ଓଡ଼ିଶା ମୁକ୍ତି ସଂଗ୍ରାମର ପ୍ରଥମ ଶହୀଦ

ସବ୍ୟସାଚୀ ଅମିତାଭ

ଏଇ କିଛିଦିନ ହେଲା, ଓଡ଼ିଶା ଇତିହାସର ଅନ୍ୟତମ ଯୋଦ୍ଧା ଜୟୀ ରାଜଗୁରୁଙ୍କୁ ନେଇ ଅଯଥା ବିବାଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି ବୋଲି କହି ବିବାଦଟିକୁ ଭିଆଇଛନ୍ତି। ଇତିହାସ କ’ଣ କହୁଛି ତାହା ପର କଥା। ହେଲେ ସତ ହେଉଛି ଜୟୀ ରାଜଗୁରୁ ହେଉଛନ୍ତି ଓଡିଆ ଅସ୍ମିତା ଓ ବୀରତାର ଜଣେ କିମ୍ବଦନ୍ତୀ ପୁରୁଷ। ତାଙ୍କର ନିଡରପଣ ଯୁଗେ ଯୁଗେ ତାଙ୍କୁ କୋଟି କୋଟି ଓଡିଆଙ୍କ ପ୍ରାଣରେ ଉଜ୍ଜୀବିତ ରଖିଛି, ଆଉ ରଖିଥିବ। ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡେ, ୧୮୦୩ ମସିହାରେ ଓଡିଶାକୁ ଅଧିକାର କରିଥିଲେ ବ୍ରିଟିଶ ଶାସକ। ଇଂରେଜ ଶାସକଙ୍କ ଜୁଲମରେ ଅତିଷ୍ଠ ହୋଇପଡିଥିଲେ ସାଧାରଣ ଲୋକେ। ସେମାନଙ୍କ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଜନଅସନ୍ତୋଷ ବଢିଥିଲା ଆଉ ଚାରିଆଡେ ବିଦ୍ରୋହର ନିଆଁ ଜଳିଥିଲା। ଇଂରେଜ ଫୌଜଙ୍କ ସହ ଲଢି ମାଟିମାଆ ପାଇଁ ପ୍ରାଣବଳି ଦେଇଥିବା ଓଡିଆ ବୀରଙ୍କ ଭିତରେ ଅନ୍ୟତମ ହେଉଛନ୍ତି ଖୋର୍ଦ୍ଧାର ଜୟୀ ରାଜଗୁରୁ। ପୁରୀ ହରେକୃଷ୍ଣପୁର ଶାସନରେ ତାଙ୍କର ଜନ୍ମ ୧୭୩୯ ଅକ୍ଟୋବର ୨୯ରେ। ପୂରା ନାଁ ଜୟକୃଷ୍ଣ ରାଜଗୁରୁ। ଜୟୀଙ୍କ ବାପା ଓ ବଂଶଧରମାନେ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥିଲେ। ଇତିିହାସରୁ ଜଣାପଡେ, ରାଜଗୁରୁ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ରରେ ବେଶ୍‌ ପ୍ରବୀଣ ଥିଲେ, ଆଉ ହଜାର ହଜାର ଶ୍ଲୋକକୁ ଅତି ସହଜରେ ବ୍ୟାଖ୍ୟା କରିପାରୁଥିଲେ। ଅସାଧାରଣ ପାଣ୍ଡିତ୍ୟ ସହ ଜୟୀ ରାଜଗୁରୁ ଥିଲେ ଜଣେ ସୁଦକ୍ଷ ଯୋଦ୍ଧା। ଇଂରେଜମାନେ ବାଲେଶ୍ୱର ଓ ଗଞ୍ଜାମକୁ ନିଜ ଅଧୀନକୁ ନେବା ପରେ କଟକର ବାରବାଟୀ ଦୁର୍ଗକୁ ଦଖଲ କରିଥିଲେ। ଏହାପରେ ସେମାନଙ୍କ ଆଖି ପଡିଥିଲା ଖୋର୍ଦ୍ଧାଗଡ ଉପରେ। ସେତେବେଳେ ଖୋର୍ଦ୍ଧାର ରାଜା ଥାଆନ୍ତି ଦ୍ୱିତୀୟ ମୁକୁନ୍ଦ ଦେବ। ମୁକୁନ୍ଦ ଦେବ ନାବାଳକ ଥିବାରୁ ତାଙ୍କ ଅଭିଭାବକ ଭାବେ କାମ କରୁଥାନ୍ତି ଜୟୀ ରାଜଗୁରୁ। ମୋଗଲ ଶାସନ କାଳରୁ ଖୋର୍ଦ୍ଧା ଥିଲା ଏକ ସ୍ବାଧୀନ ରାଜ୍ୟ। ଓଡିଶାର କେନ୍ଦ୍ର ସ୍ଥଳରେ ଏହା ଅବସ୍ଥିତ ଥିବାରୁ ଗୋରା ଶାସକମାନେ ଖୋର୍ଦ୍ଧା ଉପରେ ସାମରିକ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କଲେ। ଇଂରେଜ ଶାସକ ହାରକୋଟ୍‌ ରାଜା ମୁକୁନ୍ଦ ଦେବଙ୍କୁ ବୁଝାମଣା ପାଇଁ ଏକ ଧମକପୂର୍ଣ୍ଣ ଚିଠି ଲେଖିଥିଲେ। ରାଜା ମୁକୁନ୍ଦ ଦେବ ଜୟୀଙ୍କ ପରାମର୍ଶ ମୁତାବକ ଇଂରେଜଙ୍କୁ ଦୁଇଟି ସର୍ତ୍ତ ପୂରଣ ପାଇଁ ପ୍ରସ୍ତାବ ଦେଲେ। ପ୍ରଥମ ସର୍ତ୍ତଟି ଥିଲା, ଖୋର୍ଦ୍ଧା ଅଧିକାର ପୂର୍ବରୁ ଇଂରେଜ ସରକାର ଗଜପତିଙ୍କୁ ଲକ୍ଷେ ଟଙ୍କା ଦେବେ ଏବଂ ଦ୍ୱିତୀୟରେ ମରହଟ୍ଟା ଅମଳରେ ଦଖଲ ହୋଇଥିବା ଲେମ୍ବାଇ, ସିରାଇ, ରାହାଙ୍ଗ ଓ ଚବିଶକୁଦ ନାମକ ଚାରିଗୋଟି ପ୍ରଗଣାକୁ ଫେରାଇଦେବେ। ଗୋରା ଶାସକ ହାରକୋଟ୍‌ ଚତୁରତାର ସହ ୭୦ ହଜାର ଟଙ୍କା ଖୋର୍ଦ୍ଧା ପଠାଇଥିଲେ। ହେଲେ ଜୟୀ ରାଜଗୁରୁ ଏଇ ଟଙ୍କା ରାଜାଙ୍କୁ ନ ଦେଇ ପାଇକମାନଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ। ଜୟୀ ଜାଣିଥିଲେ, ଇଂରେଜମାନଙ୍କ ବିରୋଧରେ ଲଢିବା ପାଇଁ ପାଇକମେଳି ଦରକାର। ଖୋର୍ଦ୍ଧାରେ ପାଇକମେଳି ଶକ୍ତିିଶାଳୀ ହେବା ଯୋଗୁ ଇଂରେଜ ଶାସକଙ୍କ ନିଦ ହଜିଯାଇଥିଲା। ସେମାନେ ରାଜାଙ୍କୁ ଦୋଷ ଦେଇ ବାରମ୍ବାର ଚିଠି ଲେଖୁଥିଲେ। ଆଉ ଜୟୀ ସେମାନଙ୍କୁ ଉତ୍ତର ଦେଉଥିଲେ, ବାକି ୩୦ ହଜାର ଟଙ୍କା ଶୀଘ୍ର ଦିଅ ଓ ଚାରୋଟି ପ୍ରଗଣା ଫେରାଅ। ଜୟୀ ରାଜଗୁରୁ ଓ ପାଇକମେଳିକୁ ଧ୍ୱଂସ କରିବା ପାଇଁ ଗୋରା ସାହେବମାନେ ପ୍ରସ୍ତୁତ କରିଥିଲେ ଯୋଜନା। ପାଇକ ଆଖଡା ସବୁ ବନ୍ଦ କରିଦିଆଗଲା। ପାଇକମାନଙ୍କ ଉପରେ ବିଭିନ୍ନ କର ବସାଗଲା। ତଥାପି ପାଇକ ବୀରମାନେ ହଟି ନ ଥିଲେ। ବ୍ରିଟିଶ ଶାସକଙ୍କ ବିରୋଧରେ ବିଦ୍ରୋହର ନିଆଁ ବ୍ୟାପିଥିଲା ଆଳି, କନିକା, କୁଜଙ୍ଗ, ଘୁମୁସର, ଆଠଗଡ ଆଦି ଅଞ୍ଚଳକୁ। ମାନ୍ଦ୍ରାଜ ଓ କଲିକତାରୁ ଫୋର୍ସ ମଗାଇ ୧୮୦୪ ନଭେମ୍ବର ୨୨ରେ ଖୋର୍ଦ୍ଧାଗଡକୁ ଆକ୍ରମଣ କଲେ ଇଂରେଜ। ହେଲେ କିଛି ଲୋକ ବିଶ୍ୱାସଘାତକତା କରିବାରୁ ଶେଷରେ ଧରାପଡିଲେ ଜୟୀ ରାଜଗୁରୁ ଓ ସହଯୋଗୀ ଦିଗମ୍ବର ଭୂୟାଁ। ବରୁଣେଇ ଗଡର ପତନ ହେଲା। ଜୟୀ ରାଜଗୁରୁ ନିଜ ଭୁଲ୍‌ ମାନିବା ପ୍ରସ୍ତାବରେ ରାଜି ନ ହେବାରୁ ଇଂରେଜମାନେ ତାଙ୍କୁ ମେଦିନୀପୁର ବାଘି ତୋଟାକୁ ନେଇଥିଲେ, ଆଉ ୧୮୦୬ ଡିସେମ୍ବର ୬ ତାରିଖରେ ନୃଶଂସ ଭାବେ ହତ୍ୟା କରିଥିଲେ। ଗୋଟିଏ ବରଗଛର ଦୁଇଟି ଡାଳ ଟାଣି ତାଙ୍କର ଦୁଇଗୋଡ ବାନ୍ଧି ଡାଳ ଦୁଇଟିକୁ ଛାଡି ଦେଇଥିଲେ। ଯାହା ରାଜଗୁରୁଙ୍କର ଶରୀରକୁ ନିମିଷକ ମଧ୍ୟରେ ଦୁଇଫାଳ କରିଦେଇଥିଲା। ଜଟାଧାରୀ ମିଶ୍ରଙ୍କ ଓଡିଶାର ପ୍ରଥମ ଶହୀଦ ଜୟୀ ରାଜଗୁରୁ ହେଉ ଅବା କାର୍ତ୍ତିକ ଦାଶଙ୍କ ରକ୍ତତୀର୍ଥ ଓଡିଶା ଅବା Orissan Records, Vol.II, W. Trower to J.P. Ward, ଇତିହାସକୁ ସାଉଁଟିବାକୁ ଚେଷ୍ଟା କରିଥିବା ପ୍ରତିଟି ଦଲିଲରେ ଜୟୀ ରାଜଗୁରୁ ଜଣେ ଯୋଦ୍ଧା, ସାହସୀ ଓ ବୀର ଓଡିଆ। ପ୍ରସିଦ୍ଧ ଐତିହାସିକ ବି.ସି. ରାୟଙ୍କ ତଥ୍ୟରୁ ବି ଏଇ ପ୍ରମାଣ ମିଳିସାରିଛି। ତେବେ ୧୮୦୪ ଜୟୀ ରାଜଗୁରୁଙ୍କ ସଂଗ୍ରାମ ନା ୧୮୧୭ ବକ୍ସି ଜଗବନ୍ଧୁଙ୍କ ଲଢେଇ, କେଉଁଟି ଗୋରା ଶାସକଙ୍କ ବିରୋଧରେ ପ୍ରଥମ ଲଢେଇ, ଏନେଇ ଯେଉଁମାନେ ଏବେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ଭୁଲିଯାଉଛନ୍ତି, ଉଭୟ ବୀର ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ ଓଡିଆ ଅସ୍ମିତା ପାଇଁ ଲଢିଛନ୍ତି ଆଉ ଶହୀଦ ହୋଇଛନ୍ତି। ସେମାନଙ୍କ ବୀରତ୍ୱ କାହାଣୀ ଯୁଗେ ଯୁଗେ ଅମର, ଏହାକୁ ନେଇ ରାଜନୀତି ନ ହେଉ। ଯଥାର୍ଥରେ ଜୟୀ ରାଜଗୁରୁଙ୍କ ପାଇଁ କେଉଁ ଜଣେ କବି କହିଥିଲେ, ”କୁଆଡେ ବହି ଯାଉଛି କାଳ ଗଲାଣି କଟି କେତେଶ ସାଲ, ରହିଛି ଏବେ କଥା,ଜଇଆ ପଛେ ଜୀବନ ଦେଲା ନୁଆଁଇ ନାଇଁ ମଥା।...“

(ଜୟୀ ରାଜଗୁରୁଙ୍କ ଶହୀଦ ଦିବସ ଉପଲକ୍ଷେ)

ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri