଛି। ମୂଳକଥା ହେଉଛି ଭୂପୃଷ୍ଠ ଜଳସେଚନ କ୍ଷେତ୍ରରେ ସରକାର କୃଷକମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାରେ ବିଫଳ ହେଉଥିବାରୁ ଭୂତଳ ଜଳ ଉପରେ କୃଷି ନିର୍ଭରଶୀଳତା ବୃଦ୍ଧି ଘଟୁଛି। ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ ଯଥା-ନଦୀବନ୍ଧ ନିର୍ମାଣ କରି କେନାଲ ଜରିଆରେ ଚାଷୀଙ୍କୁ ଜଳ ଯୋଗାଇଦେବା ପ୍ରକ୍ରିୟା ନିଶ୍ଚିତ ଭାବେ ସମୟ ଓ ବ୍ୟୟସାପେକ୍ଷ। ସେହି ଦୃଷ୍ଟିରୁ ଦେଖିଲେ ଭୂତଳ ଜଳସେଚନ ବ୍ୟବସ୍ଥା ସ୍ବଳ୍ପ ଖର୍ଚ୍ଚ ଓ କମ୍‌ ସମୟ ମଧ୍ୟରେ ସମ୍ଭବ। କୃଷକ ନିଜ ଜମିରେ ଉଠା ଜଳସେଚନ ପ୍ରକଳ୍ପ ଗଢ଼ି ଚାଷ କରିପାରୁଛନ୍ତି। କିନ୍ତୁ ମନେରଖିବା ଉଚିତ ଯେ, ଭୂତଳ ଜଳ ଅସରନ୍ତି ନୁହେଁ। ମାଟି ଉପର ଜଳ ଯଦି ଭୂତଳକୁ ଭେଦିବାର ସୁଯୋଗ ସୃଷ୍ଟି କରା ନ ଯାଏ ତେବେ ଏହି ଜଳସ୍ତର ମଧ୍ୟ ଶୁଖିଯିବ। ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ବହୁ ଉଠା ଜଳସେଚନ ପ୍ରକଳ୍ପ ଅକାମୀ ହୋଇଯାଇଛି। ଭୂପୃଷ୍ଠରେ ବର୍ଷାଜଳକୁ ସଂରକ୍ଷଣ କରାଯାଇପାରୁ ନ ଥିବାରୁ ତାହା ସମୁଦ୍ରକୁ ଚାଲିଯାଉଛି, ମାଟିତଳକୁ ଭେଦୁନାହିଁ। ଯାହା ଫଳରେ ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ପୂର୍ବରୁ ଯେଉଁ ସ୍ଥାନରେ ନଳକୂପଟିଏ ଖୋଳିଲେ ୨୦ରୁ ୬୦ ଫୁଟ ଗଭୀରରେ ଜଳଉତ୍ସର ସନ୍ଧାନ ମିଳୁଥିଲା, ଏବେ ସେଠାରେ ୨୦୦ ଫୁଟ ଖୋଳିଲେ ମଧ୍ୟ ଜଳସ୍ତର ମିଳୁନାହିଁ। ଭୂତଳ ଜଳସ୍ତର ହ୍ରାସର ବିଭିନ୍ନ କାରଣ ରହିଛି। ଜନସଂଖ୍ୟା ବୃଦ୍ଧି କାରଣରୁ ଅନେକ ସ୍ଥାନରେ ଭୂପୃଷ୍ଠ ଜଳାଶୟ, ଯଥା ଗାଡ଼ିଆ, ପୋଖରୀ ପୋତି ଘର କରିଦିଆଯାଉଛି। ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ ନଦୀ ନାଳରେ ପାଣି ରହୁନାହିଁ। ବୈଜ୍ଞାନିକ ପ୍ରଣାଳୀରେ ଭୂତଳ ଜଳ ରିଚାର୍ଜ ପାଇଁ ପଦ୍ଧତି ବାହାରିଥିଲେ ମଧ୍ୟ ସେଥିପ୍ରତି ଲୋକଙ୍କର ଆଗ୍ରହ ପ୍ରକାଶ ପାଉନାହିଁ। ଯାହାଫଳରେ ମାଟିତଳ ଜଳସ୍ତର ଯେଉଁ ପରିମାଣରେ ରିଚାର୍ଜ ହେବା କଥା ତାହା ହୋଇପାରୁନାହିଁ। ଅନ୍ୟପକ୍ଷରେ କୃଷି, ଶିଳ୍ପ ସଂସ୍ଥା, ଘରୋଇ ବ୍ୟବହାର ସକାଶେ ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢୁଥିବାରୁ ଏହାର ସ୍ତର କ୍ରମଶଃ ହ୍ରାସପାଇ ଚାଲିଛି। ଅନ୍ୟ ଏକ କାରଣ ହେଉଛି କୃଷି ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ସାର ଓ କୀଟନାଶକ। ଚାଷରେ ଏହାର ବହୁଳ ବ୍ୟବହାର ଯୋଗୁ ପୂର୍ବରୁ ବିଲବାଡ଼ିରେ ଦେଖାଯାଉଥିବା ଜିଆ ଆଉ ଦେଖିବାକୁ ମିଳୁନାହାନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଏହି କ୍ଷୁଦ୍ର ଜୀବର ଅବଦାନ ଯଥେଷ୍ଟ ରହୁଥିଲା। ମାଟିତଳେ ରହୁଥିବା ଜିଆ ବର୍ଷାଦିନେ ଉପରକୁ ଆସିବା ଫଳରେ ଭୂପୃଷ୍ଠରେ ଛିଦ୍ର ସୃଷ୍ଟି କରି ମାଟି ତଳକୁ ଜଳ ଭେଦିବାରେ ସହାୟକ ହେଉଥିଲା। ରାସାୟନିକ ସାର ଓ ବିଷ ଜିଆ ବଂଶକୁ ଲୋପ କରିସାରିଲାଣି। ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ, ଗୋଟିଏ ବୁନ୍ଦା ଜଳ ମାଟି ତଳକୁ ୬ ଇଞ୍ଚ ଭେଦିବା ସକାଶେ ଅନେକ ମାସ ସମୟ ନେଇଥାଏ। ଏହି ଦୀର୍ଘ ପ୍ରକ୍ରିୟା ଜିଆ ଭଳି କ୍ଷୁଦ୍ର ସରୀସୃପ ଦ୍ୱାରା ସ୍ବଳ୍ପ ସମୟରେ ପୂର୍ବରୁ ସମ୍ଭବ ହୋଇପାରୁଥିଲା। ଏହା ବ୍ୟତୀତ ଅନ୍ୟ ଏକ ତଥ୍ୟ ଅନୁଯାୟୀ ଏକ ହେକ୍ଟର ଜମି ଉପରେ ଏକ ସେଣ୍ଟିମିଟର ବର୍ଷାଜଳ ସଂରକ୍ଷିତ ରଖାଯାଇ ପାରିଲେ ତାହା ଏକ ଲକ୍ଷ ଲିଟର ଜଳ ବୋଲି ହିସାବ କରାଯାଇଛି । ଅର୍ଥାତ୍‌ ଓଡ଼ିଶା ଭଳି ରାଜ୍ୟର ଭୌଗୋଳିକ ଅଞ୍ଚଳକୁ ଦେଖିଲେ ଯଦି ବର୍ଷାଋତୁରେ ୪୦ ପ୍ରତିଶତ ଜଳ ସଂରକ୍ଷିତ ରଖାଯାଇପାରିବ ତେବେ ଲୋକଙ୍କର ପିଇବା ପାଣି, କୃଷିରେ ବ୍ୟବହୃତ ଜଳ ଏବଂ ଶିଳ୍ପର ଚାହିଦା ମେଣ୍ଟାଇବା ପାଇଁ ଯଥେଷ୍ଟ ଜଳ ମିଳିପାରିବ । ଭୂତଳ ଜଳ ଉପରେ ନିର୍ଭର କରିବା ଶୁଭସଙ୍କେତ ନୁହେଁ । ଭୂପୃଷ୍ଠରେ ଯେତେ ଅଧିକ ପରିମାଣର ଜଳ ସଞ୍ଚୟ କରାଯାଇପାରିବ ତାହା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶ ପାଇଁ ମଙ୍ଗଳମୟ ହେବ । ଏଥିସହିତ ବର୍ଷାଦିନେ ହେଉଥିବା ମୃତ୍ତିକା କ୍ଷୟକୁ ମଧ୍ୟ ଅନେକାଂଶରେ ରୋକିପାରିବ। ସହରାଞ୍ଚଳରେ କୋଠା ଛାତ ଉପରେ ଜଳ ଅମଳ କରି ଏହାକୁ ପାଇପ ସାହାଯ୍ୟରେ ଭୂଗର୍ଭକୁ ଛାଡିବାର ବ୍ୟବସ୍ଥା କରିବା ସକାଶେ ସରକାରୀ ନିୟମ ରହିଛି। ମାତ୍ର ଏହି ନିୟମକୁ ଓଡ଼ିଶାରେ କେହି ପାଳନ କଲାଭଳି ଦେଖାଯାଉନାହିଁ । କୋଠାବାଡି ନିର୍ମାଣ ସକାଶେ ଛାତ ଉପରେ ଜଳ ଅମଳକୁ ପ୍ଲାନ୍‌ ଅନୁମୋଦନର ଏକ ମାନଦଣ୍ଡ ଭାବେ ରଖାଯାଇଛି। ଉପଯୁକ୍ତ ତଦାରଖ ଅଭାବରୁ ଏଥିରେ ମଧ୍ୟ ଠକାମି କରାଯାଉଛି। ଏହା ବ୍ୟତୀତ ଆମ ରାଜ୍ୟରେ ଭୂତଳ ଜଳର ଅବିଚାରିତ ବ୍ୟବହାର ପ୍ରାୟ ସବୁ ଶିଳ୍ପାନୁଷ୍ଠାନରେ କରାଯାଉଥିବାର ପରିଲକ୍ଷିତ ହେଉଛି । ଏଥିପ୍ରତି କର୍ତ୍ତୃପକ୍ଷ ନୀରବ ଏବଂ ଅନ୍ଧ ହୋଇ ରହୁଥିବାରୁ ରାଜ୍ୟର ଦୀର୍ଘମିଆଦୀ କ୍ଷତି ଘଟୁଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri