ସମୂହ ଆତ୍ମହତ୍ୟା

ଅରୁଣ କୁମାର ପଣ୍ଡା

ସମ୍ବଲପୁର ରୋଡ ଏବଂ ସରଲା ରେଳଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ଗତ ନଭେମ୍ବର ୭ ତାରିଖ ରାତିରେ ଚଳନ୍ତା ଟ୍ରେନ ଆଗକୁ ଡେଇଁପଡି ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କୁହାଯାଏ ଅଭାବ ଓ ଅନଟନ କାରଣରୁ ଜଣେ ସଙ୍ଗୀତ ଶିକ୍ଷକ ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ବାସିନ୍ଦା ଧରଣୀଧର ପଣ୍ଡା(୫୦), ତାଙ୍କ ପତ୍ନୀ ସଙ୍ଗୀତା ପଣ୍ଡା (୪୫), ତିନି ଝିଅ ଯୁକ୍ତ୨ରେ ପଢୁଥିବା ଅପରାଜିତା, ଦଶମ ଶ୍ରେଣୀରେ ପଢୁଥିବା ମଝିଆଁ ଝିଅ ଅନନ୍ୟା ଏବଂ ତିନିବର୍ଷର ସାନଝିଅ ସିଦ୍ଧି ରେଳଧାରଣାରେ ଆତ୍ମହତ୍ୟା କରିଥିଲେ। ଧରଣୀଧର ସହରର ମଦନାବତୀ ପବ୍ଲିକ୍‌ ସ୍କୁଲରେ ସଙ୍ଗୀତ ଶିକ୍ଷକ ଥିଲେ ଏବଂ ଦୁଇଝିଅ ମଧ୍ୟ ପବ୍ଲିକ୍‌ ସ୍କୁଲରେ ପଢୁଥିଲେ। ଆତ୍ମହତ୍ୟା କରିବା ଦିନତମାମ ଏମାନଙ୍କର ଜୀବନଯାତ୍ରା ସ୍ବାଭାବିକ ଥିଲା। ହଠାତ୍‌ ରାତିରେ ଏଭଳି ସାମୂହିକ ଆତ୍ମହତ୍ୟାର କାରଣ ଠିକ୍‌ ଭାବରେ ଜଣା ନ ପଡିଥିଲେ ବି ସୀମିତ ଆୟରେ ଏତେବଡ ପରିବାରକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ଥିଲା ଏବଂ ସେ ଋଣ ଭାବରେ ବୁଡିଥିବା କାରଣରୁ ପରିବାର ସହ ସାମୂହିକ ଆତ୍ମହତ୍ୟା ପାଇଁ କଠୋର ନିଷ୍ପତ୍ତି ନେଇ ଏଭଳି କରିଥିବା ଅନୁମାନ କରାଯାଉଛି। ଏମାନେ ବରଗଡ ଜିଲାର ମୂଳନିବାସୀ ଏବଂ ଜଣକ ପରେ ଜଣେ ଏଭଳି ପାଞ୍ଚଜଣ ଚାଷୀ ଆତ୍ମହତ୍ୟା ନେଇ ସମଗ୍ର ଦେଶରେ ବରଗଡ ଚର୍ଚ୍ଚାର ବିଷୟ ହୋଇଛି। କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ବିଭିନ୍ନ କାରଣରୁ ସମୂହ ଆତ୍ମହତ୍ୟା ବଢିବାରେ ଲାଗିଛି। ପଶ୍ଚିମ ଓଡିଶାରେ ବିଶେଷକରି ବରଗଡ ଜିଲାରେ ବ୍ୟାପକ ଫସଲହାନି ପରେ ଋଣଗ୍ରସ୍ତ କେତେକ ଚାଷୀ ଇତିମଧ୍ୟରେ ଆତ୍ମହତ୍ୟା କରିଛନ୍ତି ଏବଂ ଏହିଭଳି ଘଟଣା ଭବିଷ୍ୟତରେ ବଢିବାର ଆଶଙ୍କା ରହିଛି। ବରଗଡ ଜିଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ ଏବଂ ଏହି ଶସ୍ୟଶ୍ୟାମଳା, ସୁଜଳା-ସୁଫଳା ଅଞ୍ଚଳର ଧାନଫସଲରେ ପୋକ ଲାଗିଯିବା କାରଣରୁ ଚାଷ ସମ୍ପୂର୍ଣ୍ଣ ବରବାଦ ହୋଇଛି ଏବଂ ଫସଲ ଉଜୁଡିଯାଇଛି। ଫଳରେ ଚାଷ ଉପରେ ପୂରାପୂରି ନିର୍ଭର କରୁଥିବା ପରିବାରଗୁଡିକର ଅନ୍ୟ କୌଣସି ଆୟ ପନ୍ଥା ନ ଥିବାରୁ ସେମାନେ ପ୍ରାୟତଃ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଛନ୍ତି। ଅନ୍ଧକାରମୟ ଭବିଷ୍ୟତ ନେଇ ହତାଶା ହିଁ ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଛି। ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପାଖାପାଖି ଆଠଲକ୍ଷ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧ଲକ୍ଷ ୩୫ ହଜାର ହେଉଛନ୍ତି ଭାରତବାସୀ। ପୁଣି ସେମାନଙ୍କ ମଧ୍ୟରେ ଅଛନ୍ତି ୬୦ ହଜାର କୃଷକ। ଆମ ଆଲୋଚନାର ପ୍ରମୁଖ ବିଷୟ ହେଲା ଗୋଟିଏ ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା। କିଛିବର୍ଷ ହେଲା ସମୂହ ଆତ୍ମହତ୍ୟା କାରଣରୁ ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇଛନ୍ତି। ୨୦୧୧ ଏପ୍ରିଲ ୧୪ ତାରିଖରେ କେନ୍ଦୁଝର ଜିଲାର ପ୍ରଖ୍ୟାତ ତାରିଣୀ ପୀଠ ଘଟଗାଁର ଅନତିଦୂରରେ ଜଣେ ମହିଳା ଏବଂ ତାଙ୍କର ସନ୍ତାନମାନେ ବିଷପାନ କରି ସମୂହ ଆତ୍ମହତ୍ୟା କରିଥିଲେ। ଏହି ମହିଳାଙ୍କ ସ୍ବାମୀ ୪୩ ବର୍ଷ ବୟସ୍କ ଉତ୍ତର ମେହେର ବିଷପାନ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ପରିବାରର ସଦସ୍ୟମାନେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଆସିଥିଲେ ଏବଂ ଫେରିବା ବାଟରେ ବିଷ ପିଇ ଦେଇଥିଲେ। ଆତ୍ମହତ୍ୟାର ମୁଖ୍ୟ କାରଣ ଦାରିଦ୍ର୍ୟ ବୋଲି ପରେ ମେହେର ପୋଲିସକୁ କହିଥିଲେ। ଆତ୍ମହତ୍ୟା କରିଥିବା ପରିବାରର ୪ ଜଣ ଝିଅ ଥିଲେ। ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀ ନୋଏଡାରୁ ନିଜ ସମ୍ପର୍କୀୟଙ୍କ ପାଖକୁ ରାଞ୍ଚି ବୁଲିବା ପାଇଁ ଆସିଥିବା ଜଣେ ଆର୍ମି ଡାକ୍ତର ଏବଂ ତାଙ୍କ ପରିବାରର ୫ ସଦସ୍ୟ ରହସ୍ୟଜନକ ଭାବରେ ଆତ୍ମହତ୍ୟା କରିଥିଲେ। ଏମାନେ ଧାରୁଆ ଅସ୍ତ୍ରରେ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହ ପରେ ଏହି ଜଘନ୍ୟ ଆତ୍ମହତ୍ୟା ସଂଗଠିତ ହୋଇଥିଲା। ପ୍ରତିବର୍ଷ ଭାରତରେ ପାଖାପାଖି ଦେଢଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ଆମେରିକା ପରି ଧନଶାଳୀ ରାଷ୍ଟ୍ରରେ ମଧ୍ୟ ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯୁଦ୍ଧରେ ପରାଜୟ ପରେ ସୈନିକମାନଙ୍କର ସମୂହ ଆତ୍ମହତ୍ୟା, ଚିତୋରରେ ନିଜର ସତୀତ୍ୱ ରକ୍ଷା ପାଇଁ ୧୬ ହଜାର ରାଜପୁତ ରାଣୀଙ୍କ ଆତ୍ମଦାହ, ରୋମାନ ଆକ୍ରମଣ ପରେ ଶିକାରୀ ନାମକ ଏକ ଜିଉ ମାସାଦା ଜାତିର ୯୬୦ଜଣ ସମୂହ ଆତ୍ମହତ୍ୟା କରିଥିଲେ। ଏହାର କାରଣ ଥିଲା ରୋମ୍‌ ଶାସକଙ୍କ ଦାସ ନ ହେବା। ୧୩୩୭ରେ ଲିଥୁଆନିଆରେ ମଧ୍ୟ ସହସ୍ରାଧିକ ବ୍ୟକ୍ତି ଗଣଆତ୍ମହତ୍ୟା କରିଥିଲେ। ହିଟଲରଙ୍କ ହାତରେ ଧରାପଡି ଜଘନ୍ୟ ଭାବରେ ମରିବା ଆଗରୁ ଅନେକ ଜିଉ ଏବଂ ତାଙ୍କ ପରିବାର ଆତ୍ମହତ୍ୟା କରିଥିଲେ। ୧୭୯୨ରେ ଫ୍ରାନ୍ସ ବିପ୍ଳବ ପରେ ସେଠାରେ ଦାସତ୍ୱ ଲୋପ ପାଇଁ ନିଷ୍ପତ୍ତି ହେଲା। ପରନ୍ତୁ ୧୮୦୨ରେ ନେପୋଲିୟନ କ୍ଷମତା ପାଇବା ପରେ ଦାସତ୍ୱ ପ୍ରଥା ପୁଣି ଆରମ୍ଭ ହେଲା। ଗୁଆଡାଲୋପେରେ ଆତ୍ମସମ୍ମାନ ଥିବା ଶହଶହ ବ୍ୟକ୍ତି ପୁଣି ଦାସ ହେବା ଅପେକ୍ଷା ଆତ୍ମହତ୍ୟାକୁ ହିଁ ଅଧିକ ପସନ୍ଦ କରିଥିଲେ। ଦକ୍ଷିଣ ଭାରତର କେରଳରେ ସର୍ବାଧିକ ଆତ୍ମହତ୍ୟା ହେଉଥିବା ଜଣା ପଡିଥିବାବେଳେ ତାମିଲନାଡୁ ୨ ନମ୍ବରରେ ଆସୁଛି। ୨୦୦୯ ଜୁଲାଇ ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ଅଧୀନରେ ଉଚ୍ଚପଦରେ ଥିବା ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ଜଗଦାନନ୍ଦ ପଣ୍ଡା ନିଜ ସ୍ତ୍ରୀ, ବାପା ଓ ଦୁଇ ଭଉଣୀଙ୍କୁ ଗୁଳିକରି ହତ୍ୟା କଲାପରେ ନିଜେ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହିପରି ଗତ ଅଗଷ୍ଟ ୧୦ ତାରିଖରେ ବିହାରର ଜଣେ ଜିଲା ମାଜିଷ୍ଟ୍ରେଟ୍‌ ଗାଜିଆବାଦଠାରେ ଟ୍ରେନ ଆଗକୁ ଡେଇଁ ପ୍ରାଣ ହରାଇଥିଲେ। ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଗୋଟିଏ ପରିବାରର ୫ଜଣ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାମୂହିକ ଆତ୍ମହତ୍ୟା କରିଥିବା ବେଳେ ତାମିଲନାଡୁର ମଦୁରାଇଠାରେ ଗତ ସେପ୍ଟେମ୍ବର ୧୬ରେ ଏକ ଅଭାବୀ ପରିବାରର ୬ଜଣ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ। ଦାରିଦ୍ର୍ୟ କାରଣରୁ ବିଷପିଇ ସମ୍ପୂର୍ଣ୍ଣ ପରିବାର ଆତ୍ମହତ୍ୟା କରିବା, ମା’ ଛୁଆ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିବା, ଘର ଭିତରେ ନିଆଁ ଲଗାଇ ଗଣଆତ୍ମହତ୍ୟା ଭଳି ଘଟଣା ପ୍ରାୟ ସବୁ ରାଜ୍ୟରେ ହେଉଛି। ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ପାରିବାରିକ କଳହ କାରଣରୁ ମାନସିକ ଭାରସାମ୍ୟ ହରାଇ ଏଭଳି ଆତ୍ମହତ୍ୟା ହେଉଥିବା ସମୀକ୍ଷାରୁ ଜଣାପଡିଛି। ଆମର ବିପର୍ଯ୍ୟସ୍ତ ସାମାଜିକ ବ୍ୟବସ୍ଥା, ଜୀବନ ଜିଇବାର କଳା ସମ୍ପର୍କରେ ଅଜ୍ଞାନତା ଆଜିର ଏହି ବିକଟ ପରିସ୍ଥିତି ପାଇଁ ଦାୟୀ। ସମାଜର ମାନସିକ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ମହୌଷଧି ହେଉଛି ନୈତିକ ଶିକ୍ଷା ଓ ଆଦର୍ଶ ଜୀବନଯାପନ। ଏହା ପିଲାଦିନରୁ ଶିକ୍ଷା ଦିଆଗଲେ ପରବର୍ତ୍ତୀ ସମୟରେ ସେମାନେ ଜୀବନର ମୂଲ୍ୟବୋଧ ଓ ଉପାଦେୟତାକୁ ହୃଦୟଙ୍ଗମ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପରୁ ବିରତ ରହିପାରିବେ।

ମୋ-୯୪୩୭୨୭୦୬୦୫, pandaarun 500@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri